> ମାଟି ପରୀକ୍ଷା ପାଇଁ ନମୁନା ମାଟି ସଂଗ୍ରହ ପ୍ରଣାଳୀ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ମାଟି ପରୀକ୍ଷା ପାଇଁ ନମୁନା ମାଟି ସଂଗ୍ରହ ପ୍ରଣାଳୀ

ବର୍ତ୍ତମାନ ମାଟିରେ ରାସାୟନିକ ସାରର ବହୁଳ ବ୍ୟବହାର କରି ଅସନ୍ତୁଳିତ ଭାବରେ ଖାଦ୍ୟସାର ଜମିରେ ପ୍ରୟୋଗ କରୁଛନ୍ତି । ଫଳରେ ମାଟି ଦିନକୁ ଦିନ ଖରାପ ହେବାରେ ଲାଗିଲାଣି । ତେଣୁ ମାଟିରେ ବିଭିନ୍ନ ପ୍ରକାର ସମସ୍ୟା ଯଥା-ଭୌତିକ ଗୁଣର ଅବକ୍ଷୟ, ଅମ୍ଳତା ବୃଦ୍ଧି, ଜୈବିକ ଅଙ୍ଗାର ପରିମାଣ ହ୍ରାସ, ଉପକାରୀ ଅଣୁଜୀବ ମାନଙ୍କର ସଂଖ୍ୟା ଓ କାର୍ଯ୍ୟକରିବା କ୍ଷମତା ହ୍ରାସ ଏବଂ ମାଟିରେ ଅଣୁସାର ଗୁଡ଼ିକର ଅଭାବ ବଢିବଢି ଚାଲିଛି, ଏଣୁ ମାଟିରେ ସ୍ୱାସ୍ଥ୍ୟ ରକ୍ଷା ପାଇଁ ମାଟି ପରୀକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି ।

ନମୁନା ମାଟି ସଂଗ୍ରହ ପଦ୍ଧତି

ମୃତ୍ତିକା ପରୀକ୍ଷା ଦ୍ୱାରା ବିଭିନ୍ନ ସମସ୍ୟା ବିଷୟରେ ଜଣାପଡ଼େ ଓ ତଦନୁସାରେ ସଂଶୋଧନ କରାଯାଏ । ମୃତ୍ତିକା ପରୀକ୍ଷା ପାଇଁ ଜମିର ସବୁମାଟିକୁ ବ୍ୟବହାର ନକରି କେବଳ ନମୁନା ମାଟି ବ୍ୟବହାର କରାଯାଏ ।

ନମୁନା ମାଟି ସଂଗ୍ରହ କରିବା କାହିଁକି ?

ହିସାବରୁ ଜଣାଯାଏ ଯେ, ଏକ ହେକ୍ଟର ଜମିର ଉପର 6 ଇଞ୍ଚ ଗଭୀର ମାଟିର ଓଜନ ପ୍ରାୟ 2 ନିୟୁତ କିଲୋଗ୍ରାମ । ମୃତ୍ତିକା ପରୀକ୍ଷାଗାରରେ ବିଭିନ୍ନ ପ୍ରକାର ପରୀକ୍ଷା ପାଇଁ ମାତ୍ର 1 ଗ୍ରାମରୁ 50 ଗ୍ରାମ ପର୍ଯ୍ୟନ୍ତ ମାଟି ଆବଶ୍ୟକ ହୁଏ । ଏହି ଅଳ୍ପ ପରିମାଣ ମାଟିର ପରୀକ୍ଷା ଫଳକୁ ନେଇ ମାଟିର ସଂଶୋଧକ ପଦାର୍ଥ (ଯଥା- ଅମ୍ଳୀୟ ମାଟିରେ ଚୂନ ଓ କ୍ଷାରୀୟ ମାଟିରେ ଜିପସମ୍) ପ୍ରୟୋଗ ଓ ଫସଲ ପାଇଁ ଆବଶ୍ୟକ ହେଉଥିବା ସାର ଓ ଖାତର ପରିମାଣ ସ୍ଥିର କରାଯାଏ । ସେଥିପାଇଁ ନମୁନା ମାଟି ଏମିତି ସଂଗ୍ରହ କରିବା ଦରକାର ଯେମିତି ନମୁନା ମାଟି ଓ ଜମିର ମାଟି ମଧ୍ୟରେ ଫରକ୍ ନଥିବ ।
ଆମେ ଜାଣୁଯେ, ଗୋଟିଏ ଜମିର ମାଟି ମଧ୍ୟରେ ଅନେକ ବିଭିନ୍ନତା ଅଛି । ଏହି ବିଭିନ୍ନତା ଏକ ନିର୍ଦ୍ଦିଷ୍ଟ ସ୍ତରରେ ଅପେକ୍ଷାକୃତ କମ୍ ଏବଂ ସ୍ତରସ୍ତର ମଧ୍ୟରେ ଅଧିକ ଥାଏ । ତେଣୁ ନମୁନା ମାଟି ଏମିତି ଭାବରେ ସଂଗ୍ରହ କରିବାକୁ ହେବ, ଯେମିତି ବିଭିନ୍ନତା କମ୍ ରହିବ । ସେଥିପାଇଁ ନମୁନା ମାଟି ସଂଗ୍ରହ ବେଳେ, ଗୋଟିଏ ସ୍ଥାନରୁ ସଂଗ୍ରହ ନକରି ଜମି ସାରା ଅନେକ ସ୍ଥାନରୁ, ଏକ ନିର୍ଦ୍ଦିଷ୍ଟ ଗଭୀରତାରୁ ସମାନ ପରିମାଣର ମାଟି ସଂଗ୍ରହ କରିବାକୁ ପଡ଼ିଥାଏ ।

ନମୁନା ମାଟି ସଂଗ୍ରହ କେଉଁଠାରୁ କରିବା ?

ସାଧାରଣତଃ ପ୍ରତ୍ୟେକ ପ୍ଲଟରୁ ନମୁନା ମାଟି ଏକକ ଭାବରେ ଗ୍ରହଣ କରାଯାଏ । ଯଦି ପାଖାପାଖି ପ୍ଲଟ୍ ଗୁଡ଼ିକ ଏକ ପ୍ରକାର ହୋଇଥାଏ, ତେବେ ସେ ସମସ୍ତଙ୍କୁ ଗୋଟିଏ ନମୁନା ମାଟି ଏକକ ଭାବେ ନିଆଯାଏ । ଗୋଟିଏ ନମୁନା ମାଟି ଏକକ 5 ଏକରରୁ ଉର୍ଦ୍ଧ୍ୱ ହେବା ଅନୁଚିତ୍ । ଅଲଗା ଅଲଗା ଏକକ ଜମିରୁ ଅଲଗା ଅଲଗା ନମୁନା ମାଟି ସଂଗ୍ରହ କରାଯାଏ ।
ଯେତେବେଳ କ୍ଷେତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଫସଲ ଥାଏ, ଜମି ଖାଲ ଢିପ ହୋଇଥାଏ କିମ୍ବା ଭିନ୍ନ ଭିନ୍ନ ପରିମାଣର ସାର ବ୍ୟବହାର କରାଯାଇଥାଏ, ତେବେ କ୍ଷେତକୁ ସେହି ଅନୁସାରେ ଭାଗ ଭାଗ କରି ପ୍ରତ୍ୟେକ ଭାଗରୁ ନମୁନା ମାଟି ସଂଗ୍ରହ କରିବା ବିଧେୟ ।

ଗୋଟିଏ ନମୁନା ମାଟି ପାଇଁ କେତୋଟି ସ୍ଥାନରୁ ମାଟି ସଂଗ୍ରହ କରାଯାଏ ?

ନମୁନା ମାଟି ପାଇଁ ଜମିର ଗୋଟିଏ ସ୍ଥାନରୁ ମାଟି ସଂଗ୍ରହ ନକରି କେତଗୁଡ଼ିଏ ବଛା ବଛା ସ୍ଥାନରୁ ମାଟି ସଂଗ୍ରହ କରି ସେ ସବୁକୁ ଏକାଠି ମିଶାଇ ନମୁନା ମାଟି ସଗ୍ରହ କରାଯାଏ । ସାଧାରଣତଃ ଜମିର 15 ରୁ 20ଟି ସ୍ଥାନରୁ ମାଟି ସଂଗ୍ରହ କରାଯାଏ । ଇଂରାଜୀ ଅକ୍ଷର ‘Z’ କିମ୍ବା ‘N’ପରି କାଳ୍ପନିକ ରେଖାରୁ ବିଭିନ୍ନ ସ୍ଥାନ ନିରୁପଣ କରାଯାଇଥାଏ ।

ନମୁନା ମାଟି କେତେବେଳେ ସଂଗ୍ରହ କରାଯାଏ ?

• ଫସଲ ଅମଳ ପରେ ଓ ପରବର୍ତ୍ତୀ ଫସଲ ପାଇଁ କ୍ଷେତ୍ର ପ୍ରସ୍ତୁତି କରିବା ପୂର୍ବରୁ ନମୁନା ମାଟି ସଂଗ୍ରହ କହାଯାଏ ।
• ସାଧାରଣତଃ ବର୍ଷା ଋତୁ ଆସିବା ପୂର୍ବରୁ କିମ୍ବା ଖରିଫ ଫସଲ ଅମଳର ପରବର୍ତ୍ତୀ ସମୟ ମୃତ୍ତିକା ସଂଗ୍ରହ ପାଇଁ ପ୍ରକୃଷ୍ଟ ।

ଜମିର କେଉଁ କେଉଁ ସ୍ଥାନରୁ ମାଟି ସଂଗ୍ରହ କରିବା ଅନୁଚିତ ?

ନମୁନା ମାଟି ସଂଗ୍ରହ ବେଳେ ଜମିର ହିଡ଼ପାଖ, ଗଛତଳ, ଜଳସେଚନ ଓ ଜଳ ନିଷ୍କାସନ ମାହାରା, ନିକଟ ଅତୀତରେ ସାର ପ୍ରୟୋଗ ହୋଇଥିବା ଜମିକୁ ବାଦ ଦେବା ଉଚିତ୍ । ତା ଛଡ଼ା ଧାଡିରେ ଲଗାଯାଇଥିବା ଫସଲ ଧାଡିଟି ମାଟି ସଂଗ୍ରହ କରିବା ଅନୁଚିତ୍ ।

ନମୁନା ମାଟି କେତେ ଗଭୀରରୁ ସଂଗ୍ରହ କରାଯାଏ ?

ମାଟିରେ ଗଛ ଚେରର ପ୍ରବେଶ କ୍ଷମତାକୁ ନେଇ ନମୁନା ମାଟି କେତେ ଗଭୀରରୁ ସଂଗ୍ରହ କରାଯିବ, ତାହା ନିରୁପଣ କରାଯାଇଥାଏ। ସାଧାରଣତଃ ଶସ୍ୟ ଜାତୀୟ ଓ ଅନ୍ୟ ଋତୁକାଳୀନ ଫସଲ ଚାଷ ପାଇଁ ଜମିର ଉପରିଭାଗରୁ 15 ସେ.ମି. (6 ଇଞ୍ଚ) ଗଭୀର ପର୍ଯ୍ୟନ୍ତ ମାଟି ସଂଗ୍ରହ କରାଯାଏ । ଅଧିକ ଗଭୀର ଚେର ଯାଉଥିବା ଫସଲ ଯଥା-ଆଖୁ, କପା, ଫଳ ଜାତୀୟ ଫସଲ ଇତ୍ୟାଦି ପାଇଁ 9 ରୁ 12 ଇଞ୍ଚ ଗଭୀର ପର୍ଯ୍ୟନ୍ତ ମାଟି ସଂଗ୍ରହ କରାଯାଏ ।

ନମୁନା ମାଟି କେମିତି ସଂଗ୍ରହ କରାଯାଏ ?

• ପ୍ରଥମେ ନିରୁପିତ ସ୍ଥାନରୁ କୋଦାଳ ବା କୋଡ଼ି ସାହାଯ୍ୟରେ ମାଟି ଉପରେ ଥିବା ଘାସ, ଇଟା ଓ ମଇଳା ଆଦିକୁ ରାମ୍ପି ସଫା କରାଯାଏ ।
• ପ୍ରତ୍ୟେକ ସ୍ଥାନରେ କୋଦାଳ କିମ୍ବା ଫାଉଡ଼ାରେ ଏକ ଚୋଟ ମାପି 6 ଇଞ୍ଚ ଗଭୀରର ଇଂରାଜୀ ଅକ୍ଷର ‘V’ ପରି ଏକ ଖାତ ଖୋଳାଯାଏ ।
• ପ୍ରତ୍ୟେକ ଖାତର ଏକ ପାର୍ଶ୍ୱରୁ ପାଖାପାଖି 1.5 ସେ.ମି. ବହଳର ମାଟି ଖୁରୁରି ସାହାଯ୍ୟରେ ବାହାର କରାଯାଏ ।
• ଉକ୍ତ ମାଟିକୁ ଏକ ସଫା ପ୍ଲାଷ୍ଟିକ୍ ଟ୍ରେ କିମ୍ବା ବାଲଟିରେ ସଂଗ୍ରହ କରାଯାଏ । ଏହିପରି ପ୍ରତ୍ୟେକ ସ୍ଥାନରୁ ମାଟି ସଂଗ୍ରହ କରାଯାଏ ।
• ସାଧାରଣତଃ ଶୁଖିଲା ଚାଣ ମାଟି ଓ ବିଭିନ୍ନ ଗଭୀରତାରୁ ମାଟି ସଂଗ୍ରହ ଭଅଁର ସାହାଯ୍ୟରେ କରିବାକୁ ହୁଏ । ଭଅଁରରେ ଲାଗିଥିବା ମାଟିକୁ ହାତରେ ଛଡ଼ାଇ ସଂଗ୍ରହ କରାଯାଏ ।
• ସଂଗୃହିତ ସମସ୍ତ ମାଟିକୁ ହାତରେ ଭଲ ଭାବରେ ଏକ ପଲିଥିନ୍ ସିଟ୍ ବା ମୋଟା କାଗଜ ଉପରେ ରଖି ମିଶାଇ ଦିଆଯାଏ ।
• ସଂଗୃହୀତ ମାଟିର ପରିମାଣ ଅଧିକ ହୋଇଥିଲେ ତାକୁ କମାଇ ପାଖାପାଖି 500 ଗ୍ରାମ ମାଟି ରଖାଯାଏ ।
• ଏଥିପାଇଁ ସଂଗୃହୀତ ମାଟିକୁ ଏକ ଗୋଲାକାର ଗଦା କରାଯାଏ ଏବଂ ସମାନ ଚାରି ଭାଗରେ ବିଭକ୍ତ କରାଯାଏ ।
• ଦୁଇଟି ବିପରୀତ ଭାଗର ମାଟି ରଖି, ଅନ୍ୟ ଦୁଇ ଭାଗକୁ ବାହାର କରି ଦିଆଯାଏ । ପ୍ରାୟ 500 ଗ୍ରା. ମାଟି ରହିା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଅନୁସରଣ କରାଯାଏ ।
• ସେହି ମାଟିକୁ ପଲିଥିନ୍ କିମ୍ବା କାଗଜ ଉପରେ ଛାଇରେ ଖୁଶାଇ ଦିଆଯାଏ । ଏହି ସମୟରେ ସାର, ଖତ କିମ୍ବା ଅନ୍ୟାନ୍ୟ ପଦାର୍ଥ ଯେପରି ମାଟି ସଂସ୍ପର୍ଶରେ ନଆସେ, ସେଥିପ୍ରତି ଧ୍ୟାନ ଦେବାକୁ ହୁଏ ।

ଷ୍ଟେପ୍-

Soil sample-1Soil sample-2Soil sample-3Soil sample-4Soil sample-5Soil sample-6Soil sample-7Soil sample-8

ଏହି ମାଟିକୁ ଖରାରେ ଶୁଖାଇଲେ କଣ ଅସୁବିଧା ହେବ ?

ଏହି ମାଟିକୁ ଖରାରେ ଶୁଖାଇବା ଉଚିତ୍ ନୁହଁ, କାରଣ ଟାଣ ଖରା ଯୋଗୁଁ ମାଟିର କେତେକ ରାସାୟନିକ ଓ ଜୈବିକ ଗୁଣରେ ପରିବର୍ତ୍ତନ ଘଟିଥାଏ ।

ନମୁନା ମାଟି ଛାଇରେ ଶୁଖିଗଲା ପରେ କଣ କରାଯାଏ ?

ମାଟି ଶୁଖିଗଲା ପରେ ତାକୁ ଏକ କାଠ ହାତୁଡ଼ି କିମାବା କାଠ ପିଟଣା ସାହାଯ୍ୟରେ ଗୁଣ୍ଡ କରାଯାଏ । ଗୁଣ୍ଡ କରିବାପାଇଁ କୌଣସି ଧାତବ ହାତୁଡ଼ି ବ୍ୟବହାର କରିବା ନିଷେଧ । କାରଣ ଧାତବ ହାତୁଡ଼ିରୁ ଧାତୁ ଗୁଣ୍ଡ ଅଲଗା ହୋଇ ମାଟିରେ ମିଶିଯିବାର ସମ୍ଭାବନା ଥାଏ ଓ ସମୟ ସମୟରେ ବାଲି ଗୁଣ୍ଡ ହୋଇଥାଏ । ଯାହାଫଳରେ ମାଟିରେ ଅନେକ ଭୌତିକ ଓ ରାସାୟନିକ ଗୁଣର ପରିବର୍ତ୍ତନ ଘଟେ । ଗୁଣ୍ଡ କରିବା ସମୟରେ ଏଥି ପ୍ରତି ଯତ୍ନବାନ ହେବା ଦରକାର ।

ପରୀକ୍ଷାଗାରକୁ ନମୁନା ମାଟି କେମିତି ପଠାଯାଏ ?

ପରୀକ୍ଷାଗାରକୁ ପଠାଇବା ପାଇଁ ଗୁଣ୍ଡମାଟିକୁ ଏକ ସଫା ପଲିଥିନ୍ କିମ୍ବା କପଡ଼ା ମୁଣାରେ ଭର୍ତ୍ତିକରି ତାହର ମୁହଁକୁ ସୂତାରେ ବାନ୍ଧି ଦିଆଯାଏ । ଏଥି ସହିତ ନମୁନା ମାଟିର ସଂକ୍ଷିପ୍ତ ବିବରଣୀ ଦିଆଯାଏ । ଗ୍ରାମ୍ୟ କୃଷି କର୍ମଚାରୀଙ୍କ ସହାୟତାରେ କିମ୍ବା ନିଜକୁ ନିକଟରେ ଥିବା ମୃତ୍ତିକା ପରୀକ୍ଷାଗାରକୁ ନମୁନା ମାଟି ପଠାଇବାକୁ ହୁଏ ।

ନମୁନା ମାଟି ସହିତ ସାଧାରଣତଃ କେଉଁ କେଉଁ ସୂଚନା ଦେବାକୁ ହୁଏ ?

ସାଧାରଣତଃ ସୂଚନା ଫର୍ଦ୍ଦରେ ଚାଷୀଙ୍କ ନାମ, ସଂଗ୍ରହ ତାରିଖ, ଜାଗାର ସ୍ଥାନୀୟ ନାମ, ଫସଲର ନାମ, ଢାଲତା, ଜମିର କିସମ, ଜଳ ନିଷ୍କାସନ, ଜଳ ସେଚନ, ବର୍ତ୍ତମାନ ପ୍ରୟୋଗ କରୁଥିବା ସାର ଓ ଖତର ବିବରଣୀ ଇତ୍ୟାଦି ଉଲ୍ଲେଖ କରି ନମୁନା ମାଟି ସହିତ ପଠାଇବାକୁ ପଡ଼େ ।

ନମୁନା ମାଟି ମୃତ୍ତିକା ପରୀକ୍ଷାଗାରରେ ପହଞ୍ଚାଇଲା ପରେ କଣ କରାଯାଏ ?

ନମୁନା ମାଟି ପହଞ୍ଚିଲା ପରେ ପ୍ରଥମେ ରେଜିଷ୍ଟ୍ରେସନ୍ ବା ପଞ୍ଜୀକରଣ କରାଯାଏ । ଗୁଣ୍ଡ ହୋଇଥବା ମାଟିକୁ ସାଧାରଣତଃ 2 ମି.ମି. ଚାଲୁଣୀରେ ଚଲାଇ ପଥର, ଗୋଡ଼ି, ଗଛର ଚେର ଇତ୍ୟାଦିକୁ ବାହାର କରି ପରୀକ୍ଷା ପାଇଁ ରଖାଯାଏ । ସେଠାରେ ଅବସ୍ଥାପିତ ମୃତ୍ତିକା ରସାୟନବିତ୍ ମାଟିର ଅମ୍ଳତା, ଲବଣାଂଶ, ଜୈବିକ ଅଙ୍ଗର, ସୁଲଭ ଯବକ୍ଷାରଜାନ, ଫସଫରସ୍ ଓ ପଟାସ୍ ଆଦି ନିର୍ଣ୍ଣୟ କରି ଫଳାଫଳର ଏକ ଚିଠା ପ୍ରସ୍ତୁତ କରନ୍ତି । କେତେକ ପରୀକ୍ଷାଗାରରେ ଅଣୁସାରର ପରୀକ୍ଷା ମଧ୍ୟ କରାଯାଉଛି । ମୃତ୍ତିକା ପରୀକ୍ଷାର ଫଳାଫଳ ଓ ଏହାକୁ ଭିତ୍ତିକରି ଖତ ଓ ସାରର ମାତ୍ରା, ସମସ୍ୟାଯୁକ୍ତ ମାଟିର ସଂଶୋଧନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଇତ୍ୟାଦି ବିଷୟରେ ଉଲ୍ଲେଖ କରି ସଂପୃକ୍ତ ଚାଷୀଙ୍କ ପାଖକୁ ପଠାଇ ଦିଅନ୍ତି ।

ଗୋଟିଏ ଜମିର ମାଟି ପରୀକ୍ଷା କେତେ ବର୍ଷ ଅନ୍ତରରେ କରିବା ଉଚିତ୍ ?

ଗୋଟିଏ ଚାଷ ଜମିର ମାଟି ପରୀକ୍ଷା ପ୍ରତିବର୍ଷ ନକରି ପ୍ରତି ତିନି ବର୍ଷ ଅନ୍ତରରେ କରାଗଲେ ଯଥେଷ୍ଟ । ଏହାଛଡ଼ା ଗୋଟିଏ ଜମିରୁ ବର୍ଷର ଗୋଟିଏ ସମୟରେ ନମୁନା ମାଟି ସଂଗ୍ରାହ କରିବା ଉତ୍ତମ ।
ଏଣୁ ଆମର ଚାଷୀଭାଇମାନେ ଯଦି ସଠିକ୍ ପଦ୍ଧତିରେ ନମୁନା ମାଟି ସଂଗ୍ରହ କରି ମୃତ୍ତିକା ପରୀକ୍ଷାଗାରକୁ ପଠାଇ, ତାର ଫଳାଫଳ ଅନୁସାରେ ମାଟିରେ ସାର ଓ ଖତ ପ୍ରୟୋଗ କରନ୍ତି, ତେବେ ଫସଲକୁ ଖାଦ୍ୟସାର ଯୋଗାଣ ସୁଷମ ହେବ ଏବଂ ମାଟିର ଉର୍ବରତା ବଢିବା ସହିତ ଫସଲର ଅମଳ ମଧ୍ୟ ବୃଦ୍ଧି ହେବ ।


ସୂଚନା ଫର୍ଦ୍ଦ

(ପ୍ରତ୍ୟେକ ନମୁନା ମାଟି ସହିତ ରହିବ)


ଚାଷୀଙ୍କ ନାମ : _______________________

ଠିକଣା : ଗ୍ରାମ ________   ଗ୍ରା.ପ. ________ ବ୍ଲକ୍________

ତହସିଲ _________  ଜିଲ୍ଲା __________  ଫୋନ.ନଂ______


1. ନମୁନା ସଂଖ୍ୟା /ଚିହ୍ନଟ ଦାଗ :
2. ସଂଗ୍ରହ ତାରିଖ :
3. ଜାଗାର ସ୍ଥାନୀୟ ନାମ :
4. ପ୍ଲଟ ନମ୍ବର ଏବଂ ମୌଜା :
5. ନମୁନା ମାଟି କେତେ ଗଭୀରରୁ ସଂଗ୍ରହ କରିଛନ୍ତି :
6. ନମୁନାମାଟି କେତୋଟି ସ୍ଥାନର ମିଶ୍ରଣ :
7. ଜମିର ଆୟତନ :
8. ମୃତ୍ତିକା ପରୀକ୍ଷଣର ଉଦ୍ଦେଶ୍ୟ :
9. ପରୀକ୍ଷଣ କରିବାକୁ ଥିବା ଉପାଦାନ :
10. ଫସଲ ପୂର୍ବ ଇତିହାସ :
11. ବର୍ତ୍ତମାନ ପ୍ରୟୋଗ କରୁଥିବା ସାର ଓ ଖତର ବିବରଣୀ:
12. କେଉଁ ଫସଲ ଚାଷ କରିବେ :
13. ଫସଲ ଋତୁ : ଖରିଫ / ରବି / ଗ୍ରୀଷ୍ମ:
14. ଢାଲତା: ସମତଳ/ ଅବଡା ଖବଡ଼ା
15. ଜମି କିସମ : ଢିପଜମି /ମଝିଆଳି ଜମି /ଖାଲଜମି
16. ଜଳ ନିଷ୍କାସନ: ଭଲ / ଠିକ୍ ଭାବରେ ହୋଇପାରୁନାହିଁ
17. ଜଳସେଚନ : ଜଳ ସେଚିତ /ଅଣ ଜଳସେଚିତ
18. ଜଳସେଚନର ଉତ୍ସ (ଯଦି ଜଳସେଚିତ) :
19. ଲବଣତା : ଲୁଣା / ଲୁଣା ନୁହେଁ
20. ଫସଲ ବୃଦ୍ଧି : ଭଲ/ ମଧ୍ୟମ /ଖରାପ
21. ମୃତ୍ତିକାରେ ସଂଶ୍ଲିଷ୍ଟ ସମସ୍ୟା
22. ଅନ୍ୟ କିଛି ସୂଚନା
ସ୍ଥାନ-
ତାରିଖ
ଚାଷୀଙ୍କ ସ୍ୱାକ୍ଷର

ସୂଚନା- ଡ଼ଃ ମନୋଜ କୁମାର ଜେନା, ମୃତ୍ତିକା ବିଶେଷଜ୍ଞ, କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼

 

ଜାଣନ୍ତୁ –

ଭର୍ମି କମ୍ପୋଷ୍ଟ ପ୍ରସ୍ତୁତିର ଆବଶ୍ୟକତା ଓ ଉପକାରିତା

ଭର୍ମି କମ୍ପୋଷ୍ଟ ପାଇଁ ବ୍ୟବହାର ହେଉଥିବା ବର୍ଯ୍ୟବସ୍ତୁ

ଭର୍ମିକମ୍ପୋଷ୍ଟ ପ୍ରସ୍ତୁତି ପ୍ରଣାଳୀ

ଜିଆଚାଷ

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା