> ଭର୍ମିକମ୍ପୋଷ୍ଟ ପ୍ରସ୍ତୁତି - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଭର୍ମିକମ୍ପୋଷ୍ଟ ପ୍ରସ୍ତୁତି

ଭର୍ମିକମ୍ପୋଷ୍ଟ ପ୍ରସ୍ତୁତି ପାଇଁ ବିଭିନ୍ନ ଧରଣର କୁଣ୍ଡ ବ୍ୟବହାର କରାଯାଇପାରିବ । ବର୍ଯ୍ୟବସ୍ତୁର ପରିମାଣ ଓ ସୁଲଭତା ଅନୁସାରେ କୁଣ୍ଡର ଆୟତନ ନିରୂପଣ କରାଯାଏ ।

Vermicompostin

ସିମେଣ୍ଟ କୁଣ୍ଡ

Cement Tank

  • ଏକ ଉଚ୍ଚା ତଥା ନିଗିଡ଼ା ଜାଗାରେ ଭଙ୍ଗା ଇଟା, ପଥର ଦେଇ ଏକ ଚଟାଣ ତିଆରି କରନ୍ତୁ ।
  • ତାପରେ ଆବଶ୍ୟକତା ଅନୁସାରେ ଲମ୍ବ 1ମି, ଓସାର 75 ସେ.ମି ଉଚ୍ଚତା ବିଶିଷ୍ଟ ଇଟା ଓ ସିମେଣ୍ଟର କୁଣ୍ଡ ତିଆରି କରନ୍ତୁ ।
  • କୁଣ୍ଡ ଭିତର, ବାହାର ଏବଂ ତଳକୁ ସିମେଣ୍ଟର ପ୍ରଲେପ ଦିଅନ୍ତୁ ।
  • ଜଳ ନିଷ୍କାସନ ପାଇଁ କୁଣ୍ଡକୁ ଟିକିଏ ଢାଲୁ କରି ବାହାରକୁ କଣାଟିଏ ରଖନ୍ତୁ । କୁଣ୍ଡର ଉପର କାନ୍ଥରେ ନଳା ତିଆରି କରନ୍ତୁ ଟିକିଏ ଢାଲୁ କରି ବାହାରକୁ କଣାଟିଏ ରଖନ୍ତୁ ।
  • କୁଣ୍ଡର ଉପର କାନ୍ଥରେ ନଳା ତିଆରି କରନ୍ତୁ । ସେଥିରେ ପାଣି ଭର୍ତ୍ତି କଲେ ପିମ୍ପୁଡ଼ି କୁଣ୍ଡ ଭିତରକୁ ପଶିପାରିବେ ନାହିଁ ।

ସିମେଣ୍ଟ ନନ୍ଦ

Cement Ring

ସିମେଣ୍ଟ ନନ୍ଦକୁ ବ୍ୟବହାର କରି ମଧ୍ୟ କୁଣ୍ଡ ତିଆରି କରାଯାଇପାରିବ । ଦୁଇଟି ସମେଣ୍ଟ ନନ୍ଦ (2.5 ଫୁଟ ଗୋଲେଇ ଓ 1 ଫୁଟ୍ ଉଚ୍ଚତା ବିଶିଷ୍ଟ) କୁ ଯୋଡ଼ି ଏକ ସିମେଣ୍ଟ ଚଟାଣ ଉପରେ ବସାନ୍ତୁ । କୁଣ୍ଡରେ ଜଳ ନିସ୍କାସନ ପାଇଁ ଏକ କଣା ରଖନ୍ତୁ । ନିୟମିତ ଖତ ପାଇବା ପାଇଁ ଅନୁନ୍ୟ 2 ଟି କୁଣ୍ଡ କରିବା ଉଚିତ ।

ଚାଳ ଛପର ଘର

ଅଧିକ ତାପମାତ୍ରା ଏବଂ ଆର୍ଦ୍ରତାରେ ଜିଆମାନେ ବଞ୍ଚି ପାରନ୍ତି ନାହିଁ । ସେଥିପାଇଁ, ବର୍ଷା ଏବଂ ଖରା ଦାଉରୁ ରକ୍ଷା କରିବା ପାଇଁ କୁଣ୍ଡ ଉପରେ ଏକ ଚାଳ ଛପର ଘର ତିଆରି କରିବା ଆବଶ୍ୟକ ।

କମ୍ପୋଷ୍ଟ ଉପଯୋଗୀ ଜିଆ

କମ୍ପୋଷ୍ଟ ତିଆରି ପାଇଁ କେତେକ ନିର୍ଦ୍ଦିଷ୍ଟ ଜିଆଙ୍କୁ ବ୍ୟବହାର କରାଯାଇଥାଏ । କାରଣ ଗଦା ଭିତରେ ଖୁବ୍ ଶୀଘ୍ର ବଂଶ ବୃଦ୍ଧି କରି ଜୈବିକ ପଦାର୍ଥକୁ କମ୍ ସମୟ ଭିତରେ କମ୍ପୋଷ୍ଟରେ ପରିଣତ କରିବା ଶକ୍ତି ସବୁ ଜିଆଙ୍କର ନଥାଏ । କମ୍ପୋଷ୍ଟ ପ୍ରସ୍ତୁତି ପାଇଁ ଉପଯୋଗୀ ଜିଆ ଗୁଡ଼ିକ ହେଲେ –

  • ଇସେନିଆ ଫୋଏଟିଡ଼ା
  • ୟୁଡ଼୍ରିଲସ୍ ୟୁଜେନି
  • ପେରିଓନିକ୍ସ ଏସ୍କା ଭେଟସ୍
  • ଲୁମ୍ବ୍ରିକସ୍ ରୁବେଲସ୍

ଏକ ଘନମିଟର  ଆକାରରେ କୁଣ୍ଡରେ 2000 ଜିଆ (2 କି.ଗ୍ରା. ଜିଆ ) ଛାଡ଼ିବାକୁ ପଡ଼ିବ । ସେମାନେ ପ୍ରାୟ ଦୈନିକ ହାରାହାରି 10 କି.ଗ୍ରା. କମ୍ପୋଷ୍ଟ ତିଆରି କରି ପାରିବେ ।

ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ କୁଣ୍ଡର ଚଟାଣରେ (ତଳସ୍ତର) ଭଙ୍ଗା ଇଟା, ପଥର ଖଣ୍ଡ ଓ ବାଲି 5 ସେ.ମି. ବହଳରେ ବିଛାଇ ଦିଆଯାଏ । ଏହାକୁ ଭର୍ମିବେଡ୍ କୁହାଯାଏ ।
  • ତାପରେ ସଂଗୃହୀତ ଜୈବିକ ବର୍ଯ୍ୟବସ୍ତୁକୁ କଞ୍ଚା ଗୋବର ସହିତ 10:3 ଅନୁପାତରେ ମିଶାଯାଏ ।
  • ତାହାକୁ ନେଇ ଭର୍ମିବେଡ ଉପରେ ଗୋଳି ଜୈବ ବର୍ଯ୍ୟବସ୍ତୁକୁ ଭଲ ଭାବରେ ଭେଦେଇ ଦିଆଯାଏ ।
  • ତାପରେ କୁଣ୍ଡକୁ ଅଖା ଦ୍ୱାରା ଘୋଡ଼ାଇ ଦିଆଯାଏ ।
  • 2 ସପ୍ତାହ ପର୍ଯ୍ୟନ୍ତ ଜୈବିକ ଅଳିଆକୁ ଏହି ଅବସ୍ଥାରେ ଛାଡ଼ି ଦିଆଯାଏ ।
  • ପ୍ରାରମ୍ଭିକ ଅବସ୍ଥାରେ କୁଣ୍ଡରେ ବହୁତ ଉତ୍ତାପ ସୃଷ୍ଟି ହୁଏ ଏବଂ ବିଷାକ୍ତ ଗ୍ୟାସ୍ ସବୁ ନିର୍ଗତ ହୁଏ । ଏହି ସମୟ ମଧ୍ୟରେ ଜୈବିକ ପଦାର୍ଥ ଗୁଡ଼ିକ ଦର ସଢା ହୋଇଯାଇଥାଏ ।
  • ତାପରେ ଅଖାକୁ ବାହାର କରି ଏକ ବାଡ଼ି ସାହାଯ୍ୟରେ ଭଲଭାବରେ ଓଲଟ ପାଲଟ କରିଦିଆଯାଏ । ଏହି ସମୟରେ ଅଳିଆ ଗଦାର ଉତ୍ତାପ 20 ରୁ 25 ସେଣ୍ଟିଗ୍ରେଡ଼୍ ଥାଏ ।
  • ଏହାପରେ ଘନମିଟର ପ୍ରତି 2000 ଜିଆ (2 କି.ଗ୍ରା. ଜିଆ) ଅଳିଆର ଉପରି ଭାଗରେ ଛାଡ଼ି ଦିଆଯାଏ । ସଙ୍ଗେ ସଙ୍ଗେ ଜିଆ ଗୁଡ଼ିକ ଭତରକୁ ଚାଲିଯାଆନ୍ତି ।
  • ତାପରେ ଏକ ଝୋଟ ଅଖାକୁ ଦୁଇ ପରସ୍ତ କରି ଘୋଡ଼ାଇ ଦିଆଯାଏ । ଜିଆ ଛାଡ଼ିବା ପରେ କୁଣ୍ଡରେ ଥିବା ଅଳିଆର ଆର୍ଦ୍ରତା ଶତକଡ଼ା 50 ରୁ 60 ଭାଗ ରହିବା ଉଚିତ୍ । କାରଣ, କେବଳ ଜିଆଙ୍କ ଆର୍ଦ୍ରଯୁକ୍ତ ଚର୍ମରେ ଶ୍ୱାସକ୍ରିୟା ସମ୍ପନ୍ନ ହୋଇଥାଏ । ଜଳ ଅଧିକ ହେଲେ କିମ୍ବା କମ୍ ହେଲେ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୁଏ ।
  • (ଜୈବିକ ଅଳିଆକୁ ବାହରେ ଦରସଢା କରି, ପରେ କୁଣ୍ଡରେ ଭର୍ତ୍ତିକରି ଜିଆ ଛାଡ଼ି କମ୍ପୋଷ୍ଟ ପ୍ରସ୍ତୁତ କରାଯାଇ ପାରିବ । ଏହି ପ୍ରଣାଳୀରେ ଗୋଟିଏ କୁଣ୍ଡରେ ବର୍ଷକୁ ଆମେ 4 ଥର ଭର୍ମିକମ୍ପୋଷ୍ଟ ପ୍ରସ୍ତୁତ କରିପାରିବା ।)
  • ଉପରସ୍ତରରୁ କମ୍ପୋଷ୍ଟ ପ୍ରସ୍ତୁତି ଆରମ୍ଭ ହୋଇଥାଏ, ଯାହାକି 2 ସପ୍ତାହ ପରେ ଅଖା ଉଠାଇ ଦେଖିହେବ ।
  • ଏକ ସଙ୍ଗରେ ସଂମ୍ପୂର୍ଣ୍ଣ ଅଳିଆ କମ୍ପୋଷ୍ଟରେ ପରିଣତ ହୁଏ ନାହିଁ । ଅଳିଆରୁ ସମ୍ପୂର୍ଣ୍ଣ କମ୍ପୋଷ୍ଟ ପ୍ରସ୍ତୁତି ପାଇଁ 2.5 ରୁ 3 ମାସ ପର୍ଯ୍ୟନ୍ତ ସମୟ ଲାଗିଥାଏ । ଉପର ସ୍ତରରୁ ଜିଆର ମଳକୁ ବାହାର କରିଦେଲେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ ।

କମ୍ପୋଷ୍ଟ ଅମଳ ପ୍ରଣାଳୀ

  • କମ୍ପୋଷ୍ଟ ତିଆରି ସମ୍ପୂର୍ଣ୍ଣ ହେବା ବେଳକୁ ଏହା ଗାଢ୍ ଚା ରଙ୍ଗ ଧାରଣ କରିଥାଏ । ଏହା ହାଲୁକା ଓ ଗନ୍ଧହୀନ ହୁଏ । ଗଦାର ଉପର ଅଂଶରେ କେବଳ ଜିଆର ମଳ ଦେଖିବାକୁ ମିଳେ । ଏଗୁଡ଼ିକ ଦେଖିବାକୁ ଚା ପତି ଭଳି । ଉପର ସ୍ତରର ଅଖାକୁ ଟେକି ଦେଲେ ଜିଆମାନେ ଅଖାରେ ଲାଗିଥିବାର ମଧ୍ୟ ଦେଖାଯାଆନ୍ତି । ଏହା କମ୍ପୋଷ୍ଟ ଅମଳର ପ୍ରକୃଷ୍ଟ ସମୟ ।
  • ଏହି କମ୍ପୋଷ୍ଟକୁ ଅମଳ କରିବାକୁ ହେଲେ ସେଥିରୁ ଜିଆ ଗୁଡ଼ିକୁ ବାହାର କରି ଦେବାକୁ ହେବ । ସେହି ଜିଆକୁ ପୂନର୍ବାର ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇପାରିବ । କମ୍ପୋଷ୍ଟ ଅମଳ କରିବାକୁ ହେଲେ ଜିଆମାନଙ୍କୁ ଅଲଗା କରିବା ପାଇଁ 3-4 ଦିନ ପୂର୍ବରୁ ପାଣି ଦେବା ବନ୍ଦ କରିଦିଆଯାଏ। ଏହା ଦ୍ୱାରା କମ୍ପୋଷ୍ଟ ସାମାନ୍ୟ ଶୁଖିଯିବ ଓ ଜିଆମାନେ ପାଣି ନପାଇ ତଳକୁ ତଳକୁ ଚାଲିଯିବେ ।
  • କୁଣ୍ଡର ଉପରି ଭାଗର କମ୍ପୋଷ୍ଟକୁ ସଂଗ୍ରହ କରି ତାକୁ ଦେଉଳିଆ କରି ଖରାରେ 2-3 ଘଣ୍ଟା ପର୍ଯ୍ୟନ୍ତ ରଖିଦେଲେ ଏଥିରେ ରହିଯାଇଥିବା ଜିଆ ଗୁଡ଼ିକ ତଳକୁ ଚାଲିଯାଇ ଗୋଟିଏ ସ୍ଥାନରେ ଏକାଠି ହୋଇଯିବେ ।
  • ଏହି ଗଦାର ଉପରି ଭାଗରୁ କମ୍ପୋଷ୍ଟ ସଂଗ୍ରହ କରି ଛାଇରେ ଶୁଖାଇ ଏକ ଚାଲୁଣୀ (3ମି.ମି. କିମ୍ବା 2 ମି.ମି) ସାହାଯ୍ୟରେ ଚଲେଇ ଦେଇ ସଢି ନଥିବା କାଠି ଓ ଡ଼ାଙ୍ଗ ପ୍ରଭୃତିକୁ ବାହାର କରିଦିଆଯାଏ ।
  • ତାପରେ ତାହାକୁ ଓଜନ କରି ବ୍ୟାଗରେ ଭର୍ତ୍ତି କରାଯାଏ ।

ଭର୍ମି କମ୍ପୋଷ୍ଟର ବ୍ୟବହାର

  • ପରୀକ୍ଷା କରି ଦେଖାଯାଇଛି, ଧାନ ଫସଲରେ ହେକ୍ଟର ପିଛା 1 ଟନ୍ ଭର୍ମି କମ୍ପୋଷ୍ଟ ସହ 1 ଟନ୍ ସଢା ଗୋବର ଖତ ଓ ପନିପରିବା ଫସଲରେ 1 ଟନ ଭର୍ମିକମ୍ପୋଷ୍ଟ ସହ 3 ଟନ୍ ସଢା ଗୋବର ଖତ ମିଶାଇ ପ୍ରୟୋଗ କଲେ ଅଧିକ ଅମଳ ମିଳେ ।
  • ଫଳ ଗଛ ପାଇଁ ଗଛର ଚାରିପଟେ ଗୋଲାକାରରେ ମାଟି ଖୋଳି କିଛି ସଢା ଗୋବର ଖତ ଓ 2-5 କି.ଗ୍ରା. ଭର୍ମି କମ୍ପୋଷ୍ଟ ଦେଇ ମାଟି ଘୋଡ଼ାଇ ଦିଆଯାଏ ।
  • କୁଣ୍ଡରେ ଲାଗିଥିବା ଗଛପାଇଁ ମାସକୁଥରେ ମୁଠାଏ ଲେଖାଏଁ ଭର୍ମିକମ୍ପୋଷ୍ଟ ପ୍ରୟୋଗ କରାଯାଇଥାଏ ।
  • ଚାରା ପଟାଳି ପ୍ରସ୍ତୁତ କରିବା ସମୟରେ ସଢା ଗୋବର ଖତ ବଦଳରେ ଭର୍ମିକମ୍ପୋଷ୍ଟକୁ ପ୍ରୟୋଗ କରାଯାଇ ପାରିବ ।

ଜାଣନ୍ତୁ –

ଭର୍ମି କମ୍ପୋଷ୍ଟ ପ୍ରସ୍ତୁତିର ଆବଶ୍ୟକତା ଓ ଉପକାରିତା

ଭର୍ମି କମ୍ପୋଷ୍ଟ ପାଇଁ ବ୍ୟବହାର ହେଉଥିବା ବର୍ଯ୍ୟବସ୍ତୁ

 

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା