> ପାଳଛତୁ ଚାଷ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ପାଳଛତୁ ଚାଷ

ପାଳଛତୁର ଉପାଦେୟତା

  • ପାଳଛତୁର ଅନନ୍ୟ ସ୍ୱାଦ ପାଇଁ ଏହାର ଚାହିଦା ସର୍ବାଧିକ ।
  • ସମ୍ପୂର୍ଣ୍ଣ ଜୈବିକ ଖାଦ୍ୟ
  • ନିରାମିଶାଷୀଙ୍କ ପାଇଁ ସର୍ବାଧିକ ପସନ୍ଦ ।
  • ଏହାର ଫସଲ ଅବଧି ନ୍ୟୁନତମ (15ଦିନ)
  • ଆମ ରାଜ୍ୟର ଜଳବାୟୁରେ 8 ମାସ ସଫଳ ଭାବରେ ଚାଷ କରାଯାଇପାରୁଛି ।
  • ଏହାର ଚାଷ ପଦ୍ଧତି ସହଜ ଓ ସରଳ
  • ସ୍ୱଳ୍ପ ଖର୍ଚ୍ଚରେ ଅଧିକା ଲାଭ ଦିଏ ।
  • ଏହି ଚାଷରେ ସ୍ୱଳ୍ପ ଜମିର ଆବଶ୍ୟକତା ହୋଇଥାଏ ।
  • ଆତ୍ମନିଯୁକ୍ତି ଓ ନିଯୁକ୍ତିର ସୁଯୋଗ ଦେଇଥାଏ ।
  • ପରିବେଶ ସୁରକ୍ଷା, ଆର୍ଥିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା ପାଇଂ ଏକ ଉତ୍ତମ ପନ୍ଥା ।
  • ଏହି ଛତୁର ସଂରକ୍ଷଣ ଅବଧି ଖୁବ୍ କମ୍ (କଢ ଅବସ୍ଥାରେ ଅମଳ ପରେ 1 ଦିନରୁ ଅଧିକ ସମୟ ରହିପାରେ ନାହିଁ )
  • ଏହାର ଜୈବ ଦକ୍ଷତା ଅତ୍ୟନ୍ତ କମ୍ (10 ପ୍ରତିଶତ)

ଆବଶ୍ୟକୀୟ ପରିବେଶ

ଋତୁ ଗ୍ରୀଷ୍ମ ଓ ବର୍ଷା
ସମୟ ଫେବୃୟାରୀ-ଅକ୍ଟୋବର
ଉତ୍ତାପ 250 -380 ସେଲସିୟସ
ବାୟୁମଣ୍ଡଳର ଆର୍ଦ୍ରତା 80-85 ପ୍ରତିଶତ
ଆଲୋକ 1000 ଲକ୍ସ
ଅମ୍ଳତା 6.5 – 7.0
ନଡ଼ାର ଆଦ୍ରତା 65 ପ୍ରତିଶତ

ଶୀତ ଦିନେ ପଲିହାଉସରେ ଉତ୍ତାପ ଓ ଆଦ୍ରତାକୁ ନିୟନ୍ତ୍ରିତ କରି ପାଳ ଛତୁ ଚାଷ କରାଯାଇପାରେ ।

ଛତୁ ଚାଷ ପାଇଁ ସ୍ଥାନ ଚୟନ

  • ପାଳଛତୁ ନିମ୍ନମତେ ଦର୍ଶାଯାଇଥିବା ବିଭିନ୍ନ ସ୍ଥାନରେ ଚାଷ କରାଯାଇପାରେ ।
  • ଆଂଶିକ ଖରା ପଡ଼ୁଥିବା ବାରି ଅଗଣାରେ
  • ଆଂଶିକ ଗଛ ଛାଇ ପଡ଼ୁଥିବା ସ୍ଥାନରେ
  • ଡ଼ାଳପତ୍ର ପକାଇ ପ୍ରସ୍ତୁତ ଚାମୁଣ୍ଡିଆ ତଳେ
  • ଅସ୍ଥାୟୀ ଚାଳ ଛପର ତଳେ
  • ସବୁଜ ଛାୟା ଗୃହରେ
  • ଚାଳ ବା ଆଜବେଷ୍ଟସ୍ ଘରେ
  • ଆବଦ୍ଧ ପଲିହାଉସରେ (ଶୀତ ଦିନ ପାଇଁ ଉପଯୁକ୍ତ)

ଧ୍ୟାନଦେବା

ଛୁତଚାଷ କରିବା ସ୍ଥାନ ସର୍ବଦା ପରିଷ୍କାର ପରିଚ୍ଛନ ରହିବା ଆବଶ୍ୟକ । ଚାଷ ହେଉଥିବା ସ୍ଥାନ ସନ୍ତସନ୍ତିଆ ନହୋଇଥିବା ତଥା ଗାଈଗୁହାଳ ବା ମୁତ୍ରାଶୟ ସ୍ଥାନଠାରୁ ଦୂରରେ ହୋଇଥିବା ଆବଶ୍ୟକ ।


ଛତୁଚାଷ ପାଇଁ ଆବଶ୍ୟକୀୟ ସ୍ଥାୟୀ ଉପକରଣ

ଛତୁଘର

  • ପୂର୍ବ ବର୍ଣ୍ଣିତ ଯେକୌଣସି ସ୍ଥାନରେ ପାଳ ଛତୁ ଚାଷ କରାଯାଇପାରିବ ।
  • ଚାଷ କରାଯାଉଥିବା ସ୍ଥାନରେ ଆଂଶିକ ଆଲୋକ ଏବଂ ବାୟୁ ଚଳାଚଳ ହେଉଥିବା ଆବଶ୍ୟକ ।

ନଡ଼ା ବତୁରାଇବା କୁଣ୍ଡ

  • ଇଟା, ସିମେଣ୍ଟ ନିର୍ମିତ କୁଣ୍ଡ ପ୍ରସ୍ତୁତ କରିବେ ।
  • ଭୂମିରେ ପ୍ରସ୍ତୁତ ଆଗଭୀର ଗାତରେ ଜରି ପକାଇ ଅସ୍ଥାୟୀ କୁଣ୍ଡ ପ୍ରସ୍ତୁତ କରାଯାଇପାରେ ।
  • ନଡ଼ା ପରିମାଣକୁ ନଜରେ ରଖି କୁଣ୍ଡର ଆକାର ସ୍ଥିର କରିବେ ।

ଥାକ ବା ଭାଡ଼ି

  • ଭୂମିଠାରୁ 6 ଇଞ୍ଚ ଛାଡ଼ି ଛତୁ ପକାଇବା ପାଇଁ କାଠ, ବାଉଁଶ ବା ଲୁହା ପାଇପ୍ ବ୍ୟବହାର କରି ଭାଡ଼ି ପ୍ରସ୍ତୁତ କରିବେ ।
  • ଭାଡ଼ି ଗୁଡ଼ିକ 1.5 ଫୁଟ ଚଉଡ଼ା ଓ ଆବଶ୍ୟକ ଅନୁସାରେ ଲମ୍ବ ହେବା ଦରକାର ।
  • ପ୍ରତ୍ୟେକ ଭାଡ଼ି 2 ବା 3 ଥାକ ବିଶିଷ୍ଟ କରାଯାଇ ପାରେ । ପ୍ରତ୍ୟେକ ଥାକ ମଧ୍ୟରେ 2.5 ଫୁଟ୍ ବ୍ୟବଧାନ ରହିବା ଆବଶ୍ୟକ ।

ନଡ଼ା କଟା ଯନ୍ତ୍ର

  • ଦାଆ କୁ ଖୁଣ୍ଟରେ ବାନ୍ଧି ନଡ଼ା କଟାଯାଇପାରିବ ।
  • କାଠପଟା ଉପରେ ଲୁହା ନିର୍ମିତ କଟର କିମ୍ବା ବିଦ୍ୟୁତ ଚାଳିତ ନଡ଼ାକଟା ଯନ୍ତ୍ର ସାହାଯ୍ୟରେ ଅଳ୍ପ ସମୟରେ ଅଧିକ ନଡ଼ା କାଟି ପରିବା ।

ପଲିଥିନ ଚାଦର

  • 2 x 2 x 2 ଫୁଟ୍ ଆକାରର ଛତୁ ବେଡ୍ ଘୋଡାଇବା ପାଇଁ 6 x 6 ଫୁଟ୍ ଆକାରର ଧଳା ପଲିଥିନ୍ ଆବଶ୍ୟକ ।

ଜଳ ସିଞ୍ଚନ ଯନ୍ତ୍ର

  • ଛୁତ ବେଡରେ ପାଣି ସିଞ୍ଚନ କରିବା ପାଇଁ ହସ୍ତଚାଳିତ ସ୍ପ୍ରେୟାର ବ୍ୟବହାର କରାଯାଇପାରେ ।

ଥର୍ମୋହାଇଗ୍ରୋମିଟର

  • ଛତୁ ଘରର ଉତ୍ତାପ ଓ ଆର୍ଦ୍ରତା ଜାଣିବା ପାଇ ଥର୍ମୋହାଇଗ୍ରୋମିଟର ଯନ୍ତ୍ର ବ୍ୟବହାର ହୁଏ ।

ଛତୁ ଚାଷ ପାଇଁ ଆବଶ୍ୟକୀୟ ଉତ୍ପାଦନ ସାମଗ୍ରୀ

ଛତୁମଞ୍ଜି
  • ଉତ୍ତମ ପାଳଛତୁ ମଞ୍ଜିର ରଙ୍ଗ ଉଷତ୍ ଧଳା, ଇଷତ୍ ହଳଦିଆ ଓ ଇଷତ୍ ବାଦାମି ରଙ୍ଗର ହୋଇଥାଏ ।
  • ମଞ୍ଜି ବୋତଲରେ ସବୁଆଡ଼େ ସମାନ ଭାବରେ ଫିମ୍ପି ମାଡ଼ିଥିଲେ ଏହା ଉତ୍କୃଷ୍ଟ ଅଟେ ।
  • ବିଶ୍ୱସନୀୟ ସଂସ୍ଥାରୁ ମଞ୍ଜି କିଣିବା ସହିତ ଛତୁ ମଞ୍ଜି କିଣିଲାବେଳେ ଛତୁ ମଞ୍ଜିର ଅବଧି ବୁଝିବେ ।
  • ପ୍ରତ୍ୟେକ ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ ଉନ୍ନତ ମାନର ଛତୁ ବିହନ ପ୍ରସ୍ତୁତ ତଥା ବିକ୍ରୟ କରାଯାଏ ।
ନଡ଼ା
  • ସବୁ ପ୍ରକାରର ଧାନ ନଡ଼ାରେ ଛତୁଚାଷ କରାଯାଇପାରିବ ।
  • ପୁରୁଣା ନଡ଼ା (କମ୍ ସେ କମ୍ ଅମଳରୁ 2 ମାସ ପରେ ) ହୋଇଥିବା ଆବଶ୍ୟକ, କିନ୍ତୁ ଏହା ପାଣି ଖାଇ ନଷ୍ଟ ହୋଇ ନଥିବା ଉଚିତ୍ ।
ଅତିରିକ୍ତ ଖାଦ୍ୟ
  • ଯେକୌଣସି ପ୍ରକାର ଡ଼ାଲିଗୁଣ୍ଡ ଅତିରିକ୍ତ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ।
  • ଡ଼ାଲିଗୁଣ୍ଡ ପୁରୁଣା କିମ୍ବା ପୋକଖିଆ ହୋଇ ନଥିବା ଉଚିତ୍ ।
  • ଡ଼ାଲିଗୁଣ୍ଡ ସହ ଚୋକଡ଼ ସମ ପରିମାଣରେ ମିଶାଇ ମଧ୍ୟ ବ୍ୟବହାର କରିପାରିବେ ।

ଚାଷ ପ୍ରଣାଳୀ

  • ନଡାରୁ ଚୋପା ପତ୍ର କାଢି 1.5 ରୁ 2 ଫୁଟ ଲମ୍ବାରେ ନଡ଼ାକୁ କାଟନ୍ତୁ । 1.5×5 x1.5 ଫୁଟ ଆକୃତିର ଛତୁ ବେଡ୍ ପାଇଁ 1.5 ଫୁଟ ଲମ୍ବା ଏବଂ 2 x2x 2 ଫୁଟ ଆକୃତିର ଛତୁ ବେଡ୍ ପାଇଁ 2 ଫୁଟ୍ ଲମ୍ବାରେ ନଡ଼ା କାଟିବା ଦରକାର ।
  • ନଡ଼ା ବିଡ଼ାକୁ ପରିଷ୍କାର ପାଣିରେ 6-8 ଘଣ୍ଟା ବତୁରାଇ ଦିଅନ୍ତୁ । ନଡ଼ାକୁ କୁଣ୍ଡରେ ସଜାଇ ରଖି ପାଣଇ ପୁରାନ୍ତୁ ଏବଂ ନଡ଼ାକୁ ପାଣିରେ ବଡ଼ାଇ ରଖିବା ପାଇଁ କାଠ କିମ୍ବା କୌଣସି ଓଜନିଆ ଜିନିଷର ଚାପା ଦିଅନ୍ତୁ ।
  • ନଡ଼ାକୁ କୁଣ୍ଡରୁ ଛାଣି ଆଣି ଛାଇରେ ମୂଳ ଉପରକୁ ରଖି ଡ଼େରି ରଖନ୍ତୁ ଯେପରିକି ନଡ଼ାରୁ ଅତିରିକ୍ତ ପାଣି ନିଗିଡ଼ି  ଆଦ୍ରତା 65 ପ୍ରତିଶତ ରହିବ (ହାତରେ ଚିପୁଡ଼ିଲେ ପାଣି ବାହାରୁନଥିବ କିନ୍ତୁ ହାତକୁ ଓଦା ଲାଗୁଥିବ)
  • ପରିପକ୍ୱ ମଞ୍ଜିକୁ ବୋତଲରୁ କାଢି ପ୍ରତ୍ୟେକ ମଣ୍ଡିକୁ ସମାନ ଚାରି ଭାଗ କରନ୍ତୁ ଏବଂ 200 ଗ୍ରାମ୍ ଡ଼ାଲିଗୁଣ୍ଡକୁ 4 ଭାଗ କରନ୍ତୁ ।
  • ପ୍ରଥମ ସ୍ତରରେ ଡ଼ାଡ଼ିର ପୂର୍ବ ଦିଗରୁ ପଶ୍ଚିମ ଦିଗକୁ 6 ଇଞ୍ଚ ବହଳରେ ନଡ଼ା ବିଡ଼ା ରଖନ୍ତୁ । ହାରାହାରି ନଡ଼ାକୁ ସଜାଇ ରଖିଲେ 6 ଇଞ୍ଚ ବହଳ ହୋଇଥାଏ ।
  • ରଖାଯାଇଥିବା କଡରୁ 1.5 ଇଞ୍ଚ ଛାଡ଼ି 1 ଭାଗ ମଞ୍ଜିକୁ ରଖନ୍ତୁ । ରଖାଯାଇଥିବା ମଞ୍ଜି ଉପରେ 1 ଭାଗ ଡ଼ାଲିଗୁଣ୍ଡକୁ ବିଛାଇ ଦିଅନ୍ତୁ ।
  • ଦ୍ୱିତୀୟ ସ୍ତରରେ ସେହିପରି ନଡ଼ାକୁ ପ୍ରଥମ ସ୍ତରର ବିପରୀତ ଦିଗ ଅର୍ଥାତ ଦକ୍ଷିଣ ଦିଗକୁ କରି ରଖନ୍ତୁ ଏବଂ ପୂର୍ବ ପରି 1.5 ଇଞ୍ଚ ଛାଡ଼ି ଏକ ଭାଗ ମଞ୍ଜି ଓ ଡ଼ାଲିଗୁଣ୍ଡ ପ୍ରୟୋଗ କରନ୍ତୁ । ଏହିପରି ଭାବରେ ଦ୍ୱିତୀୟ ସ୍ତର ପ୍ରସ୍ତୁତ ହୋଇଥାଏ ।
  • ତୃତୀୟ ସ୍ତରରେ ନଡ଼ାକୁ ଦ୍ୱିତୀୟ ସ୍ତରର ବିପରୀତ ଦିଗରେ ରଖି, କଡ଼ରୁ ଦେଢ ଇଞ୍ଚ ଛାଡ଼ି ଏକ ଭାଗ ମଞ୍ଜି ଓ ଏକ ଭାଗ ଡ଼ାଲି ଗୁଣ୍ଡକୁ ଦ୍ୱିତୀୟ ସ୍ତର ପରି ସଜାଇ ରଖନ୍ତୁ । ଏହା ସହିତ ବଳକା ଏକ ଭାଗ ମଞ୍ଜି ଏବଂ ଡ଼ାଲି ଗୁଣ୍ଡକୁ ବେଡ଼୍ ଉପର ଭାଗରେ ସମାନ ଭାବରେ ଖେଳାଇ ପ୍ରୟୋଗ କରନ୍ତୁ ।
  • ଚତୁର୍ଥ ସ୍ତର ବା ଶେଷ ସ୍ତରରେ ଦୁଇଟି ନଡ଼ା ବିଡ଼ା ଖୋଲି 2 ଇଞ୍ଚ ବହଳରେ ବେଡ୍ ଉପର ଭାଗରେ ଖେଳାଇ ଦିଅନ୍ତୁ ।
  • ଚତୁର୍ଥ ସ୍ତର ନଡ଼ା ପକାଇବା ପରେ ବେଡକୁ ଚାରିପଟରୁ ହାତରେ ହାଲୁକା ଭାବରେ ଦାବି ବେଡ଼ର ଆକୃତିକୁ (ଡ଼ବାକୃତି ) ଠିକ୍ କରି ଦିଅନ୍ତୁ ।
  • ଏଥର ବେଡ଼କୁ ଭଲ ଭାବରେ ଚାପି ପଲିଥିନ୍ ଚାଦରରେ ଘଡ଼ାଇ ଦିଅନ୍ତୁ । ଚାରିପଟରୁ ଜରିକୁ ବେଡ଼ର ତଳ ଭାଗରେ ଖୋସି ଦିଅନ୍ତୁ, ଯେପରି ବେଡର ଜଳୀୟ ଅଂଶ ପଲିଥିନ ବାହାରକୁ ବାହାରି ନଯିବ ।

ବେଡକୁ ସେହିପରି ପଲିଥିନ୍ ଘୋଡ଼ା ଯାଉଥିବା ଅବସ୍ଥାରେ ରଖିଲେ ସାଧାରଣତଃ 7 ଦିନ ଭିତରେ ବେଡରେ ଛତୁ ଫିମ୍ପି ମାଡ଼ି ଯାଇଥାଏ । 9-10 ଦିନରେ ଫିମ୍ପିଗୁଡ଼ିକ ଧଳା ଧଳା ସାଗୁଦାନା ଭଳି ଦେଖାଯାଇଥାଏ । ଏହି ସାଗୁଦାନା ଆକୃତି ବଢି  11 ରୁ 12 ଦିନରେ କଳା କଳା କଢି ପରି ଦେଖାଯାଆନ୍ତି ।


  • 12-13 ଦିନରେ କଢ ଅବସ୍ଥାରେ ଛତୁ ଅମଳ ଯୋଗ୍ୟ ହୋଇଥାଏ ।

ଏହି ଅବସ୍ଥାରେ ବେଡରେ ଘୋଡ଼ା ଯାଇଥିବା ଜରିଟିକୁ ଚିକିଏ ହାଲକା କରିଦେବେ ଏବଂ ପ୍ରଥମ ଥର ଫଳକୁ କଢ ଅବସ୍ଥାରେ ତୋଳି ଆଣିବେ । ଛତୁ ତୋଳିବା ବେଳେ ଛତୁର ମୂଳ ଅଂଶକୁ ଧରି ସାମାନ୍ୟ ମୋଡ଼ିବେ ଯେପରିକି ଛତୁ ମୂଳ ସହିତ ବେଡରୁ ଅଲଗା ହୋଇଯିବ ।


  • ଛତୁ ତୋଳିବା ପରେ ଦେଖିବେ ନଡ଼ାର ଯଦି ଆର୍ଦ୍ରତା କମି ଆସିଛି (ଅର୍ଥାତ୍ 65 ଶତକଡ଼ାରୁ କମ୍) ତାହାହେଲେ ଝରାରେ ଅଳ୍ପ ପାଣି ଦେବେ ।
  • ବାୟୁମଣ୍ଡଳର ଆର୍ଦ୍ରତାକୁ ଲକ୍ଷ କରି, ଆବଶ୍ୟକ ହେଲେ ପ୍ରତିଦିନ ବେଡରେ ଥରେ କିମ୍ବା ଦୁଇଥର ଝରା ସାହାଯ୍ୟରେ ସିଞ୍ଚନ କରିବେ ଯେପରିକି ନଡ଼ାର ଆର୍ଦ୍ରତା ହାରାହାରି 65 ଶତକଡ଼ା ରହିବ ।
  • ଆଉ ଦୁଇଦିନ ପରେ ଅର୍ଥାତ 15-16 ଦିନରେ କଢ ଅବସ୍ଥାରେ ଦ୍ୱିତୀୟ ଥର ଫଳକୁ ତୋଳିବେ ।
  • ପୁନର୍ବାର ଯଦି କିଛି କଢିଥାଏ, ତେବେ 18-19 ଦିନ ଭିତରେ ତୃତୀୟ ଥର ଫଳ ତୋଳିବେ ।
  • ସମ୍ପୂର୍ଣ୍ଣ ଫୁଟିଗଲା ପରେ ପୁରୁଣା ବେଡକୁ ଉଠାଇ ଖତ ଗଦାରେ ପକାଇ ଦେଲେ ଏଥିରୁ କମ୍ପୋଷ୍ଟ ତିଆରି ହୋଇପାରିବ । ଖରାପ ହୋଇଯାଉଥିବା ବା ସମ୍ପୂର୍ଣ୍ଣ ଫୁଟି ସାରିଥିବା ଛତୁ ବେଡକୁ ଛତୁ ଘରେ ବା ନୂଆ ବେଡ୍ ପାଖରେ ରଖିଲେ ଛତୁ ଘରେ ସଂକ୍ରମଣର ଆଶଙ୍କା ବଢିଥାଏ ।

ବିଶେଷ ତଥ୍ୟ

ବ୍ୟବସାୟିକ ଭିତ୍ତିରେ ଚାଷ କରୁଥିବା ଚାଷୀମାନେ ପ୍ରାୟତଃ 15-16  ଦିନରେ ବେଡ୍ ପରିବର୍ତ୍ତନ କରି ନୂତନ ବେଡ୍ ଆରମ୍ଭ କରିଦେଇଥାନ୍ତି । କାରଣ ପାଳଛତୁରେ ପ୍ରଥମ ସ୍ତରରେ 60-70  ପ୍ରତିଶତ ଫଳ ଆସିଥାଏ । ଦ୍ୱିତୀୟ ଥରରେ  20-30 ପ୍ରତିଶତ ଫଳ ଆସିଥାଏ ।


ଅମଳ ପରବର୍ତ୍ତୀ ଯତ୍ନ

  • ଛତୁ ସର୍ବଦା କଢ ଅବସ୍ଥାରେ ଅମଳ କରନ୍ତୁ ।
  • ଅମଳ ପରେ ଛତୁରୁ ବାଲି, କୁଟା ଇତ୍ୟାଦିକୁ କାଢି ସଫା କରନ୍ତୁ ।
  • ଛତୁ ଗୁଡ଼ିକୁ ଆକାର ଅନୁସାରେ ଅଲଗା ଅଲଗା କରି ଦିଅନ୍ତୁ ।
  • ଏହାପରେ କଢ ଛତୁକୁ କଣାଯୁକ୍ତ ପଲି ପ୍ରୋପିଲିନ୍ ବ୍ୟାଗରେ ଭର୍ତ୍ତି କରି ମୁହଁ ବନ୍ଦ କରିଦିଅନ୍ତୁ ।
  • ତାପରେ ଏହି ବ୍ୟାଗ ଗୁଡ଼ିକୁ ପେଟିରେ ଭର୍ତ୍ତି କରି ବଜାରକୁ ପଠାନ୍ତୁ ।

ବିଶେଷ ସତର୍କତା

  • ଛତୁ ଗୃହକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ ।
  • ନଡ଼ାର ଅମ୍ଳତାକୁ ଲିଟମସ୍ ପେପର କିମ୍ବା ଅମ୍ଳତା ମାପକ ଯନ୍ତ୍ରରେ ମାପି, ଅମ୍ଳତା ଅଧିକ ( 7 ରୁ ଅଧିକ) ଥିଲେ ଶତକଡ଼ା 2 ପ୍ରତିଶତ ହିସାବରେ ଚୂନ ଗୁଣ୍ଡକୁ ନଡ଼ା ବତୁରାଇବା ସମୟରେ ପ୍ରୟୋଗ କରନ୍ତୁ ।

ଛତୁ ଫାର୍ମ ପାଇଁ ଆୟବ୍ୟୟ ହିସାବ

ଛତୁ ଚାଷ ଅଳ୍ପ ଜାଗା ଓ କମ୍ ପୁଞ୍ଜିରେ ଅଧିକ ଲାଭ ଦେଇଥାଏ । 300 ବର୍ଗଫୁଟ ଯାଗରୁ ଗୋଟିଏ ମାସରେ 300 ଟି ପାଳଛତୁ ବେଡ୍ ବର୍ଷା ଓ ଖରାଦିନେ ପକାଯାଇପାରିବ । ସେହି ସ୍ଥାନରେ ଶୀତଦିନେ ପ୍ରତି ଦୁଇମାସରେ 360 ଧିଙ୍ଗିରୀ ଛତୁ  ପିଣ୍ଡୁଳା କରାଯାଇପାରିବ । ଏଥିପାଇଁ ଆବଶ୍ୟକ ଜିନିଷ ଓ ଖର୍ଚ୍ଚ ଏଠାରେ ଦିଆଯାଇଛି ।

କ୍ର.ନଂ ଉପକରଣର ନାମ ପରିମାଣ ମୂଲ୍ୟ (ଟ.) ଖର୍ଚ୍ଚ(ଟ.)
1 ଛତୁ ଘର ପ୍ରସ୍ତୁତି ପାଇଁ 25’x  12 ‘ =300 ବର୍ଗଫୁଟ

1

100/ ବର୍ଗଫୁଟ 30,000/-
2 ପାଣିଟାଙ୍କି (4’x 4’x 3’)

1

80  /ଘନଫୁଟ 4,000/-
3 ସିଞ୍ଚନ ଯନ୍ତ୍ର (16 ଲିଟର)

1

2000/- 2,000/-
4 ନଡ଼ା କଟା ଯନ୍ତ୍ର

2

450/- 900/-
5 ଅନ୍ୟାନ୍ୟ ଖର୍ଚ୍ଚ 600/-
6 ପଲିଥିନ୍ ଚାଦର

180 ମିଟର

25 /ମିଟର 4,500/-
7 ବାଉଁଶ ଭାଡ଼ି

30

100 /- 3,000/-
ମୋଟ 45,000/-

 

180 ପାଳଛତୁ ବେଡ୍ ପାଇଁ ଖର୍ଚ୍ଚ (ଏକମାସ ପାଇଁ)
କ୍ର.ନଂ ଉପକରଣର ନାମ ପରିମାଣ ମୂଲ୍ୟ (ଟ.) ଖର୍ଚ୍ଚ(ଟ.)
1 ନଡ଼ା (ଗୋଟିଏ ବେଡ୍ ପାଇଁ 7 କି.ଗ୍ରା.) 1260 କି.ଗ୍ରା.

7/-

8,820/-
2 ଛତୁ ମଞ୍ଜି (ଗୋଟିଏ ବେଡ୍ ପାଇଁ ଏକ ବୋତଲ) 180 ବୋତଲ

20/-

3,600/-
3 କୋଳଥ ଗୁଣାଡ ବା ଡ଼ାଲି ଗୁଣ୍ଡ 36 କି.ଗ୍ରା.

50/-

1,800/-
4 ଶ୍ରମିକ  ମଜୁରୀ 9 ଜଣ

450/-

4,050/-
5 ଅନ୍ୟାନ୍ୟ ଖର୍ଚ୍ଚ 730/-

ମୋଟ

19,000/-

 

  • ବାର୍ଷିକ ଖର୍ଚ୍ଚ (ମାସକୁ 19000 ଟଙ୍କା ହିସାବରେ 8 ମାସ ପାଇଁ) = 1,52,000/-
  • ବାର୍ଷିକ ଉତ୍ପାଦନ (ମାସକୁ 144 କି.ଗ୍ରା. ହିସାବରେ 8 ମାସ ପାଇଁ ) =1152 କି.ଗ୍ରା.
  • ବାର୍ଷିକ ଆୟ (କି.ଗ୍ରା. ପ୍ରତି 150 ଟଙ୍କା ହିସାବରେ  1152 କିଗ୍ରା. ପାଇଁ) = 2,88,000 /-
  • ନିଟ୍ ଲାଭ (2,88,000 – 1,52,000) = 1,36,000/-
  • ମାସ ପ୍ରତି ନିଟ୍ ଲାଭ (1,36,000÷ 8 ) = 17,000/-

ଜଣେ ଚାଷୀ 300 ବର୍ଗଫୁଟ ଜାଗା ବ୍ୟବହାର କରି ମାସକୁ 18ଟି ପାଳଛତୁ ବେଡ ରୁ 17,000 ଟଙ୍କା ନିଟ୍ ଲାଭ ପାଇପାରିବ ।

ପାଳଛତୁ ଚାଷରେ ସାମ୍ଭାବ୍ୟ ସମସ୍ୟା ଓ ତାର ନିରାକରଣ

କ୍ର. ନଂ. ଅସୁବିଧା ବା ସମସ୍ୟା ସାମ୍ଭାବ୍ୟ କାରଣ ନିରାକରଣ
1 ଛତୁ ବେଡରେ ଫିମ୍ପି ନ ମାରି କଳା କଳା ଦେଖାଯାଉଥିଲେ
  •  ନଡାରେ ଅଧିକ ପାଣି ରହିଯାଇଥିବ
  • ·ବେସନ ଓ ମଞ୍ଜି ଓଦା ହୋଇ କଳା ହୋଇଯାଇପାରେ
  • ଖରାପ ମଞ୍ଜିର ବ୍ୟବହାର ଦ୍ୱାରା
·ନଡାର ଆର୍ଦ୍ରତା (65 ପ୍ରତିଶତ) ପରିଚାଳନା କରନ୍ତୁ

·ଉତ୍ତମ ମାନର ମଞ୍ଜି ବ୍ୟବହାର କରନ୍ତୁ ।

2 ଯଦି ଛତୁ ବେଡର ସବୁଆଡ଼େ ସମାନ ଫଳ ଆସୁନଥାଏ ।
  • ଛତୁ ଘରର ଉତ୍ତାପ ଖୁବ କମ୍ ବା ଅଧିକ ହୋଇଥାଇପାରେ
  • ·ଛତୁ ଘରର ଆପେକ୍ଷିକ ଆର୍ଦ୍ରତା ଯଦି ଠିକ୍ ରହୁନଥିବ
  • ଖରାପ ମଞ୍ଜିର ବ୍ୟବହାର ଦ୍ୱାରା
ଛତୁ ଘରେ ଠିକ୍ ଉତ୍ତାପ (25-38 ଡିଗ୍ରୀ) ପରିଚାଳନା କରନ୍ତୁ

ବେଡର ସବୁପଟକୁ ଆଲୋକ ଓ ବାୟୁ ଚଳାଚଳ ବ୍ୟବସ୍ଥା କରନ୍ତୁ ।

3 ଛତୁ ବେଡରେ ଗୋବର ଛତୁ ଦେଖାଯାଉଥିଲେ
  • ପୁରୁଣା ବା ଖତରା ନଡ଼ା ବ୍ୟବହାର କରୁଥିଲେ
  • ନଡ଼ାକୁ ଠିକ ଭାବରେ ବିଶୋଧନ କରାଯାଇନଥିବ
  • ବତୁରାଇବା କୁଣ୍ଡରେ ପାଣି ପରିବର୍ତ୍ତନ ନ କରି ପୁନର୍ବାର ବତୁରାଉଥିଲେ
  • ବେଡର ତାପମାତ୍ରା ବଢିଗଲେ
  • ଉତ୍ତମ ମାନର ନଡ଼ାର ବ୍ୟବହାର କରନ୍ତୁ
  • ନଡ଼ାକୁ ଗରମ ପାଣିରେ ଅଧଘଣାଟା ରଖି ସୂର୍ଯ୍ୟକିରଣରେ ଶୁଖାଇ ବିଶୋଧନ କରନ୍ତୁ
  • ବୁରାଇବା କୁଣ୍ଡର ପାଣିକୁ ପ୍ରତିଦିନ ପରିବର୍ତ୍ତନ କରନ୍ତୁ ।
4 ଛତୁ ବେଡରେ ଫଳ ଗୋଟମା ହୋଉଥିଲେ
  • ପୁରୁଣା ନଡ଼ା ବ୍ୟବହାର କରୁଥିଲେ
  • ନଡ଼ାର ଅମ୍ଳତା ଠିକ୍ ଭାବରେ ପରିଚାଳନା କରୁନଥିଲେ
  • ଘର ଭିତରେ ଅଙ୍ଗାରକାମ୍ଳ କିମ୍ବା ବିଷାକ୍ତ ଗ୍ୟାସର ସାନ୍ଧ୍ରତା ବଢିବା ଦ୍ୱାରା
  • ନଡ଼ାର ଅମ୍ଳତା ଲିଟମସ୍ ପେପର ଦ୍ୱାରା ପରୀକ୍ଷ କରି (6 ରୁ 7) 2 ପ୍ରତିଶତ ଚୂନ ଗୁଣ୍ଡ ପ୍ରୟୋଗ କରିବେ
  • ଗୃହରେ ଉତ୍ତମ ବାୟୁ ଚଳାଚଳର ବ୍ୟବସ୍ଥା କରିବେ
5 ଛତୁ ବେଡରୁ ଫଳ କମିଲେ
  • ନୂଆ ନଡ଼ା ବ୍ୟବହାର କରୁଥିଲେ
  • 2 ମାସର ଶୁଖିଲା ନଡ଼ା ବ୍ୟବହାର କରନ୍ତୁ ।

 

 

ବିଷୟବସ୍ତୁ- ଡ଼ଃ ଲକ୍ଷ୍ମୀପ୍ରିୟା ପ୍ରଧାନ, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼

ଅଧିକ ଜାଣନ୍ତୁ

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା