> ଛତୁ ମଞ୍ଜି ପ୍ରସ୍ତୁତି - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଛତୁ ମଞ୍ଜି ପ୍ରସ୍ତୁତି

ଛତୁ ମଞ୍ଜି ପ୍ରସ୍ତୁତ କରି ଜଣେ ନିଜେ ଛତୁଚାଷ କରିବା ସହ ନିଜ ଅଞ୍ଚଳର ଚାଷୀମାନଙ୍କୁ ଯୋଗାଇ ଭଲ ରୋଜଗାର କରିପାରିବ । ତେବେ ଏହି ମଞ୍ଜି ପ୍ରସ୍ତୁତି ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି । ଏହି ଛତୁ ମଞ୍ଜି ପ୍ରସ୍ତୁତି ପାଇଁ ତିନୋଟି ପର୍ଯ୍ୟାୟରେ କରାଯାଇଥାଏ । ସେଗୁଡ଼ିକ ହେଲା-

1). ପ୍ରଥମ ପର୍ଯ୍ୟାୟ- ମୂଳ ଫିମ୍ପି ପ୍ରସ୍ତୁତି (Mother Culture),

2). ଦ୍ୱିତୀୟ ପର୍ଯ୍ୟାୟ- ମୂଳ ଫିମ୍ପିରୁ ଅଧିକ ବଂଶ ବିସ୍ତାର (Sub Culturing) ଓ

3). ତୃତୀୟ ପର୍ଯ୍ୟାୟ- ଛତୁ ମଞ୍ଜି ପ୍ରସ୍ତୁତି (Spawn Production)

Mushroom Spawn Production

ମୂଳ ଫିମ୍ପି ବା ମାଇସେଲିଅମ୍ ପ୍ରସ୍ତୁତି (Mother Culture)

ମୂଳ ଫିମ୍ପି ବା ମାଇସେଲିଅମକୁ ଟିସୁକଲଚର ଦ୍ୱାରା କିମ୍ବା ଗୋଟିଏ ରେଣୁ (Single Spore Culture ) ବା ଅସଂଖ୍ୟ ରେଣୁ (Multispore Culture) ରୁ ତିଆରି କରାଯାଇଥାଏ । ସାଧାରଣତଃ ବ୍ୟବସାୟଭିତ୍ତିକ ମଞ୍ଜି ଉତ୍ପାଦନ କେନ୍ଦ୍ରରେ ଟିସୁକଲଚର ପ୍ରଣାଳୀ ଦ୍ୱାରା ମୂଳ ଫିମ୍ପି ମାଇସେଲିଅମ ଉତ୍ପନ୍ନ କରିଥାନ୍ତି । ପ୍ରଥମେ ମିଡ଼ିଆ ପ୍ରସ୍ତୁତ କରାଯାଏ, ତାପରେ ଟିସୁ କଲଚର କରାଯାଏ ।

କ).ମିଡ଼ିଆ ପ୍ରସ୍ତୁତି

ଛତୁ ମାଇସେଲିଅମ୍ ( Mycelium) ପି.ଡ଼ି.ଏ. ନାମକ ଏକ ମାଧ୍ୟମରେ ଭଲ ବଢିଥାଏ । ପି.ଡ଼ି.ଏ (ପଟାଟୋ-ଡ଼େକସଟ୍ରୋଜ-ଅଗର) ମାଧ୍ୟମ ତିଆରି ପାଇଁ ନିମ୍ନଲିଖିତ ପଦାର୍ଥ ଆବଶ୍ୟକ ହୋଇଥାଏ ।

ଆବଶ୍ୟକୀୟ ସାମଗ୍ରୀ

1). ଆଳୁ 250 ଗ୍ରାମ (ଚୋପାଛଡ଼ା ଓ କଟା 200 ଗ୍ରାମ)

2). ଡ଼େକସଟ୍ରୋଜ 20 ଗ୍ରାମ୍

3). ଅଗର ଅଗର 20 ଗ୍ରାମ୍

4). ଆମ୍ବିଷ୍ଟିନ୍ 1 ଫାଇଲ୍

5). ପରିଷ୍କାର ପାଣି 1 ଲିଟର

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ ଆଳୁର ଚୋପା ବାହାର କରି ପତଳା ଖଣ୍ଡ କରନ୍ତୁ ।
  • ଅଧ ଲିଟର ପାଣି ମଗ୍ ବା ଛୋଟ ଡ଼େକଚିରେ ନେଇ ହିଟର ବା ଷ୍ଟୋଭ୍ ଉପରେ ବସାଇ ସିଝାନ୍ତୁ । ଆଳୁକୁ ସେଥିରେ ପକାନ୍ତୁ ।
  • ଅଧଘଣ୍ଟା ପରେ ଦେଖିବା ଆଳୁ ଖୁବ୍ ନରମ ହୋଇଯିବ । ଆଳୁ ବାହାର କରି ନେଇ ସହି ସିଝା ପାଣିରେ 20 ଗ୍ରାମ ଡ଼େକସଟ୍ରୋଜ ଓ 20 ଗ୍ରାମ ଅଗର ଅଗର ମିଶାନ୍ତୁ ।
  • ଏହି ପାଣିରେ ଅବଶିଷ୍ଟ ପାଣି ମିଶାଇ ଏକ ଲିଟର ତରଳ ପଦାର୍ଥରେ ପରିଣତରେ କରନ୍ତୁ । ତାପରେ ପୁଣି ସିଝାନ୍ତୁ, ଯେପରି ତରଳ ପଦାର୍ଥଟି ହାତକୁ ଅଠାଳିଆ ଲାଗିବ ।
  • ସେଥିରେ ଆମ୍ବିଷ୍ଟିନ ମିଶାନ୍ତୁ ।
  • ତାପରେ ଭଲ କରି ଗୋଳାଇ ତରଳ ପଦାର୍ଥ ଥିବା ଡ଼େକଚିକୁ ହିଟରରୁ ବାହାର କରି ଆଣି କିଛି ବାଷ୍ପ ବାହାରିଯିବା ପାଇଁ 1 ମିନିଟ୍ ବା 2 ମିନିଟ୍ ଅପେକ୍ଷା କରନ୍ତୁ ।
  • ତାପରେ ପ୍ରତ୍ୟେକ କାଚ ଟିଉବରେ 10 ରୁ 15 ମି.ଲି. କରି ଏହି ତରଳ ପଦାର୍ଥ ଭରି ନନ୍ଆବଜରବାଣ୍ଟ୍ ତୁଳା ସାହାଯ୍ୟରେ ଠିପି ମାରି ଦିଅନ୍ତୁ ।
  • ପ୍ରଥମେ ତୁଳାକୁ ବଳିତା କରି, ତାପରେ 2 ଭାଙ୍ଗ କରିଦେବେ । ଏହି ଠିପିଟି କାଚନଳୀର ମୁହଁର ଆକାର ଦେଖି ମୋଟେଇ ହେବା ଦରକାର । କାଚ ଟିଉବରେ ଠିପି ଲଗାଇଲା ବେଳେ ଦେଖିବ ଯେପରି ଏହା ଅତ୍ୟନ୍ତ ହୁଗୁଳା ବା ଟାଇଟ୍ ନହୁଏ ।
  • ତାପରେ ତରଳ ପଦାର୍ଥ (ପି.ଡ଼ି.ଏ) ଥିବା ଟିଉବ୍ ଗୁଡ଼ିକ ପ୍ଲାଷ୍ଟିକ ପାଛିଆରେ ରଖି ଏହାକୁ ଅଟୋକ୍ଲେଭ ଭିତରେ ରଖନ୍ତୁ ।
  • ତାପରେ ଅଟୋକ୍ଲେଭର ଉପରି ଭାଗ ଢାଙ୍କୁଣୀ ଲଗାଇ ନଟବୋଲଟ୍ ଗୁଡ଼ିକୁ ଟାଇଟ୍ କରିଦିଅନ୍ତୁ ।
  • ବିଦ୍ୟୁତ୍ ସୁଇଚକୁ ଖୋଲି ଦିଆନ୍ତୁ ।
  • ଅଟୋକ୍ଲେଭ ଉପରେ ଛୋଟ ଘଡ଼ି ଭଳି ଯନ୍ତ୍ର ଲାଗିଥାଏ, ଯେଉଁଥିରୁ ପ୍ରେସର (Pressure) ଜାଣି ହୁଏ । ତାହାକୁ ପ୍ରସର ଗଜ (pressure Gauge) କୁହାଯାଏ । ଏହି ଘଡ଼ିର 15 ଚିହ୍ନ ପାଖରେ  15 ମିନିଟରୁ 30 ମିନିଟ୍ ରହିବା ପରେ ବିଦ୍ୟୁତ ସରବରାହ ବନ୍ଦ କରିହେବ ।
  • ଅଧଘଣ୍ଟାଏ ପରେ କାଢି ଟିଉବ୍ ଗୁଡ଼ିକୁ ଏକ ଲମ୍ବ ବାଡ଼ି ଉପରେ ଶୁଆଇ ଦେବେ । ଟିଉବର ଅଗ୍ରଭାଗ ବାଡ଼ି ଉପରେ ରହିବ ଏବଂ ମୂଳଭାଗ ଟେବୁଲ୍ ଉପରେ ଅବା ଚଟାଣ ଉପରେ ରହିବ । ଏହି ଭଳି ତେର୍ଚ୍ଛା ଭାବରେ ଘଣ୍ଟାଏ ଶୁଖାଇ ଦେଲାପରେ ଟିଉବ୍ ଭିତରେ ଥିବା ତରଳ ପଦାର୍ଥ କଠିନ ହୋଇଯିବ । ବର୍ତ୍ତମାନ ଏହି ଟିଉବ୍ ଗୁଡ଼ିକରେ ଇନୋକୁଲେସନ୍ କରିବା ପାଇଁ ଉପଯୁକ୍ତ ହୋଇଥାଏ ।

ଖ) ଟିସୁ କଲଚର

  • ଛତୁ ଫୁଟିଥିବା ବିଭିନ୍ନ ବେଡ଼୍ ଗୁଡ଼ିକ ଭିତରୁ ଯେଉଁ ବେଡ଼ରେ ସବୁଠାରୁ ବେଶୀ ଫୁଟିଥିବା, ସେହି ବେଡ଼ରୁ ବଡ଼ଛତୁ କଢଟି ସଂଗ୍ରହ କରନ୍ତୁ ।
  • ତାର ଉପରି ଭାଗରୁ ନଡ଼ା, ମଇଳା, ବାହାର କରି ଦେଇ ଧୋଇ ଦିଅନ୍ତୁ ।
  • ତାପରେ ତାର ଉପରି ଭାଗ ରେକ୍ଟିଫାଏଡ଼୍ ସ୍ପିରିଟରେ ପୋଛି ଦିଅନ୍ତୁ । ଯାହାଦ୍ୱାରା ଛତୁର ଉପରି ଭାଗ ବିଶୋଧିତ ହୋଇଯାଏ । ପୁଣି ଏହି ଛତୁକୁ 3-4 ଥର ବିଶୋଧିତ ପାଣିରେ ଧୋଇ ଦିଅନ୍ତୁ, ଯାହା ଫଳରେ ସ୍ପିରିଟର ଅଂଶ ଧୋଇ ହୋଇଯିବ ।
  • ବିଶୋଧିତ ବ୍ଲେଡ଼୍ ବା ଛୁରୀ ସାହାଯ୍ୟରେ ବିଶୋଧିତ ଛତୁକୁ ଲମ୍ବଭାବରେ କାଟି ଦିଅନ୍ତୁ ।
  • ଏହାପରେ ଛତୁର ଦଣ୍ଡ ଛତୁ ଟୋପିଠାରେ ସଂଯୋଗ ହୋଇଥିବା ସ୍ଥାନକୁ ଟୁକୁରା ଟୁକୁରା କରି କାଟନ୍ତୁ ।
  • ସେଥିରୁ ଖଣ୍ଡିଏ ଛୋଟ ଅଂଶକୁ ଇନୋକୁଲେସନ୍ ତାର ସାହାଯ୍ୟରେ ନେଇ କାଚନଳୀରେ ଥିବା ପି.ଡ଼ି.ଏ. ଖାଦ୍ୟ ଉପରେ ରଖନ୍ତୁ । ଏହାକୁ ଇନୋକୁଲେସନ୍ କୁହାଯାଏ ।
  • ଛତୁ ଟୁକୁରା ଖଣ୍ଡ ପି.ଡ଼ିଏ. ମାଧ୍ୟମରେ ରହି ସେଠାରେ ଏହି ଖଣ୍ଡ ଦେହରୁ ତୁଳା ଭଳି ପଦାର୍ଥ ସୃଷ୍ଟିହୁଏ ଯାହାକୁ ମାଇସେଲିଅମ୍ କହନ୍ତି ।
  • ଦୁଇତିନି ଦିନ ଭିତରେ ଛତୁ ଖଣ୍ଡ ସଂଲଗ୍ନ ମିଡ଼ିଆରୁ ମାଇସେଲିଅମ୍ ବାହାରିବ ଏବଂ 6-7 ଦିନ ଭିତରେ ଟିଉବ୍ ଭିତରେ ମିଡ଼ିଆ ଥିବା ସମସ୍ତ ଅଂଶରେ ମାଡ଼ିଯିବ । ଏହାକୁ ମଦର କଲଚର (Mother Culture) ବା ମୂଳଫିମ୍ପି ମାଇସେଲିଅମ୍ କୁହାଯାଏ ।

2). ମୂଳଫିମ୍ପିରୁ ଅଧିକ ବଂଶ ବିସ୍ତାର ବା ସବ୍-କଲଚରିଙ୍ଗ

  • ଉପର ବର୍ଣ୍ଣତ 1 (କ) ପ୍ରଣାଳୀ ଅନୁଯାୟି ପ୍ରଥମେ ମିଡ଼ିଆ କଲଚର ଟିଉବ୍ ବା କାଚନଳୀରେ ପ୍ରସ୍ତୁତ କରିବାକୁ ପଡ଼ିବ, ଯାହାକୁ ଇଂରାଜୀରେ ସ୍ଲାଣ୍ଟ (Slant) କହନ୍ତି ।
  • ତାପରେ ମୂଳ ଫିମ୍ପି ମାଇସେଲିଅମ୍ ବା ମଦର କଲଚର ସଂଗ୍ରହ କରିବାକୁ ପଡ଼ିବ ।
  • ପ୍ରଜନନ କୋଠରୀ ବା ଇନୋକୁଲେସନ୍ ଚ୍ୟାମ୍ବର ଭିତରେ ମୂଳ ଫିମ୍ପି ମାଇସେଲିଅମ୍ ଥିବା କାଚନଳୀରୁ ଟିକିଏ ମାଇସେଲିଅମ୍ ଖଣ୍ଡ ଇନୋକୁଲେସନ୍ ତାର ସାହାଯ୍ୟରେ ନେଇ ଅନ୍ୟ ଖାଲି ମିଡ଼ିଆ ଥିବା କାଚନଳୀ ଭିତରେ ରଖିଦେବାକୁ ପଡ଼ିବ ।
  • ଗୋଟିଏ ମୂଳଫିମ୍ପି ଥିବା କାଚନଳୀରୁ ଏହିଭଳି 50 ରୁ 60 ଟି କଲଚର ଟିଉବରେ ମାଇସେଲିଅମ୍ ଖଣ୍ଡର ବିସ୍ତାର କରାଯାଇପାରିବ । ଏହି କାର୍ଯ୍ୟ ସ୍ପିରିଟ୍ ଲ୍ୟମ୍ପ୍ ବା ବୁନସେନ୍ ବର୍ଣ୍ଣରର ଆଲୋକ ଉପରେ କରାଯିବ । ଯାହାଦ୍ୱାରା ବାୟୁରେ ଥିବା ଅନ୍ୟ ଫିମ୍ପି ପ୍ରସାରିତ ହେବାର ସମ୍ଭାବନା ରହିବ ନାହିଁ ।

3). ଛତୁମଞ୍ଜି ପ୍ରସ୍ତୁତି

  • ପ୍ରଥମେ ଗହମକୁ ଭଲ କରି 4-5 ଥର ଧୋଇ ଧୂଳି, ମଇଳା ଓ ଅନାବନା ଜିନିଷ ଗହମ ଭିତରୁ ବାହାର କରି ଦିଅନ୍ତୁ ।
  • ତାପରେ 2-3 ଘଣ୍ଟା ବତୁରାଇ ଗହମକୁ 1 ଘଣ୍ଟାରୁ ଦେଢ଼ଘଣ୍ଟା ସିଝାନ୍ତୁ କିମ୍ବା ଧୋଇସାରି ସିଧା 2 ଘଣ୍ଟାରୁ ଅଢେଇ ଘଣ୍ଟା ସିଝାଇ ପାରନ୍ତି । ଶେଷୋକ୍ତି ପ୍ରଣାଳିରେ ସିଝାଇଲେ ସମୟ ବେଶୀ ଲାଗିଥାଏ ।
  • ଗହମ ଏପରି ସିଝାଇବ ଯେ, ଗହମଟି ଫାଟିଯାଇ ନଥିବ କିମ୍ବା ଭାତ ହୋଇଯାଇନଥିବ, ଅଥବା ଦରସିଝା ହୋଇନଥିବ ।
  • ସିଝାହେବା ପରେ ଛାଇରେ ଗହମକୁ ପତଳା ଆକାକରେ ବିଛାଇ ପବନ ଦ୍ୱାରା ଗହମର ଉପରିଭାଗକୁ ଇଷତ୍ ଶୁଖାଇ ଦିଅନ୍ତୁ ।
  • ଏହାପରେ ଏଥିରେ କିଲୋଗ୍ରାମ୍ ପିଛା 30 ଗ୍ରାମ୍ ଚୂନ ମିଶାନ୍ତୁ । ଏହା ଦ୍ୱାରା ଗହମଟି କ୍ଷରି ହୋଇଯିବ ତଥା ଗହମରେ ଥିବା ଜଳୀୟ ଅଂଶକୁ ଚୂନ ଶୋଷି ନେବ । ଗହମ କାଦୁଅ ନହୋଇ ଝୁରୁଝୁରିଆ ହୋଇଯିବ । ଫଳତଃ ଗହମରେ ମାଇସେଲିଅମ୍ ଭଲଭାବରେ ବଢିବ ।
  • ଏକ କିଲୋଗ୍ରାମ ଗହମ ସିଝା ହେବା ପରେ 7 ଟି ବୋତଲରେ ଭରାଯାଇଥାଏ ।
  • ଡ଼ାକ୍ତରଖାନାର ସାଲାଇନ୍ କାଚ ବୋତଲ ଗୁଡ଼ିକୁ ଛତୁମଞ୍ଜି ତିଆରି ପାଇଁ ବ୍ୟବହାର କରାଯାଇଥାଏ । ନଚେତ୍ ପଲିପ୍ରୋପୋଲିନ୍ ଥଳିରେ ମଧ୍ୟ ମଞ୍ଜି କରାଯାଇଥାଏ ।
  • ବୋତଲର ଦାମ୍ ବେଶି ଓ ମଳିବାରେ ଅସୁବିଧା ହେଉଥିବାରୁ ବିକଳ୍ପ ଭାବରେ ପଲିପ୍ରପାଲିନ୍ ଥଳି ବା ପାଉଚ୍ (Pouch) ବ୍ୟବହାର କରାଯାଉଛି । ମାତ୍ର ଏଥିରେ ଅନ୍ୟ ଫିମ୍ପି ବ୍ୟାପିବାର ଆଶଙ୍କା ବିଶେଷ କରି ବର୍ଷା ଦିନରେ ବେଶୀ । ଏଣୁ ସମାୟାନୁସାରେ ଉଭୟର ବ୍ୟବହାର କରାଯାଇପାରେ । ପାଳଛତୁ ମଞ୍ଜି ଗ୍ରୀଷ୍ମ ଓ ବର୍ଷା ଋତୁରେ କରାଯାଉଥିବା ଯୋଗୁଁ ଏହି ସମୟରେ ବିଶେଷ କରି ବର୍ଷାଦିନରେ ଛତୁ ମଞ୍ଜିରେ ଅନ୍ୟ ଫଙ୍ଗସ୍ ବା ଫିମ୍ପିର ମାଇସେଲିଅମ୍ ବା ରେଣୁ ସଂକ୍ରମଣ ଏଡ଼ାଇବା ନିମନ୍ତେ ଛତୁ ମଞ୍ଜି ପ୍ରସ୍ତୁତି ପାଇଁ ବୋତଲ ବ୍ୟବହାର କରାଯାଇପାରେ ।
  • ଶୀତ ଦିନରେ ଅନ୍ୟ ଫିମ୍ପି ବା ଫଙ୍ଗସ୍ ହେବାର ସମ୍ଭାବନା କମ୍ ଥିବା ହେତୁ ଧିଙ୍ଗିରି ଛତୁମଞ୍ଜି ପଲିପ୍ରୋପାଲିନ୍ ଥଳିରେ କରାଯାଇପାରେ ।
  • ଚୂନ ମିଶିଥିବା ସିଝା ଗହମକୁ ବୋତଲ ବା ପଲିପ୍ରାଲିନ୍ ଥଳିରେ ଭରି ନନଆବଜରବାଣ୍ଟ୍ ଅର୍ଥାତ୍ ପାଣି ଶୋଷି ପାରୁନଥିବା ତୁଳାରେ ଠିପି ଲଗାନ୍ତୁ ।
  • ତାପରେ ଗହମ ଭରା ବୋତଲ ବା ପଲିପ୍ରୋପାଲିନ୍ ଥଳିକୁ ଅଟୋକ୍ଲେଭ୍ ଭିତରେ ରଖନ୍ତୁ ।
  • ଅଟୋକ୍ଲେଭର ଉପର ଘୋଡ଼ାଣି ବନ୍ଦକରି ନଟବୋଲଟକୁ ଟାଇଟ୍ କରି ଦିଅନ୍ତୁ । ବିଦ୍ୟୁତ ସରବରାହ ସଂଯୋଗ କରନ୍ତୁ । ପ୍ରେସରଗଜ ଘଡ଼ିରେ କଣ୍ଟା 22 ପାଖରେ ରହିବାର  2 ଘଣ୍ଟା ପରେ ବିଦ୍ୟୁତ୍ ସରବରାହ ବନ୍ଦ କରନ୍ତୁ । ଏହାର ଘଣ୍ଟାକ ପରେ ବୋତଲ ବା ଥଳି ଗୁଡ଼ିକୁ ଇନୋକୁଲେସନ୍ ପ୍ରକୋଷ୍ଠ ଭିତରକୁ ନିଅନ୍ତୁ । ଏହାର 12 ଘଣ୍ଟା ପୂର୍ବରୁ ଫର୍ମାଲିନ୍ 10–15 ମି.ଲି. ପକାଇ ପ୍ରକୋଷ୍ଠକୁ ବିଶୋଧିତ କରନ୍ତୁ ।
  • ଇନୋକୁଲେସନ୍ କରିବାର ଅଧଘଣ୍ଟା ପୂର୍ବରୁ ୟୁ.ଭି.ଲାଇଟ୍ ଅଧଘଣ୍ଟା ପର୍ଯ୍ୟନ୍ତ ଜଳାଇ ଇନୋକୁଲେସନ୍ ପ୍ରକୋଷ୍ଠକୁ ଦ୍ୱିତୀୟବାର ବିଶୋଧିତ କରନ୍ତୁ ।
  • ଇନୋକୁଲେସନ୍ ପୂର୍ବରୁ ପ୍ରକୋଷ୍ଠରେ ଥିବା ଟେବୁଲ, ଇନୋକୁଲେସନ୍ ତାର ଓ ହାତକୁ ସ୍ପିରିଟ୍ ମିଶା ଚୁଳା ସାହାଯ୍ୟରେ ପୋଛି ବିଶୋଧିତ କରନ୍ତୁ ।
  • ତାପରେ କଲଚର ଟିଉବରେ ଥିବା ମିଡ଼ିଆ ଉପରେ ବଢିଥିବା ମାଇସେଲିଅମକୁ ଇନୋକୁଲେସନ୍ ତାର ସାହାଯ୍ୟ 4-5 ରେ ଖଣ୍ଡ କରି ଦିଅନ୍ତୁ । ପ୍ରତି ଖଣ୍ଡକୁ ଗହମଭରା ବୋତଲରେ ଛାଡ଼ନ୍ତୁ ।
  • ତୁଳା ଠିପି ସାହାଯ୍ୟରେ ବୋତଲ ବା ଥଳିର ମୁହଁ ବନ୍ଦ କରିଦିଅନ୍ତୁ ।
  • ନିଆଯାଇଥିବା ସମସ୍ତ ବୋତଲରେ ମିଡ଼ିଆ ମିଶା ମାଇସେଲିଅମ୍ ବା କଲଚର ଖଣ୍ଡକୁ ଛାଡ଼ିବ ପରେ ବୋତଲର ଠିପି ଉପରେ ବଟର ପେପର ଖଣ୍ଡକୁ ରବର ମୁଦ୍ରିକା ବା ରବର ବ୍ୟାଣ୍ଡ ସାହାଯ୍ୟରେ ବାନ୍ଧି ଦିଅନ୍ତୁ ।
  • ବୋତଲ ଦେହରେ ପ୍ରଜାତି (Genus) ଓ ଜାତିର (Species) ଛତୁ ମାଇସେଲିଅମର ନାମ ଓ ଇନୋକୁଲେସନ୍ କରାଯାଇଥିବା ତାରିଖ ଗ୍ଲାସ୍ ମାର୍କଙ୍ଗ ପେନସିଲ୍ ଦ୍ୱାରା ଲେଖନ୍ତୁ ।
  • ଏହାପରେ ବର୍ଦ୍ଧନ ପ୍ରକୋଷ୍ଟ ବା ଇନକ୍ୟୁବେସନ୍ ଚାମ୍ବରରେ ଥିବା ଥାକରେ ମଞ୍ଜି ବୋତଲ ବା ଥଳି ରଖନ୍ତୁ ।
  • ପ୍ରତିଦିନ ବୋତଲ ବା ଥଳି ଭିତରେ ଥିବା ଛତୁ ମାଇସେଲିଅମ୍ ବଢିବାରେ ଲାଗିବ ।
  • ପ୍ରତିଦିନ ବୋତଲରେ ବଢୁଥିବା ମାଇସେଲିଅମକୁ ଦେଖନ୍ତୁ ଏବଂ ଏଥି ସହିତ ଅନ୍ୟ ଫିମ୍ପି ସଂକ୍ରମଣ କରିଛି କି ନାହିଁ ଦେଖନ୍ତୁ । ଯଦି ସବୁଜ, କଳା, ଲାଲ୍ ହଳଦିଆ ମିଶା ସବୁଜ, ବିସ୍କୁଟ୍ ରଙ୍ଗର ଫିମ୍ପି ମାଡ଼ିବାର ଦେଖିବେ, ଅଥବି ଛତୁ ମାଇସେଲିଅମ ଠାରୁ ଭିନ୍ନ ଧଳା ରଙ୍ଗର ଫିମ୍ପି ଦେଖିବେ, ତାହାହେଲେ ସେହି ମଞ୍ଜି ବୋତଲକୁ ଏହି ବର୍ଦ୍ଧନ ପ୍ରକୋଷ୍ଠରୁ କାଢି ବୋତଲକୁ ଧୋଇଦେବେ । ପ୍ରତିଦିନ ତଦାରଖ ନକଲେ ଅନ୍ୟ ଫିମ୍ପି, ଛତୁ ଫିମ୍ପି ଦ୍ୱାରା ଆବୃତ ହୋଇଯାଇ ଖାଲି ଆଖିରେ ଅନ୍ୟ ଫିମ୍ପି ସଂକ୍ରମିତ ହୋଇଥିବାର ଜଣାପଡ଼ିବ ନାହିଁ । ଛତୁ ଚାଷୀ ଭ୍ରମରେ ସଂକ୍ରମିତ ଛତୁ ମଞ୍ଜି ନେଇ ଅସୁବିଧାରେ ପଡ଼ିବେ । ଏଣୁ ସବୁଦିନ ତଦାରଖ କରି ନିରୋଳା ମଞ୍ଜି ଛତୁ ଚାଷୀମାନଙ୍କୁ ଯୋଗାଇବେ ।
  • ପାଳଛତୁ ମାଇସେଲିଅମ 7-8 ଦିନ ଭିତରେ ଓ ଧିଙ୍ଗିରି 10-15 ଦିନ ଭିତରେ ସମଗ୍ର ବୋତଲରେ ବିସ୍ତାରିତ ହୋଇଯାଇଥାଏ । କିନ୍ତୁ 3 ସପ୍ତାହରୁ 4 ସପ୍ତାହ କାଳ ବୋତଲରେ ବଢିଥିବା ଛତୁ ମଞ୍ଜି ଚାଷ ପାଇଁ ଉତ୍କୃଷ୍ଟ । ଛତୁ ମଞ୍ଜି ବୋତଲ ତିଆରି କରିବାକୁ ବୋତଲ ଦାମ୍, ଗହମ, କଲଚର୍, ତୁଳାର ଦାମ ତଥା ବିଦ୍ୟୁଶକ୍ତି ଓ ମଜୁରୀ ଆଦି ମିଶାଇ ଖର୍ଚ୍ଚ ପ୍ରାୟ 12 ଟଙ୍କା ପର୍ଯ୍ୟନ୍ତ ହେବ । ଛତୁ ଚାଷୀମାନଙ୍କୁ ମଞ୍ଜି ବୋତଲ 18 ଟଙ୍କା ଦାମରେ ବିକ୍ରୟ କରିବା ଉଚିତ୍ ।

ଏ ସମ୍ପର୍କରେ ବିଶଦ ଭାବେ ଜାଣିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧିନସ୍ଥ ଗ୍ରୀଷ୍ମମଣ୍ଡଳୀୟ ଛତୁ ଗବେଷଣା ଓ ତାଲିମ କେନ୍ଦ୍ରରେ 10 ଦିନ ପ୍ରାକ୍ଟିକାଲ ତାଲିମ୍ ନେଇ ପାରିବେ । ଛତୁ ମଞ୍ଜି ଉତ୍ପାଦନ ପୂର୍ବରୁ ପ୍ରାକ୍ଟିକାଲ ତାଲିମ୍ ନେବା ଜରୁରୀ ।


ଛତୁଚାଷ ସମନ୍ଧରେ ଅଧିକ ତଥ୍ୟ ଜାଣନ୍ତୁ


ସୂଚନା ସଂଗୃହୀତ- ଦୂର ଶିକ୍ଷା କାର୍ଯ୍ୟକ୍ରମ, ଓୟୁଏଟି, ଭୁବନେଶ୍ୱର ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା