> ମଧୁର ଜଳ ମାଛରୋଗର ଲକ୍ଷଣ ଓ କାରଣ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ମଧୁର ଜଳ ମାଛରୋଗର ଲକ୍ଷଣ ଓ କାରଣ

ମଧୁର ଜଳରେ ମାଛ ଚାଷ କରିବା ପୂର୍ବରୁ ମାଛରୋଗର ଲକ୍ଷଣ ଓ କାରଣ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ ।  ଅନ୍ୟାନ୍ୟ ଜଳଜୀବ ପରି ମାଛରେ ମଧ୍ୟ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ସ୍ଥଳ ବିଶେଷରେ ଓ ସମୟ ସମୟରେ ଏହା ଖୁବ୍ ଗୁରୁତର ହୋଇ ମାଛଚାଷର ବିଶେଷ କ୍ଷତି ଘଟାଇଥାଏ । ମାଛ ଚାଷକୁ ଲାଭଜନକ କରିବାକୁ ହେଲେ ମାଛର ରୋଗ ସମ୍ବନ୍ଧୀରେ ସମ୍ୟକ ଜ୍ଞାନ ଆହରଣ କରିବାକୁ ପଡ଼ିଥାଏ । ମାଛକୁ କେଉଁ ପରିସ୍ଥିତିରେ ରୋଗ ହୋଇଥାଏ, କାହାଦ୍ୱାରା ହୋଇଥାଏ, କେଉଁ ପ୍ରକାର ହୋଇଥାଏ, ଏହାର ଲକ୍ଷଣ କଣ ତାର ପ୍ରତିକାର କିପରି ହେବ ଇତ୍ୟାଦି ବିଷୟରେ କିଛି ଜାଣିବା ଦରକାର

Fish disease sign and symptoms
Fish disease sign and symptoms

କ) ମାଛକୁ କେଉଁ ପରିସ୍ଥିତିରେ ରୋଗ ହୋଇଥାଏ ।

ମାଛର ମୁଖ୍ୟତଃ ନିମ୍ନଲିଖିତ କାରଣରୁ ରୋଗ ହୋଇଥାଏ ।

  • ପୂର୍ବରୁ ରୋଗାକ୍ରାନ୍ତ ହୋଇଥିବା ଯାଆଁଳ ପୋଖରୀରେ ଛାଡ଼ିଲେ ।
  • ମାଛଚାଷରେ ବ୍ୟବହୃତ ଉପକରଣ ଯଥା ଜାଲ, ବାଲଟି ଇତ୍ୟାଦି ପୂର୍ବରୁ କୌଣସି ରୋଗାକ୍ରାନ୍ତ ମାଛ ପୋଖରୀରେ ବ୍ୟବହାର କରି ପୁଣି ମାଛ ପୋଖରୀରେ ବ୍ୟବହାର କଲେ ।
  • ପୋଖରୀର ଜଳର ପରିମାଣ ଓ ଗୁଣକୁ ବିଚାର ନ କରି ଅଧିକ ସଂଖ୍ୟାରେ ଯାଆଁଳ ଛାଡ଼ିଲେ ।
  • ମାଛମାନେ ଉଚିତ ପରିମାଣରେ ଓ ଉନ୍ନମାନର ପ୍ରାକୃତିକ ଖାଦ୍ୟ ଖାଇବାକୁ ପାଇ ନପାରିଲେ କିମ୍ବା ମାଛକୁ ଉଚିତ ପରିମାଣର କୃତ୍ରିମ ଖାଦ୍ୟ ଯୋଗାଇ ଦିଆ ନଗଲେ ।
  • ମାଛ ପୋଖରୀରେ ଦୁର୍ଗନ୍ଧ, ନାଳୀ, ନର୍ଦ୍ଦମା ପାଣି ପଶୁଥିଲେ ।
  • ମାଛ ପୋଖରୀରେ ଆବଶ୍ୟକ ପରିମାଣରୁ ଅଧିକ ଜୈବ ଅଥବ ରାସାୟନିକ ସାର ପ୍ରୟୋଗ କରୁଥିଲେ ।
  • ମାଛ ପୋଖରୀ ଜଳରେ ଉତ୍ତାପ, ଅମ୍ଳଜାନ, ଅଙ୍ଗାରକାମ୍ଳ, ଅମ୍ଲତ୍ୱ, କ୍ଷାରତ୍ୱକୁ ଓ ଜଳସ୍ତର ଅସ୍ୱାଭାବିକ ପରିବର୍ତ୍ତନ ହେଲେ ।

ମାଛ ଶୀରରେ ଯେ ପର୍ଯ୍ୟନ୍ତ ପ୍ରତିରୋଧକ ଶକ୍ତି ଯଥେଷ୍ଟ ଥାଏ, ସେ ପର୍ଯ୍ୟନ୍ତ ରୋଗ ଜାତ କରୁଥିବା ଜୀବାଣୁ ରୋଗ ସୃଷ୍ଟି କରି ପାରିବାରେ ଅସମର୍ଥ ହୋଇଥାନ୍ତି । ମାତ୍ର ଯେଉଁ ମୁହୂର୍ତ୍ତରେ ଖାଦ୍ୟାଭାବା ବା ପ୍ରତିକୂଳ ପରିବେଶ ଯୋଗୁ ମାଛର ଶରୀର ଦୁର୍ବଳ ହୋଇପଡ଼େ ଓ ଏହି ପ୍ରତିରୋଧକ ଶକ୍ତି କମିଆସେ ସେହି ମୁହୂର୍ତ୍ତରେ ଜୀବାଣୁମାନେ ମାଛ ଶରୀରରେ ପ୍ରବେଶ କରି ରୋଗ ସୃଷ୍ଟି କରିଥାନ୍ତି ।

ଖ) ପୋଖରୀରେ ମାଛ ରୋଗ ନେଇ କିପରି ସନ୍ଦେହ କରାଯାଏ ।

  • କାର୍ପମାଛ ଗୁଡ଼ିକ ରୋଗାକ୍ରାନ୍ତ ହୋଇ ପଡ଼ିଲେ ଦୁର୍ବଳ ହୋଇ ପଡ଼ନ୍ତି । ଖାଦ୍ୟ ଖାଇବାରେ ଅନିଚ୍ଛା ପ୍ରକାଶ କରିଥାନ୍ତି । ବହୁଗୁଡ଼ିଏ ମାଛ ଯଦି ଏକ ସମୟରେ ରୋଗାକ୍ରାନ୍ତ ହୋଇପଡ଼ନ୍ତି, ତେବେ ଦିଆ ହୋଇଥିବା କୃତ୍ରିମ ଖାଦ୍ୟ ବଳକା ହୋଇ ରହିଥାଏ । ତେଣୁ ଯଦି ଆଗରୁ ଏହି ଦଆହୋଇଥିବା ଖାଦ୍ୟ ଶେଷ ହୋଇ ଯାଇଥିବ ଓ ପରେ ସେହି ଖାଦ୍ୟ ଅବ୍ୟବହୃତ ହୋଇ ରହୁଥିବ ତେବେ ମାଛମାନଙ୍କୁ ରୋଗ ହେଉଥିବା ସନ୍ଦେହ କରାଯାଏ । ଏହି ବଳକା ଖାଦ୍ୟ ସମୟରେ ଅତ୍ୟଧିକ ଉତ୍ତାପ ବା କମ୍ ଉତ୍ତାପ ନେଇ ମଧ୍ୟ ହୋଇଥାଏ । ଏଣୁ ଏହି ସନ୍ଦେହ ସମୟରେ ଏହାକୁ ମଧ୍ୟ ବିଚାରକୁ ନିଆଯାଏ ।
  • ଏହା ବ୍ୟତୀତ ମାଛର ଗାଲିସି ଆକ୍ରାନ୍ତ ହୋଇଥିଲେ ମାଛ ଅଣନିଶ୍ୱାସୀ ହୋଇ ପାଣି ଉପରକୁ ଆସି ମୁହଁ ଓ ଗାଲିସିକୁ ଓସାରିଆ କରି ନିଶ୍ୱାସ ପ୍ରଶ୍ୱାସ କରୁଥାଏ । ଏଗୁଡ଼ିକ ସମୟ ସମୟରେ ଗତିହୀନ ହୋଇ ରହିଥାନ୍ତି ଓ ଅନେକ ସମୟରେ ଦିଗଶୂନ୍ୟ ହୋଇ ପହଁରି ବୁଲୁଥାନ୍ତି । ଏମାନଙ୍କୁ ଗୋଡ଼ି ଫିଙ୍ଗିଲେ ବା ଶବ୍ଦ କଲେ ମଧ୍ୟ ଚଞ୍ଚଳ ହୋଇ ପାଣି ଭିତରକୁ ଚାଲିଯାନ୍ତି ନାହିଁ ।
  • ମାଛ ଦେହରେ ଉଙ୍କୁଣୀ, ପୋକ ଆଦି ଲାଗିଥିଲେ ସମାନେ ଘସି ହେବା ପାଇଁ ପୋଖରୀରେ ଯଦି ବାଉଁଶ, ଡ଼ାଙ୍ଗ ବା ସେପରି କୌଣସି ବସ୍ତୁ ଥାଏ ତା ପାଖକୁ ଆସି ଘସି ହେଉଥାନ୍ତି ।
  • ପୋଖରୀରେ ମାଛମାନଙ୍କର ଶରୀରରେ କଳା କିମ୍ବା ଧୂସର ନୀଳରଙ୍ଗ ଓ ମେରୁଦଣ୍ଡ ହାଡ଼ ବଙ୍କା ହୋଇଥିଲେ ମଧ୍ୟ ରୋଗ ନେଇ ସନ୍ଦେହ କରାଯାଇଥାଏ । ସନ୍ଦେହ ସମୟରେ ପୋଖରୀ ପାଣିରେ ଯଦି ମରି ଭାସୁଥାଏ କିମ୍ବା ଫିଙ୍ଗା ଜାଲ ଦ୍ୱାରା ମଛ ଧରି ଯଦି ମାଛମାନଙ୍କରେ ଘା, ବ୍ରଣ, ଫୋଟକା, ଗାଲିସି ପଚା, ପକ୍ଷପଚା ଆଦି କିଛି ଦେଖାଯାଏ ଏହି ସନ୍ଦେହ ଦୃଢୀଭୂତ ହୋଇଥାଏ । ଏହାର ପ୍ରତିକାର ପାଇଁ ଆଶୁ ପଦକ୍ଷେପ ନେବା ଉଚିତ୍ ।
  • ମାଛରେ କୌଣସି ମହାମାରୀ ରୋଗ ହୋଇଥିଲେ ଓ ଏହାର ପ୍ରତିକାର ପାଇଁ ଅଳ୍ପ କିଛି ବିଳମ୍ବ ହେଲେ ବହୁତ ମାଛ ମରିଯାନ୍ତି ।

ଗ). ମାଛର ରୋଗ ଓ ତାର ନିରାକରଣ

ମଛଚାଷକୁ ଫଳପ୍ରଦ ଓ ଲାଭଜନକ କରିବାକୁ ହେଲେ ପ୍ରତ୍ୟେକ ମାଛଚାଷୀଙ୍କୁ ମାଛର ବିଭିନ୍ନ ରୋଗ, ତାର କାରଣ, ପ୍ରତିଷେଧକ ଏବଂ ପ୍ରତିକାର ବ୍ୟବସ୍ଥା ସମ୍ୱନ୍ଧରେ ନିଶ୍ଚିତ ଭାବେ ଅବଗତ ହେବାକୁ ପଡ଼ିବ ।

କ). ଦୂଷିତ ଜଳ ପରିବେଶ ଯଥା- ଦଳପୂର୍ଣ୍ଣ ପୋଖରୀ ହୁଡ଼ାରେ ଥିବା ଛାୟା ପ୍ରଦାନ କାରୀ ବଡ଼ ବଡ଼ ବୃକ୍ଷରାଜି, ନାଳ ନର୍ଦ୍ଦମା ବା ଆବର୍ଜନାମୟ ପାଣି ପୋଖରୀ ମଧ୍ୟକୁ ନିଷ୍କାସିତ ପ୍ରଭୃତି ।

ଖ). ଆବଶ୍ୟକ ପରିମାଣଠାରୁ ଅଧିକ ଜୈବିକ ଖତ, ରାସାୟନିକ ସାର ଏବଂ କୃତ୍ରିମ ମାଛଖାଦ୍ୟର ପ୍ରୟୋଗ ।

ଗ). ମାଛର ପୁଷ୍ଟିକର ଖାଦ୍ୟାଭାବ ।

ଘ). ପୋଖରୀରେ ଆବଶ୍ୟକ ପରିମାଣଠାରୁ ଅଧିକ ଯାଆଁଳ ଛଡ଼ାଯିବା ।

ଙ). ଦୁର୍ବଳ ବା ରୋଗୀଣା ମାଛ ଯାଆଁଳ ବ୍ୟବହାର ।

ଚ). ସଂକ୍ରାମଣଯୁକ୍ତ ଉପକରଣ ଯଥା- ଜାଲ, ହାପା, ବାଲଟି ପ୍ରଭୃତିର ବ୍ୟବହାର ।

ଛ). ପୋଖରୀ ଜଳର ଭୌତିକ ଗୁଣ (ଜଳସ୍ତର, ଜଳ ଉତ୍ତାପ), ରାସାୟନିକ ଗୁଣ (ଦ୍ରବୀଭୂତ ଅମ୍ଳଜାନ /ଅଙ୍ଗାରକାମ୍ଳ /କ୍ଷାରତ୍ୱ ଇତ୍ୟାଦି) ଏବଂ  ଜୈବିକ ଗୁଣ (ଜଳରେ ପ୍ରାଣୀ/ଉଦ୍ଭିଦ ଜାତୀୟ ପ୍ଲବକ ବା ମାଛର ପ୍ରାକୃତିକ ଖାଦ୍ୟର ପରିମାଣ) ପ୍ରଭୃତି ହଠାତ୍ କମ୍ ବେଶୀ ହେଲେ ବା ଏଥିରେ ଅସ୍ୱାଭାବିକ ପରିବର୍ତ୍ତନ ଘଟିଲେ ମାଛ ପାରିପାର୍ଶ୍ୱିକ ଚାପର ବଶବର୍ତ୍ତୀ ହୋଇ ଦୁର୍ବଳ ହୋଇପଡ଼େ ଏବଂ ସହଜରେ ରୋଗଗ୍ରସ୍ତ ହୋଇଥାଏ ।


ଅଧିକ ଜାଣନ୍ତୁ


ଘ). ମାଛ ରୋଗର ପ୍ରାରମ୍ଭିକ ଲକ୍ଷଣ

ବିଭିନ୍ନ ପ୍ରକାର ରୋଗର ଭିନ୍ନ ଭିନ୍ନ ଲକ୍ଷଣ ଥାଏ । ତେବେ ଯେ କୌଣସି ରୋଗ ଆକ୍ରମଣ କଲେ ମାଛମାନଙ୍କ ମଧ୍ୟରେ କିଛି ପ୍ରାରମ୍ଭିକ ଲକ୍ଷଣ ପରିଲକ୍ଷିତ ହୁଏ । ଏହି ସମୟରେ ଚାଷୀ ଯଦି ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରେ ତେବେ ସ୍ୱଳ୍ପଖର୍ଚ୍ଚରେ ମାଛକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ସମ୍ଭବ ହୋଇପାରିବ । ପୋଖରୀରେ ମାଛ ରୋଗର ପ୍ରାରମ୍ଭିକ ଲକ୍ଷଣମାନ ହେଲା –

1). ମାଛ ଭାରସାମ୍ୟ ହରାଇ ପହଁରିବା ବେଳେ ଗୋଟିଏ ପାଖକୁ ଢଳିଲା ଭଳି ଦିଶେ ।

2). ମାଛ ଇତସ୍ତତ ଭାବେ ପାଣି ଉପରିଭାଗରେ ଚକ୍ରାକାରରେ ପହଁରିଥାଏ କିମ୍ବା କୂଳକୁ ଆସି ହୁଡ଼ା ବା କଠିନ ବସ୍ତୁ ଦେହରେ ଘସି ହୋଇଥାଏ । ଏହି ସମୟରେ କେହିମାଛକୁ ହୁରୁଡେଇ ଦେଲେ ବି କ୍ଷୀପ୍ର ବେଗରେ ଯାଇପାରେ ନାହିଁ ଏବଂ ଆସ୍ତେ ଆସ୍ତେ ପୋଖରୀର ତଳଭାଗକୁ ମୃତବତ୍ ପଡ଼ିରହେ ।

3). ମାଛର ପକ୍ଷ ଏବଂ ଲାଞ୍ଜ ସ୍ୱାଭାବିକ ଭାବେ କାମ କରେନାହିଁ ।

4). ମାଛ ତାର ଉଜ୍ଜ୍ୱଳତା ହରାଏ ଏବଂ ରଙ୍ଗ ଫିକା ପଡ଼ିଯାଏ ।

5). ମାଛର ଗାଲିସି ତାର ସ୍ୱାଭାବିକ ଗାଢ ଲାଲ ରଙ୍ଗ ହରାଇ ଧୂସର ଦିଶେ ।

6). ମାଛ ହାତକୁ ଅଧିକ ଲାଳୁଆ ଲାଗେ ।

7). ମାଛ ସହଜରେ ଫିଙ୍ଗା ଜାଲରେ ଧରାପଡ଼େ ଏବଂ ଖସିଯିବାକୁ ଚେଷ୍ଟାକରେ ନାହିଁ ।

8). ରୋଗୀଣା ମାଛ ତାର କ୍ଷୁଧା ଶକ୍ତି ହରାଇ ବସେ । ତେଣୁ ଯେଉଁ ଚାଷୀଭାଇମାନେ ପ୍ରତ୍ୟକ୍ଷ ଚାଷ ପୋଖରୀରେ ଖାଦ୍ୟମୁଣା ବା ପାଉଁଶ ପଲା ସାହାଯ୍ୟରେ କୃତ୍ରିମ ଖାଦ୍ୟ ମାଛଙ୍କୁ ଖାଇବାକୁ ଦେଉଥିବେ ସେମାନେ ଦେଖିବେ ଯେ, ଆଗକୁ ଯେତିକି ଖାଦ୍ୟ ଦେଲେ ସୁସ୍ଥ ମାଛମାନେ ସବୁ ଖାଇ ଦେଉଥିଲେ, ସେତିକି ମାଛ ରୋଗୀଣା ମାଛ ଖାଇ ପାରିବେନି ଓ ହଠାତ୍ ଖାଦ୍ୟ ବଳକା ରହିଯିବ ।

9). ଅସୁସ୍ଥ ମାଛ ନିଜର ଆଖିଡ଼ୋଳାକୁ ନିଜ ଆୟତ୍ତରେ ସଞ୍ଚାଳନ କରି ପାରେ ନାହିଁ । ଯଦି ମାଛକୁ ଚକ୍ରାକାରରେ ଥରେ ବୁଲାଇ ଦିଆଯାଏ, ତେବେ ତାର ଆଖି ଡ଼ୋଳା ମଧ୍ୟ ଶରୀର ସଙ୍ଗେ ତଳେ ତାଳ ଦେଇ ବୁଲିଯିବ, ଯାହା ପ୍ରାୟ ସୁସ୍ଥ ମାଛ କ୍ଷେତ୍ରରେ ଦେଖାଯାଇନଥାଏ ।

ସୂଚନା ସଂଗୃହୀତ- ଦୂର ଶିକ୍ଷା କାର୍ଯ୍ୟକ୍ରମ, ଓୟୁଏଟି, ଭୁବନେଶ୍ୱର ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା