> ଜିଆ ଚାଷ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଜିଆ ଚାଷ

ଜିଆ ବା କେଞ୍ଚୁଆକୁ କୃଷକର ବନ୍ଧୁ ହିସାବରେ ସମସ୍ତେ ଜାଣନ୍ତି ।

Vermiculture

ଜିଆର ବ୍ୟବହାର

ବର୍ତ୍ତମାନ ଜିଆର ବହୁଳ ବ୍ୟବହାର କରି ଅନେକ ଗୁଡ଼ିଏ କାର୍ଯ୍ୟ ସାଧନ କରାଯାଉଛି । ସେଗୁଡ଼ିକ ହେଲା

  • କୃଷି କ୍ଷେତ୍ରରେ ବର୍ଯ୍ୟବସ୍ତୁ ତଥା ଅଦରକାରୀ ଜୈବିକ ପଦାର୍ଥରୁ ଖୁବ୍ କମ ସମୟରେ ଉନ୍ନତ ମାନର କମ୍ପୋଷ୍ଟ ପ୍ରସ୍ତୁତ କରାଯାଇପାରୁଛି ।
  • ଜିଆ ଚାଷ କରିବା ଦ୍ୱାରା ସହଜରେ ଏବଂ ଶସ୍ତାରେ ଅଦରକାରୀ ଜୈବିକ ପଦାର୍ଥରୁ ପ୍ରାଣୀଜ ପୁଷ୍ଟିସାର (ଭର୍ମି ପ୍ରୋଟିନ୍) ପ୍ରସ୍ତୁତ କରାଯାଇପାରୁଛି । ଏହାକୁ ମାଛ, କୁକୁଡ଼ା ଓ ଘୁଷୁରି ମାନଙ୍କ ପାଇଁ ଖାଦ୍ୟ ଆକାରରେ ବ୍ୟବହାର କରାଯାଇ ପାରୁଛି । ଏହି ପ୍ରୋଟିନ୍ ସହଜରେ ହଜମ ହୋଇ ପାରୁଛି । ଜିଆ ତନ୍ତୁରେ 50 ରୁ 75 % ପୁଷ୍ଟିସାର, 7-10% ଚର୍ବି, କ୍ୟାଲସିୟମ୍ ଫସଫରସ୍ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଅଛି । ତାଛଡ଼ା ବିଭିନ୍ନ ଆର୍ଜିମାଇନ୍, ଟ୍ରିପଟୋଫ୍ୟାନ ଓ ଟାଇରୋସିନ୍ ଇତ୍ୟାଦି ଆମିନୋ ଅମ୍ଳ ମଧ୍ୟ ଅଛି ।
  • ଜିଆରୁ ବିଭିନ୍ନ ପ୍ରକାର ରୋଗ ପାଇଁ ବିଶେଷ କରି ଆଣ୍ଠୁଗଣ୍ଠି ବାତ ଓ ଜଣ୍ଡିସ ପାଇଁ ଔଷଧ ତିଆରି କରାଯାଉଛି । ୟୁନାନି ପ୍ରଣାଳୀରେ ବିଭିନ୍ନ ରୋଗ ଯଥା ଖଣ୍ଡିଆ, ମଳକଣ୍ଟକ, ହାର୍ଣ୍ଣିଆ ଆଦିର ସଫଳ ଚିକିତ୍ସା ପାଇଁ ଜିଆ ବ୍ୟବହାର କରାଯାଉଛି ।
  • ଜିଆ ଦେହରୁ ନିର୍ଗତ ତରଳ ପଦାର୍ଥରେ ଅନେକ ହରମୋନ ଥିବାରୁ ଫସଲ ବୃଦ୍ଧି ପାଇଁ ବ୍ୟବହାର କରାଯାଉଛି ।
  • ବନିଶୀରେ ମାଛ ଧରିବା ପାଇଁ ଜିଆକୁ ଥୋପ ହିସାବରେ ବ୍ୟବହାର କରାଯାଉଛି ।
  • ଜିଆମଳ ଏକ ଉତ୍କୃଷ୍ଟ ଖତ ଅଟେ ।
  • ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଜିଆ ବ୍ୟବହାର କରାଯାଉଛି । ଏଥିପାଇଁ ଉନ୍ନତ କିସମର ଜିଆ ଅଧିକ ପରିମାଣରେ ଆବଶ୍ୟକ । ଜିଆ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଳ୍ପ ଜିଆରୁ ଅଧିକ ପରିମାଣର ଜିଆ ଉତ୍ପାଦନ କରିବାକୁ ପଡ଼ିବ ।

ଜିଆକୁ ଉପଯୁକ୍ତ ଖାଦ୍ୟ ଏବଂ ପରିବେଶରେ ରଖି ବଂଶ ବୃଦ୍ଧି କରିବାକୁ ଜିଆଚାଷ (Vermiculture) କୁହାଯାଏ । ଏହି ପ୍ରଣାଳୀ ମାଧ୍ୟମରେ ଅଳ୍ପ ଜିଆରୁ ଅଧିକ ଜିଆ ଉତ୍ପନ୍ନ ହୋଇଥାଏ । ଜିଆ ସଂଖ୍ୟା ଉପଯୁକ୍ତ ବାତାବରଣରେ 65 ରୁ 70 ଦିନ ମଧ୍ୟରେ 2 ରୁ 3 ଗୁଣ ବୃଦ୍ଧି ପାଇଥାଏ ।

ମୁଖ୍ୟତଃ ଭର୍ମିକମ୍ପୋଷ୍ଟ ପାଇଁ ଜିଆର ବହୁଳ ବ୍ୟବହାର କରାଯାଉଛି । ସେଥିପାଇଁ ନିର୍ଦ୍ଦିଷ୍ଟ କିସମର ଜିଆକୁ ଚିହ୍ନଟ କରି ସେମାନଙ୍କର ବଂଶ ବୃଦ୍ଧି କରିବାକୁ ପଡ଼ିବ ।

ଭର୍ମିକମ୍ପୋଷ୍ଟ ପାଇଁ ଉଦ୍ଦିଷ୍ଟ ଜିଆର ଗୁଣ

  • ଜିଆ ଖୁବ୍ କମ୍ ସମୟରେ ଅଧିକ ପରିମାଣରେ ଜୈବିକ ପଦାର୍ଥକୁ କମ୍ପୋଷ୍ଟରେ ପରିଣତ କରିପାରୁଥିବ ।
  • ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନା ଖାଇବା କ୍ଷମତା ଥିବ ।
  • ପ୍ରଜନନ କ୍ଷମତା ଖୁବ୍ ବେଶୀ ଓ ଦୃତ ହେବା ସହିତ ଛୁଆ ଗୁଡ଼ିକ ମଧ୍ୟ ଶୀଘ୍ର ଶୀଘ୍ର ବଢି ପାରୁଥିବେ । ଅଧିକ ପରିମାଣରେ ଖୋସା ହେଉଥିବା ଦରକାର ଏବଂ ସେଗୁଡ଼ିକ ଫୁଟିବା ପାଇଁ କମ୍ ସମୟ ଲାଗୁଥବ ।
  • ବିଭିନ୍ନ ପ୍ରକାରର ଜଟିଳ ପରିସ୍ଥିତି ସହ ଖାପ ଖୁଆଇ ବଞ୍ଚିପାରୁଥିବ । ଯଥା-ଜଳ, ଉତ୍ତାପ କିମ୍ବା ଅମ୍ଳତ୍ୱର ସାମାନ୍ୟ କମ୍ ବେଶୀ ଯୋଗୁଁ ବିଶେଷ ପ୍ରଭାବିତ ହେଉ ନଥିବ ।
  • ଅଳିଆ ଗଦାରେ ଛାଡ଼ିବା ମାତ୍ର କାଳ ବିଳମ୍ବ ନକରି କମ୍ପୋଷ୍ଟ ତିଆରି ଆରମ୍ଭ କରିପାରୁଥିବ ।
  • ଅଳିଆ ଗଦାର ସବୁସ୍ତରରୁ ଜୈବିକ ପଦାର୍ଥ ଖାଇବାର କ୍ଷମତା ଥିବ ।
  • ଅଧିକ ଜୈବିକ ପଦାର୍ଥ ଖାଇବା ଏବଂ ହଜମ କରିବା କ୍ଷମତା ଥିବ ।
  • ରୋଗ ସହଣୀ ଶକ୍ତି ଥିବ ।

ଭର୍ମିକମ୍ପୋଷ୍ଟ ପାଇଁ ଉଦ୍ଦିଷ୍ଟ ଜିଆ

ଭାରତରେ ମୁଖ୍ୟତଃ ଜିଆଚାଷ ପାଇଁ ଇସେନିଆ ଫୋଏଟିଡା ଏବଂ ୟୁଡ୍ରିଲସ୍ ୟୁଜେନି କୁ ବହୁଳ ଭାବରେ ବ୍ୟବହାର କରାଯାଉଛି । ଅନ୍ୟ ଦୁଇ ପ୍ରଜାତିର ଜିଆ ପେରିଓନିକ୍ସ ଏକ୍ସକାଲାଇଟସ୍ ଓ ଲୁମ୍ବ୍ରିକସ୍ ରୁବେଲସ୍ କୁ ମଧ୍ୟ ବ୍ୟବହାର କରାଯାଇପାରୁଛି ।

କ) ଇସେନିଆ ଫୋଏଟିଡ଼ା

eisenia fetida
eisenia fetida
  • ଏହି ଜିଆ ବହୁଳ ଭାବରେ ଜିଆ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଉଛି ।
  • ଏହି ଜିଆ ଦେଖିବାକୁ ଲାଲ, ବାଇଗଣୀ କିମ୍ବା ଗାଢ ବାଇଗଣୀ । ପେଟ ପଟ ଫିକା ।
  • ଏହି ଜିଆ ପ୍ରତିକୂଳ ଅବସ୍ଥାକୁ ସହିପାରେ । ମୁଖ୍ୟତଃ ତାପମାତ୍ରା ଓ ଆର୍ଦ୍ରତାର ବିଭିନ୍ନ ତାରତାମ୍ୟକୁ ସହିପାରେ ।
  • ଏହି ଜିଆ ଚାଷ କରିବା ପାଇଁ ସହଜ ।
  • ଏହା ବିଭିନ୍ନ ପ୍ରକାରର ଜୈବିକ ପଦାର୍ଥକୁ ଏହା ଖାଇପାରେ । ଗୋଟିଏ ଜିଆ ଦିନକୁ ହାରାହାରି 7 ମି.ଗ୍ରା. ଖାଦ୍ୟ ଖାଏ ।
  • ଏହାର ବୃଦ୍ଧିହାର ବହୁତ ଚଞ୍ଚଳ । ବୟସ୍କ ପୂର୍ଣ୍ଣାଙ୍ଗ ଜିଆର ଓଜନ 1500 ମି.ଗ୍ରା. ପର୍ଯ୍ୟନ୍ତ ହୋଇଥାଏ ।
  • ଅଣ୍ଡାରୁ ଫୁଟିବାର 50-55 ଦିନ ପରେ ଜିଆ ପ୍ରଜନନ କ୍ଷମ ହୋଇଥାଏ ।
  • ଗୋଟିଏ ବୟସ୍କ ଜିଆ ହାରାହାରି ପ୍ରତିଦିନରେ ଗୋଟିଏ ଖୋସା ଦେଇଥାଏ ଓ 23 ଦିନ ଭିତରେ (3 ରୁ 4 ସପ୍ତାହ), ସେହି ଖୋସା ଫୁଟି 1 ରୁ 3 ଟି ଛୁଆ ବାହାରେ । ସାଧାରଣତଃ ସବୁ ଛୁଆ ଗୁଡ଼ିକ ବଞ୍ଚି ନ ଥାନ୍ତି । ତଥାପି, ଗୋଟିଏ ଜିଆରୁ ହାରାହାରି 30 ଟି ଜିା ବାହାରିଥାନ୍ତି ।
  • ଏହି ଜିଆର ଜୀବନକାଳ ଏକ ବର୍ଷ । ଏଗୁଡ଼ିକ ଖାଦ୍ୟ (ଦହଶୀଳ ଜୈବିକ ପଦାର୍ଥ ) ବାହାରକୁ ଆସନ୍ତି ନାହିଁ ।

ଖ) ୟୁଡ଼୍ରିଲସ୍ ୟୁଜେନି

eudrilus eugeniae
eudrilus eugeniae
  • ଏହି ଜିଆ ଦେଖିବାକୁ ଧୂସର ଏବଂ ଲାଲ ଠାରୁ ଗାଢ ବାଇଗଣୀ ରଙ୍ଗ ପର୍ଯ୍ୟନ୍ତ । ସାଧାରଣ ରଙ୍ଗ ପଶୁ ମାଂସର ରଙ୍ଗ ଭଳି ।
  • ଏହି ଜିଆର ଲମ୍ବ 32 ରୁ 140 ମି.ମି. ଏବଂ ଗୋଲେଇ 5 ରୁ 8 ମି.ମି. ।
  • ଏହି ଜିଆ ବହୁତ ଶୀଘ୍ର ବଢିପାରେ ।
  • ମୁଖ୍ୟତଃ ଦକ୍ଷିଣ ଭାରତରେ ଏହି ଜିଆର ଚାଷ ବ୍ୟାପକ ଭାବରେ କାରାଯାଉଛି ।
  • ଦିନକୁ 10 ମି.ଗ୍ରା. ପର୍ଯ୍ୟନ୍ତ ଜୈବିକ ପଦାର୍ଥ ଏହି ଜିଆ ଖାଇଥାଏ ।
  • ବୟସ୍କ ପୂର୍ଣ୍ଣାଙ୍ଗ ଜିଆର ଓଜନ 4.3 ଗ୍ରାମ ପ୍ରର୍ଯ୍ୟନ୍ତ ହୋଇଥାଏ ।
  • 40 ଦିନରେ ଜିଆ ପ୍ରଜନନକ୍ଷମ ହୁଏ  ଏବଂ ସଙ୍ଗମରେ ଏକ ସପ୍ତାହ ପରେ ଖୋସା ଦେବା ଆରମ୍ଭ କରେ ।
  • ପାରିପାର୍ଶିକ ଅୂବସ୍ଥା ଅନୁସାରେ ଦିନକୁ ଗୋଟିଏ ଖୋସା କିମ୍ବା 3 ଦିନରେ ଚାରୋଟି ଖୋସା 46 ଦିନ ପାଇଁ ଦେଇଥାଏ ।
  • ଖୋସାରୁ 16 ରୁ 17 ଦିନ ପରେ (2 ରୁ 3 ସପ୍ତାହ) 2 ଟି ରୁ 3 ଟି ଛୁଆ ବାହାରନ୍ତି ।
  • ଏହି ଜିଆର ଜୀବକାଳ 1 ରୁ 3 ବର୍ଷ ପର୍ଯ୍ୟନ୍ତ ହୋଇଥାଏ ।
  • ଏହା ଅଧିକ ଅଣ୍ଡା ଏହି ଜିଆ ସହିପାରେ ନାହିଁ ।
  • ଜିଆ ଚାଷ କରିବା ପୂର୍ବରୁ ସେମାନଙ୍କର ଜୀବନଚକ୍ର ଉପରେ ସମ୍ୟକ୍ ଜ୍ଞାନ ରଖିବା ଆବଶ୍ୟକ ।

ଜିଆର ପ୍ରଜନନ

ଜିଆ ହେଉଛି ଉଭୟ ଲିଙ୍ଗୀ ଅର୍ଥାତ ପ୍ରତି ଜିଆ ଦେହରେ ଗର୍ଭାଶୟ ଏବଂ ଶୁକ୍ରାଶୟ ଥାଏ । ପୁରୁଷ ଏବଂ ସ୍ତ୍ରୀ ଲିଙ୍ଗର ଅବସ୍ଥିତି ଅଲଗା ଅଲଗା ସ୍ଥାନରେ ରହିଥାଏ । ସେଥିପାଇଁ ପରାଗସଙ୍ଗମ ହୋଇଥାଏ । ତାଛଡ଼ା ପୁରୁଷ ଲିଙ୍ଗ କୋଷ ଏବଂ ସ୍ତ୍ରୀ କୋଷ ଅଲଗା ଅଲଗା ସମୟରେ ପାକଳ ହୋଇଥାଏ । ସାଧାରଣତଃ ଦୁଇଟି ଜିଆର ସଙ୍ଗମ ହୋଇ ପରସ୍ପରର ଦେହ ଭିତରକୁ ଶୁକ୍ରାଣୁ ଗୁଡ଼ିକ ଛାଡ଼ି ଦେଇଥାନ୍ତି । ସଙ୍ଗମ ସମୟରେ ଜିଆ ଦୁଇଟି ବିପରୀତ ଦିଗକୁ ମୁହଁ କରି ଆଗ ପଟେ କିଛି ଅଂଶ ଲଗାଲଗି ହୋଇ ଏହି କ୍ରିୟା ସମ୍ପାଦନ କରିଥାନ୍ତି ।

ସଙ୍ଗମ ପରେ ଖୋସା ବା ଅଣ୍ଡାର କ୍ୟାପସୁଲ ତିଆରି ହୁଏ । ଜିଆଙ୍କର ଖୋସା ଗୁଡ଼ିକ ଦେଖିବାକୁ ଧନିଆ ମଞ୍ଜି ପରି ଓ ଦୁଇମୁଣ୍ଡ ଗୋଜିଆ ହୋଇ ରହିଥାଏ । ଏଗୁଡ଼ିକର ରଙଗ ଦୁଧିଆ, ଇଷତ୍ ହଳଦିଆ, ମାଟିଆ ବା ସ୍ୱଚ୍ଛ ହୋଇଥାଏ । ଶରୀରରୁ ବାହାରିବା ପରେ ଏ ଗୁଡ଼ିକ ଟାଣ ହୋଇଯାଏ । ଖୋସାର ଆକୃତି, ଆକାର ଏବଂ ରଙ୍ଗ ପ୍ରଜାତିରୁ ପ୍ରଜାତି ଭିନ୍ନ ହୋଇଥାଏ । ଖୋସା ଗୁଡ଼ିକ ବଞ୍ଚି ରହିବା ପାଇଁ ଜୈବିକ ପଦାର୍ଥର ତାପମାତ୍ରା 5 ରୁ 25 ଡିଗ୍ରୀ ସେ.ଗ୍ର. ଭତରେ ରହିବା ଆବଶ୍ୟକ ଏବଂ ଆଦ୍ରତା 20 ରୁ 40 ଶତାଂଶ । ଗୋଟିଏ ଖୋସାରେ ବହୁତ ଗୁଡ଼ିଏ ଅଣ୍ଡା ଥାଏ । ମାତ୍ର ସେଥିରୁ ଗୋଟିଏ, ଦୁଇଟି କିମ୍ବା ଅତିବେଶୀରେ ତିନୋଟି ବଞ୍ଚି ଥାଏ । ଉପଯୁକ୍ତ ପରିବେଶରେ ଖୋସା ପ୍ରାୟ ବର୍ଷଯାକ ତିଆରି ହୋଇଥାଏ । ମାତ୍ର ଶୀତଦିନ ଅପେକ୍ଷା ଖରାଦିନେ ଅଧିକ ଉତ୍ପାଦିତ ହୋଇଥାଏ । ଖୋସା ଉତ୍ପାଦନ ବର୍ଷକୁ ଜିଆପ୍ରତି ହାରାହାରି 17 । ଖୋସାରୁ ଛୁଆ ଫୁଟିବା ଜୈବିକ ପଦାର୍ଥ ଅବସ୍ଥା, ତାପମାତ୍ରା ଏବଂ ଆର୍ଦ୍ରତା ଉପରେ ମଧ୍ୟ ନିର୍ଭର କରେ ।

ସେଥିପାଇଁ ଜିଆ ଚାଷ ପାଇଁ ଉଦ୍ଦିଷ୍ଟ ଜିଆର ଗୁଣ ମଧ୍ୟରେ ଅଧିକ ପ୍ରଜନନକ୍ଷମ ଶୀଘ୍ର ବଢିପାରୁଥିବା ଏବଂ ବଂଶ ବୃଦ୍ଧି କରିପାରୁଥିବା ଭଳି ରହିବା ଆବଶ୍ୟକ ।

ଜିଆର ଖାଦ୍ୟ

ଜିଆର ବଂଶବୃଦ୍ଧି ଏହାର ଖାଦ୍ୟ ଉପରେ ନିର୍ଭର କରିଥାଏ । ଯବକ୍ଷାରଜାନ ଅଧିକ ଥିବା ଖାଦ୍ୟ ଓ ଦହନଶୀଳ (ସଢା) ଜୈବିକ ପଦାର୍ଥ ଖାଉଥିବା ଜିଆ ଅଧିକ ଖୋସା ଦେଇଥାନ୍ତି । ଏକ କିଲୋଗ୍ରାମ ଜିଆ ଦୈନିକ ହାରାହାରି 4 ରୁ 5 କିଲୋଗ୍ରାମ୍ ଜୈବିକ ପଦାର୍ଥକୁ ଖାଇ କମ୍ପୋଷ୍ଟରେ ପରିଣତ କରିପାରନ୍ତି । ଜିଆ ମୁଖ୍ୟ ଭାବରେ ଜୈବିକ ପଦାର୍ଥ ଯଥା- ସଢି ଯାଇଥିବା ପତ୍ର, ହ୍ୟମସ୍, ଗୋବର, ଘାସ ଏବଂ ପନିପରିବା ଚୋପା ଇତ୍ୟାଦିକୁ ଖାଏ । ଏହାର ଗ୍ରହଣ କ୍ଷମତା ପ୍ରଜାତିଠୁ ପ୍ରଜାତି ଭିନ୍ନ ହୋଇତଥାଏ ।

ବିଭିନ୍ନ ପ୍ରକାରର ଜୈବିକ ପଦାର୍ଥକୁ ଜିଆର ଖାଦ୍ୟ ରୂପେ ବ୍ୟବହାର କରାଯାଇପାରିବ । ନିମ୍ନଲିଖିତ ଯେକୌଣସି ମିଶ୍ରଣ ଆବଶ୍ୟକୀୟ ଅନୁପାତରେ ବ୍ୟବହାର କରାଯାଇପାରିବ ।

କ) ଦରସଢା ଗୋବର (ଅତିକମରେ 7 ଦିନର ପୁରୁଣା)

ଖ) ଗୋବର + କୁକୁଡା ମଳା (ସମାନ ଅନୁପାତରେ ମିଶ୍ରଣ)

ଗ) ଗୋବର + ମୁଗ, ବିରି ବୋତି /ଚୋକଡ଼ + ପିଡ଼ିଆ (10: 3: 1 ଅନୁପାତରେ ମିଶ୍ରଣ)

ଘ) ଗୋବର + ପନିପରିବା ଚୋପା + ପିଡିଆ(10: 3: 1 ଅନୁପାତରେ ମିଶ୍ରଣ)

ଙ) ଗୋବର + କୃଷିଜାତ ବର୍ଯ୍ୟବସ୍ତୁ ଘର ମଇଳା + ପିଡିଆ (10: 3: 1 ଅନୁପାତରେ ମିଶ୍ରଣ)

ଚ) ଗୋବର ଗ୍ୟାସ ମଣ୍ଡ + ସବୁଜପତ୍ର (ଛୁଇଁ ଜାତୀୟ ଗଛ) (10: 3 ଅନୁପାତରେ ମିଶ୍ରଣ)

ଛ) ଗୋବର + ମୁଗ, ବିରି ବୋଡ଼ି / ଚୋକଡ଼ + ବୁଟ ଗୁଣ୍ଡ + ପନିପରିବା ଚୋପା (10: 1: 1:1 ଅନୁପାତରେ ମିଶ୍ରଣ+ କିଛି ଅଣ୍ଡା ଖୋଳପା ଗୁଣ୍ଡ)

ଜ) ଗୋବର + ଗହମ ଚୋକଡ଼ + ବୁଟ ଚୋକଡ଼ + ପନିପରିବା ଚୋପା (10: 1: 1:1 ଅନୁପାତରେ ମିଶ୍ରଣ+ କିଛି ଅଣ୍ଡା ଖୋଳପା ଗୁଣ୍ଡ)

ଝ) ଗୋବର + ମାଛଖାଦ୍ୟ (10: 1 ଅନୁପାତରେ ମିଶ୍ରଣ)

ଞ) ଗୋବର + କୁକୁଡ଼ା ଖାଦ୍ୟ (10: 1 ଅନୁପାତରେ ମିଶ୍ରଣ)

ଏଗୁଡ଼ିକ ମଧ୍ୟରୁ ଯେକୌଣସି ମିଶ୍ରଣ ବ୍ୟବହାର କରାଯାଇପାରିବ । ଗୋବରକୁ ପ୍ରମୁଖ ଉପାଦାନ ଭାବରେ ନିଆଯାଏ । ସେହି ପଦାର୍ଥ ଗୁଡ଼ିକୁ ଭଲଭାବରେ କୋଦାଳରେ ମିଶାଇ ଗଦା କରାଯାଏ । ତାପରେ ପାଣି ଛିଞ୍ଚି ଅଖାଦ୍ୱାରା ଘୋଡ଼ାଇ ଦିଆଯାଏ । 2 ରୁ 3 ସପ୍ତାହ ପରେ ସେଗୁଡ଼ିକ ଦରସଢା ହୋଇଯାଇଥାଏ ଏବଂ ତାହାକୁ ଜିଆ ଖାଦ୍ୟ ରୁପେ ବ୍ୟବହାର କରାଯାଏ । କଞ୍ଚା ସଜ ଗୋବରରେ ଜିଆଙ୍କୁ ଛଡ଼ିଲେ ଜିଆମାନେ ବଞ୍ଚି ନଥାନ୍ତି ।

ଖାଦ୍ୟ ଗ୍ରହଣ ପ୍ରକ୍ରିୟା

ଜିଆ ଖାଦ୍ୟ ଗ୍ରହଣ ବେଳେ ପେଟ ଭିତରେ ଥିବା ଲାଳଗ୍ରନ୍ଥିରୁ ଲାଳ ବାହାର କରେ, ଯାହାଫଳରେ ଖାଦ୍ୟ ପିଛିଳ ହୋଇ ସହଜରେ ଭିତରକୁ ଚାଲିଯାଇଥାଏ । ଏହି ଲାଳ ଉପକାରୀ ବୀଜାଣୁ ମାନଙ୍କର ବୃଦ୍ଧି କରିଥାଏ ଏବଂ ହ୍ୟୁମସ୍ ପ୍ରକ୍ରିୟା ସହଜରେ ସମ୍ପାଦିତ ହୋଇଥାଏ । କେତେକ ଗ୍ରନ୍ଥିରୁ ଏକ ପ୍ରକାର ଏନଜାଇମ୍ ନିର୍ଗତ ହୋଇ ପୁଷ୍ଟିସାର ଜାତୀୟ ପଦାର୍ଥକୁ ସରଳ ଯବକ୍ଷାରଜାନ ଜାତୀୟ ପଦାର୍ଥରେ ପରିଣତ କରନ୍ତି, ଯାହାକୁ ଗଛ ସହଜରେ ଗ୍ରହଣ କରିପାରେ । ଜିଆ ଖାଦ୍ୟ ଗ୍ରହଣ ବେଳେ ବିଭିନ୍ନ ପ୍ରକାର ଏନଜାଇମ୍ ଯଥା- ଏମାଇଲେଜ୍, ଲିପେଜ, ଡାଏଷ୍ଟେଜ୍ ନିର୍ଗତ କରି ଖାଦ୍ୟକୁ ସରଳୀକୃତ କରେ । ଜିଆର କାଲସିଫେରସ୍ ଗ୍ରନ୍ଥିରୁ କ୍ୟାଲସିୟମ ଏବଂ ଅଙ୍ଗାରକାମ୍ଳ ନିର୍ଗତ ହୁଏ । କ୍ୟାଲସିୟମ୍ ଖାଦ୍ୟନଳୀରେ ଥିବା ପଦାର୍ଥର ଅମ୍ଳତା ହ୍ରାସ କରି ନିରପେକ୍ଷ କରେ ।

ଜିଆର ପେଟ ଭିତରେ ଗିଜାର୍ଡ ରହିଛି । ଏହା ଏକ ମାଂଶଳ ଚକି । ଏହାଦ୍ୱାରା ଖାଦ୍ୟ ପେଶି ହୋଇଯାଏ ଓ ସୂକ୍ଷ୍ମ ପଦାର୍ଥ ଆକାରରେ ବାହାରି ଯାଏ । ଜିଆ ମାଟିକୁ ଖାଇ ଯେଉଁ ମଳତ୍ୟାଗ କରେ ତାହାକୁ କାଷ୍ଟ କୁହାଯାଏ  ଏବଂ ଜୈବିକ ପଦାର୍ଥକୁ ଖାଇ ଯେଉଁମଳ ତ୍ୟାଗ କରେ ତାହାକୁ କମ୍ପୋଷ୍ଟ କୁହାଯାଏ ।

ଶ୍ୱାସକ୍ରିୟା

ଜିଆ ଦେହରୁ ଏକପ୍ରକାର ତରଳ ପଦାର୍ଥ ନିର୍ଗତ ହୁଏ ଯାହାକି ଦେହକୁ ଓଦା ରଖିବା ସହିତ ଶ୍ୱାସ କ୍ରିୟାରେ ସାହାଯ୍ୟ କରେ । ଏହା ଜୈବିକ ପଦାର୍ଥରୁ ହ୍ୟମସ୍ ସୃଷ୍ଟି କରୁଥିବା କେତେକ ବୀଜାଣୁ ବୃଦ୍ଧିକୁ ମଧ୍ୟ ତ୍ୱରାନ୍ୱିତ କରେ । ଜିଆର ଚର୍ମ ଓଦାଳିଆ ରହିଲେ ଶ୍ୱାସକ୍ରିୟା ଭଲଭାବରେ ହୁଏ । ଶରୀରର ଅଙ୍ଗାରକାମ୍ଳ ବାହାରକୁ ଆସେ ଏବଂ ଅମ୍ଲଜାନ ଭିତରକୁ ଯାଏ । ଜିଆ ଅଳ୍ପ ଅମ୍ଲଜାନରେ 6 ରୁ 30 ଘଣ୍ଟା ପର୍ଯ୍ୟନ୍ତ ବଞ୍ଚି ରହିପାରେ ।

ଜିଆର ରଙ୍ଗ

ଜିଆମାନଙ୍କ ଦେହରେ ବିଭିନ୍ନ ପ୍ରକାରର ରଙ୍ଗ କଣିକା ଥିବାରୁ ଏମାନେ ଦେଖିବାକୁ ମାଟିଆ, ଲାଲ, ଧୂସର, ମିଶ୍ରିତ ହଳଦିଆ, ହଳଦିଆ, ଖଇରିଆ ବା କଳା ହୋଇଥାନ୍ତି  । ସାଧାରଣତଃ, ଯେଉଁ ଜିଆ ଗୁଡ଼ିକ ଅତି ଗଭୀରରେ ରୁହନ୍ତି, ସେଗୁଡ଼ିକ ଦେଖିବାକୁ ଫିକା ରଙ୍ଗର ଏବଂ ଯେଉଁ ଗୁଡ଼ିକ ଅଳ୍ପ ଗଭୀରରେ ରୁହନ୍ତି, ଦେଖିବାକୁ ଗାଢ ରଙ୍ଗର । ରଙ୍ଗ ଦେଖି ଜିଆଟି ମାଟିର କେଉଁ ସ୍ତରରେ ରହେ ତାହା ସହଜରେ ଅନୁମାନ କରାଯାଇପାରିବ ।

ଆଲୋକ ସମ୍ବେଦନଶୀଳତା

ଅତ୍ୟଧିକ ଆଲୋକକୁ ଜିଆ ଗ୍ରହଣ କରିପାରେ ନାହିଁ ଏବଂ ଦୂରକୁ ଚାଲିଯାଏ । ମାତ୍ର ଅଳ୍ପ ଆଲୋକକୁ ଜିଆ ଗ୍ରହଣ କରିପାରେ । ସେଥିପାଇଁ ଜିଆମାନେ ସାଧାରଣତଃ ରାତିରେ ବାହାରକୁ ବାହାରନ୍ତି ଏବଂ ଦିନରେ ଲୁଚିକରି ରହିଥାନ୍ତି । ଆଲୋକ ସମ୍ବେଦନଶୀଳତା ବିଭିନ୍ନ ଜିଆ ମାନଙ୍କ ଠାରେ କମ୍ ବା ବେଶୀ ଥିବାର ଦେଖିବାକୁ ମିଳେ ।

ଜିଆଚାଷ ପ୍ରଣାଳୀ

ଏଥିପାଇଁ ଏକ ଅଗଭୀର କାଠ ବାକ୍ସ ବା ପ୍ଲାଷ୍ଟିକ ଟ୍ରେ ବା ସିମେଣ୍ଟ କୁଣ୍ଡ (60 ସେ.ମିx 45 ସେ.ମି x20 ସେ.ମି.) କିମ୍ବା ସିମେଣଟରେ ତିଆରି ନନ୍ଦା ବ୍ୟବହାର କରାଯାଇ ପାରିବ । ଏହା ଭିତରେ 2 ରୁ 3 ସପ୍ତାହ ପର୍ଯ୍ୟନ୍ତ ସଢିଥିବା ଜିଆ ଖାଦ୍ୟକୁ 15 ସେ.ମି. ପର୍ଯ୍ୟନ୍ତ ବିଛାଇ 200-300 ଟି ସଦ୍ୟ ଜିଆଙ୍କୁ ଛାଡ଼ି ତା ଉପରେ ଏକ ଝୋଟ ଅଖା ଘୋଡ଼ାଇ ଦିଆଯାଏ । ଏଗୁଡ଼ିକୁ ସିଧା ଟାଣ ଖରା କିମ୍ବା ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଏକ ଚାଳିଆ ତଳେ ରଖିବା ଉଚିତ୍ । ଉପଯୁକ୍ତ ଆର୍ଦ୍ରତା (40-50%) ପାଇଲେ ଏହି ଜିଆମାନେ ଖୁବ୍ ଶିଘ୍ର ବଂଶ ବୃଦ୍ଧି କରିଥାନ୍ତି । ଦୁଇମାସରେ ଆମେ ଏହି କୁଣ୍ଡରୁ ପ୍ରାୟ 1 ରୁ 1.5 କି.ଗ୍ରା. ବା 1000 ରୁ 1500 ପର୍ଯ୍ୟନ୍ତ ଜିଆ ସଂଗ୍ରହ କରିପାରିବା । ମୂଷା, ଜନ୍ଦା, ପିମ୍ପୁଡ଼ି ଓ ବେଙ୍ଗ ଇତ୍ୟାଦି ଜୀବମାନେ ଜିଆମାନଙ୍କର ବଡ଼ ଶତ୍ରୁ । ଏମାନେ ଯେପରି ଜିଆକୁ ଖାଇ ନଯାଆନ୍ତି, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ଜୀବନ୍ତ ଜିଆକୁ ଦୂର ଜାଗାକୁ ପଠାଇବା ପାଇଁ ଘୋଡ଼ଣୀ କଣା ଥିବା ଏକ ପ୍ଲାଷ୍ଟି ଜାରରେ ଆର୍ଦ୍ରତା ଥିବା ଜିଆ ଖାଦ୍ୟ ସହିତ ମିଶାଇ ରଖନ୍ତୁ । 24 ଘଣ୍ଟା ପରିବହନ ପାଇଁ ଜିଆ ପ୍ରତି 1.5 ଗ୍ରାମ୍ ଖାଦ୍ୟ ରଖନ୍ତୁ । 1 ଲିଟର କ୍ଷମତା ବିଶିଷ୍ଟ ପ୍ଲାଷ୍ଟିକ ଜାରରେ ଅନୁନ୍ୟ 200 ରୁ 500ଟି ଜୀବନ୍ତ ଜିଆ ରଖାଯାଇପାରିବ । ଅଳ୍ପ ରାସ୍ତା ପରିବହନ ପାଇଁ ପଲିଥିନ୍ ମୁଣାରେ ଜୀବନ୍ତ ଜିଆ ସବୁକୁ ଖାଦ୍ୟ ସହିତ ରଖିବାକୁ ପଡ଼ିବ ।

ଜିଆ ଖତ ପ୍ରସ୍ତୁତି ତଥା ଅନ୍ୟାନ୍ୟ ବ୍ୟବହାର ପାଇଁ ଜିଆର ଆବଶ୍ୟକତାକୁ ପୂରଣ କରିବା ପାଇଁ ଚାଷୀ ଅଳ୍ପ ଜିଆରୁ ଜିଆ ଚାଷ ପ୍ରଣାଳୀ ମାଧ୍ୟମରେ ବଂଶ ବୃଦ୍ଧି କରିପାରିବେ । ଏହା ବ୍ୟତୀତ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବେକାର ଯୁବକ ଯୁବତୀ ଗଣ ଜିଆଚାଷ କରି ଚାଷୀମାନଙ୍କୁ ଉନ୍ନତ କିସମର ଜିଆ ଉଚିତ ମୂଲ୍ୟରେ ଯୋଗାଇ ସ୍ୱାବଲମ୍ୱୀ ହୋଇପାରିବେ ।

ଜାଣନ୍ତୁ –

ଭର୍ମି କମ୍ପୋଷ୍ଟ ପ୍ରସ୍ତୁତିର ଆବଶ୍ୟକତା ଓ ଉପକାରିତା

ଭର୍ମି କମ୍ପୋଷ୍ଟ ପାଇଁ ବ୍ୟବହାର ହେଉଥିବା ବର୍ଯ୍ୟବସ୍ତୁ

ଭର୍ମିକମ୍ପୋଷ୍ଟ ପ୍ରସ୍ତୁତି ପ୍ରଣାଳୀ

 

ସୂଚନା-

ଡ଼ଃ ମନୋକ ଜୁମାର ଜେନା, ମୃତ୍ତିକା ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼-1

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା