> ମାଣ୍ଡିଆଚାଷ (Millet Cultivation) - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ମାଣ୍ଡିଆଚାଷ (Millet Cultivation)

ମାଣ୍ଡିଆଚାଷ (Ragi Cultivation/Finger Millet )

ମାଣ୍ଡିଆଚାଷ ଭାରତରେ ଚାଷ କରାଯାଉଥିବା ଏକ ପ୍ରମୁଖ କ୍ଷୁଦ୍ର ଶସ୍ୟ ମଧ୍ୟରୁ ଅନ୍ୟତମ । ଏହା ସାଧାରଣତଃ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମୁଖ୍ୟ ଖାଦ୍ୟ । ମାଣ୍ଡିଆ ଶସ୍ୟରେ ପ୍ରଚୁର ପରିମାଣରେ ଖଣିଜ ଲବଣ ରହିଥାଏ । ଏଥିରେ କ୍ୟଲସିୟମ୍, ଲୌହ, ପୁଷ୍ଟିସାର, ତନ୍ତୁର ମାତ୍ରା ଆଧିକ ଥିବା ସହିତ ଗ୍ଲୁଟେନ ଆଦୌ ନଥାଏ । ଚର୍ବୀଜାତୀୟ ପଦାର୍ଥର ମାତ୍ରା ମଧ୍ୟ କମ୍ ଥାଏ । ଅଧିକ ତନ୍ତୁ ଜାତୀୟ ପଦାର୍ଥ ଥିବାରୁ ଏହା କୋଷ୍ଠକାଠିନ୍ୟ କରେ ନାହିଁ । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ମଧୁମେହ ଉଚ୍ଚ ରକ୍ତଚାପ, ଆଜମା, ଯକୃତ ଓ ହୃଦୟ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ବହୁ ଉପଯୋଗୀ ।

 

 

ମାଣ୍ଡିଆଚାଷ ପାଇଁ କେମିତି ଜଳବାୟୁ ଆବଶ୍ୟକ?

ମାଣ୍ଡିଆ ଉଷ୍ମ ଜଳବାୟୁରେ ଭଲ ହୋଇଥାଏ । ମଞ୍ଜି ଗଜା ହେବାପାଇଁ 8-10 ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ଆବଶ୍ୟକ । ବାୟୁମଣ୍ଡଳର ହାରାହାରି ତାପମାତ୍ରା 26-29 ଡିଗ୍ରୀ ସେଣ୍ଟିଗ୍ରେଡ୍ ରହିଲେ ଗଛର ବୃଦ୍ଧି ଅଧିକ ହେବା ସହିତ ଭଲ ଅମଳ ମିଳିଥାଏ  ।

ମାଣ୍ଡିଆଚାଷ ପାଇଁ କେମିତି ମୃତ୍ତିକା ଆବଶ୍ୟକ?

ମାଣ୍ଡିଆ ବିଭିନ୍ନ ଉର୍ବରତା ଥିବା ମୃତ୍ତିକାରେ ଚାଷ କରାଯାଇପାରିବ ଏବଂ ଏହା କିଛି ପରିମାଣେ କ୍ଷାରତ୍ୱକୁ ମଧ୍ୟ ସହିପାରେ । ବାଲିଆ ଦୋରସା ମାଟି ଏହି ଫସଲ ପାଇଁ ସର୍ବୋତ୍କୃଷ୍ଟ । ଜଳ ନିଷ୍କାସିତ ହୋଇପାରୁଥିବା ଜମିରେ ଏହା ଭଲ ବଢ଼ିଥାଏ ।

ମାଣ୍ଡିଆ କେବେ ଚାଷ କରିବା ?

ମାଣ୍ଡିଆ ସାଧାରଣତଃ ଖରିଫ୍ ଋତୁରେ (ଜୁନ-ସେପ୍ଟେମ୍ବର) ବର୍ଷାଜଳକୁ ବ୍ୟବହାରକରି ଚାଷ କରାଯାଇଥାଏ । ଜଳସେଚନ ସୁବିଧାଥିବା ଅଞ୍ଚଳରେ ଗ୍ରୀଷ୍ମଋତୁରେ ମଧ୍ୟ ଏହା ଚାଷ କରାଯାଇ ପାରିବ ।

ଜମି ପ୍ରସ୍ତୁତି କେମିତି କରିବା ?

ଏପ୍ରିଲ କିମ୍ବା ମଇ ମାସରେ ମୋଡ ପତ୍ର ଲଙ୍ଗଳରେ ଗଭୀର ହଳ କରିବା ଦରକାର । ବିହନ ବୁଣିବା ପୂର୍ବରୁ ମାଟିକୁ କଲଟିଭେଟର ସାହାଯ୍ୟରେ ଗୁଣ୍ଡକରି ଜମି ପ୍ରସ୍ତୁତ କରାଯାଏ ।

କେତେ ବିହନ ଆବଶ୍ୟକ?

ମଞ୍ଜି ବୁଣା ଯନ୍ତ୍ର ବ୍ୟବହାର କଲେ ହେକ୍ଟରପ୍ରତି 10 କି.ଗ୍ରା. ମଞ୍ଜି ଆବଶ୍ୟକ ହୋଇଥାଏ । ରୋକିବା ପାଇଁ ତଳି ପକାଇବାକୁ ହେଲେ ହେକ୍ଟର ପ୍ରତି 5 କି.ଗ୍ରା. ବିହନ ବ୍ୟବହାର କରାଯାଏ ।

ମାଣ୍ଡିଆର କିସମ ଗୁଡିକ କଣ ?

  • ଅର୍ଜୁନ- OEB-526, ଅବଧି-126 ଦିନ, ଅମଳ-20-21 କ୍ୱିଣ୍ଟାଲ ହେକ୍ଟର ପ୍ରତି ।
  • କାଳୁଆ-OEB-523, ଅବଧି-110-115 ଦିନ, ଅମଳ-17-18 କ୍ୱିଣ୍ଟାଲ ହେକ୍ଟର ପ୍ରତି ।
  • ସୁଭଦ୍ରା- OUAT 2, ଅବଧି-105-110 ଦିନ, ଅମଳ-22-27.5 କ୍ୱିଣ୍ଟାଲ ହେକ୍ଟର ପ୍ରତି ।
  • ଭୈରବୀ – ଅବଧି-105-110 ଦିନ, ଅମଳ-22-22.5 କ୍ୱିଣ୍ଟାଲ ହେକ୍ଟର ପ୍ରତି ।
  • ଚିଲିକା – OEB-10, 115-120 ଦିନ, ଅମଳ-25-27 କ୍ୱିଣ୍ଟାଲ ହେକ୍ଟର ପ୍ରତି ।

ମାଣ୍ଡିଆ ବିହନ କେମିତି ବୁଣିବେ?

ଶେଷ ଓଡ଼ ହଳ ସମୟରେ ହେକ୍ଟର ପ୍ରତି 5 ଟନ୍ ସଢାଗୋବର ଖତ କିମ୍ବା କମ୍ପୋଷ୍ଟ ଓ ଆବଶ୍ୟକ ପରିମାଣର ରାସାୟନିକ ସାର ମିଶାଇ ମଞ୍ଜି ବୁଣାଯାଇଥାଏ । ମଞ୍ଜି ବୁଣା ଯନ୍ତ୍ର ସାହାଯ୍ୟରେ ଧାଡିକୁ ଧାଡି 22.5 ସେ.ମି. ବ୍ୟବଧାନରେ ମଞ୍ଜି ବୁଣାଯାଏ ।

ତଳିଘେରା କେମିତି ପ୍ରସ୍ତୁତ କରିବେ ?

ଏକ ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ 500 ବର୍ଗମିଟର ଆୟତନର ତଳିଘେରା ଆବଶ୍ୟକ । 4 ଫୁଟ୍ ଓସାର, 25 ଫୁଟ୍ ଲମ୍ବ ଓ 4 ଇଞ୍ଚ ଉଚ୍ଚତା ବିଶିଷ୍ଟ ପଟାଳି ପ୍ରାୟ 35 ରୁ 38 ଟି ତିଆରି କରାଯାଏ । ପ୍ରତି ପଟାଳିରେ 2-3 ଝୁଡି ସଢାଗୋବର ଖତ, 1 କି.ଗ୍ରା. ସିଙ୍ଗଲ ସୁପର ଫସଫେଟ୍, 500 ଗ୍ରାମ ପଟାସ ଓ 750 ଗ୍ରାମ ଜିଙ୍କ ସଲଫେଟ୍ ପ୍ରୟୋଗ କରାଯାଏ । ପଟାଳିରେ ପ୍ରତି 3 ଇଞ୍ଚ ବ୍ୟବଧାନରେ ମଞ୍ଜି ବୁଣାଯାଏ । ମଞ୍ଜି ବୁଣାସରିଲା ପରେ ଅଳ୍ପ ଖତ ଦେଇ ମଞ୍ଜିକୁ ଘୋଡାଇ ଦିଅନ୍ତୁ । ମଝିରେ ମଝିରେ ପାଣି ଛିଞ୍ଚନ୍ତୁ । ବୁଣିବାର ପ୍ରାୟ 25 ରୁ 30 ଦିନ ମଧ୍ୟରେ ତଳି ପ୍ରସ୍ତୁତ ହୋଇଯାଇଥାଏ ।

ତଳି ରୁଆ କେମିତି କରିବେ ?

ସଅଳ କିସମ ଚାଷ ପାଇଁ ଧାଡିକୁ ଧାଡି 20 ସେ.ମି. ଓ ବୁଦାକୁ ବୁଦା 10 ସେ.ମି. ବ୍ୟବଧାନରେ ତଳି ରୁଆ ଯାଇଥାଏ । ମଧ୍ୟମ କିସମ ଚାଷ ପାଇଁ ଧାଡିକୁ ଧାଡି ବ୍ୟବଧାନ 22.5 ସେ.ମି. ଓ ବୁଦାକୁ ବୁଦା ବ୍ୟବଧାନ 10 ସେ.ମି. ହୋଇଥାଏ । ଅଧିକ ପିଲ ଓ ଶୀଘ୍ର ବୃଦ୍ଧି ପାଇଁ ତଳି ଗୁଡିକୁ 5 ସେ.ମି. ଗଭୀରରେ ପୋତନ୍ତୁ ।

ସାର ପ୍ରୟୋଗ କେମିତି କରିବେ ?

ମୃତ୍ତିକା ପରୀକ୍ଷାର ଫଳାଫଳ ଅନୁସାରେ ରାସାୟନିକ ସାର ପ୍ରୟୋଗ କରନ୍ତୁ । ସ୍ୱଳ୍ପ ଅବଧିର ଫସଲ ପାଇଁ ହେକ୍ଟର ପ୍ରତି ଅନୁମୋଦିତ ପରିମାଣର ଖାଦ୍ୟସାର ହେଲା – 40 କି.ଗ୍ରା., ଯବକ୍ଷାରଜାନ, 30 କି.ଗ୍ରା, ଫସଫରସ୍ ଓ 25  କି.ଗ୍ରା. ପଟାସ୍ । ମଧ୍ୟମ ଅବଧି କିସମ ପାଇଁ ହେକ୍ଟର ପ୍ରତି 60 କି.ଗ୍ରା. ଯବକ୍ଷାରଜାନ, 30 କି.ଗ୍ରା. ଫସଫରସ ଓ 30 କି.ଗ୍ରା. ପଟାସ୍ ସାର ପ୍ରୟୋଗ କରନ୍ତୁ ।

ସମୁଦାୟ ଯବକ୍ଷାରଜାନ ମାତ୍ରାର 50 ଶତକଡା ବୁଣିବା  ବା ରୋଇବା ବେଳେ ଓ ଅବଶିଷ୍ଟ 50 ଶତକଡା ବୁଣିବା ବା ରୋଇବାର 21ଦିନ ପରେ ପ୍ରୟୋଗ କରନ୍ତୁ । ସମୁଦାୟ ଫସଫରସ୍ ଓ ପଟାସ୍ ସାରକୁ ମୂଳସାର ହିସାବରେ ପ୍ରୟୋଗ କରନ୍ତୁ ।

ଘାସ ପରିଚାଳନା କେମିତି କରିବେ

ମାଣ୍ଡିଆ ଫସଲରେ 2-3 ଥର କୁଡାଖୋସା ଓ ହାତରେ ବାଛି ଘାସ ନିୟନ୍ତ୍ରଣ କରାଯାଇପାରିବା । ତାଛଡା, ମଞ୍ଜି ବୁଣାର 2 ଦିନ ଭିତରେ ମାଟିରେ ବତର ଥିବା ସମୟରେ ଅକ୍ସିଫ୍ଲୁରୋଫେନ୍ @0.1 ଲି.a.i/ହେକ୍ଟର କିମ୍ବା ରୁଆ/ବୁଣାର 20-25 ଦିନପରେ 2,4 D Sodium salt@ 0.75 a.i/ହେକ୍ଟର ସ୍ପ୍ରେ କଲେ ଘାସ ନିୟନ୍ତ୍ରଣ କରାଯାଇପାରିବ ।

ଜଳ ପରିଚାଳନା କେମିତି କରିବେ ?

ଖରିଫ ମାଣ୍ଡିଆ ଫସଲରେ ସାଧାରଣତଃ ଜଳସେଚନରେ ଆବଶ୍ୟକତା ପଡିନଥାଏ । ମାତ୍ର ରବି ଓ ଗ୍ରୀଷ୍ମ ଋତୁରେ ଚାଷ କରାଯାଉଥିବା ଫସଲରେ ମାଟିର ବତରକୁ ଲକ୍ଷକରି ପ୍ରତି 20-25 ଦିନ ଅନ୍ତରରେ ଜଳସେଚନ କରାଯାଏ । କୌଣସି ପରିସ୍ଥିତିରେ ଅତ୍ୟଧିକ ଜଳସେଚନ କରନ୍ତୁ ନାହିଁ ।

ରୋଗ ପୋକ ପରିଚାଳନା କେମିତି କରିବେ ?

  • କାଣ୍ଡବିନ୍ଧା ପୋକ- ରୋଇବାର ପୂର୍ବରୁ ହେକ୍ଟର ପ୍ରତି ଫୋରେଟ୍ 5 କି.ଗ୍ରା. କିମ୍ବା କାର୍ବୋଫୁରାନ 3 G 1.2 କି.ଗ୍ରା. ପ୍ରୟୋଗ କରନ୍ତୁ । ରୋଇବାର 20 ଦିନପରେ ଫିପ୍ରୋନିଲ୍ 5 % SC 2 ମି.ଲି. ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
  • ଜଉପୋକ- ଏହି ପୋକର ନିୟନ୍ତ୍ରଣ ପାଇଁ ଥାଇଆମେଥୋକଜାମ 25% WG 5 ଗ୍ରାମ୍ ପ୍ରତି 15 ଲିଟର ପାଣିରେ କିମ୍ବା ଇମିଡାକ୍ଲୋପ୍ରିଡ଼୍ 8% SL 5 ମି.ଲି. ପ୍ରତି 15 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
  • ମହିଷା ରୋଗ – ମହିଷା ରୋଗର ନିୟୋନ୍ତ୍ରଣ ପାଇଁ 2 ଗ୍ରାମ Zineb 75% କୁ 1 ଲିଟର ପାଣି କିମ୍ବା 3 ଗ୍ରାମ ପିକୋ କ୍ସି ଷ୍ଟ୍ରୋବିନ୍ 52 SC କୁ 10 ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।

ଅମଳ କେତେ ପାଇବେ ?

ହେକ୍ଟର ପିଛା ହାରାହାରି 20 କ୍ୱିଣ୍ଟାଲ ମଞ୍ଜି ଅମଳ ହୋଇଥାଏ । ତାଛଡା 60 ରୁ 70 କ୍ୱିଣ୍ଟାଲ ନଡା ଉତ୍ପାଦିତ ହୋଇଥାଏ ।

SMI (ସ୍ମୀ) ପ୍ରଣୀଳୀରେ ମାଣ୍ଡିଆ ଚାଷ

  • ଏହି ପ୍ରଣାଳୀରେ ବିହନ ଅଳ୍ପ ପରିମାଣରେ ଆବଶ୍ୟକ ପଡ଼ିଥାଏ ।

ଏକର ପ୍ରତି 1.5 କିଲୋଗ୍ରାମ ବିହନକୁ ଜୀବାମୃତ ସହିତ ଉପଚାର କରି 40 ବର୍ଗମିଟର ତଳି ଘରାରେ ପକାନ୍ତୁ ଏବଂ 10-12 ଦିନର ତଳି ଅର୍ଥାତ୍ 2-4 ପତ୍ର ବିଶିଷ୍ଟ ତଳିକୁ ମୁଖ୍ୟ କିଆରିରେ 12 ଇଞ୍ଚ ବ୍ୟବଧାନରେ ଗୋଟିଏ ବୁଦାରେ ଗୋଟିଏ ତଳିକୁ ସିଧା ଭାବରେ ଲଗାନ୍ତୁ ।

ମିଲେଟ ସମ୍ପର୍କରେ ଅଧିକ ଜାଣନ୍ତୁ ।

ଜାଣନ୍ତୁ କିଛି କୃଷି ସୂଚନା

Source: KVK, Sundarrgarh-I and RRTTSS, Sundargarh, Kirei

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା