> ଶାଗଚାଷ କେମିତି କରିବେ? - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଶାଗଚାଷ କେମିତି କରିବେ?

Greens cultivation

ଶାଗ (Greens) ହେଉଛି ଏକ ପୁଷ୍ଟିକର ଖାଦ୍ୟ । ଆମ ସ୍ୱାସ୍ଥ୍ୟ ଲାଗି ଦରକାର ହେଉଥିବା ନାନା ପ୍ରକାର ଖାଦ୍ୟସାର ଶାଗ ଭିତରେ ଭରି ରହିଛି ।  ତେବେ ଶାଗରେ ବହୁତ ତନ୍ତୁ ( Roughage) ଥାଏ ଯାହା କୋଷ୍ଠକାଠିନ୍ୟ ଦୂର କରେ । ଶାଗ ଯେପରି ପୁଷ୍ଟିକର ସେହିପରି ଏହାକୁ ଶୀଘ୍ର ରନ୍ଧନ କରି ବ୍ୟବହାର କରିବା ସୁବିଧାଜନକ । ଶାଗ ତ ବହୁତ ପ୍ରକାର ଅଛି, ତେବେ ପ୍ରଧାନ ଶାଗ ଭିତରେ ଖଡ଼ା, କୋଶଳା, ଲେଉଟିଆ, ପୋଇ ଓ ପାଳଙ୍ଗ ପ୍ରଧାନ । ତେବେ ଆସନ୍ତୁ ଜାଣିବା ଶାଗ ଫସଲ ଚାଷ ବିଷୟରେ ।

ଜଳବାୟୁ

ଓଡ଼ିଶାର ସମସ୍ତ ଜଳବାୟୁରେ ଶାଗ ଫସଲ କରାଯାଇ ପାରିବ । ଅତ୍ୟନ୍ତ ଥଣ୍ଡା ସମୟକୁ ଛାଡ଼ି ବର୍ଷର ଅନ୍ୟ ସବୁ ସମୟରେ ଏହାକୁ ଚାଷ କରାଯାଇପାରିବ ।

ମୃତ୍ତିକା

  • ନିଗିଡ଼ା ବାଲି ଦୋରସା ମାଟିରେ ଶାଗ ଫସଲ ଭଲ ହୁଏ ।
  • ଜଳସେଚନ ଓ ନିଷ୍କାସନର ବ୍ୟବସ୍ଥା ଥିଲେ ଖତ ଓ ସାର ଦେଇ ସବୁ ପ୍ରକାର ମାଟିରେ ଏହା ଚାଷ କରାଯାଇ ପାରିବ ।
  • ସାଧାରଣତଃ ବାଲି କସିଆ ମାଟିରେ ଶାଗ ଚାଷ କଲେ ଶାଗ ମିଠା ଲାଗେ ଏବଂ ପଟୁଆ ମାଟିରେ ବା ବେଶୀ ସାର ଦେଲେ ଶାଗ ପାଣିଚିଆ ଲାଗେ ।
  • ମାଟିର ଅମ୍ଲତା 6 ରୁ 7 ଭିତରେ ରହିଲେ ଶାଗ ଚାଷ ପାଇଁ ଭଲ ।

ଜମି ପ୍ରସ୍ତୁତି

  • ଜମିକୁ 3-4 ଓଡ଼ ଭଲ ଭାବରେ ଚାଷ କରି ମଇ ଦେଇ ଜମିକୁ ସମତଳ କରାଯାଏ । ଶେଷ ଓଡ଼ ଚାଷ ସମୟରେ ଏକର ପିଛା 8-10 ଟନ୍ କମ୍ପୋଷ୍ଟ ବା ଗୋବର ଖତ, 20 କି.ଗ୍ରା. ଯବକ୍ଷାରଜାନ ସାର, 10 କି.ଗ୍ରା. ଫସଫରସ୍ ସାର ଓ 20 କି.ଗ୍ରା. ପଟାସିୟମ ସାର ଦେଇ ମାଟିରେ ମିଶାଇ ଦିଆଯାଏ ।
  • ସୁବିଧାରେ ଘାସ ବାଛିବା ପାଇଁ ଓ ଶାଗ ତୋଳିବା ପାଇଁ 3-4 ମିଟର ଲମ୍ୱ ଓ 1.5 ମିଟର ଚଉଡ଼ାର ପଟାଳି କରାଯାଏ । ଏବଂ ଦୁଇ ପଟାଳି ମଧ୍ୟରେ 30 ରୁ 40 ସେ.ମି. ରାସ୍ତା ରହେ ।
  • ଶାଗ ମଞ୍ଜି ଅତି ଛୋଟ ତେଣୁ ପଟାଳିରେ ପତଳା କରି ସବୁଆଡ଼େ ମଞ୍ଜି ବୁଣି ନଡ଼ା ଘୋଡ଼ାଇ ପାଣିଦେଲେ ଶୀଘ୍ର ଗଜା ହୁଏ ।
  • ଗଜାପରେ ନଡ଼ା କାଢି ଦିଆଯାଏ । ଖଡ଼ା ଓ ପୋଇ ଚାରା ଭଳି ଲଗାଯାଏ ।

ବିହନ

  • ଏକର ପ୍ରତି ଶାଗ ମଞ୍ଜି ଏକ କି.ଗ୍ରା.ରୁ ଦେଢ କି.ଗ୍ରା. ପର୍ଯ୍ୟନ୍ତ ଦରକାର ହୋଇଥାଏ । ଯେହେତୁ ମଞ୍ଜି ଅତି ଛୋଟ ବୁଣିଲା ବେଳେ ସରୁବାଲି ମିଶାଇ ବୁଣାଯାଏ ।

ଜଳସେଚନ

  • ବିହନ ବୁଣିବା ପରେ ଯଥେଷ୍ଟ ପରିମାଣରେ ପାଣି ନଦେଲେ ଭଲ ଗଜା ହୁଏ ନାହିଁ । ଗଛ ଉଠିବା ପରେ ପାଣି ଅଭାବ ହେଲେ ଶାଗ କାଠୁଆ ହୋଇଯାଏ । ଶାଗ ପଟାଳି ସବୁବେଳେ ଓଦା ରହିଲେ ଭଲ । ତେଣୁ ନିୟମିତ ଜଳସେଚନ କରିବା ବିଧେୟ ।

ରୋଗପୋକ

  • ଶାଗରେ ସାଧାରଣତଃ କମ୍ ରୋଗ ପୋକ ଦେଖାଯାଆନ୍ତି । ଶାଗ କମ୍ ଦିନରେ ଅମଳ ହେଉଥିବାରୁ ସେପରି ବିଶେଷ ଭାବରେ ଦରକାର ନ ପଡ଼ିଲେ କୀଟନାଶକ ଔଷଧ ପକାଇବା ଉଚିତ୍ ନୁହଁ ।
  • ସାଧାରଣତଃ ଶାଗରେ ଦଳା କଳଙ୍କି ରୋଗ, ପତ୍ରଦାଗ ରୋଗ ଦେଖାଯାଏ । ବ୍ଲାଇଟକ୍ସ 50 ଏକ ଲିଟର ପାଣିରେ 2 ଗ୍ରାମ ମିଶାଇ ପକାଇଲେ ଭଲ କାମ ଦିଏ ।
  • ପୋକ ଭିତରେ ଚାଉଳିଆ ପୋକ, ପତ୍ରମୋଡ଼ା ପୋକ, ପତ୍ରମୋଚା ପୋକ ଓ ଜଉପୋକ ଲାଗନ୍ତି । ଏହାର ପ୍ରତିକାର ପାଇଁ ଏକ ଲିଟର ପାଣିରେ 3 ଗ୍ରାମ ସେଭିନ୍ ବା 2 ମି.ଲି. ମାଲାଥିଅନ୍ ସ୍ପ୍ରେ କରାଯାଇପାରେ ।

ଅମଳ

ବିହନ ବୁଣିବାର 20-25 ଦିନ ବେଳକୁ ପ୍ରଥମ ଶାଗ ଓପାଡ଼ି କରି ହେଉ କିମ୍ବା କାଟିବା ପାଇଁ ଉପଯୁକ୍ତ ହୋଇଥାଏ ।  ଏହାର ପ୍ରତି 15 ଦିନ ଅନ୍ତରରେ ଶାଗ କଟାଯାଏ । ଫଳ ହେବା ଯାଏଁ ପ୍ରାୟ 4 ରୁ 6 ଥର ଶାଗ କଟାଯାଇପାରେ । ଏକର ପିଛା ହାରାହାରି 30 ରୁ 40 କ୍ୱିଣ୍ଟାଲ ଶାଗ ଅମଳ ହୁଏ ।

ବିଭିନ୍ନ ପ୍ରକାର ଶାଗ

  1. ଖଡ଼ା ( Amaranthus sp.)

  • ଖଡ଼ାର ପୁରା ଗଛ, ପତ୍ର ଓ ଗଣ୍ଡି ଖାଦ୍ୟ ରୂପେ ବ୍ୟବହାର କରାଯାଏ ।
  • ଖଡ଼ା ବଢିବା ପାଇଁ ଲମ୍ବାଦିନ ଓ ଅଧିକ ଉତ୍ତାପ ଦରକାର କରିଥାଏ ଓ ମଞ୍ଜି ଧରିବା ପାଇଁ ଛୋଟ ଦିନ ଓ କମ୍ ଉତ୍ତାପ ଚାହେଁ ।
  • ସାଧାରଣତଃ ଧଳା ଖଡ଼ା ଖରାଦିନେ ଓ ଲାଲ୍ ଖଡ଼ା ଶୀତଦିନେ ଚାଷ କରାଯାଏ ।
  • ମୟୁର ଚନ୍ଦ୍ରିକା ଖଡ଼ା ଉଭୟ ଶୀତଦିନେ ଓ ଖରାଦିନେ ଚାଷ କରାଯାଏ ।
  • ଏକର ପ୍ରତି ଖଡ଼ାମଞ୍ଜି ପ୍ରାୟ 2 କି.ଗ୍ରା. ଲାଗେ । ଖଡ଼ା ଲଗାଇବାର 30 ଦିନ ପରେ ଆଉ 10 କି.ଗ୍ରା. ଯବକ୍ଷାରଜାନ ସାର ଦିଆଯାଏ । ଖଡ଼ା ପାକଳ ହେଲାପରେ ଉପୁଡ଼ା ଯାଏ ।
  • ଏକର ପ୍ରତି 60 ରୁ 70 କ୍ୱିଣ୍ଚାଲ ଖଡ଼ା ଅମଳ ହୁଏ ।
  1. କୋଶଳା (Amaranthus biltum)

  • ଏହା ରବି ଋତୁରେ ଅମଳ କରାଯାଏ । ସେପ୍ଚେମ୍ବର ମାସରୁ ବୁଣା ଆରମ୍ଭ ହୋଇ ଏପ୍ରିଲ ମାସ ଯାଏ ଚାଲେ ।
  • କୋଶଳା ଶାଗ ଦୁଇ ପ୍ରକାର ଯଥା- ଧଳା କୋଶଳା ଓ ନାଲି କୋଶଳା । ପୁଣି ପ୍ରତି କୋଶଳା ଦୁଇ କିସମର । ଗୋଟିଏ ଡ଼େଙ୍ଗା କୋଶଳା ଓ ଅନ୍ୟଟି ଭଙ୍ଗା କୋଶଳା । ଡ଼େଙ୍ଗା କୋଶଳାକୁ ଉପାଡ଼ି ବ୍ୟବହାର କରାଯାଏ । କିନ୍ତୁ ଭଙ୍ଗା କିସମ କୋଶଳାକୁ 2-3 ଥର କଟାଯାଇ ମଞ୍ଜି ଧରିବା ଲାଗି ଛାଡ଼ି ଦିଆଯାଏ ।
  • ମଞ୍ଜି ବୁଣିବାର 20 ଦିନ ପରେ ପ୍ରଥମ କଟା ହୁଏ ।
  • ଏକ ଏକର ପାଇଁ 3 କି.ଗ୍ରା. ମଞ୍ଜି ଦରକାର ହୁଏ ।
  • ଉନ୍ନତ କିସମର କୋଶଳା ଭିତରେ ପୁଷା ଲାଲ, ଚାଉଳି, ସି.ଓ.1, ସି.ଓ.2 ଇତ୍ୟାଦି ପ୍ରଧାନ । କୋଶଳା ଶାଗକୁ ବୁଣିବାର 20 ରୁ 30 ଦିନ ମଧ୍ୟରେ ଉପାଡ଼ି ପରିଷ୍କାର ପାଣିରେ ଧୋଇ ବିଡ଼ା ବାନ୍ଧି ବଜାରକୁ ପଠାଯାଏ ବା ଖିଆଯାଏ ।
  • ଏକର ପ୍ରତି 50 କ୍ୱିଣ୍ଟାଲ ଅମଳ ହୁଏ ।
  1. ଲେଉଟିଆ (Amaranthus obraccous mangostams)

  • ଲେଉଟିଆ ସାଧାରଣତଃ ଖରାଦିନିଆ ଫସଲ । ଶୀତଋତୁ ଶେଷରେ ଏହା ପଟାଳୀରେ ବୁଣାଯାଏ ଓ ଥରକୁ ଥର କାଟି ବ୍ୟବହାର କରାଯାଏ ।
  • ଫେବୃୟାରୀ ଓ ମାର୍ଚ୍ଚ ମାସରେ ମଞ୍ଜି ବୁଣାଯାଏ ।
  • ସାଧାରଣ ଭାବେ ଲେଉଟିଆ ଦୁଇ ପ୍ରକାରର ଶାଗୁଆ ଲେଉଟିଆ ଓ ଚମ୍ପା ଲେଉଟିଆ। ଚମ୍ପା ଲେଉଟିଆ ଟିକିଏ ଲାଲ ଦେଖାଯାଏ ।
  • ମଞ୍ଜି ବୁଣିବାର 30 ଦିନରେ ପ୍ରଥମେ କଟା ହୋଇ ଥାଏ । ପ୍ରଥମେ କାଟିଲା ପରେ ଗଛ ଶାଖା ପ୍ରଶାଖା ବେଶି ଦିଏ । ସେଥିପାଇଁ ଏହାକୁ ଚେକା ଲେଉଟିଆ ମଧ୍ୟ କହିଥାନ୍ତି ।
  • ଦୁଇଥର କାଟିବା ପରେ ହାଲକା କରି କୋଡ଼ାଖୋସା କରି ଏକର ପିଛା 10 କି.ଗ୍ରା. ଯବକ୍ଷାରଜାନ ସାର ଦେଲେ ଭଲ ଅମଳ ମିଳେ ।
  • ଏକର ପ୍ରତି 2 କି.ଗ୍ରା. ମଞ୍ଜି ଦରକାର ହୋଇଥାଏ ।
  • 4-5 କଟାରେ ପ୍ରୟା 50 ରୁ 60 କ୍ୱିଣ୍ଟାଲ ଶାଗ ଅମଳ ହୁଏ ।
  1. ପୋଇ (Malabar night shade) Bassella alba

  • ଶାଗ ଜାତୀୟ ପନିପରିବା ମଧ୍ୟରେ ଏହାର ସ୍ଥାନ ଉଚ୍ଚରେ । ପୋଇ ପତ୍ରକୁ ଶାଗ ହିସାବରେ ଓ ଡଙ୍କକୁ ତରକାରୀ କରି ଖିଆଯାଏ ।
  • ପୋଇକୁ 3 ଶ୍ରେଣୀରେ ବିଭକ୍ତ କରାଯାଏ । ଶାଗୁଆ ଜାତିର ପୋଇ, ଲାଲ ବା ରକ୍ତ ପୋଇ ଓ ଢାମଣା ବା କାଟୁଆ ପୋଇ ।
  • ପୋଇ ମଞ୍ଜି, କାଣ୍ଡ ଓ ଚେର ଦ୍ୱାରା ବଂଶ ବୃଦ୍ଧି କରାଯାଇପାରେ । ଏକର ପ୍ରତି 5 ରୁ 6 କି.ଗ୍ରା. ମଞ୍ଜି ଦରକାର ହୁଏ । ସାଧାରଣତଃ ପୋଇକୁ ଧାଡ଼ିରେ ଲଗାଯାଏ । ଧାଡ଼ିକୁ ଧାଡ଼ି ଦେଢ ମିଟର ଓ ଗଛକୁ ଗଛ 60 ସେ.ମି. ଦେଇ ଗଛ ବା ଡ଼ଙ୍କ ଲଗାଯାଏ ।
  • ଲଗାଇବାର 30 ଦିନ ପରେ ପୋଇ କାଟିଲେ କେନା ଦେଇ ସବୁଆଡ଼କୁ ବଢେ । ସେତେବେଳେ ଆଉ 10 କି.ଗ୍ରା. ଯବକ୍ଷାରଜାନ ସାର ଦେବାକୁ ହୁଏ ।
  • ଶୀତ ଋତୁରେ 10-15 ଦିନ ବ୍ୟବଧାନରେ ପାଣି ଦେବେ କିନ୍ତୁ ଖରାଦିନେ 8-10 ଦିନ ବ୍ୟବଧାନରେ ଜଳସେଚନ କରିବାକୁ ହୁଏ ।
  • ଏକର ପ୍ରତି 60-70 କ୍ୱିଣ୍ଟାଲ ପୋଇ ଅମଳ ହୁଏ ।
  1. ପାଳଙ୍ଗ (Palak beta vulgaris)

  • ପାଳଙ୍ଗ ଶାଗର ପତ୍ରକୁ ଶାଗ ଏବଂ ତରକାରୀ ରୂପେ ବ୍ୟବହାର କରାଯାଏ । ଏହା ଯେପରି ରୁଚିକର ସେହିପରି ବିଭିନ୍ନ ଖାଦ୍ୟ ଉପାଦାନରେ ଭରପୁର । ଏଥିରେ ଭିଟାମିନ ଏ ଓ ସି ପ୍ରଚୁର ପରିମାଣରେ ଥାଏ ।
  • ପାଳଙ୍ଗକୁ ସେପ୍ଟେମ୍ବର-ନଭେମ୍ବର ଓ ଫେବୃୟାରୀ-ମାର୍ଚ୍ଚ ମାସରେ ଲଗାଯାଏ ।
  • ଉତ୍ତାପ ବଢିଗଲେ ଫୁଲ ଶିଘ୍ର ଆସେ ଓ ଅମଳ କମିଯାଏ । ପାଳଙ୍ଗ ମାଟିର ଅମ୍ଳତା 7 ରୁ 7.5 ଭିତରେ ଭଲ ଅମଳ ଦିଏ ।
  • ଭଲ କିସମ ଭିତରେ ପୁଷା ପାଳଙ୍ଗ, ଅଲଗ୍ରୀନ, ପୁଷା ଜ୍ୟୋତି ଓ ପୁଷା ହରିତ୍ ଇତ୍ୟାଦି ପ୍ରଧାନ । ଏକର ପ୍ରତି 10-12 କି.ଗ୍ରା. ବିହନ ଦରକାର ହୋଇଥାଏ ।
  • ବିହନ ବୁଣିବା ପୂର୍ବରୁ 10 ରୁ 12 ଘଣ୍ଟା ବତୁରାଇଲେ ଶିଘ୍ର ଓ ଅଧିକ ଗଛ ଉଠିଥାଏ । ମଞ୍ଜି ଜମିରେ ଲଗାଇବା ସମୟରେ ମାଟିର ବତର ଥିବା ଦରକାର । ଶୁଖିଲା ରହିଲେ ଗଜା କମ୍ ହୁଏ । ତେଣୁ ମଞ୍ଜି ଲଗାଯିବା ଧାଡ଼ିରେ ପାଣି ସିଞ୍ଚିବା ଦରକାର ।
  • ଖରାଟିଆ ଫସଲ ଲାଗି 4-6 ଦିନ ଅନ୍ତରରେ ଓ ଶୀତଦିନିଆ ଫସଲ 10-12 ଦିନ ଅନ୍ତରରେ ଜଳସେଚନ କରିବା ଉଚିତ ।
  • ମଞ୍ଜି ଲଗାଇବାର 3 ରୁ 4 ସପ୍ତାହ ପରେ ପାଳଙ୍ଗ କାଟିବାକୁ ଉପଯୁକ୍ତ ହୋଇଥାଏ । ପ୍ରଥମ କଟା ପରେ ହାଲୁକା କୋଡ଼ାଖୋସା କରି ଏକର ପିଛା 10 କି.ଗ୍ରା. ଯବକ୍ଷାରଜାନ ସାର ଦେଲେ ଭଲ ଅମଳ ମିଳେ । ପାଳଙ୍ଗ ରେ 4 ରୁ 6ଥର ଶାଗ କାଟି ଖିଆଯାଇପାରିବ । ଏକର ପିଛା 60 ରୁ 70 କ୍ୱିଣ୍ଟାଲ ଅମଳ ମିଳେ ।
  1. ମେଥି ଶାଗ (Fenugreek) Trigonella foenumgraecum

  • ମେଥିରେ କଅଁଳ ପତ୍ର ଶାଗ ରୂପେ ବ୍ୟବହାର କରାଯାଏ । ଏହାର ମଞ୍ଜି ସାଧାରଣତଃ ଖଟା ଓ ତରକାରୀ ପାଇଁ ବ୍ୟବହାର କରାଯାଏ । ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ତଥା ରୁଚିକର ମଧ୍ୟ ।
  • ମେଥି ଦୁଇ ପ୍ରକାରର । ସାଧାରଣ ମେଥି ଓ ଚମ୍ୱା ବା କସ୍ତୁରୀ ମେଥି ।
  • ମଞ୍ଜି ଦ୍ୱାରା ମେଥିର ବଂଶ ବିସ୍ତାର କରାଯାଏ । ଦେଶୀ ମେଥି ଏକର ପିଛି 12 ରୁ 14 କି.ଗ୍ରା. ଓ କସ୍ତୁରୀ ମେଥି 9ରୁ 11 କି.ଗ୍ରା. ବିହନ ଦରକାର ହୁଏ ।
  • ଦେଶୀ ମେଥି ବୁଣା ଯିବାର 20 ଦିନ ପରେ ଓ କସ୍ତୁରୀ ମେଥି 25 ରୁ 30 ଦିନ ପରେ କାଟିବ ଲାଗି ଉପଯୁକ୍ତ ହୁଏ । ପତ୍ର ଗୁଡ଼ିକ ଗଛ ମୂଳରୁ ଖୁଣ୍ଟି ନିଆଯାଏ । ପ୍ରତି 12 ରୁ 15 ଦିନରେ ପତ୍ର ଖୁଣ୍ଟା ଯାଏ । 2-3 ଥର ପତ୍ର ତୋଳିବା ପରେ ମଞ୍ଜି ପାଇଁ ଗଛକୁ ଛାଡ଼ି ଦିଆଯାଏ । ଏକର ପ୍ରତି 3 ରୁ 4 କୁଇଣ୍ଟାଲ ପତ୍ର 2 ରୁ 3 କୁଇଣ୍ଟାଲ ମଞ୍ଜି ଅମଳ ହୁଏ ।
  1. କୁଲଫା ଶାଗ (Pursalane ) Portulaca oleracene

  • କୁଲଫା ଶାଗ ସାଧାରଣତଃ ଗ୍ରୀଷ୍ମଋତୁରେ ଚାଷ କରାଯାଏ । ପ୍ରତି 15-20 ଦିନରେ ଥରେ କାଟି ବ୍ୟବହାର କରାଯାଏ । ଲଗାଇବା ପରେ ତିନିଥର ଯାଏଁ ଶାଗ କାଟି ବ୍ୟବହାର କରାଯାଇଥାଏ । ଡ଼ାଳଗୁଡ଼ିକୁ ମୂଳରୁ 15 ସେଣ୍ଟି ମିଟର ଯାଏ ବଢିବା ପରେ ପ୍ରତିଥର ମୂଳରୁ କାଟି ନିଆଯାଏ ।
  • ଏକର ପ୍ରତି 500 ଗ୍ରାମରୁ 750 ଗ୍ରାମ ମଞ୍ଜି ଦରକାର ହୁଏ । ଜାନୁଆରୀ ରୁ ମାର୍ଚ୍ଚ ମାସ ଯାଏ ମଞ୍ଜି ବୁଣାଯାଏ ।
  • ମଞ୍ଜି ବୁଣିବାର ମାସକପରେ ପ୍ରଥମ ଶାଗ କଟାଯାଏ । ତାପରେ 15 ରୁ 20 ଦିନରେ ଶାଗ କଟାଯାଏ । ଏକର ପିଛି 60 ରୁ 70 କ୍ୱିଣ୍ଟାଲ ଶାଗ ଅମଳ ହୁଏ ।

 

  1. ବଥୁଆ ଶାଗ (Pigwad ) Chenopodium album

  • ବଥୁଆ ସାଧାରଣତଃ ଲୁଣା ଜମିରେ ଶୀତ ଋତୁରେ ବଢେ । ଏହା ଏକ ଛୋଟ ବୁଦା ଗଛ । ଗଛ ଗୁଡ଼ିକର କାଣ୍ଡ ଓ ପତ୍ର ଗୁଡ଼ିକ ଲୁଣିଆ ଲାଗେ । ସାଧାରଣତଃ ମଞ୍ଜି ଦ୍ୱାରା ଏହାର ବଂଶ ବୃଦ୍ଧି କରାଯାଏ । ଏକର ପ୍ରତି 4 ରୁ 5 କି.ଗ୍ରା. ମଞ୍ଜି ଦରକାର ହୋଇଥାଏ । ଶୀତ ଋତୁରେ ଏହା ବୁଣାଯାଏ । ପଟାଳିରେ ଧାଡ଼ିକୁ ଧାଡ଼ି 20 ସେ.ମି. ବ୍ୟବଧାନ ରଖାଯାଏ । ଗଛକୁ ଗଛ 10 ସେ.ମି. ଲଖାଯାଏ । 30 ଦିନରେ ଶାଗ ଅମଳ କରି ବ୍ୟବହାର କରାଯାଏ ।

 

  1. ସୋରିଷ ଶାଗ (Mustard) Brassica album

  • ସୋରିଷ ସାଧାରଣତଃ ମଞ୍ଜି ପାଇଁ ଚାଷ କରାଯାଇଥାଏ । କିନ୍ତୁ ଏହାର ପତ୍ର ଗୁଡ଼ିକ ରୁଚିକର ଏବଂ ସ୍ୱାସ୍ଥ୍ୟପକ୍ଷେ ହିତକର । ସାଧାରଣତଃ ପଞ୍ଜାବ ଓ ଉତ୍ତର ଭାରତର ଲୋକମାନେ ସୋରିଷ ଶାଗ ଖାବିବାକୁ ବେଶୀ ଭଲ ପାଆନ୍ତି ।
  • ତେବେ ସୋରିଷ ବିଭିନ୍ନ ପ୍ରକାର ଅଛି ଯଥା-ମାଟିଆ ସୋରିଷ, ହଳଦିଆ ସୋରିଷ, ବନ୍ଧାକୋବି ପତ୍ର ସଦୃଶ ସୋରିଷ, ଶୀତଦିନିଆ ସୋରିଷ, କଳା ସୋରିଷ ଓ ଜାପାନୀ ସୋରିଷ ।
  • ମଞ୍ଜି ଦ୍ୱାରା ଏହାର ବଂଶ ବିସ୍ତାର ହୁଏ । ଏକର ପିଛା 3 ରୁ 4 କିଗ୍ରା ସୋରିଷ ଦରକାର ହୋଇଥାଏ । ସେପ୍ଟେମ୍ୱର ମାସରୁ ନଭେମ୍ବର ମାସ ଯାଏ ସୋରିଷ ଶାଗ ବୁଣାଯାଇ ପାରେ । ମଞ୍ଜି ଗୁଡ଼ିକ 4 ରୁ 6 ଦିନ ଭିତରେ ଗଜା ହୁଏ । ମଞ୍ଜି ବୁଣାଯିବାର 25 ରୁ 30 ଦିନ ପତ୍ର ଗୁଡ଼ିକ ଅମଳ ହେବା ପାଇଁ ଉପଯୁକ୍ତୁ ହୋଇଥାଏ ।
  • ଏକର ପିଛା 3 ରୁ 4 କ୍ୱିଣ୍ଟାଲ ଶାଗ ଓ 4 ରୁ 5 କ୍ୱିଣ୍ଟାଲ ସୋରିଷ ମିଳେ ।
  1. କଳମ ଶାଗ (Ipomea reptus)

  • କଳମ ଶାଗ ସାଧାରଣତଃ ପୋଖରୀ ମାନଙ୍କରେ ପାଣିରେ ଲଟାହୋଇ ମାଡ଼ିଥାଏ । ବର୍ତ୍ତମାନ କିନ୍ତୁ ଶୁଖିଲା ମାଟିରେ କଳମ ଶାଗ ଚାଷ କରିବାକୁ ମଞ୍ଜି ବାହାରିଲାଣି । କଳମ ଶାଗ ଖାଇବାକୁ ଅଧିକ ସ୍ୱାଦୁ ଓ ଥରେ ଗୋଟିଏ ପଟାଳି ପକାଇଲେ ବର୍ଷସାରା ଖାଇ ହେବ ।
  • ଖରାଦିନ ଶାଗ ପଟାଳି କରି ମଞ୍ଜି ସିଧାସଳଖ  ଚାଷ କରାଯାଏ  ।
  • ଏକର ପ୍ରତି 15 କି.ଗ୍ରା. ମଞ୍ଜି ଦରକାର ହୁଏ ।
  • ମଞ୍ଜିକୁ ବତୁରାଇ ପକାଇଲେ ଶୀଘ୍ର ଓ ଅଧିକ ଗଜା ହୁଏ ।
  • 40 ଦିନ ପରେ ପ୍ରଥମେ କଟା ଆରମ୍ଭ ହୁଏ ।
  • ବର୍ଷକୁ ଏକର ପିଛା 50 ରୁ 60 କୁଇଣ୍ଟାଲ ଶାଗ ମିଳେ

 

  1. ସଜନା ବା ମୁନଗା ଶାଗ ( Drumstick) Moringa oleifera

  • ସଜନା ଶାଗ ବହୁଳ ଭାବରେ ବ୍ୟବହୃଚ ହୁଏ । ବିଶେଷତଃ ଏହା ମୁଗଡ଼ାଲି ସହ ରନ୍ଧାଯାଏ । ସଜନା ଶାଗରେ ପ୍ରଚୁର ପରିମାଣରେ ଫସଫରସ୍ ଓ ଆଇରନ୍ ରହିଛି । ଏହା ବହୁତ ରୁଚିକର ଓ ସ୍ୱସ୍ଥ୍ୟ ପ୍ରଦାୟକ । ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ଔଷଧ କହିଲେ ଚଳିବ । ଏହାର ଚାଷ ପ୍ରଣାଳୀ ଖୁବ ସହଜ ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା