> 'କାଳିଆ' ଯୋଜନା 'KALIA' Scheme - Krishi Vigyan Kendra, Sundargarh-I
Chasbas
KVK, Sundargarh-I

‘କାଳିଆ’ ଯୋଜନା ‘KALIA’ Scheme

‘କାଳିଆ’ (KALIA Scheme – Krushak Assistance For Livelihood And Income Augmentation) ସହାୟତା” ।

କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା

ରାଜ୍ୟରେ କୃଷି ସମୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଦାରିଦ୍ର୍ୟ ହ୍ରାସ ଦିଗରେ ସହାୟ ହେବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରାଯାଇଛି ।

କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। “କାଳିଆ ” (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା ) ଯୋଜନା ମାଧ୍ୟମରେ ଚାଷୀ ମାନଙ୍କ ହିତ ସାଧନ ପାଇଁ ରାଜ୍ୟ ସରକାର ଏକ ସାମୁହିକ ଏବଂ ପରିବର୍ତ୍ତନଶୀଳ ସହାୟକ ବ୍ୟବସ୍ଥା ପ୍ରତିଷ୍ଠା କରି କୃଷି ଭିତ୍ତିକ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ରଖିଛନ୍ତି। “କାଳିଆ ” ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା ପ୍ରଦାନ କରି ସେମାନଙ୍କ ସଶକ୍ତିକାରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା। ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲବ୍ଧିର ଉନ୍ନତିକରଣ ଦ୍ଵାରା କୃଷିର ଉତ୍ପାଦକତା ଓ କୃଷକଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧିରେ ସହାୟକ ହେବ।

ବାସ୍ତବ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ଦୁରଦୃଷ୍ଟି ସମ୍ପନ୍ନ ଯୋଜନା ମାଧ୍ୟମରେ ୧୦,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ରାଶି ବିନିଯୋଗ କରାଯାଇ ରାଜ୍ୟର ଅସମର୍ଥ କୃଷି ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଋଣ ଯନ୍ତା ଏବଂ ଦାରିଦ୍ର୍ୟରୁ ମୁକ୍ତ କରିବା ଏହି ଯୋଜନାର ଲକ୍ଷ୍ୟ। ‘କାଳିଆ ’ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ୯୨ ପ୍ରତିଶତ ଚାଷୀ ଏବଂ ପ୍ରାୟ ସମସ୍ତ ଅଭାବଗ୍ରସ୍ତ ଭୂମିହୀନ ଚାଷୀ ମାନଙ୍କୁ ପରିସର ଭୁକ୍ତ କରିବା ପାଇଁ ବ୍ୟବସ୍ତା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଏହି ସମସ୍ତ ହିତାଧିକାରୀ ବ୍ୟଙ୍କ ଜମାଖାତାକୁ ସିଧାସଳଖ ସହାୟତା ରାଶି ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି।


ଅପଡ଼େଟ୍ 23.02.2024

  • କାଳିଆ ଯୋଜନା ସମ୍ପର୍କରେ ରାଜ୍ୟ କ୍ୟାବିନେଟ୍ ର ନିଷ୍ପତ୍ତି ।
  • ଏଣିକି ବର୍ଷର ଯେକୌଣସି ସମୟରେ କାଳିଆ ସହାୟତା ଦିଆଯାଇପାରିବ ।
  • ଏହା ସହ ଯୋଜନାରେ ସାମିଲ ଭୂମିହୀନ ଚାଷୀ ପରିବାରକୁ ଉଦ୍ୟାନ ଓ ଆନୁସାଙ୍ଗିକ କୃଷି କାର୍ଯ୍ୟ ପାଇଁ ତିନିଟି କିସ୍ତିରେ 12 ହଜାର 5ଶହ ଟଙ୍କା ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
  • ଏହି ହିତାଧିକାରୀଙ୍କୁ 2 ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ ।
  • ଆସନ୍ତା 3 ବର୍ଷ ଲାଗି ଏହି ଯୋଜନାରେ 6 ହଜାର 29 କୋଟି 70 ଲକ୍ଷ ଖର୍ଚ୍ଚ କରିବେ ସରକାର ।
  • ଚଳିତ ବର୍ଷ ଖୁବ୍ ଶିଘ୍ର ପ୍ରଥମ କିସ୍ତି ଦେବାକୁ ଯାଉଛନ୍ତି ସରକାର ।
  • ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟ କୃଷି ବିକାଶରେ ସହାୟକ ହେବା ସହ କୃଷକ ମାନଙ୍କ ଆର୍ଥି ସମସ୍ୟା ଦୂର କରିବ ବୋଲି କହିଛନ୍ତି ସରକାର ।

ଅପଡ଼େଟ୍ 11.03.2024

  • କାଳିଆ ଅବଧି ଆଉ ତିନିବର୍ଷ ବୃଦ୍ଧି, ଖର୍ଚ୍ଚହେବ 6030 କୋଟି ।
  • 46 ଲକ୍ଷ ଚାଷୀଙ୍କୁ 933 କୋଟି ସହାୟତା ।
  • 18 ଲକ୍ଷ ଭୂମିହୀନ ପରିବାରକୁ ଖରିଫ୍ ପାଇଁ ଅତିରିକ୍ତ 2000 ଟଙ୍କା ଲେଖାଏଁ ମୋଟ 360 କୋଟି ସହାୟତା ।
  • ଚାଷୀଙ୍କୁ କୃଷିରେ ବୈଷୟିକ ସହାୟତା ଲାଗି 30 ଜିଲ୍ଲାରେ କାଳିଆ କେନ୍ଦ୍ର ।
  • ବାହାର ରାଜ୍ୟରେ ପଢୁଥିବା ରାଜ୍ୟର ଚାଷୀ ଘର ପିଲାଙ୍କୁ କାଳିଆ ଛାତ୍ର ବୃତ୍ତି ।

  1. କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା

ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷକାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ସହିତ ମଜୁରି ଓ ଆନୁଷଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ୫ ଗୋଟି ଫସଲ ଋତୁରେ ମୋଟ୍ ୨୫୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହି ଯୋଜନା ଚଳିତ ୨୦୧୮ -୧୯ ରବି ଋତୁରୁ କାର୍ଯ୍ୟକାରୀ କରାଯାଉଛି।

  1. ଜୀବିକା ପାଇଁ ସହାୟତା

ଗ୍ରାମାଞ୍ଚଳର ଭୂମିହୀନ ଚାଷୀ ପରିବାର ପାଇଁ କୃଷିଭିତ୍ତିକ ଆନୁଷଙ୍ଗିକ କାର୍ଯ୍ୟ ଯଥା କ୍ଷୁଦ୍ର ଛେଳିପାଳନ ୟୁନିଟ୍, କ୍ଷୁଦ୍ର କୁକୁଡା ପାଳନ ୟୁନିଟ, ବତକ ପାଳନ ୟୁନିଟ୍, ମତ୍ସ୍ୟଜୀବୀମାନଙ୍କୁ ମାଛଧରା ଉପକରଣ , ଛତୁଚାଷ ଓ ମହୁଚାଷ ଇତ୍ୟାଦି ନିମନ୍ତେ ୧୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବର ବ୍ୟବସ୍ଥା ଅଛି। ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତି ମାନଙ୍କ ପାଇଁ ଏହି ଯୋଜନା ବିଶେଷ ଭାବେ ସହାୟ ହେବ।

  1. ଅସମର୍ଥ କୃଷି ପରିବାର ଏବଂ ଭୂମିହୀନ ଶ୍ରମିକ ମାନଙ୍କୁ ସହାୟତା

ଯେଉଁ କ୍ଷୁଦ୍ର, ନାମମାତ୍ର ତଥା ଭୂମିହୀନ କୃଷି ପରିବାର ଚାଷୀ ବର୍ଦ୍ଧକ୍ଯ, ଅକ୍ଷମତା କିମ୍ବା ରୋଗଦ୍ବାରା ଆକ୍ରାନ୍ତ ହୋଇ କୃଷି କାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ, ସେମାନଙ୍କ ପରିବାର ଜୀବିକା ନିର୍ବାହ କରିବା ପାଇଁ ଏକକାଳୀନ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରତିବର୍ଷ ୫ ଲକ୍ଷ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ।

  1. କୃଷକ ଏବଂ ଭୂମିହୀନ ଶ୍ରମିକଙ୍କ ପାଇଁ ଜୀବନ ବୀମା ସୁବିଧା

ଚାଷୀ ଓ ଭୂମିହୀନ ଚାଷୀଙ୍କ ମୃତ୍ୟୁ ବା ଅକ୍ଷମତା ପରେ ତାଙ୍କର ପରିବାରର ସଦସ୍ୟମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ଦୁରାବସ୍ଥା ତଥା ଅନିଶ୍ଚିତତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜୀବନବୀମା ସହାୟତାର ବ୍ୟବସ୍ଥା କରାଯାଇଛି। ଏହି ବୀମାର ସୁବିଧା ନିମ୍ନ ପ୍ରକାରେ ପ୍ରଦାନ କରାଯିବ। ୧୮ ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ସଞ୍ଚୟ ଜମାଖାତାଧାରୀଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା କରାଯାଇଛି। ଏଥି ପାଇଁ ଧାର୍ଯ୍ୟ ବାର୍ଷିକ ପ୍ରିମିୟମ୍ ଦେୟରୁ ଚାଷୀଙ୍କ ଅଂଶ ବାବଦକୁ ୧୬୫ ଟଙ୍କା ରାଜ୍ୟ ସରକାର ବହନ କରିବେ। ୧୮ ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ସଞ୍ଚୟ ଜମାଖାତାଧାରୀଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ଜନିତ ବୀମାର ବ୍ୟବସ୍ଥା ଅଛି। ଏଥି ପାଇଁ ଧାର୍ଯ୍ୟ ବାର୍ଷିକ ୧୨ ଟଙ୍କା ପ୍ରିମିୟମ୍ ଦେୟରୁ ଚାଷୀଙ୍କ ଅଂଶ ବାବଦକୁ ୬ ଟଙ୍କା ରାଜ୍ୟ ସରକାର ବହନ କରିବେ। ଉଲ୍ଲେଖ ଯୋଗ୍ୟ ଯେ ୫୧ ରୁ ୭୦ ବର୍ଷ ବୟସ ମଧ୍ୟରେ ଥିବା ସଞ୍ଚୟ ଜମା ଖାତାଧାରୀ ମାନଙ୍କୁ ଉପରସ୍ଥ ପ୍ରଦତ୍ତ ବ୍ୟକ୍ତିଗତ ଦୁର୍ଘଟଣା ବୀମା ସୁବିଧା ନିମନ୍ତେ ସମୁଦାୟ ବାର୍ଷିକ ୧୨ ଟଙ୍କା ପ୍ରିମିୟମ୍ ଦେୟକୁ ରାଜ୍ୟ ସରକାର ବହନ କରିବେ।

  1. ବିନା ସୁଧରେ ଫସଲ ଋଣ ଦେବାର ବ୍ୟବସ୍ଥା

ଖରିଫ ୨୦୧୯ ବର୍ଷ ଠାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ପ୍ରଦାନ କରାଯିବ ପାଇଁ କାଳିଆ ଯୋଜନାରେ ବ୍ୟବସ୍ଥା କରାଯାଇଛି।


ଅପଡ଼େଟ୍ 09.01.2024

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା କାଳିଆ ଛାତ୍ରବୃତ୍ତିର ପରିସୀମା ବ୍ୟାପକ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏଥିରେ ଆବଶ୍ୟକ ସଂଶୋଧନ କରାଯାଇଛି। ରାଜ୍ୟର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଐତିହାସିକ “କାଳିଆ’ ଯୋଜନା ପରି “ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି’ କୃଷକ ପରିବାରଙ୍କ ସଶକ୍ତିକରଣ ଦିଗରେ ଏକ ଅଭିନବ ପ୍ରୟାସ ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି। କାଳିଆ ଛାତ୍ରବୃତ୍ତିକୁ ଅଧିକ ଉପଯୋଗୀ କରିବା ସହ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବାପାଇଁ ଏହାକୁ ପରିବର୍ଦ୍ଧିତ କରାଯାଇଛି।

  • ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ର ବୃତ୍ତି ପ୍ରଦାନ କରିବାକୁ ତା 09.01.2024 ରିଖ (ମଙ୍ଗଳବାର) ଠାରୁ ସ୍ୱତନ୍ତ୍ର ଭାବେ ଆବେଦନ ଗ୍ରହଣ କରାଯିବ। ଏହି ଆବେଦନ ପ୍ରକ୍ରିୟା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
  • ବୃତ୍ତିଗତ କିମ୍ୱା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ଅଲ୍‌ଇଣ୍ଡିଆ ସର୍ଭେ ଅନ୍‌ ହାୟାର ଏଜୁକେସନ୍‌(ଏଆଇଏସ୍‌ଏଚ୍‌ଇ) କୋଡ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି।
  • ଏହାସହ ସମସ୍ତ ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି। ନୂତନ ଭାବେ ବିବିଏ ଓ ବିସିଏ ପାଠ୍ୟକ୍ରମକୁ ସାମିଲ କରାଯାଇଛି।
  • ସ୍ନାତକ ପାଠ୍ୟକ୍ରମରେ ଏମ୍‌ଟେକ୍‌, ଏମ୍‌ଏସ୍‌ (ଏଗ୍ରି), ଏମ୍‌ଏସ୍‌ସି (ଫରେଷ୍ଟ୍ରି), ମେଡିକାଲ ସାଇନ୍ସରେ ପିଜି ପାଠ୍ୟକ୍ରମ, ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଫାର୍ମ ପରି ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମ ଓ ତତୁଲ୍ୟ ଅନ୍ତର୍ଭୁକ୍ତ କରାଯାଇଛି।
  • ଏହାସହ ପି.ଏଚ୍‌.ଡି ପାଠ୍ୟକ୍ରମକୁ ମଧ୍ୟ ଏଥିରେ ସାମିଲ କରାଯାଇଛି।
  • ଏଥିପାଇଁ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୪ ବର୍ଷ ପାଇଁ ବୃତ୍ତି ପ୍ରଦାନ କରାଯିବ।
  • ଏନ୍‌ଆଇଟି, ଆଇଆଇଟି, ଆଇଆଇଏମ୍‌, ଏମସ୍‌, ଆଇସିଏଆର୍‌, ଆଇଏଆର୍‌ଆର୍‌, ଆଇଭିଆର୍‌ଆଇ, ସିଆଇଏଫ୍‌ଇ, ଏନ୍‌ଡିଆର୍‌ଆଇ, ଆଇଜର, ନାଇଜର ପରି ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।
  • ଛାତ୍ରଛାତ୍ରୀମାନେ କମନ୍‌ ସ୍କଲାରସିପ୍‌ ପୋର୍ଟାଲରେ (https://scholarship.odisha.gov.in/)ରେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ବର୍ଷକୁ ଦୁଇଥର ଏହି ପୋର୍ଟାଲ ଖୋଲାରହିବ।

ଏହି ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି କାଳିଆ ହିତାଧିକାରୀ ପିଲାମାନଙ୍କ ଉତ୍ତମ ଶିକ୍ଷା ପାଇବା ସ୍ୱପ୍ନ ସାକାର କରି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ରୂପାନ୍ତରଣ ଆଣିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶା ପ୍ରକାଶ କରଛନ୍ତି

ଏଥିପାଇଁ ଆବେଦନ କରିବାର ଲିଙ୍କ (https://scholarship.odisha.gov.in/)


 

FAQ

କୃଷକ ପରିବାର କହିଲେ ଆମେ କଣ ବୁଝୁ?

କାଳିଆ ଯୋଜନା ଅନୁଯାୟୀ କୃଷକ ପରିବାର କହିଲେ ଗୋଟିଏ ପରିବାରର ଯେଉଁ ସଦସ୍ୟ ମାନେ ଗୋଟିଏ ରାଶନ କାର୍ଡ ର ଅନ୍ତର୍ଭୁକ୍ତ ।

ଭୂମିହୀନ କୃଷି ଶ୍ରମିକ ପରିବାର କହିଲେ ଆମେ କଣ ବୁଝୁ ?

ଯେଉଁ ପରିବାରର ନିଜସ୍ଵ ଜମି ନଥିବ ଓ ସେମାନେ କୃଷି କର୍ମରେ ୬ ମାସରୁ ଅଧିକ ସମୟ ନିଯୋଜିତ ହୋଇ ପରିବାର ପୋଷଣ କରୁଥିବେ ସେମାନେ ଭୂମିହୀନ କୃଷି ଶ୍ରମିକ ପରିବାର ଅନ୍ତର୍ଭୁକ୍ତ ହେବେ ।

ଯଦି ଜଣେ ହିତାଧିକାରୀଙ୍କ ନାମ ପ୍ରଦର୍ଶିତ ତାଲିକାରେ ଥାଏ କିନ୍ତୁ ସେ ତାଙ୍କ ବ୍ୟାଙ୍କ ଖାତାରେ କାଳିଆ ସହାୟତା ରାଶି ପାଇ ନଥାନ୍ତି ତେବେ ସେ କଣ କରିବେ ?

ଯଦି କୌଣସି ହିତାଧିକାରୀଙ୍କର ନାମ ପ୍ରଦର୍ଶିତ ତାଲିକାରେ ଥାଇ ସେ ସହାୟତା ପାଇ ନଥାନ୍ତି ତେବେ ତାଙ୍କ ବ୍ୟାଙ୍କ ଖାତାର ତଥ୍ୟ ଭୁଲ ଥିବା ଅନୁମାନ କରାଯାଏ ତେଣୁ ସେ ତାଙ୍କର ଆଧାର ତଥ୍ୟ ଓ ବ୍ୟାଙ୍କ ଖାତାର ତଥ୍ୟ ନକଲ ସହ ସମ୍ପୃକ୍ତ ପଞ୍ଚାୟତ ନୋଡାଲ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ ।

ଯଦି ଜଣେ ହିତାଧିକାରୀ କାଳିଆ ସହାୟତା ରାଶି ପାଇବା ପାଇଁ ଇଚ୍ଛୁକ ନୁହନ୍ତି ତେବେ ସେ କଣ କରିବେ ?

ଯେଉଁ ହିତାଧିକାରି କାଳିଆ ସହାୟତା ରାଶି ଗ୍ରହଣ କରିବା ପାଇଁ ଇଚ୍ଛୁକ ନୁହନ୍ତି ସେ ଏହି ରାଶି ଫେରସ୍ତ ନିମନ୍ତେ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଯୋଗାଯୋଗ କରି ସରକାରଙ୍କ ନିର୍ଧାରିତ କାଳିଆ ଆକାଉଣ୍ଟ ରେ ଏହି ରାଶି ଫେରସ୍ତ କରି ପାରିବେ । ଏହି ଦରଖାସ୍ତ ଫର୍ମ ସମ୍ପୃକ୍ତ ପଞ୍ଚାୟତ ନୋଡାଲ ଅଧିକାରୀଙ୍କ ଠାରୁ ସଂଗ୍ରହ କରି ପାରିବେ କିମ୍ବା kalia.co.in ରେ ଉପଲବ୍ଧ ଫର୍ମ କୁ ଡାଉନଲୋଡ କରି ପାରିବେ ।

ସହାୟତା ରାଶି ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ :-

ନିର୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ, ଓଡ଼ିଶା
ଭାରତୀୟ ଷ୍ଟେଟ ବ୍ୟାଙ୍କ, ସଚିବାଳୟ ଶାଖା
ବ୍ୟାଙ୍କ ଖାତା ନମ୍ବର – 38474500762,
IFSC Code – SBIN0010236

କାଳିଆ ଯୋଜନାରେ କେଉଁ ମାନେ ସହାୟତା ପାଇପାରିବେ ?

‘କାଳିଆ’ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ, କୃଷି ଶ୍ରମିକ, ଭାଗଚାଷୀ (ପ୍ରକୃତଚାଷୀ) ତଥା ଅସମର୍ଥ କୃଷି ପରିବାର ବିଭିନ୍ନ ସୁବିଧା ଓ ସହାୟତା ପାଇ ପାରିବୋ ରାଜ୍ୟର ପ୍ରାୟ ୬୦ ଲକ୍ଷ କୃଷି ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।

କ୍ଷୁଦ୍ର ଓ ନାମମାତ୍ର ଚାଷୀ କାହାକୁ କୁହାଯାଏ ?

ଯେଉଁ ଚାଷୀଙ୍କ ଜମିର ପରିମାଣ ଏକ ହେକ୍ଟର ବା ୨.୫ ଏକର କିମ୍ବା ତଦୁର୍ଦ୍ଧ ଓ ଦୁଇ ହେକ୍ଟର ବା ୫ ଏକର ରୁ କମ୍,ତାଙ୍କୁ’ କ୍ଷୁଦ୍ରଚାଷୀ’ କୁହାଯାଏ । ଯେଉଁ ଚାଷୀଙ୍କ ଜମିର ପରିମାଣ ଏକ ହେକ୍ଟର ବା ୨.୫ ଏକରରୁ କମ୍, ତାଙ୍କୁ ନାମମାତ୍ର ଚାଷୀ କୁହାଯାଏା

କୃଷି ପରିବାର କହିଲେ କଣବୁଝାଏ?

ଗୋଟିଏ କୃଷିପରିବାର କହିଲେ କୃଷକ ତାଙ୍କର ସ୍ତ୍ରୀ ବା ସ୍ୱାମୀ ଏବଂ ତାଙ୍କ ଉପରେ ନିର୍ଭରଶୀଳ ସନ୍ତାନ ସନ୍ତତିଙ୍କୁ ବୁଝାଇଥାଏା

ଯଦି ଚିଠା ତାଲିକାରେ ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ନଥିବ ତେବେ ସେ କଣ ପଦକ୍ଷେପ ନେବେ ?

ଯଦି ହିତାଧିକାରୀଙ୍କ ନାମ ଚିଠା ତାଲିକାରେ ନଥିବ ତେବେ ନିଜ ନାମକୁ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଗ୍ରାମପଂଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତିରେ ମିଳୁଥିବା ସବୁଜ ଫର୍ମ ପୂରଣ କରି ଡ୍ରପ ବକ୍ସରେ ଏହି ଫର୍ମକୁ ପକାଇବେ ।

ଚାଷୀମାନଙ୍କୁ ଚାଷ ପାଇଁ ସହାୟତା ଯୋଜନାରେ ଦିଆଯାଉ ଥିବା ଆର୍ଥିକ ସହାୟତା କିପରି ଭାବରେ ସେମାନଙ୍କୁ ପ୍ରଦାନ କରାଯିବ?

ଏହି ଯୋଜନାର ସହାୟତା ରାଶି କୃଷି ପରିବାର ନାମରେ ଥିବା ଚାଷୀଙ୍କ ଜମାଖାତାକୁ ସିଧାସଳଖ ପଠାଇଦିଆଯିବ ।

କାଳିଆ ଯୋଜନା ବିଷୟରେ ଚାଷୀମାନେ କିପରି ସୂଚନା ପାଇବେ ଏବଂ ଅଭିଯୋଗ ପଞ୍ଜିକରଣ କରିପାରିବେ ଏଥିପାଇଁ କୌଣସି ହେଲପ୍ଲାଇନ ବ୍ୟବସ୍ଥା ଅଛି କି ?

ହଁ,’କାଳିଆ ହେଲ୍ପଲାଇନ୍’ ନାମରେ ଏକ ହେଲ୍ପଲାଇନ ନିମ୍ନ ପ୍ରଦତ୍ତ ଟେଲିଫୋନ ନମ୍ବରରେ ସଂଯୋଗ କରାଯାଇଛି । ଜଣେ ଚାଷୀ ଏହି ହେଲ୍ପଲାଇନରେ ଫୋନ କରି ‘କାଳିଆ’ ଯୋଜନା ସମ୍ବନ୍ଧରେ ସୂଚନା ପାଇପାରିବେ । ସେ ମଧ୍ୟ ଏହି ହେଲ୍ପଲାଇନରେ ନିଜର ଅଭିଯୋଗକୁ ପଞ୍ଜି କରଣ କରିପାରିବେ । ଏହି ଫୋନ ନମ୍ବରଟି ହେଉଛି–୧୮୦୦୫୭୨୧୧୨୨ ।

କାଳିଆ ୱେବସାଇଟରୁ ସବୁଜ ଫର୍ମ ଡାଉନଲୋଡ୍ କରି ହିତାଧିକାରୀଙ୍କ ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବହାର କରିହେବ କି?

ହଁ । କାଳିଆ ୱେବସାଇଟରୁ ସବୁଜ ଫର୍ମ ଡାଉନଲୋଡ୍ କରି ହିତାଧିକାରୀଙ୍କ ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବହାର କରିହେବ । ଏଥିରେ ଆବେଦନ ଫର୍ମର ଉପର ଭାଗରେ ‘ସବୁଜ ଫର୍ମ’ ଉଲ୍ଲେଖ କରିବା ଆବଶ୍ୟକ ।

ସବୁଜ ଫର୍ମ ସହିତ କେଉଁ ପ୍ରମାଣପତ୍ରଗୁଡ଼ିକ ସଂଲଗ୍ନ କରିବା ଆବଶ୍ୟକ ?

ସବୁଜ ପତ୍ର ସହିତ ଆଧାର କାର୍ଡ, ବ୍ୟାଙ୍କ ସଂଚୟ ଖାତାର ପ୍ରଥମ ପୃଷ୍ଠା ଓ ଜମି ପଟ୍ଟାର ନକଲ ସହିତ ଯେକୌଣସି ଚାଷୀ ପ୍ରମାଣପତ୍ରର ନକଲ ସଂଲଗ୍ନ କରି ଆବେଦନ କରନ୍ତୁ । ଚାଷୀ ପ୍ରମାଣ ପତ୍ର ଭାବରେ କିଷାନ କ୍ରେଡିଟ୍ କାର୍ଡ କିମ୍ବା ଜମି ଖତିୟାନ କିମ୍ବା ରାଜସ୍ୱ ବିଭାଗ ପ୍ରଦତ୍ତ ଚାଷୀ ପ୍ରମାଣପତ୍ର କିମ୍ବା ଚଳନ୍ତି ଖଜଣା ପାଉତି କିମ୍ବା ରାଜସ୍ୱ ବିଭାଗ ପ୍ରଦତ୍ତ ଜମି ପାସ୍ ବହି କିମ୍ବା ଲିଜ୍ ଜମିର ପତ୍ର ମଧ୍ୟରୁ ଯେକୌଣସି ଗୋଟିକର ନକଲ ସଂଲଗ୍ନ କରି ଆବେଦନ କରିପାରିବେ ।

ଗୋଟିଏ ଜମି ଏକାଧିକ ଚାଷୀଙ୍କ ନାମରେ ଥିଲେ କିଏ ସହାୟତା ରାଶି ପାଇବେ ଏବଂ କିପରି ଆବେଦନ କରିପାରିବେ?

ଗୋଟିଏ ଜମି ଏକାଧିକ ଚାଷୀଙ୍କ ନାମରେ ଥିଲେ ଏବଂ ପ୍ରତ୍ୟେକ ଭିନ୍ନ ଭିନ୍ନ ପରିବାରର ହୋଇଥିଲେ, ସେମାନେ କୃଷି ପାଇଁ ସହାୟତା ୨୫,୦୦୦/- ଟଙ୍କା ପାଇବା ପାଇଁ ଆବେଦନ କରିପାରିବେ । ସେଥିପାଇଁ ସବୁଜ ଫର୍ମରେ ଆବଶ୍ୟକୀୟ କାଗଜପତ୍ର ସହ ନିଜସ୍ୱ ସ୍ୱିକାରୋକ୍ତି ସଂଲଗ୍ନ କରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ସବୁଜ ବାକ୍ସରେ ପକାଇବେ ।

ଫସଲ ଋଣ ପାଇଁ ଜଣେ ଚାଷୀ କେଉଁଠି ଆବେଦନ କରିପାରିବେ?

ଫସଲ ଋଣ ପାଇଁ ଜଣେ ଚାଷୀ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) / ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି (ଲାମ୍ପ୍ସ) / ଯେ କୌଣସି ଜାତୀୟକରଣ ବ୍ୟାଙ୍କ / ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଆବେଦନ କରିପାରିବେ ।

ଜୀବନବୀମା ପାଇଁ କେବେ ଏବଂ କେଉଁଠି ଆବେଦନ କରିବାକୁ ପଡିବ?

ଜୀବନବୀମା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି । ପରବର୍ତ୍ତୀ ସମୟରେ ଏ ବିଷୟରେ ବିସ୍ତୃତ ଭାବେ ଚାଷୀମାନଙ୍କୁ ଜଣାଇ ଦିଆଯିବ ।

କାଳିଆ ଛାତ୍ରବୃତ୍ତି କେଉଁମାନେ ପାଇବେ?

କାଳିଆ ଯୋଜନାରେ ସହାୟତା ପାଇଥିବା ହିତାଧିକାରୀଙ୍କ ସନ୍ତାନ / ସନ୍ତତିମାନେ ସରକାରୀ ଶିକ୍ଷାନୁଷ୍ଠାନ / ମହାବିଦ୍ୟାଳୟରେ ବୃତ୍ତିଗତ / ବୈଷୟିକ ଶିକ୍ଷା ଲାଭ ପାଇଁ କାଳିଆ ଛାତ୍ରବୃତ୍ତି ପାଇବେ ।

କେଉଁ ବୃତ୍ତିଗତ / ବୈଷୟିକ ପାଠ୍ୟକ୍ରମ ପାଇଁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ?

ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ସରକାରୀ ମହାବିଦ୍ୟାଳୟ / ଶିକ୍ଷାନୁଷ୍ଠାନ / ବିଶ୍ୱବିଦ୍ୟାଳୟରେ ଯେ କୌଣସି ବୃତ୍ତିଗତ / ବୈଷୟିକ ଶିକ୍ଷା କାର୍ଯ୍ୟକ୍ରମ ଯଥା:- ବି.ଇ. / ବି.ଟେକ୍. / ଏମ୍.ବି.ବି.ଏସ୍ / ବି.ଡି.ଏସ୍ / ବି.ସି.ଏ./ ବି.ଏଚ.ଏମ.ଏସ୍ / ବି.ଏ.ଏମ୍.ଏସ୍ / ବି.ଫାର୍ମା / ବି.ଏଚ.ସି (ନର୍ସିଂ) / ବି.ଏସ୍.ସି (ଏଗ୍ରିକଲଚର) / ବି.ଏସ୍.ସି (ହର୍ଟିକଲଚର) / ବି.ଭି.ଏସ୍.ସି / ପଲିଟେକ୍ନିକ୍ / ଆଇ.ଟି.ଆଇ. ଇତ୍ୟାଦି ଶିକ୍ଷାଲାଭ ପାଇଁ “କାଳିଆ ଛାତ୍ରବୃତି” ପ୍ରଦାନ କରାଯିବ ।

“କାଳିଆ ଛାତ୍ରବୃତି” ପାଇଁ ଜଣେ ଛାତ୍ର / ଛାତ୍ରୀ କିପରି ଆବେଦନ କରିବେ ?

କାଳିଆ ଯୋଜନା ହିତାଧିକାରୀଙ୍କ ଯେଉଁ ସନ୍ତାନ ସନ୍ତତି “କାଳିଆ ଛାତ୍ରବୃତି” ପାଇଁ ଆବଶ୍ୟକୀୟ ଯୋଗ୍ୟତା ପୂରଣ କରୁଥିବେ ସେମାନେ ଅନ୍ଲାଇନ୍ ଆବେଦନ ପଦ୍ଧତି ଙ୍ଗଙ୍ଗଙ୍ଗ.ଳବକ୍ଷସବ.ମକ୍ଟ.ସଦ୍ଭ/ଗ୍ଦମଷକ୍ଟକ୍ଷବକ୍ସଗ୍ଦଷସକ୍ଟ୍ର କୁ ଲଗଇନ୍ କରି ଆବେଦନ କରିବେ ।

“କାଳିଆ ଛାତ୍ରବୃତି” ଆବେଦନ ପାଇଁ କ’ଣ କ’ଣ ପ୍ରମାଣପତ୍ର / ତଥ୍ୟ ଆବଶ୍ୟକ?

“କାଳିଆ ଛାତ୍ରବୃତି” ଆବେଦନ ପାଇଁ ନିମ୍ନଲିଖିତ ପ୍ରମାଣପତ୍ର ତଥ୍ୟ ଆବଶ୍ୟକ ।

(କ) ସ୍ଥାୟୀ ବାସିନ୍ଦା ଠିକଣା

(ଖ) ଛାତ୍ର / ଛାତ୍ରୀଙ୍କର ବ୍ୟାଙ୍କ ଜମାଖାତାର ପ୍ରଥମ ପୃଷ୍ଠାର ନକଲ (ଛାତ୍ରଛାତ୍ରୀଙ୍କର ନାମ, ବ୍ୟାଙ୍କ ଜମାଖାତାର ନଂ, ଆଇ.ଏଫ.ଏସ୍.ସି. କୋର୍ଡ)

(ଗ) ଶିକ୍ଷାନୁଷ୍ଠାନର ବିଷଦ ତଥ୍ୟ

(ଘ) ଛାତ୍ରଛାତ୍ରୀଙ୍କର ଆଧାରକାର୍ଡ ନଂ

(ଙ) ପିତାମାତାଙ୍କର ଆଧାରକାର୍ଡ ନଂ

“କାଳିଆ ଛାତ୍ରବୃତି” ଯୋଜନାରେ ଜଣେ ଛାତ୍ର / ଛାତ୍ରୀ କେତେ ପରିମାଣର ଛାତ୍ରବୃତି ପାଇପାରିବେ?

“କାଳିଆ ଛାତ୍ରବୃତି” ଯୋଜନାରେ ଜଣେ ଛାତ୍ର / ଛାତ୍ରୀ କଲେଜ / ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମ ଫି, ହଷ୍ଟେଲ ଫି ଓ ମେସ୍ ଖର୍ଚ୍ଚ ପାଇଁ ଆବଶ୍ୟକ ପଡୁଥିବା ରାଶି ପାଇବେ ।

“କାଳିଆ ଛାତ୍ରବୃତି” ଯୋଜନାରେ ଜଣେ ଛାତ୍ର / ଛାତ୍ରୀ ଛାତ୍ରବୃତି ପରିମାଣ କିପରି ପାଇବେ?

“କାଳିଆ ଛାତ୍ରବୃତି” ଯୋଜନାର ଛାତ୍ରବୃତି ରାଶି ଛାତ୍ର / ଛାତ୍ରୀଙ୍କର ବ୍ୟାଙ୍କ ଜମାଖାତାକୁ ସିଧାସଳଖ ପ୍ରେରଣ କରାଯିବ ।

ଜଣେ ଛାତ୍ର / ଛାତ୍ରୀ ସରକାରୀ କଲେଜ / ବୈଷୟିକ ପାଠ୍ୟକ୍ରମ ନିୟମିତ କୋର୍ସରେ ପାଠ ପଢୁଥିବେ ତେବେ ସେ “କାଳିଆ ଛାତ୍ରବୃତି” ପାଇବେ ପାରିବେ କି?

ହଁ, ଜଣେ ଛାତ୍ର / ଛାତ୍ରୀ ସରକାରୀ କଲେଜ / ବୈଷୟିକ ଅନୁଷ୍ଠାନ (ନିୟମିତ କୋର୍ସ)ରେ ପାଠ ପଢୁଥିବେ ତେବେ “କାଳିଆ ଛାତ୍ରବୃତି” ଯୋଜନାରେ ଯୋଗାଇ ଦିଆଯାଉଥିବା ଛାତ୍ରବୃତି ରାଶି ଯଥା ପାଠ୍ୟକ୍ରମ ଫି, ହଷ୍ଟେଲ ଫି ଓ ମେସ୍ ଖର୍ଚ୍ଚ ପାଇବେ ।

ଜଣେ କୃଷକଙ୍କ ଜମି ଏକାଧିକ ସ୍ଥାନରେ ଥିଲେ ସେ କିପରି ଏହି ଯୋଜନାରେ ସାମିଲ ହୋଇପାରିବେ ?

ଯଦି କୌଣସି ଚାଷୀଙ୍କର ଜମି ଏକାଧିକ ସ୍ଥାନରେ ଥିବ ତାହେଲେ ସେ ଯେକୌଣସି ଗୋଟିଏ ମାତ୍ର ସ୍ଥାନରୁ ଏହି ସୁବିଧା ପାଇପାରିବେ । ସେ ତାଙ୍କର ନିଜସ୍ୱ ଗ୍ରାମପଞ୍ଚାୟତରେ ଆବେଦନ କରି ଏହି ଯୋଜନାରେ ସାମିଲ ହୋଇପାରିବେ ।

ସବୁଜ ଫର୍ମ ପାଇବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ କି ?

ସବୁଜ ଫର୍ମ ବିନା ମୂଲ୍ୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମିଳୁଅଛି । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ସବିଶେଷ ବିବରଣୀ ନିମନ୍ତେ କାଲିଆ ପୋର୍ଟାଲକୁ ଯୋଗଯୋଗ କରନ୍ତୁ 

ୱେବସାଇଟ୍ – https://kaliaportal.odisha.gov.in/

ହିତାଧୀକାରୀ ଲିଷ୍ଟ ଚେକ୍ କରିବା ପାଇଁ  https://kaliaportal.odisha.gov.in/Beneficiarylist.aspx ରେ କ୍ଲିକ କରନ୍ତୁ

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା