> ମହୁମାଛି ପାଳନରୁ ମିଳୁଥିବା ବ୍ୟବସାୟ ଭିତ୍ତିକ ପଦାର୍ଥ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ମହୁମାଛି ପାଳନରୁ ମିଳୁଥିବା ବ୍ୟବସାୟ ଭିତ୍ତିକ ପଦାର୍ଥ

ମହୁମାଛି ପାଳନରୁ ବିଭିନ୍ନ ଉତ୍ପାଦ ମିଳିଥାଏ ସେଗୁଡ଼ିକ ହେଲା – ମହୁ, ମହମ, ପ୍ରପୋଲିସ୍, ରୟାଲଜେଲି, ମହୁମାଛି ବିଷ ଓ ପରାଗ ରେଣୁ । ଆସନ୍ତୁ ଜାଣିବା ସେ ସବୁ ବିଷୟରେ ।

Honey bee product

ମହୁ

Honey

ମହୁ, ଫୁଲର ମକରନ୍ଦ ବା ଗଛର ଅନ୍ୟ ଅଂଶରୁ ମହୁମାଛିମାନଙ୍କ ଦ୍ୱାରା ତିଆରି ହୋଇଥାଏ । ମହୁ କେବଳ ଏକ ମିଠା ପଦାର୍ଥ ନୁହେଁ ଏହାର ଅନ୍ୟଗୁଣ ଓ ମହତ୍ୱ ମଧ୍ୟ ରହିଛି ।

  • ମହୁ ଏକ ଅତ୍ୟନ୍ତ ଖାଦ୍ୟ ଉପଯୋଗୀ ପଦାର୍ଥ ଅଟେ ।
  • ମହୁରେ 38 ଶତାଂଶ ଫ୍ଲୁକୋଜ୍, 37 ଶତାଂଶ ସୁକ୍ରୋଜ, 20 ଶତାଂସ ଜଳ ଓ ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ, ପୁଷ୍ଟିସାର ଦ୍ରବ୍ୟ (0.25%), ଭିଟାମିନ ଏନଜାଇମ୍ ଇତ୍ୟାଦି ।
  • ମହୁର ମୁଖ୍ୟ ଉପାଦାନ ହେଲା ଶର୍କରା ଓ ଜଳ ।
  • ମହୁକୁ ଖାଲି ବା କୌଣସି ଖାଦ୍ୟ ପଦାର୍ଥ ଯଥା- କ୍ଷୀର, ଲେମ୍ବୁରସ ଆଦି ସହିତ ମଧ୍ୟ ଖିଆଯାଇପାରେ । ମହୁ ସେବନ ଶରୀରକୁ ଶକ୍ତି ଓ ସ୍ପୂର୍ତ୍ତି ପ୍ରଦାନ କରେ ।
  • ଔଷଧ ଗୁଡ଼ିକରେ ମଧ୍ୟ ମହୁର ପ୍ରୟୋଗ କରାଯାଏ । ପ୍ରାୟ ସବୁ ଆୟୁର୍ବେଦିକ ଔଷଧମାନଙ୍କରେ ମହୁର ପ୍ରୟୋଗ କରାଯାଉଛି । ହୋମିଓପ୍ୟାଥିରେ ମଧ୍ୟ ମହୁର ବିଶେଷ ସ୍ଥାନ ରହିଛି ।
  • ମହୁକୁ ଲେମ୍ବୁରସରେ ମିଶାଇ ମୁଣ୍ଡରେ ମାରିଲେ କେଶ ପାଇଁ ଲାଭକାରୀ ଅଟେ ଏବଂ ଏହି ମିଶ୍ରଣକୁ ମୁହଁରେ ମାରିଲେ ଚର୍ମ ନରମ ଓ କୋମଳ ହୁଏ ।
  • ମହୁ ସେବନ ଦ୍ୱାରା ଶ୍ୱାସନଳୀ ଓ ଗଳାକୁ ଆରାମ ମିଳେ ।
  • କ୍ଷତ ସ୍ଥାନରେ ମହୁଲେପନ କରିବା ଦ୍ୱାରା ଶୀଘ୍ର ଭଲ ହୋଇଯାଏ ।
  • ଶୋଇବା ପୂର୍ବରୁ ମହୁ ଖାଇଲେ ସୁନିଦ୍ରା ହୋଇଥାଏ ।
  • ଲେମ୍ବୁରେ ମହୁ ମିଶାଇ ଖାଇଲେ ଦେହ ସୁସ୍ଥ ରହେ ।
  • ମହୁକୁ ଏକ ସଫଳ ଶିଶୁ ଖାଦ୍ୟରୂପେ ବ୍ୟବହାର କରାଯାଏ ।
  • ମା’ ଏବଂ ଗୋ ଦୁଗଧରେ ଥିବା ଲୌହ ଅଭାବକୁ ମହୁ ଖୁଇବା ଦ୍ୱାରା ପୁରୁଣା କରାଯାଇପାରେ ।
  • ଏଥିରେ ଶିଶୁମାନଙ୍କର ମଳ ପରିଷ୍କାର ହୋଇଥାଏ ଏବଂ ଓଜନ ମଧ୍ୟ ଠିକ୍ ରୂପେ ବୃଦ୍ଧି ହୋଇଥାଏ ।

ବର୍ତ୍ତମାନ ଭାର ସରକାରଙ୍କ କୃଷି ମନ୍ତ୍ରଣାଳୟ ଅଧିନସ୍ଥ ବିପଣନ ଓ ତଦାରଖ ନିର୍ଦ୍ଦେଶାଳୟ ( Directorate of Marketing and Inspection) ଆଗ୍ରହୀ ମହୁଚାଷୀମାନଙ୍କୁ AGMARK ଯୋଗାଇଦେଇ ମହୁର ବିକ୍ରିବଟା ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ମହୁକୁ ତାର ଗୁଣବତ୍ତା ବା ମାାନ ଭିତ୍ତିରେ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି ।

1). Special Grade – ଜଳୀୟ ଅଂଶ 20 ଶତାଂଶ ବା ତାଠାରୁ କମ୍

2). ‘A’ Grade – ଜଳୀୟ ଅଂଶ 20-22 ଶତାଂଶ

3). Standard Grade – ଜଳୀୟ ଅଂଶ 22-25 ଶତାଂଶ

ଏହି ତିନୋଟି ଶ୍ରେଣୀ AGMARK ଓ BIS (ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ଼) ଦ୍ୱାରା ଅନୁମୋଦିତ । ଜଳୀୟ ଅଂଶ ବ୍ୟତୀତ ଅନ୍ୟାନ୍ୟ କେତେକ ଗୁଣକୁ ମଧ୍ୟ ବିଚାରକୁ ନିଆଯାଏ । ଶ୍ରେଣୀ ବା (Grade ) ଅନୁସାରେ ମହୁର ମୂଲ୍ୟାୟନ ହୋଇଥାଏ ।

ମହୁର ଶୁଦ୍ଧତା ସମନ୍ଧରେ ଖାଉଟିମାନଙ୍କ ମନରେ ଅନ୍ଧ ବିଶ୍ୱାସ ମଧ୍ୟ ରହିଛି । ଦାନା ବସିଯାଉଥିବା ମହୁକୁ ଆମ ଦେଶରେ ଅପମିଶ୍ରଣ ମହୁ ବୋଲି ଅନେକ ବିବେଚନା କରନ୍ତି । ମାତ୍ର ଦାନା ହୋଇ ଯାଉଥିବା ମହୁ ଶୁଦ୍ଧାତାର ପ୍ରତୀକ । ଏହି ପ୍ରକାରର ମହୁର ଚାହିଦା ପାଶ୍ଚାତ୍ୟ ଦେଶରେ ସର୍ବାଧିକ ।

ମହମ

Honey bee Wax

  • ମହୁ ପରେ ମହମ ମହୁମାଛି ଚାଷର ଦ୍ୱିତୀୟ ମୁଖ୍ୟ ଉତ୍ପାଦ ।
  • ଅଦରକାରୀ ଓ କଳା ପଡ଼ିଯାଇଥିବା ପରିତ୍ୟକ୍ତ ଫେଣାକୁ ନଷ୍ଟନକରି ସେଥିରୁ ମହମକୁ ଅତି ସହଜ ଉପାୟରେ ଅଲଗା କରି ବ୍ୟବହାର କରାଯାଏ ।
  • ମହୁମାଛି ଫେଣାରୁ 19-39.5 ଶତାଂଶ ମହମ ନିଷ୍କାସନ ସମ୍ଭବ ହୋଇଥାଏ । ନୂଆ ଫେଣାରୁ ଅଧିକ ମହମ ମିଳେ ।
  • ମହମ ଉତ୍ପାଦନ କରି ବ୍ୟବସାୟ କରିବା ଆମଦେଶରେ ପ୍ରାୟ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ।
  • କେବଳ କେରଳ ରାଜ୍ୟରେ ମହୁମାଛି ମହମରୁ ତିଆରି ଭେସଲିନ୍ ବଜାରରେ ଉପଲବ୍ଧ । ମହୁମାଛିର ମହମ ପାରାଫିନ୍ ମହମ ଠାରୁ ଅନେକ ଗୁଣରେ ଉତ୍ତମ ଓ ଅନେକ କାର୍ଯ୍ୟରେ ଏହା ବ୍ୟବହୃତ ହୁଏ ।
  • ମୁଖ୍ୟତଃ ମହୁମାଛି ପାଳନ ପାଇଁ ଆବଶ୍ୟକ ହେଉଥିବା କୋମ୍ବ ଫାଉଣ୍ଡେସନ୍ ସିଟ୍ ( Comb Foundation Sheet) ଏହି ମହମରୁ ତିଆରି କରାଯାଇଥାଏ । ଏହା ବ୍ୟତୀତ ଭେସଲିନ୍, ଜୋତା ପଲିସ୍, ରଙ୍ଗ ପେନସିଲ (Crayon), ଚର୍ଚ୍ଚରେ ବ୍ୟବହୃତ ମହମବତୀ, କାର୍ବନପେପର, ଚୋବାଇ ଖାଇବା ଚକୋଲେଟ୍ (Chewing gum) ପାଇଁ ଏହା ବ୍ୟବହୃତ ହୋଇଥାଏ । ଏହି ମହମ ବହୁତ ଚାହିଦା ଥିବାରୁ ଏହାକୁ ବିଦେଶରୁ ଆମଦାନୀ କରିବାକୁ ପଡ଼ୁଅଛି ।

ପ୍ରପୋଲିସ

Honey bee Propolis

  • ଏହା ସାଧାରଣତଃ ପାଶ୍ଟାତ୍ୟ ମହୁମାଛି ଆପସି ମେଲିଫେରା ବାକ୍ସରୁ ସଂଗ୍ରହ କରାଯାଏ ।
  • ମହୁମାଛି ତାଙ୍କର ଆବଶ୍ୟକତା ପାଇଁ ବିଭିନ୍ନ ଉଦ୍ଭିଦରୁ ଅଠାଅଂଶ ସଂଗ୍ରହ କରି ତାଙ୍କ ବସାରେ ବିଶେଷ କରି ଫାଙ୍କା ସ୍ଥାନ ଗୁଡ଼ିକୁ ପୂରଣ କରିବାକୁ ବ୍ୟବହାର କରିଥାନ୍ତି । ଫଳରେ ମହୁମାଛି ଶାବକ ଓ ବସା ଅପେକ୍ଷାକୃତ ଶତ୍ରୁ ଆକ୍ରମଣରୁ ସୁରକ୍ଷିତ ରହିବ ।
  • ଗୋଟିଏ ବାକ୍ସରୁ ବର୍ଷକୁ 100-300 ଗ୍ରାମ ପର୍ଯ୍ୟନ୍ତ ପ୍ରପୋଲିସ୍ ଉତ୍ପାଦିତ ହୋଇଥାଏ ।
  • ଏହାର ଜୀବାଣୁ ନିରୋଧକ ଶକ୍ତି ଥିବାରୁ ଏହାକୁ ବିଭିନ୍ନ ଔଷଧ ଓ ସୌନ୍ଦର୍ଯ୍ୟ ବର୍ଦ୍ଧକ ଦ୍ରବ୍ୟ ଯଥା ମୁହଁ ପାଇଁ ବ୍ୟବହୃତ ମଲମ (Face Cream), ଲିପଷ୍ଟିକ୍, ସାମ୍ପୋ ଏବଂ ଚକୋଲେଟ୍, ଦାନ୍ତଘଷା ପେଷ୍ଟ ଇତ୍ୟାଦି ତିଆରି ପାଇଁ ବ୍ୟବହୃତ କରାଯାଇଥାଏ ।
  • ଯଦିଓ ଆମଦେଶରେ ଏହାର ଉତ୍ପାଦନ ପାଇଁ ଗୁରୁତ୍ୱ ଦିଆଯାଇ ନାହିଁ ତଥାରି ପାଶ୍ଚାତ୍ୟ ଦେଶରେ ଏହାର ଚାହିଦା ବହୁତ । ଅମ ରାଜ୍ୟରେ ସପ୍ତଫେଣୀ ମହୁମାଛି ପ୍ରମୂଖ ସ୍ଥାନ ଗ୍ରହଣ କରିଥିବାରୁ ପ୍ରୋପେଲିସ୍ ଉତ୍ପାଦନ ଆମ ରାଜ୍ୟରେ ଆଦୌ ଉପଲବ୍ଧ ନୁହେଁ ।

ମହୁମାଛି ବିଷ

Honey bee VenomHoney bee venom1

  • ମହୁମାଛି ନିଜର ସୁରକ୍ଷା ପାଇଁ ଲାହୁଡ଼ ମାରିଥାଏ । ଏହି ଲାହୁଡ଼ ମାରିବା ସମୟରେ ଲାହୁଡ଼ ସହଥିବା ବିଷଗ୍ରନ୍ଥୀରୁ ବିଷ ଆମ ଦେହକୁ ପ୍ରବେଶ କଲେ ସାମୟିକ ଯନ୍ତ୍ରଣା ମିଳିଥାଏ । ମାତ୍ର ଲାହୁଡ଼ରୁ ବାହାରୁଥିବା ବିଷ (ମହୁମାଛି ବିଷ ବା Bee Venom ବା Apitoxin)ର ଔଷଧୀୟ ଗୁଣ ଥିବାରୁ ଏହା ଆମ ଦେହ ପାଇଁ ଉପଯୋଗୀ ।
  • ମହୁମାଛି ବିନ୍ଧିବା ଦ୍ୱାରା ଆଣ୍ଠୁ ଗଣ୍ଠିବାତ (Arthritis) ଜନିତ ରୋଗ ଭଲ ହୋଇଥାଏ ।
  • ଗୋଟିଏ ବୟସ୍କ ପାଶ୍ଟାତ୍ୟ ମହୁମାଛି ଲାହୁଡ଼ରୁ 0.1-0.15 ମିଲିଗ୍ରା. ବିଷ ନିର୍ଗତ ହୋଇଥାଏ । ସାଧାରଣତଃ 1000 ଟି ମାଛିର ଲାହୁଡ଼ରୁ ପ୍ରାୟ 1 ଗ୍ରାମ ଶୁଦ୍ଧ ବିଷ ସଂଗୃହିତ ହୋଇଥାଏ ।
  • ମହୁମାଛି ଲାହୁଡ଼ରୁ ମହୁମାଛି ବିଷ ସଂଗ୍ରହ ପାଇଁ ନିର୍ଦ୍ଧିଷ୍ଟ ପ୍ରଣାଳୀ ବ୍ୟବହାର କରାଯାଏ ଯହାଦ୍ୱାରାର ମହୁମାଛିଙ୍କର କିଛି କ୍ଷତି ହେବ ନାହିଁ ବା ମହୁମାଛିଙ୍କୁ ନ ମାରି ତାଙ୍କ ବିଷ ସଂଗ୍ରହ କରିହେବ । ଏ ବିଷର ଚାହିଦା ଓ ମୂଲ୍ୟ ବହୁତ ।

ରୟାଲଜେଲି

Royal Jelly

  • ସାଧାରଣତଃ 6-13 ଦିନ ବୟସର ପୂର୍ଣ୍ଣାଙ୍ଗ ମହୁମାଛିଙ୍କ ମୁହଁରୁ ଏକ ଧଳାବର୍ଣ୍ଣ ଓ ଅମ୍ଳସ୍ୱାଦଯୁକ୍ତ ପଦାର୍ଥ ପ୍ରସ୍ତୁତ କରି ରାଣୀମାଛି ହେବାକୁ ଥିବା ଶାବକମାନଙ୍କୁ ଖାଇବାକୁ ଦେଇଥାନ୍ତି । ତେଣୁ ସେମାନେ ରାଣୀ ମାଛି ହେବାକୁ ଥିବା ଖୋପରେ ଏହି ରୟାଲ ଜେଲିକୁ ଗଛିତ କରି ରଖନ୍ତି ଓ ପ୍ରତ୍ୟେକ ଖୋପରୁ ପ୍ରାୟ 100 – 105 ମିଲିଗ୍ରା. ପର୍ଯ୍ୟନ୍ତ ରୟାଲଜେଲି ଉପଲବ୍ଧ ହୁଏ ।
  • ଏହା ମହୁମାଛିର ପ୍ରଜନନ ଋତୁ ବା ବସନ୍ତ ଋତୁରେ ମିଳିଥାଏ । ବସନ୍ତ ଋତୁରେ ଦଳରେ ମାଛି ସଂଖ୍ୟା ବଢି ନୂଆ ରାଣୀ ଖୋପ ହେବା ସମୟରେ କୃତ୍ରିମ ରାଣୀଖୋପ ପ୍ରସ୍ତୁତ କରି ଦଳକୁ ରାଣୀ ବିହୀନ କରିବା ଦ୍ୱାରା କର୍ମୀ ମାଛିମାନେ ରାଣୀ ଖୋପ ଗୁଡ଼ିକରେ ରୟାଲଜେଲି ପ୍ରସ୍ତୁତ କରି ରଖନ୍ତି, ଯାହାକୁ କି ସଂଗ୍ରହ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଏ ।
  • ଏହାକୁ ଔଷଧ ବା ଏକ ଅତି ଉତ୍କୃଷ୍ଟମାନର ଖାଦ୍ୟ ହିସାବରେ ମାନସିକ ରୋଗୀ, ସଅଳଜାତ ଶିଶୁ ଓ ସ୍ନାୟୁଗତ ଦୁର୍ବଳତାର ଉପଚାର ପାଇଁ ବ୍ୟବହାର କରାଯାଏ ।
  • ଯଦିଓ ମହୁ ଓ ମହମ ବ୍ୟତୀତ ଅନ୍ୟ ପଦାର୍ଥର ଉତ୍ପାଦନ ଆମ ଦେଶରେ ଆଦୃତ ହୋଇନାହିଁ ତଥାପି ଜଣେ ବ୍ୟକ୍ତି ଇଚ୍ଛାକଲେ ସେଗୁଡିକ କରି ଯଥେଷ୍ଟ ଲାଭବାନ ହୋଇପାରିବ ।

ଅଧିକ ଜାଣନ୍ତୁ –

ସୂଚନା- ଦୂରଶିକ୍ଷା କାର୍ଯ୍ୟକ୍ରମ, ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା