> ମାଛମାନଙ୍କର ଜୀବଣୁ ଜନିତ ରୋଗ ଓ ତାର ପ୍ରତିକାର - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ମାଛମାନଙ୍କର ଜୀବଣୁ ଜନିତ ରୋଗ ଓ ତାର ପ୍ରତିକାର

ମାଛମାନଙ୍କ ରୋଗକୁ ଆମେ 3ଟି ପର୍ଯ୍ୟାୟରେ ଅନ୍ତର୍ଭୂକ୍ତ କରିପାରିବା ଯଥା-

1) ବିଭିନ୍ନ ପ୍ରକାର ପରାଗପୁଷ୍ଟ ଅଣୁଜୀବ ମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ରୋଗ

2). ପୋଖରୀ ଜଳର ଭୌତିକ, ରାସାୟନିକ, ଜୈବିକ ଗୁଣରେ ଏକକ ପରିବର୍ତ୍ତନ ବା ଏସବୁର ସାମୂହିକ ଅସ୍ୱାଭାବିକ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ରୋଗ ।

3). ଖାଦ୍ୟ ଅଭାବ ଜନିତ ରୋଗ

Fish Diseases
Fish Diseases

1) ବିଭିନ୍ନ ପ୍ରକାର ପରାଗପୁଷ୍ଟ ଅଣୁଜୀବ ମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ରୋଗ

ଏଠାରେ ଆମେ ଆଜି ମାଛମାନଙ୍କର ବିଭିନ୍ନ ପ୍ରକାର ପରାଗପୁଷ୍ଟ ଅଣୁଜୀବ ମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ରୋଗ ମାନଙ୍କ ସମନ୍ଧରେ ଜାଣିବା । ସେଗୁଡ଼ିକୁ ନିମ୍ନଲିଖିତ ଭାଗରେ ବିଭକ୍ତ କରାଯାଇଛି ।

କ). ଜୀବାଣୁ ଜନିତ ରୋଗ

ଖ). ଫିମ୍ପି ଜନିତ ରୋଗ

ଗ). ପ୍ରୋଟୋଜୋଆ ବା ଏକକୋଷୀ ଜୀବ ଜନିତ ରୋଗ

ଘ). କୃମି ଜନିତ ରୋଗ

ଙ). ଉକୁଣିଆ ରୋଗ

ଚ). ଭୂତାଣୁ ଜନିତ ରୋଗ

ଛ). କ୍ଷତରୋଗ (ବିଭିନ୍ନ ପ୍ରକାର ହାନିକାରକ ଜୀବାଣୁ, ଏକକୋଷୀ ଜୀବ, ଫିମ୍ପି ଏବଂ ଭୂତାଣୁ ମାନଙ୍କର ମିଳିତ ପ୍ରଭାବ ଯୋଗୁଁ ହୋଇଥାଏ )

ମାଛମାନଙ୍କର ଜୀବଣୁ ଜନିତ ରୋଗ

ବିଭିନ୍ନ ଜୀବାଣୁ ଜନିତ ମାଛ ରୋଗମାନଙ୍କ ମଧ୍ୟରୁ ସାଧାରଣତଃ 4 ଗୋଟି ରୋଗ ମୁଖ୍ୟ ଓ ମାରାତ୍ମକ ଅଟେ, ଯାହା ଉପଯୁକ୍ତ ସମୟରେ ଉପଚାର ନକଲେ, ଚାଷୀମାନଙ୍କର ପ୍ରଭୂତ କ୍ଷତି ଘଟାଇଥାଏ । ସେଗୁଡ଼ିକ ହେଲା

  • ମାଛର ପକ୍ଷ ଓ ଲାଞ୍ଜ ସଢ଼ାରୋଗ
  • ମାଛର ଘା’ ରୋଗ
  • ମାଛର ଜଳୋଦରୀ ରୋଗ
  • ମାଛର ଚକ୍ଷୁ ରୋଗ

କ) ମାଛର ପକ୍ଷ ଓ ଲାଞ୍ଜ ସଢ଼ାରୋଗ

ଲକ୍ଷଣ

ଏହି ରୋଗ ଉଭୟ ଛୋଟ ଓ ବଡ଼ ମାଛରେ ଦେଖାଦେଇଥାଏ । ପ୍ରଥମେ ଏକ ଧଳାଗାର ମାଛର ଡ଼େଣା ଓ ଲାଞ୍ଜର ଧାରେ ଧାରେ ଦେଖାଦିଏ ଓ ଠିକ୍ ସମୟରେ ଉପଚାର କରା ନଗଲେ ଏହା କ୍ରମଶଃ ପକ୍ଷ ଓ ଲାଞ୍ଜକୁ ବ୍ୟାପେ ପରେ ପକ୍ଷ ଏବଂ ଲାଞ୍ଜ ସଢିଯାଇ ଛିଣ୍ଡିଯାଏ ।

ପ୍ରତିକାର

200 ଲିଟର ପାଣିରେ 100 ଗ୍ରାମ ତୁତିଆ (କପର ସଲଫେଟ୍)ର ଦ୍ରବଣ ପ୍ରସ୍ତୁତ କରି ମାଛମାନଙ୍କୁ ସେଥିରେ 1-2 ମିନିଟ୍ ବୁଡ଼ାଇ ପୋଖରୀରେ ଛାଡ଼ିଲେ ଏହି ରୋଗ ଭଲ ହୁଏ ।

ଖ). ମାଛର ଘା’  ରୋଗ

ଲକ୍ଷଣ

ଧଳା ଛଉ ଓ ବେଲେବେଲେ ନାଲି ଛଉ ଭଳି ଚିହ୍ନ ମାଛ ଶରୀରରେ ଦେଖାଯାଏ ଓ କ୍ରମଶଃ ତାହା ଘା’ ଭଳି କ୍ଷତରେ ପରିଣତ ହୁଏ ।

ପ୍ରତିକାର

200 ଲିଟର ପାଣିରେ 100 ଗ୍ରାମ ତୁତିଆ (କପର ସଲଫେଟ୍)ମିଶାଇ ଦ୍ରବଣ ପ୍ରସ୍ତୁତ କରି, ସେଥିରେ ଆକ୍ରାନ୍ତ ମାଛଙ୍କୁ 1 ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିବାକୁ ପଡ଼ିଥାଏ । ଏଭଳି କ୍ରମାଗତ ଭାବେ 3-4 ଦିନ ପର୍ଯ୍ୟନ୍ତ ଏହି ଉପଚାର ଜାରି ରଖିଲେ, ମାଛଗୁଡ଼ିକ ରୋଗମୁଖ୍ତ ହୋଇଥାନ୍ତି ।

ଗ). ମାଛର ଜଳୋଦରୀ ରୋଗ

ଲକ୍ଷଣ

ଏହି ରୋଗରେ ଭାକୁର, ରୋହି, ମିରିକାଳୀ  ପ୍ରଭୁତି ମାଛର ପେଟ ଅସମ୍ଭବ ଭାବେ ଫୁଲିଯାଏ । ପେଟ ଚିପିଲେ ପାଣି ଫଳିଆ ରସ ମଳଦ୍ୱାର ଦେଇ ବାହାରିଆସେ । ମାଛ କାତି ଗୁଡ଼ିକ ମର୍ମରୁ ଉଠି ଠିଆ ହେଲାଭଳି ରହେ । ମାଛର ଆଖି ବେଙ୍ଗ ଆଖି ଭଳି ପଦାକୁ ବାହାରି ଆସେ ।

ପ୍ରତିକାର

ଏହି ରୋଗ ହେଲେ 1 ଗ୍ରାମ ପଟାସିୟମ ପରମାଙ୍ଗାନେଟକୁ 200 ଲିଟର ପାଣିରେ ମିଶାଇ ଦ୍ରବଣ ପ୍ରସ୍ତୁତି କରି ରୋଗିଣା ମାଛଗୁଡ଼ିକୁ 2 ମିନିଟ୍ ପାଇଁ ବୁଡ଼ାଇ ପୋଖରୀରେ ଛାଡ଼ିହା ଉଚିତ୍ । ଏହା ଛଡ଼ା ପୋଖରୀ ଜଳ ବିଶୋଧନ ନିମନ୍ତେ ଏକର ପିଛା ଏକ ମିଟର ଜଳ ଗଭୀରତା ପାଇଁ 50 ରୁ 80 କିଗ୍ରା ପର୍ଯ୍ୟନ୍ତ ଚୂନକୁ ରାତିସାରା ବତୁରାଇ ସକାଳେ ପ୍ରୟୋଗ କରାଯିବା ବିଧେୟ । ଏହି ରୋଗଦ୍ୱାରା ସବୁମାଛ ଆକ୍ରାନ୍ତ ନହୋଇ କମ୍ ସଖ୍ୟାରେ ମାଛ ରୋଗଗ୍ରସ୍ତ ହୋଇଥାନ୍ତି । ଏଣୁ ଏହି କମ୍ ସଂଖ୍ୟକ ମାଛଙ୍କୁ ଧରି ମାଟିରେ ପୋତି ନଷ୍ଟ କରିଦେବା ସବୁଠାରୁ ଭଲ ।

ଘ) ମାଛର ଚକ୍ଷୁ ରୋଗ

ଲକ୍ଷଣ

ଠିକ୍ ଶୀତ ପଡ଼ିବା ସମୟରେ ବା ଆଶ୍ୱିନ ମାସ ପ୍ରାରମ୍ଭରେ ଏହି ଚକ୍ଷୁରୋଗ ସାଧାରଣତଃ ମଧ୍ୟମରୁ ବଡ଼ ଆକାରରେ ଭାକୁର ମାଛଙ୍କୁ ସଂକ୍ରମଣ କରିଥାଏ । ଏହି ରୋଗ ଦ୍ୱାରା ମାଛର ଚକ୍ଷୁ ପିତୁଳି ସମ୍ପୂର୍ଣ୍ଣ ପଚିଯାଇ ମାଛ ଅନ୍ଧ ହୋଇଯାଏ । ଖାଦ୍ୟ ଗ୍ରହଣ କରେନାହିଁ । ସଂକ୍ରମଣର 24 ରୁ 48 ଘଣ୍ଟା ମଧ୍ୟରେ ସବୁ ଭାକୁର ମାଛ ଗୁଡ଼ିକ ମୃତ୍ୟୁମୁଖରେ ପଡ଼ନ୍ତି ।

ପ୍ରତିକାର

ଏହି ରୋଗ ଦେଖାଗଲେ 2 ଗ୍ରାମ କ୍ଲୋରୋମାଇସେଟିନ ଔଷଧକୁ 200 ଲିଟର ପାଣିରେ ଦ୍ରବଣ ପ୍ରସ୍ତୁତ କରି ଏଥିରେ ଆକ୍ରାନ୍ତ ମାଛଗୁଡ଼ିକୁ 1 ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିବା ଉଚିତ୍ । ଏହି ପରି ଲଗାତାର 2 ରୁ 3 ଦିନ ପର୍ଯ୍ୟନ୍ତ ଚିକିତ୍ସା କରାଗଲେ ମାଛର ଚକ୍ଷୁରୋଗ ଭଲ ହୋଇଥାଏ ।

ମାଛର ଫିମ୍ପିଜନିତ ରୋଗ

ବିଭିନ୍ନ ଅଣୁଜୀବ ଜନିତ ରୋଗ ମଧ୍ୟରେ ଫିମ୍ପି ଜନିତ ରୋଗ ଅନ୍ୟତମ । ତନ୍ମଧ୍ୟରୁ 2ଟି ରୋଗ ମୁଖ୍ୟ ଓ ମାରାତ୍ମକ ଅଟେ । ସେଗୁଡ଼ିକ ହେଲା ।

  • ମାଛର ଫିମ୍ପି ରୋଗ
  • ମାଛର ଗାଲିସି ପଚନ ରୋଗ

କ) ମାଛର ଫିମ୍ପି ରୋଗ

ଲକ୍ଷଣ

ମାଛର କାତି ଝଡ଼ିଯିବା ସଙ୍ଗେ ସଙ୍ଗେ ଚର୍ମ ବି ଶରୀର ଉପରୁ ଉଠି ଆସେ ଓ ପରେ ପରେ ଘା’ ମଧ୍ୟ ଶରୀରରେ ଦେଖାଯାଏ । ମାଛ ଦୃଷ୍ଟିଶକ୍ତି ହରାଏ । ମାଛର ଓଠ ବା ମାଢିରୁ ଚମଡ଼ା ବାହାରି ଆସେ ଏବଂ ଶୀରର ବିଭିନ୍ନ ସ୍ଥାନରେ ଗୁଚ୍ଛ ଗୁଚ୍ଛ ଆକାରରେ ଧଳା ଲୋମ ସବୁ ଦେଖାଯାଏ ।

ପ୍ରତିକାର

200 ଲିଟର ପାଣିରେ 20 ଗ୍ରାମ ମାଲାଚାଇଟ୍ ଗ୍ରୀନର ଦ୍ରବଣ ପ୍ରସ୍ତୁତ କରି ସେଥିରେ ରୋଗିଣା ମାଛଙ୍କୁ 3 ସେକେଣ୍ଡ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିବା ଉଚିତ୍ କିମ୍ବା 200 ଲିଟର ପାଣିରେ 600 ଗ୍ରାମ ସାଧାରଣ ଗୋଡ଼ା ଲୁଣା ଅଥବା 1 ଗ୍ରାମ ପଟାସିୟମ ପରମାଙ୍ଗାନେଟର ଦ୍ରବଣ କରି ସେଥିରେ ଆକ୍ରାନ୍ତ ମାଛଙ୍କୁ 5-10 ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିଲେ ରୋଗ ପ୍ରଶମିତ ହୋଇଥାଏ ।

ଖ). ମାଛର ଗାଲିସି ପବନ ରୋଗ

ଖରାଦିନେ ଯେତେବେଳେ ପୋଖରୀରେ ଜଳସ୍ତର କମିଯାଇ ଜୈବିକ ପଦାର୍ଥ ଅଧିକ ଜମିରହେ, ସେହି ସମୟରେ ମାଛମାନଙ୍କ ମଧ୍ୟରେ ଫିମ୍ପିଜନିତ ଗାଲିସି ପବନ ରୋଗ ବ୍ୟାପିଥାଏ ।

ଲକ୍ଷଣ

ଏହି ରୋଗଦ୍ୱାରା ମାଛଗୁଡ଼ିକର ଗାଲିସି ତନ୍ତୁଗୁଡ଼ିକ ପଚିଯାଇ ଧଳା ପଡ଼ିଯାଏ । ମାଛର ନିଃଶ୍ୱାସ ପ୍ରଶ୍ୱାସ ନେବା ବାଧାପ୍ରାପ୍ତ ହୁଏ । ଦିନରେ ସବୁ ସମୟରେ ମାଛ ଗୁଡ଼ିକ ପୋଖରୀ ଉପର ସ୍ତରରେ ପାକୁ ପାକୁ ହୋଇ ଭାସି ମୃତ୍ୟୁମୁଖରେ ପଡ଼ିଥାଆନ୍ତି ।

ପ୍ରତିକାର

ଏହି ରୋଗ ଦେଖାଦେଲେ ପ୍ରଦୂଷଣମୁକ୍ତ ଥଣ୍ଡା ନଳକୂପ ଜଳ ପୋଖରୀରେ ପୁରାଇବାକୁ ପଡ଼ିଥାଏ ଏବଂ ପୋଖରୀ ଜଳ ବିଶୋଧନ ପାଇଁ ଏକର ପିଛା 20-40 କି.ଗ୍ରା. ଅକସାଇଡ଼୍ ଚୂନ ବା କ୍ୱିକ ଲାଇମକୁ ପାଣିରେ 8 ରୁ 10 ଘଣ୍ଟା ବତୁରାଇ ପୋଖରୀରେ ପକାଇବାକୁ ପଡ଼ିଥାଏ । ଏହାଛଡ଼ା ଆକ୍ରାନ୍ତ ମାଛଗୁଡ଼ିକୁ 200 ଲିଟର ପାଣିରେ 1 କି.ଗ୍ରା. ସାଧାରଣ ଲୁଣ ବା 1 ଗ୍ରାମ ପଟାସିୟମ୍ ପରମାଙ୍ଗାନେଟର ଦ୍ରବଣ ପ୍ରସ୍ତୁତ କରି ସେଥିରେ 10 ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିଲେ ମାଛ ରୋଗମୁଖ୍ତ ହୋଇଥାନ୍ତି ।

ଏକକୋଷୀ ଜୀବ ଜନିତ ରୋଗ

ଏକକୋଷୀ ଜୀବମାନଙ୍କ ଦ୍ୱାରା ସୃଷ୍ଟି ରୋଗ ଗୁଡ଼ିକ ମଧ୍ୟରୁ ଧବଳ ଚିହ୍ନ ରୋଗ, ନୀଳଚର୍ମ ରୋଗ ଓ ବଥ ରୋଗ ପ୍ରଧାନ ଅଟେ ।

  • ମାଛର ଧବଳ ରୋଗ
  • ମାଛର ନୀଳ ଚର୍ମ ରୋଗ
  • ମାଛର ବଥ ରୋଗ

କ). ମାଛର ଧବଳ ରୋଗ

ଲକ୍ଷଣ

ଏହି ରୋଗରେ ମାଛଙ୍କ ଉପରେ 1 ମିଲିମିଟର ଚଉଡ଼ା ବିଶିଷ୍ଟ ଧଳା ଧଳା ଭତୁଡ଼ି ଭଳି ଚିହ୍ନ ଦେଖାଯାଇଥାଏ । ଏହା ହାତକୁ ଖଦଖଦଡ଼ିଆ ଲାଗେ ।

ପ୍ରତିକାର

ଏହି ରୋଗ ଦେଖାଦେଲେ 400 ଗ୍ରାମ ଗୋଡ଼ାଲୁଣ ବା ସାଧାରଣ ଲୁଣକୁ 200 ଲିଟର ପାଣିରେ ଦ୍ରବଣ ପ୍ରସ୍ତତ କରି ସେଥିରେ ରୋଗାକ୍ରାନ୍ତ ମାଛମାନଙ୍କୁ ଏକ ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ପାଣିରେ ଛାଡ଼ିବାକୁ ପଡ଼ିଥାଏ । ଏଭଳି ସପ୍ତାହେ ପର୍ଯ୍ୟନ୍ତ ଚିକିତ୍ସା କରାଗଲେ ମାଛ ରୋଗମୁକ୍ତ ହୋଇଥାନ୍ତି ।

ଖ). ମାଛର ନୀଳ ଚର୍ମ ରୋଗ

ଲକ୍ଷଣ- ଏହି ରୋଗ ଯୋଗୁଁ ଅତ୍ୟଧିକ ଲାଳଯୁକ୍ତ ହୋଇଥାନ୍ତି ଏବଂ ଲାଳର ରଙ୍ଗ ନୀଳବର୍ଣ୍ଣ ହୋଇଥାଏ ।

ପ୍ରତିକାର- ଏହି ନୀଳ ଚର୍ମରୋଗ ଦେଖାଦେଲେ 200 ଲିଟର ପାଣିରେ 600 ଗ୍ରାମ ସାଧାରଣ ଲୁଣ ଅଥବା 80 ମିଲିଲିଟର ଫାର୍ମାଲିନକୁ ମିଶାଇ ଦ୍ରବଣ ପ୍ରସ୍ତୁତ କରି ସେଥିରେ ରୋଗିଣା ମାଛଗୁଡ଼ିକୁ 10 ମିନିଟ୍ ଯାଏଁ ବୁଡାଇ ଛାଡ଼ିଲେ ସୁଫଳ ମିଳିଥାଏ ।

ଗ). ମାଛର ବଥ ରୋଗ

ଲକ୍ଷଣ

ଶରୀରରେ ବଡ଼ ବଡ଼ ଫୋଟକା ଭଳି ଚିହ୍ନ ଦେଖାଯାଏ । ଏହା ବେଳେ ବେଳେ କୁକୁଡା ଅଣ୍ଡା ପରି ମଧ୍ୟ ବଡ଼ ହୋଇଥାଏ ।

ପ୍ରତିକାର
  • 200 ଲିଟର ପାଣିରେ 600 ଗ୍ରାମ ସାଧାରଣ ଲୁଣ ଅଥବି 80 ମି.ଲି. ଫର୍ମାଲିନକୁ ମିଶାଇ ଦ୍ରବଣ ପ୍ରସ୍ତୁତ କରି ସେଥିରେ ରୋଗିଣା ମାଛଗୁଡ଼ିକୁ 10 ମିନିଟ୍ ବୁଡ଼ାଇ ପୋଖରୀରେ ଛାଡ଼ିଲେ, ମାଛର ଏହି ବଥ ରୋଗ ଭଲ ହୋଇଥାଏ ।
  • ପୋଖରୀରେ ଏହି ହାନିକାରକ ଏକକୋଷୀ ଜୀବମାନଙ୍କର ସଂଖ୍ୟ ନିୟନ୍ତ୍ରଣ ପାଇଁ ଏକର ପିଛି 20-40 କି.ଗ୍ରା. ଅକ୍ସାଇଡ଼୍ ଚୂନ ବା କ୍ୱିକ୍ ଲାଇମକୁ 8 ରୁ 10 ଘଣ୍ଟା ପାଣିରେ ବତୁରାଇ ପୋଖରୀରେ ପ୍ରୟୋଗ କରିବାକୁ ପଡ଼ିଥାଏ ।

ମାଛର କୃମି ଜନିତ ରୋଗ

ପୋଖରୀ ଚତୁଃପାର୍ଶ୍ୱରେ ଯଦି ବଡ଼ ବଡ଼ ଛାୟା ପଦାନକାରୀ ଗଛ ରହିଥାଏ, ତେବେ ସେଥିରେ ବଗ, ପାଣିକୁଆ ଆଦି ବସା ବାନ୍ଧି ରୁହନ୍ତି । ସେମାନଙ୍କ ମଳରେ ଏହିମାଛ ରୋଗ ସୃଷ୍ଟିକାରୀ କୃମିଗୁଡ଼ିକ ରହିଥାନ୍ତି । ଏଣୁ ପୋଖରିର ଚାରିପଟେ ଥିବା ଏଭଳି ଗଛଗୁଡ଼ିକୁ କାଟି ସଫା କରିଦେବା ସବୁଠାରୁ ଭଲ । ମାଛର କୃମି ଜନିତ ରୋଗ ଗୁଡ଼ିକ ମଧ୍ୟରୁ ଚର୍ମ ଓ ଗାଲିସି ରୋଗ ଏବଂ କଳାଦାଗ ରୋଗ ମୁଖ୍ୟ ଅଟେ ।

  • ମାଛର କୃମି ଜନିତ ଚର୍ମ ଓ ଗାଲିସି ରୋଗ
  • ମାଛର କୃମି ଜନିତ କଳାଦାଗ ରୋଗ

କ). ମାଛର କୃମି ଜନିତ ଚର୍ମ ଓ ଗାଲିସି ରୋଗ

ଲକ୍ଷଣ

ମାଛର କୃମିଜନିତ ଚର୍ମ ଓ ଗାଲିସି ରୋଗ ଏବଂ ଡ଼ାଲୋଗାଈରସ୍ ନାମକ କୃମି ଦ୍ୱାରା ବ୍ୟାପିଥାଏ । ଏମାନେ ମାଛର ଚର୍ମକୁ ଏବଂ ଗାଲିସିରେ ଥିବା ରକ୍ତପ୍ରବାହୀ ନାଳୀରୁ ରକ୍ତ ଶୋଷି ଖାଇଥାନ୍ତି । ମାଛ ସ୍ୱାଭାବିକ ରଙ୍ଗ ହରାଇ ଶ୍ୱେତା ପଡ଼ିଯାଏ । ଶରୀରରୁ କାତି ଝଡ଼ି ପଡ଼େ । ମାଛର ଲାଞ୍ଜ ପାଖ ଓ ପକ୍ଷ ଗୁଡ଼ିକ ଅଧିକ ଲାଳଯୁକ୍ତ ହେବା ସହ୍ଗେ ସହ୍ଗେ ଗାଲିସିରୁ ମଧ୍ୟ ଅତ୍ୟଧିକ ଲାଳ ନିର୍ଗତ ହୋଇଥାଏ । ମାଛ ପୋଖରୀ ହୁଡ଼ାକୁ ଆସି ଘସି ହୋଇଥାନ୍ତି ।

ପ୍ରତିକାର

ଏହି ରୋଗ ନିରାକରଣ ପାଇଁ 200 ଲିଟର ପାଣିରେ 1 କି.ଗ୍ରା. ଲୁଣ କିମ୍ବା 40 ମିଲିମିଚର ଫର୍ମାଲିନ୍ ନେଇ ଦ୍ରବଣ ପ୍ରତ୍ତୁତ କରି ସେଥିରେ ଆକ୍ରାନ୍ତ ମାଛଙ୍କୁ 5 ମିନିଚ୍ ପର୍ଯ୍ୟନ୍ତ ବୁଡ଼ାଇ ପୋଖରୀରେ ଛାଡ଼ିବାକୁ ପଡିଥାଏ ।

ଖ). ମାଛର କୃମି ଜନିତ କଳାଦାଗ ରୋଗ

ଲକ୍ଷଣ

ଏହି ରୋଗ ଡ଼ିପ୍ଲୋଷ୍ଟୋମମ୍ କିମ୍ବା ଜଡିପ୍ଲୋଷ୍ଟୋମୁଲମ୍ ନାମକ କୃମିଦ୍ବାରା ମାଛ ଦେହରେ 1.3 ମିଲିମିଟର ଆକାର ବିଶିଷ୍ଟ ଛୋଟ ଛୋଟ ଭାତୁଡ଼ି ଭଳି କଳାଦାଗ ସୃଷ୍ଟି ହୋଇଥାଏ ।

ପ୍ରତିକାର

ଏହି ରୋଗ ନିରାକାରଣ ପାଇଁ 6 ମି.ଲି. ପାଇକ୍ରିକ୍ ଏସିଡ଼କୁ 200 ଲିଟର ପାଣିରେ ଦ୍ରବଣ ପ୍ରସ୍ତୁତି କରି ସେଥିରେ ରୋଗାକ୍ରାନ୍ତ ମାଛକୁ 1 ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖି ପୋଖରୀରେ ଛାଡ଼ିବାକୁ ପଡ଼ିଥାଏ ।

ମାଛର ଉଙ୍କୁଣିଆ ରୋଗ

ମାଛ ଏକ ଶୀତଳ ରକ୍ତଯୁକ୍ତ ଜୀବ । ଅର୍ଥାତ ଅନ୍ୟ ସ୍ଥଳଚର ପ୍ରାଣୀମାନଙ୍କ ଭଳି ସେମାନଙ୍କର ଶରୀର ଉତ୍ତାପ ସଦାସର୍ବଦା ନିର୍ଦ୍ଦିଷ୍ଟ ସମାନ ହୋଇ ରୁହେ ନାହିଁ ବରଂ ଏହା ଜଳର ପରିବେଶ ଉତ୍ତାପ ସହ ସିଧାସଳଖ ନିର୍ଭରଶୀଳ ଅଟେ ।  ବାହ୍ୟ ପରିବେଶରେ ଉତ୍ତାପ କମ ବେଶୀ ହେଲେ ସେମାନଙ୍କ ଶୀରର ଉତ୍ତାପ ମଧ୍ୟ ଅନୁରୂପ ଭାବେ କମ୍ ବେଶୀ ହୋଇଥାଏ । ଶୀତଦିନେ ଜଳର ଉତ୍ତାପ କମି ଯାଉଥିବାରୁ ସେମାନଙ୍କ ଶୀର ଉତ୍ତାପ ମଧ୍ୟ କମିଯାଏ । ସେମାନେ ଆଉ ଆଗଭଳି ଚଳଚଞ୍ଚଳ ନ ରହି ଅଳସୁଆ ହୋଇଯାଆନ୍ତି । ଦୈନନ୍ଦିନ ଶାରୀରିକ କ୍ରିୟା ଯଥେଷ୍ଟ ଭାବେ ହେଉ ନଥିବାରୁ ସେମାନଙ୍କୁ ଆଉ ଭୋକ ହୁଏ ନାହିଁ ।

ପ୍ରାୟତଃ ଖାଦ୍ୟ ଗ୍ରହଣ ନକରି ପୁଷ୍ଟିହୀନତାର ଶିକାର ହୋଇଥାନ୍ତି । ଏହି ସମୟରେ ଏକ ସନ୍ଧିପଦ ଜାତୀୟ ପରଜୀବୀ ଉକୁଣୀ ଆର୍ଗୁଲାସ୍ ଦ୍ୱାରା ଏମାନେ ସହଜରେ ଆକ୍ରାନ୍ତ ହୋଇଥାନ୍ତି । ଏହାକୁ ମାଛର ଉକୁଣିଆ ରୋଗ ବା ଆର୍ଗୁଲୋସିସ୍ ବୋଲି କୁହାଯାଏ ।

ଲକ୍ଷଣ
  • ଚାଷ ଉପଯୋଗୀ ସମସ୍ତ କାର୍ପଜାତୀୟ ମାଛମାନଙ୍କଠାରେ ଏହି ରୋଗ ହେଉଥିଲେ ହେଁ ସିଲଭରକାର୍ପ ଏବଂ ରୋହିମାଛଙ୍କ ଠାରେ ଏହା ଅପେକ୍ଷାକୃତ ଅଧିକ ଦେଖାଯାଏ ।
  • ଛୋଟ ଆକାରର ମାଛଙ୍କଠାରୁ ବଡ଼ ଆକାରର ପ୍ରଜନନକ୍ଷମ ମାଛ ଏହି ରୋଗରେ ବଶୀ ଆକ୍ରାନ୍ତ ହୋଇଥାନ୍ତି ।
  • ମାଛ ଉକୁଣି ଗୁଡିକ ମାଛର କାତି ତଳେ ଏହି ଚର୍ମରୁ ରକ୍ତ ଶୋଷି ଖାଇଥାନ୍ତି । ଏହାଦ୍ୱାରା ମାଛ ଅତ୍ୟନ୍ତ ଭାବେ ରକ୍ତହୀନତା ଏବଂ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଥାଏ ।
  • ରକ୍ତଶୋଷଣ ସମୟରେ ଉକୁଣିର ଲାଳରୁ ଏକ ପ୍ରକାର ବିଷାକ୍ତ ପଦାର୍ଥ ବାହାରି ମାଛ ଶରୀରକୁ ପ୍ରବେଶ କରିଥାଏ । ଏହାଦ୍ୱାରା ମାଛଙ୍କୁ କୁଣ୍ଡାଇ ହୁଏ ଏବଂ ଆକ୍ରାନ୍ତ ସ୍ଥାନଟି ଫୁଲି ଅଧିକ ଲାଳଯୁକ୍ତ ଲାଲରଙଗର ଚକଡ଼ା ଚକଡ଼ା ଦାଗ ଗୁଡ଼ିକ ଦେଖାଯାଇଥାଏ ।
  • ମାଛଗୁଡ଼ିକ ବେଳେ ବେଳେ ଚକ୍ରାକାର ପାଣି ଉପରେ ପହଁରିଥାନ୍ତି ଏବଂ ପୋଖରୀ କୂଳକୁ ଆସି ହୁଡ଼ା ବା ତୁଠ ପଥର ଇତ୍ୟାଦି କଠିନ ବସ୍ତୁ ଦେହରେ ଘସି ହୋଇଥାନ୍ତି । ଘଷି ହେବା ଦ୍ୱାରା ଆକ୍ରାନ୍ତ ସ୍ଥାନରୁ କାତି ଝଡ଼ିଯାଇ କ୍ଷତ ବା ଘା’ ସୃଷ୍ଟି ହୋଇଥାଏ । ଦ୍ୱିତୀୟ ପର୍ଯ୍ୟାୟରେ ଏହି କ୍ଷତ ସ୍ଥାନରେ ଜୀବାଣୁ, ଫିମ୍ପି ଓ ଏକକୋଷୀ ପରଜୀବୀ ପ୍ରଭୃତି ସଂକ୍ରମଣ କରି ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଥାନ୍ତି ଏବଂ ମାଛମାନଙ୍କ ସମୂହ ମୃତ୍ୟୁ ସଂଘଠିତ ହୋଇଥାଏ ।
ମାଛ ଉକୁଣୀ ବିଷୟରେ କେତୋଟି ଜାଣିବା କଥା

ମାଛ ଉକୁଣି ବା ଆର୍ଗୁଲସକୁ ସାଧାରଣ ଭାବେ ଖାଲି ଆଖିରେ ଦେଖିହୁଏ । ଏଗୁଡିକ ଧଳା ରଙ୍ଗର ହୋଇଥିବା ସହ ଏମନଙ୍କ ପିଠି ପଟ ଏକ ଟାଣ ଖୋଳପା ଦ୍ୱାରା ଆବୃତ ଅଟେ । ଏହାର ଚାରିହଳ ସନ୍ଧିପଦ ରହିଥିବା ସହ ରକ୍ତ ଶୋଷି ଖାଇବା ପାଇଁ ଏକ ହଳ ମୁନିଆଁ ଶୁଣ୍ଢ ରହିଛି । ଏହା ଦ୍ୱାରା ଚମଡ଼ାକୁ ଫୋଡ଼ି ରକ୍ତ ଖାଇ ପେଟ ପୁରିଗଲା ପରେ ଉକୁଣୀଟି ମାଛ ଶରୀରରେ ଆଉ ଲାଗି ନରହି ଜଳରେ ମୁକ୍ତ ଭାବରେ ବୁଲେ । ତେଣୁ ଆର୍ଗୁଲସକୁ ମାଛ ଶୀରୀରରୁ ଅଲଗା କରିଦେଲେ ମାଛଟି ରୋଗମୁକ୍ତ ହେଲା ବୋଲି କହାଯାଇପାରିବ ନାହିଁ । କାରଣ ଜଳରେ ମୁକ୍ତ ଭାବରେ ପହଁରି ବୁଲୁଥିବା ଆର୍ଗୁଲସ୍ ପରବର୍ତ୍ତୀ ପର୍ଯ୍ୟାୟରେ ପୁନର୍ବାର ମାଛଙ୍କୁ ଆକ୍ରମଣ କରିଥାଏ ।

ଏହି ରୋଗର ନିରାକରଣ ନିମନ୍ତେ ଉଦ୍ଦିଷ୍ଟ ଔଷଧକୁ ଜଳଜ ପରିବେଶରେ ସିଧାସଳଖ ପ୍ରୟୋଗ କରାଯିବା ଉଚିତ୍ । ପ୍ରଜନନକ୍ଷମ ମାଈ ଉକୁଣି ଗୁଡ଼ିକ ପାଣିରେ ବୁଡ଼ି ରହୁଥିବା ପଥର, କାଠଖଣ୍ଡ ଗୁଡ଼ିକରେ ଡ଼ିମ୍ୱ ଦେଇଥାନ୍ତି । ମାଈ ଉକୁଣିଟି ଡ଼ିମ୍ୱ ଦେଲାପରେ ମରିଯାଇଥାଏ । ଡ଼ିମ୍ୱ ଗୁଡ଼ିକରୁ ତିରିଶ ଦିନ ପରେ ଛୁଆ ଫୁଟି ବାହାରି ଥାଆନ୍ତି । ଏହି ଛୁଆଗୁଡ଼ିକ 4 ରୁ 5 ଥର ଖୋଳପା ଛଡ଼ାଇ ବା ମୋଲଟିଂ କରି ବଢିଲା ପରେ ମାଛଙ୍କୁ ସଂକ୍ରମଣ କରି ରକ୍ତ ଶୋଷି ଖାଇବାକୁ ସକ୍ଷମ ହୋଇଥାଆନ୍ତି ।

ପ୍ରତିକାର ବ୍ୟବସ୍ଥା
  • ଏହି ରୋଗର ସ୍ୱଳ୍ପ ମୂଲ୍ୟରେ ନିରାକରଣ ପାଇଁ ପୋଖରୀରେ ଏକର ମିଟର ପିଛା 40 ମିଲି 10 ଶତାଂଶ ସାଇପରମେଥ୍ରିନ କୀଟନାଶକ – ଯାହା ବଜାରରେ ଶକ୍ତି-10, ଇସ୍ପାଦ-10, ରିପକଡ଼-10, ନାଗସାଇପର-10, ସୁପର କିଲର-10, ପ୍ରଭୃତି ନାମରେ ଉପଲବ୍ଧ, ତାକୁ ଅନ୍ୟୁନ 100 ଲିଟର ବା 10 ବାଲଟି ପାଣିରେ ମିଶାଇ ପୋଖରୀର ସର୍ବତ୍ର ଜଳରେ ପ୍ରୟୋଗ କରାଯାଇଥାଏ ।
  • ଏହି ପ୍ରୟୋଗ ବେଳେ ସର୍ବଦା କେବଳ ପ୍ଲାଷ୍ଟିକ ବାଲଟି ଓ ପ୍ଲାଷ୍ଟିକ ମଗ୍ ବ୍ୟବହାର କରିଯିବା ଉଚିତ୍ । ଏହି ପ୍ରୟୋଗ ମାତ୍ରାକୁ ଆଉ ଦୁଇଥର 7 ଦିନ ଅନ୍ତରରେ ପୋଖରୀରେ କରିବା ବିଧେୟ ।
ପ୍ରତିଷେଧକ ବ୍ୟବସ୍ଥା
  • ଚାଷ ପୋଖରୀରେ ମାଛ ବାରମ୍ବାର ଆରଗୁଲୋସିସ୍ ରୋଗରେ ଆକ୍ରାନ୍ତ ହେଉଥିଲେ ଖରାଦିନେ ପୋଖରୀରୁ ଜଳ ସମ୍ପୂର୍ଣ୍ଣ ଭାବେ ନିଷ୍କାସନ କରି ଟାଣ ଖରାରେ 15 ରୁ 20 ଦିନ ଶୁଖାଇ ଦେବା ଉଚିତ୍ ।
  • ପୋଖରୀ ଭିତରେ ଥିବା ବଡ଼ ପଥର ଖଣ୍ଡ, କାଠ ଗଣ୍ଡି ପ୍ରଭୃତିକୁ ବାହାର କରି ଦିଅନ୍ତୁ । ଅନ୍ୟଥା ଏହା ମାଛଧରା ସମୟରେ ଜାଲ ଟଣାରେ ଅବରୋଧ ସୃଷ୍ଟି କରିବା ସହ ମାଛ ଉକୁଣି ଗୁଡ଼ିକ ଅଣ୍ଡା ଦେବା ପାଇଁ ଏକ ପ୍ରକୃଷ୍ଟ ସ୍ଥଳ ଭାବରେ କାର୍ଯ୍ୟ କରିଥାଏ ।
  • ଯାଆଁଳ ଛଡାଯିବା ପୂର୍ବରୁ ପୋଖରୀ ଜଳରେ ଏକର – ମିଟର ପିଛା 100 କି.ଗ୍ରା. ଚୂନ ପ୍ରୟୋଗ କରନ୍ତୁ ।
  • ବଡ଼ ବା ମୁଣ୍ଡ ଯାଆଁଳ ପୋଖରୀରେ ଛଡ଼ାଯିବା ସମୟରେ ଗୋଟିଏ ପ୍ଲାଷ୍ଟିକ ବାଲଟି ପାଣି ବା 10 ଲିଟର ପାଣିରେ 2 ଗ୍ରାମ ପଟାସିୟମ ପରମାଙ୍ଗାନେଟ୍କୁ ମିଶାଇ ଦ୍ରବଣ ପ୍ରସ୍ତୁତ କରି ଏମାନଙ୍କ ଉପରେ ଭଲ ଭାବରେ ଗାଧୋଇ ଦେଲା ଭଲି ପକାଇ ପୋଖରୀରେ ଛଡ଼ାଯିବା ବିଧେୟ ।
  • ପୋଖରୀର ବିଭିନ୍ନ ସ୍ଥାନରେ ଖାଦ୍ୟମୁଣା ଝୁଲାଇବା ପାଇଁ ମୋଟା ବାଉଁଶ ଖମ୍ବ ସବୁ ପୋତାଗଲେ ପ୍ରାଥମିକ ସଂକ୍ରମଣ ଅବସ୍ଥାରେ ମାଛ ଏଗୁଡ଼ିକରେ ଘସି ହୋଇ ନିଜକୁ ଆରଗୁଲସ୍ ଠାରୁ ମୁକ୍ତ ରଖିଥାଏ ।
  • ମାସିକ କିସ୍ତିରେ ଖତସାର ପ୍ରୟୋଗ 7 ଦିନ ପୂର୍ବରୁ ପୋଖରୀରେ ଏକର -ମିଟର ପିଛି 20 ରୁ 30 କି.ଗ୍ରା. ଚୂନ ପ୍ରୟୋଗ କରନ୍ତୁ ।
  • ଶୀତଦିନେ ଅତ୍ୟଧିକ ମାତ୍ରାରେ ଜୈବିକ ଖତ ଯଥା- କଞ୍ଚା ଗୋବର ପ୍ରୟୋଗ କରାଯିବା ଅନୁଚିତ୍ । ମାଛ ଚାଷରେ ଯାଆଁଳ ଛଡ଼ାଯିବା ପରଠାରୁ ମାଛ ଅମଳ କରାଗଲା ପର୍ଯ୍ୟନ୍ତ ମାଛଙ୍କୁ ନୀରୋଗ ରଖାଯାଇ ପାରିଲେ ଆଶାନୁରୂପ ଉତ୍ପାଦନ ପାଇ ଚାଷୀଟିଏ ଲାଭବାନ ହୋଇପାରିବ । ଏଥିପାଇଁ ପୋଖରୀ ପରିଚାଳନା ସମୟରେ ସଦାସର୍ବଦା ମାଛମାନଙ୍କର ଗତିବିଧି ଓ ବ୍ୟବହାରକୁ ନିରୀକ୍ଷଣ କରିବାକୁ ହେବ । ଏଥିରେ କୌଣସି ଅସ୍ୱାଭାବିକତା ପରିଲକ୍ଷିତ ହେଲେ ତୁରନ୍ତ ଫିଙ୍ଗାଜାଲ ପକାଇ କିଛି ନମୁନା ମାଛଙ୍କୁ ଧରି ରୋଗ ଲକ୍ଷଣକୁ ଦେଖି ନିଶ୍ଚିତ ହେଲାପରେ ଠିକଣା ସମୟରେ କମ୍ ଖର୍ଚ୍ଚରେ ନିଦାନ ବ୍ୟବସ୍ଥା କରିହେବ । ଅନ୍ୟଥା ପରବର୍ତ୍ତୀ ପର୍ଯ୍ୟାୟରେ ମାଛମାନଙ୍କ ସମୂହ ରୋଗ ସଂକ୍ରମଣକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହେବା ସଙ୍ଗେ ସଙ୍ଗେ ବ୍ୟୟସାପେଷ ମଧ୍ୟ ହେବ ।

ଅଧିକ ଜାଣନ୍ତୁ


ମାଛ ମହାମାରୀ କ୍ଷତ ରୋଗ

ଏହି ରୋଗ ପ୍ରଥମେ ପୋଖରୀରେ ପଙ୍କ ସ୍ତରରେ ବାସ କରିଥିବା ଶିଙ୍ଗି, ଚେଙ୍ଗ, ଗଡ଼ିଶା, ଶେଉଳ, ମାଗୁର ପ୍ରଭୃତି ଦେଶୀମାଛଙ୍କୁ ସଂକ୍ରମଣ କରିଥାଏ । ଏଣୁ ମାଛଚାଷ ପୋଖରୀରେ ଏହି ମାଛ ଗୁଡ଼ିକୁ ନ ରଖିବା ଭଲ । ପରେ ଏହି କ୍ଷତ ରୋଗ ଚାଷ ଉପଯୋଗୀ ଭାକୁର, ରୋହି, ମିରିକାଳି ପ୍ରଭୃତିଙ୍କ ମଧ୍ୟରେ ବ୍ୟାପିଥାଏ ।

ଲକ୍ଷଣ

ଏହି କ୍ଷତ ରୋଗ ହେବା ଦ୍ୱାରା ମାଛର ପୃଷ୍ଠଭାଗ ଏବଂ କଟିଦେଶ ବା ଲାଞ୍ଜ ଉପରକୁ ଗଭୀର କ୍ଷତଯୁକ୍ତ ଘା’ ସୃଷ୍ଟିହେବା ସଙ୍ଗେ ସଙ୍ଗେ ମାଛର ଡ଼େଣା ବା ପକ୍ଷ ଏବଂ ଲାଞ୍ଜ ଛିଣ୍ଡି ଲାଲ୍ ରଙ୍ଗର କ୍ଷତ ସୃଷ୍ଟି ହୋଇଥାଏ । ମାଛ ଖାଦ୍ୟ ଗ୍ରହଣ କରେ ନାହିଁ ଏବଂ ଖୁବ୍ ଅଳ୍ପ ଦିନର ମଧ୍ୟରେ ପୋଖରୀରେ ସବୁ ମାଛ ମୃତ୍ୟୁମୁଖରେ ପଡ଼ନ୍ତି ।

ପ୍ରତିକାର

ଏହି ରୋଗ ଦେଖାଦେଲେ, ତୁରନ୍ତ ଏକର ପିଛା ଏକ ମିଟର ଜଳ ଗଭୀରତା ପାଇଁ 400 ମିଲି ସିଫାକ୍ସ ଔଷଧକୁ 100 ଲିଟର ବା 10 ବାଲଟି ପାଣିରେ ମିଶାଇ ପୋଖରୀରେ ସର୍ବତ୍ର ଜଳରେ ପ୍ରୟୋଗ କରାଯାଇଥାଏ ।  ଏହି ପ୍ରୟୋଗ କରିବା ବେଳେ ସର୍ବଦା କେବଳ ପ୍ଲାଷ୍ଟି ବାଲଟି ଏବଂ ମଗ୍ ବ୍ୟବହାର କରାଯିବା ଉଚିତ ।

ସୂଚନା ସଂଗୃହୀତ- ଦୂର ଶିକ୍ଷା କାର୍ଯ୍ୟକ୍ରମ, ଓୟୁଏଟି, ଭୁବନେଶ୍ୱର ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା