> ପୋଖରୀରେ ଅନାବନା ଘାସ ଦମନ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ପୋଖରୀରେ ଅନାବନା ଘାସ ଦମନ

ମାଛ ପୋଖରୀରେ ଦେଖାଯାଉଥିବା ଅନାବନା ଘାସ ଓ ଦଳ ପ୍ରଭୃତି ମାଛଚାଷରେ ଅନେକ ଅସୁବିଧା ସୃଷ୍ଟି କରିଥାନ୍ତି । ପୋଖରୀରେ ଘାସ ଓ ଦଳ ରହିବା ଯୋଗୁଁ ମାଛ ଉତ୍ପାଦନ କମିଯିବା ସହିତ ପରିବେଶ ପ୍ରଦୁଷଣ ଘଟିଥାଏ । ଅନେକ ସମୟରେ ଦଳ ହୋଇଯାଇଥିବା ସ୍ଥାନ ସନ୍ତସନ୍ତିଆ ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ ।

Pond cleaning

ମୁଖ୍ୟତଃ ଅନାବନା ଘାସକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା ।

କ) ଭାସମାନ ଘାସ

ଯେଉଁ ଘାସ ଗୁଡ଼ିକ ମାଟି ସହ ନଲାଗି ପାଣି ଉପରେ ଭାସି ବୁଲୁଥାଏ ସେଗୁଡ଼ିକୁ ଭାସମାନ ଘସ କୁହାଯାଏ । ଏଗୁଡ଼ିକ ମଧ୍ୟରେ ବିଲାତି ଦଳ, ଆଜୋଲା, ସାଲଭାନିଆ ଆଦି ପ୍ରଧାନ ।

ଖ) ଅର୍ଦ୍ଧଭାସମାନ ଘାସ

ଏହି ଧରଣର ଘାସ ଗୁଡ଼ିକର ଚେର ପୋଖରୀରେ ମାଟି ସହିତ ଲାଗିଥାଏ । କିନ୍ତୁ ସେଗୁଡ଼ିକର ପତ୍ର ଓ ଫଲ ଜଳ ଉପରେ ଭାସି ବୁଲୁଥାଏ । କଇଁ ଓ ପଦ୍ମ ଆଦି ଏହି ଶ୍ରେଣୀରେ ଅନ୍ତର୍ଗତ ।

ଗ) ବୁଡ଼ନ୍ତା ଘାସ

ଏଗୁଡ଼ିକ ପାଣି ଭିତରେ ବୁଡ଼ି ରହିଥାନ୍ତି । ଏଗୁଡ଼ିକର ମୂଳ ମାଟି ସହିତ ଲାଗିଥାଏ ବା ଏଗୁଡ଼ିକ ପାଣି ଭିତରେ ଭାସି ବୁଲନ୍ତି । ଚିଙ୍ଗୁଡ଼ିଆଦଳ, ଟ୍ୟାପ୍ ଘାସ ଆଦି ଏହି ଶ୍ରେଣୀର ଅନ୍ତର୍ଗତ ।

ଘ) ପାଣିକୂଳ ଘାସ

ଏହି ଘାସ ଗୁଡ଼ିକ ପାଣି ଧାର ପାଖରେ ବା ସନ୍ତସନ୍ତିଆ ଜାଗାରେ ଦେଖାଯାଆନ୍ତି । ପାଣି ମୁଖା, ଅମଲି, ବଣ ସାରୁ ଆଦି ଏହି ଶ୍ରେଣୀର ଅନ୍ତର୍ଗତ । ଏଗୁଡ଼ିକ ପାଣି କୂଳରେ ହୋଇଥିଲେ ମଧ୍ୟ ଅନେକ ସମୟରେ ପୋଖରୀ ଭିତରେ ମାଡ଼ିଯାଇଥାନ୍ତି ।

ଙ) ଶିଉଳି ଜାତୀୟ ଘାସ

ଏଗୁଡ଼ିକ ପୋଖରୀ ପାଣି ଉପରେ ବା ଅଳ୍ପ ପାଣିଥିଲେ ପୋଖରୀ ଭିତରେ ଦେଖାଯାଆନ୍ତି । ଏଗୁଡ଼ିକ ଯୋଗୁଁ ପୋଖରୀ ପାଣିର ରଙ୍ଗ ସବୁଜ, ନୀଳ-ସବୁଜ, ବାଦାମୀ, ଲାଲ-ବାଦାମୀ ଆଦି ହୋଇଥାଏ । ବିଭିନ୍ନ ପ୍ରକାରର ଶୈବାଳ ଏହି ଶ୍ରେଣୀର ଅନ୍ତର୍ଗତ ।


ଅଧିକ ଜାଣନ୍ତୁ


ଘାସ ଦମନର ଉପାୟ

ମୁଖ୍ୟତଃ ପାଞ୍ଚଟି ଉପାୟରେ ଅନାବନା ଘାସ ଦମନ କରାଯାଇପାରେ । ସେଗୁଡ଼ିକ ହେଲା – ଚାଷକରି, ହାତରେ ଉପାଡ଼ି, ଯନ୍ତ୍ର ବ୍ୟବହାର କରି, ଜୈବିକ ପଦ୍ଧତି ଏବଂ ରାସାୟନିକ ପଦ୍ଧତି ।

ଚାଷକରି

  • ଚାଷ ଦ୍ୱାରା ଅନାବନା ଘସ ନିୟନ୍ତ୍ରଣ କରିବାକୁ ହେଲେ ପୋଖରୀ କୂଳକୁ ହଳ କରିବାକୁ ହୁଏ ।
  • ଏଥି ସହ ପୋଖରୀ କୂଳକୁ ପଟୁମାଟି ବାହର କରି ଏହାକୁ ଗହୀର କରିବା ଉଚିତ୍ ।
  • ତାଛଡ଼ା ପୋଖରୀରେ ନୂଆ ଘାସ ପ୍ରବେଶକୁ ମଧ୍ୟ ରୋକାଯିବା ଆବଶ୍ୟକ ।

ହାତରେ ଉପାଡ଼ି ବା ଯନ୍ତ୍ର ବ୍ୟବହାର କରି

  • ପୋଖରୀ କୂଳର ଘାସକୁ ହାତରେ ଉପାଡ଼ି ବା ଦାଆରେ କାଟି ଦେଲେ ମଧ୍ୟ ଘସ ଦମନ ହୋଇଥାଏ । ଏହାଛଡ଼ା ବିଦା ଚଳାଇ ବା ରେକ୍ ୱିଡ଼ର ବ୍ୟବହାର କରି ମଧ୍ୟ ପୋଖରୀ କୂଳର ଘାସ ଦମନ କରାଯାଇପାରିବ ।
  • ଘାସ ଦମନ ପାଇଁ ବିଭିନ୍ନ ପ୍ରକାର ଘାସ କଟା ଯନ୍ତ୍ର ବ୍ୟବହାର କରାଯାଇଥାଏ । ଏହା ଦ୍ୱାରା ଘସ ମରିଯାଇଥାଏ । ଏ ସବୁ ଉପାୟ ବାରମ୍ୱାର ଅନୁସରଣ କଲେ ସମ୍ପୂର୍ଣ୍ଣ ଭାବେ ଘାସ ଦମନ କରାଯାଇପାରିବ । କିନ୍ତୁ ଏହା ବ୍ୟୟବହୁଳ ଓ ଶ୍ରମ ସାପେକ୍ଷ ଉପାୟ ଅଟେ ।

ଜୈବିକ ଉପାୟ

  • ଜୈବିକ ଉପାୟରେ ଘାସ ଦମନ କରିବା ସହଜ ଓ ଏଥିପାଇଁ ଅଳ୍ପ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ କି ପୋଖରୀରେ ଦେଖାଯାଉଥିବା ଘାସ ଖାଇଥାନ୍ତି । ଏମାନଙ୍କ ମଧ୍ୟରେ ମାଛ, ବତକ, କେତେକ କୀଟର ସାଂବାଳୁଆ ଆଦି ପ୍ରଧାନ ।
  • ଆଜିକାଲି ଗ୍ରୀନକାର୍ପ ଜାତୀୟ ମାଛ ଚାଷ କରି ପୋଖରୀରୁ ଅନାବନା ଘାସ ଦମନ କରାଯାଇ ପାରୁଛି । ଏହି ମାଛ ଅନେକ ପ୍ରକାରର ଭାସମାନ ଘାସକୁ ଖାଇ ଦେଇଥାନ୍ତି । ଅତି ବହଳିଆ ଘାସ ହୋଇଥିଲେ 300 ରୁ 500 ଗ୍ରାମ ଓଜନ ପର୍ଯ୍ୟନ୍ତ ଗ୍ରାସକାର୍ପ ଛାଡ଼ିବା ଉଚିତ । ଘାସ ପରିମାଣ ଓ କିସମ ଉପରେ ନିର୍ଭରକରି ମାଛର ପରିମାଣ ନିର୍ଣ୍ଣୟ କରାଯାଇଥାଏ ।

ଘାସ ଦମନ ପାଇଁ ରାସାୟନିକ ପଦ୍ଧତି

  • ଘାସ ଦମନ ପାଇଁ ରାସାୟନିକ ପଦ୍ଧତି ଅନୁସରଣ କଲେ ଅଧିକ ସଫଳତା ମିଳିଥାଏ ।
  • ବିଭିନ୍ନ ପ୍ରକାରର ଘସ ଦମନ କରିବାପାଇଁ ଭିନ୍ନ ଭିନ୍ନ ଔଷଧ ଆବଶ୍ୟକ ହୋଇଥାଏ । ତେଣୁ ଉପଯୁକ୍ତ ଭାବେ ଔଷଧ ନିର୍ଣ୍ଣୟ କରିବା ଉଚିତ । ଏ
  • ଥିପାଇଁ ଆମକୁ ଘାସର ପ୍ରକାର, ଉପଯୁକ୍ତ ଔଷଦ, ପ୍ରୟୋଗ ପରିମାଣ, ପ୍ରୟୋଗର ସମୟ ଆଦି ବିଷୟରେ ଜାଣିବାକୁ ପଡ଼ିବ ।

ବିଲାତି ଦଳ

ମାଛ ପୋଖରୀରେ ବିଲାତି ଦଳ ସବୁଠାରୁ କ୍ଷତିକାରକ ଘାସ । 2.4 ଡ଼ି ନାମକ ଔଷଧ ପ୍ରୟୋଗ କଲେ ବିଲାତି ଦଳକୁ ନଷ୍ଟ କରାଯାଇପାରିବ । ଦଳ ଛୋଟ ହୋଇଥିଲେ ହେକ୍ଟର ପିଚ୍ଛା 4 କିଲୋଗ୍ରାମ, ମଝାଳିଆ ହୋଇଥିଲେ ହେକ୍ଟର ପିଚ୍ଛା 6 କିଲୋଗ୍ରାମ ଓ ବଡ଼ ହୋଇଥିଲେ 10 କିଲୋଗ୍ରାମ ହିସାବରେ ପ୍ରୟୋଗ କରିବା ଉଚିତ । ଏହି ଔଷଧକୁ ଫୁଟ ପମ୍ପ ସ୍ପ୍ରେୟର ଦ୍ୱାରା ଦଳ ଉପରେ ସମାନ ଭାବେ ପ୍ରୟୋଗ କରିବା ଦରକାର । ଏଥିପାଇଁ ପୋଖରୀ ଉପରେ ଦୁଇଖଣ୍ଡ  ବାଉଁଶ ରଖି ତା ଉପରେ ଚାଲି ଚାଲି ସ୍ପ୍ରେ କରିବାକୁ ହୋଇଥାଏ । ଏକ ହେକ୍ଟର ଆକାରର ପୋଖରୀରେ ସ୍ପ୍ରେ କରିବା ପାଇଁ 400 ଲିଟର ପାଣି ଦରକାର ହୋଇଥାଏ । ଏଥିସହିତ ଶତକଡ଼ା 0.1 ଭାଗ ଡ଼ିଟରଜେଣ୍ଟ ପାଉଡ଼ର ମିଶାଇବା ଉଚିତ୍ । ସ୍ପ୍ରେ କରିବାର ତିନିମାସ ପରେ ଘାସ ଦମନ ହୋଇଥାଏ ।

ପିଷ୍ଟିଆ

ପିଷ୍ଟିଆ ନାମକ ଘାସ ଦମନ ପାଇଁ ହେକ୍ଟର ପିଛା ଦୁଇ ଲିଟର ଗ୍ରାମକସୋନକୁ 200 ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା ଦରକାର ।

ସାଲଭାନିଆ

ସାଲଭାନିଆ ଦମନ କରିବା ପାଇଁ ହେକ୍ଟର ପିଛା 5 ଲିଟର ହିସାବରେ ଗ୍ରାମକସୋନ ସ୍ପ୍ରେ କରିବା ଉଚିତ ।

କଇଁ, ପଦ୍ମ

ପୋଖରୀରେ କଇଁ, ପଦ୍ମ ଆଦି ଥିଲେ ଏହାକୁ ମାରିବା ପାଇଁ ହେକ୍ଟର ପିଛା 8 ରୁ 10 କିଲୋଗ୍ରାମ 2.4 -ଡ଼ି ଔଷଧ ପ୍ରୟୋଗ କରନ୍ତୁ। ଏହି ପରିମାଣର ଔଷଧକୁ 300 ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ । ଏଥିସହିତ ଶତକଡ଼ା 0.2 ଭାଗ ଲୁଗାଧୂଆ ପାଉଡ଼ର ମିଶାଇ ଦେବା ଉଚିତ ।

ପାଣିରେ ସମ୍ପୂର୍ଣ୍ଣ ବୁଡ଼ି ରହିଥିବା ଘାସ

ପାଣିରେ ସମ୍ପୂର୍ଣ୍ଣ ବୁଡ଼ି ରହିଥିବା ଘାସ ଦମନ ପାଇଁ ଆନହାଇଟ୍ ଆମୋନିଆ ବ୍ୟବହାର କରିବା ଉଚିତ୍ । ପୋଖରୀ କୂଳରେ ଦେଖାଯାଉଥିବା ଘାସ ଦମନ ପାଇଁ ହେକ୍ଟର ପିଛା ଆଠ କିଲୋଗ୍ରାମ 2.4-ଡ଼ି କୁ 200 ଲିଟର ପାଣିରେ ଗୋଳାଇ ସ୍ପ୍ରେ କରନ୍ତୁ । ମୁଥା ଦମନ ପାଇଁ ଏହି ଔଷଧକୁ ହେକ୍ଟର ପିଛା 10 କିଲୋଗ୍ରାମ ହିସାବରେ ପ୍ରୟୋଗ କରିବା ଆବଶ୍ୟକ ।

ଶୈବାଳ ଜାତୀଯ ଘାସ

ଶୈବାଳ ଜାତୀୟ କେତେକ ଘାସ ଦମନ ପାଇଁ ସିମାଜିନ୍ ବା ଡ଼ାଇୟୁରନ୍ ଔଷଧକୁ ପ୍ରତି ଲିଟର ପାଣିରେ ପିଚ୍ଛା 0.3 ରୁ 0.5 ମିଲିଗ୍ରାମ ହିସାବରେ ଗୋଳାଇ ସ୍ପ୍ରେ କରନ୍ତୁ । ଏହି ଔଷଧ ମାଛ ମାନଙ୍କର କୌଣସି କ୍ଷତି କରିନଥାଏ । କିନ୍ତୁ ଶୈବାଳ ମରିଯାଉଥିବାରୁ ଜଳରେ ଦ୍ରବୀଭୂତ ଅମ୍ଳଜାନ ପରିମାଣ କମିଯିବାର ସମ୍ଭାବନା ରହିଛି । ତେଣୁ ଏ ସମସ୍ୟାର ସମାଧାନ ପାଇଁ ପୋଖରୀର ପାଣିକୁ ଅମ୍ଳଜାନୀକରଣ କରିବା ଉଚିତ୍ ।

ଉପରୋକ୍ତ ଭାବେ ରାସାୟନିକ ପଦ୍ଧତି ଅନୁସରଣ କରାଯାଏ ତେବେ ପୋଖରୀରେ ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ମାରି ସାରିବା ପରେ ରହିଯାଉଥିବା ଅବଶିଷ୍ଟ ଘାସକୁ ବାହାର କରିଦେବା ଉଚିତ୍ । ଏହାପରେ ମାଛଚାଷ କରାଗଲେ ଜାଲପକାଇବା ତଥା ଅନ୍ୟାନ୍ୟ କାର୍ଯ୍ୟ ଦ୍ୱାରା ଘାସ ନିୟନ୍ତ୍ରଣ କରାଯାଇପାରିବ ।

ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ମତ୍ସ୍ୟ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା