> ମହୁମାଛିମାନଙ୍କର ଶତ୍ରୁ ଓ ତାର ପରିଚାଳନା - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ମହୁମାଛିମାନଙ୍କର ଶତ୍ରୁ ଓ ତାର ପରିଚାଳନା

ପ୍ରତ୍ୟେକ ଜୀବଙ୍କ ପରି ମହୁମାଛିମାନଙ୍କର ମଧ୍ୟ ଅନେକ ଶତ୍ରୁ ରହିଛି ଯାହାର ଆକ୍ରମଣ ଫଳରେ ମହୁମାଛି ଦଳକୁ କ୍ଷତି ପହଞ୍ଚିଥାଏ । ଏହି ଶତ୍ରୁମାନଙ୍କ ମଧ୍ୟରୁ ମୁଖ୍ୟ ଶତ୍ରୁ ଗୁଡ଼ିକ ହେଲା

  1. ମହମ ଶଲଭ
  2. ଅଷ୍ଟପଦୀ
  3. ବିରୁଡ଼ି
  4. ଏଦତ୍ ବ୍ୟତୀତ ପିମ୍ପୁଡ଼ି, ଏଣ୍ଡୁଅ, ବେଙ୍ଗ, ଝିଟିପିଟି, ଚଢେଇ ଓ ଭାଲୁ ମଧ୍ୟ ମହୁମାଛିର କ୍ଷତି କରିଥାନ୍ତି ।

Enemy of Honey bee

ତେବେ ଏହାର ସଠିକ ପରିଚାଳନା ଦ୍ୱାରା ସବଳ ଦଳ ଓ ପରିଷ୍କାର ପରିଚ୍ଛନତା ବଜାୟ ରଖିଲେ ଶତ୍ରୁ ଦାଉରୁ ମହୁମାଛିମାନଙ୍କୁ ରକ୍ଷା କରାଯାଇପାରେ ।

1). ମହମ ଶଲଭ (Wax moth)

  • ମହମ ଶଲଭ ଏକ ରାତ୍ରିଚର ପ୍ରଜାତି, ଦେଖିବାକୁ ପାଉଁଶିଆ ବର୍ଣ୍ଣର ଏବଂ ଆକରରେ ଛୋଟ (10 ରୁ 18 ମିଲିମିଟର) ।
  • ଏହା ମହୁମାଛିର ପ୍ରଧାନ ଶତୃ ଭାବେ ପରିଗଣିତ ।
  • ଏହି ଶଲଭ ରାତିରେ ମହୁମାଛି ବାକ୍ସର ସମ୍ମୁଖ ଦ୍ୱାର ଦେଇ ପ୍ରବେଶ କରି ବାକ୍ସର କାଠ ଯୋଡ଼େଇ ସନ୍ଧିମାନଙ୍କରେ କିମ୍ବା ତଳପଟା ଉପରେ ଅଣ୍ଡାଦେଇ ଫେରିଆସେ । ଏହି ଅଣ୍ଡା ଖୁବ୍ କ୍ଷୁଦ୍ର ହୋଇଥିବାରୁ ସହଜରେ ଜଣାପଡ଼େନାହିଁ । ଅଣ୍ଡାଫୁଟି ଛୋଟ ଶୁକ ଗୁଡ଼ିକ (ସାଁବାଳୁଆ) ବାହାରି ପ୍ରଥମେ ତଳପଟା ଉପରେ ପଡ଼ିଥିବା ମହମ ଗୁଣ୍ଡ ବା ଖଣ୍ଡଗୁଡ଼ିକୁ ଖାଇ ବଢିଥାନ୍ତି । ପରେ ସେମାନେ ମହୁମାଛି ନଥିବା ଅନାଚ୍ଛାଦିତ ଫେଣାକୁ ପଶି ସୁଡଙ୍ଗ ସଦୃଶ ବସା ତିଆରି କରି ସେଥିରେ ରହି ଫେଣାରୁ ମହମ ଖାଆନ୍ତି ।
  • ମହମ ଶଲଭରେ ଶୁକ ବସା ବାନ୍ଧି ଥିବା ଫେଣା ଗୁଡ଼ିକ ବୁଢିଆଣି ବସା ଭଳି ଧଳାରଙ୍ଗର ସୂକ୍ଷ୍ମ ଜାଲିକା ଦ୍ୱାରା ଆବୃତ ହେବାର ଦେଖାଯାଏ ।
  • ଏମାନଙ୍କ ସଂଖ୍ୟା ବଢିଲେ ନିକଟବର୍ତ୍ତୀ ଫେଣାକୁ ଖାଆନ୍ତି ।
  • ଏଭଳି 3 ରୁ 4 ଟି ଫେଣା ମହୁବାକ୍ସରେ ଆକ୍ରାନ୍ତ ହେଲେ ମହୁମାଛିମାନେ ଉକ୍ତ ବସା (ବାକ୍ସ) ଛାଡ଼ି ଅନ୍ୟତ୍ର ଚାଲିଯାଆନ୍ତି ।
  • ପୁରୁଣା ଏବଂ କଳା ପଡ଼ିଥିବା ମହୁଫେଣା ଗୁଡ଼ିକୁ ଏମାନେ ଅଧିକ ଆକର୍ଷିତ ହୋଇଥାନ୍ତି ।
  • ସାଧାରଣତଃ ଜୁନରୁ ଅକ୍ଟୋବର ମାସ ମଧ୍ୟରେ ଏମାନେ ବେଶୀ ଆକ୍ରମଣ କରିଥାନ୍ତି ।

ପରିଚାଳନା

  • ନୂଆ ମହୁମାଛି ଫେଣାକୁ ମହମ ଶଲଭ ସାଧାରଣତଃ ଆକ୍ରମଣ କରନ୍ତି ନାହିଁ । ତେଣୁ ବସନ୍ତଋତୁ ପୂର୍ବରୁ ପୁରୁଣା ଫେଣାଗୁଡ଼ିକ କାଟି ନୂତନ ମହୁଫେଣା ଗଢାଇଦେବା ଉଚିତ୍ ।
  • ଦୁଇ ବା ଅଧିକ ଦୁର୍ବଳ ମହୁମାଛି ଦଳକୁ ଏକାଠି କରି ସବଳ ଦଳ ସୃଷ୍ଟି କରିବା ଆବଶ୍ୟକ ।
  • ବର୍ଷାରୁ ଶୀତଦିନ ମଧ୍ୟରେ ସାଧାରଣତଃ ମହୁମାଛିମାନଙ୍କ ପାଇଁ ଖାଦ୍ୟାଭାବ ଦେଖାଯାଇଥାଏ । ଏହି ସମୟରେ କୃତ୍ରିମ ଖାଦ୍ୟ (ଚିନିଶିରା) ଯୋଗାଇଦେଲେ ମହୁମାଛି ଦଳ ସବଳ ହୋଇଥାନ୍ତି ।
  • ଆକ୍ରାନ୍ତ ମହୁଫେଣା ଏବଂ କଳା ପଡ଼ିଥିବା ପୁରୁଣା ମହୁଫେଣାଗୁଡ଼ିକୁ ବାହାର କରି ନଷ୍ଟ କରିଦେବା ଉଚିତ୍ ।
  • ପରିଷ୍କାର ପରିଚ୍ଛନ୍ନତା ଜାରି ରହିଲେ ମହମ ଶଲଭ ବାକ୍ସକୁ ଆସେ ନାହିଁ । ପ୍ରତି 7 ରୁ 15 ଦିନ ବ୍ୟବଧାନରେ ତଳପଟା ଏବଂ ତାକୁ ଲାଗିଥିବା ଶାବକ କକ୍ଷର ନିମ୍ନାଂଶକୁ ଝାଡ଼ି ପରିଷ୍କାର କରିବା ଉଚିତ । ତଳପଟାକୁ ଗରମ ପାଣିରେ ଧୋଇ କିମ୍ବା ଖରାରେ ଶୁଖାଇଦେଲେ ମହମ ଶଲଭର ବିଭିନ୍ନ ଅବସ୍ଥା (ଅଣ୍ଡା, ଶୁକ ଆଦି) ନଷ୍ଟ ହୋଇଯାଆନ୍ତି ।

2) ଅଷ୍ଟପଦୀ

ମହୁମାଛିମାନଙ୍କୁ ସାଧାରଣତଃ ତିନିପ୍ରକାର ଅଷ୍ଟପଦୀ ପୋକ ବେଶୀ ଆକ୍ରମଣ କରିବାର ଦେଖାଯାଏ । ଯଥା- ଆକାରାପିସ୍ ଉଡ଼ି (Acarapis woodi), ଟ୍ରପିଲାଏଲୋପସକ୍ଲାରେ(Tropilaelaps clareae) ଏବଂ ଭାରୋଆ ଜାକୋବସନି (Varroa jacobsoni) । ମହୁମାଛି ଦଳ ବଢିବା ସଙ୍ଗେ ସଙ୍ଗେ (ସାଧାରଣତଃ ଶରତ ଏବଂ ବସନ୍ତ ଋତୁରେ ଯେତେବେଳେ ପ୍ରଚୁର ଖାଦ୍ୟ ମିଳଇଥାଏ) ଅଷ୍ଟପଦୀ ପୋକ ଆକ୍ରମଣ ଲକ୍ଷ୍ୟ କରାଯାଇଥାଏ ।

  • ଆକାରାପିସ୍ ଉଡ଼ି କିସମ ଅଷ୍ଟପଦୀ ସାଧାରଣତଃ କମ୍ ବୟସରେ (3 ରୁ 4 ଦିନର) କର୍ମୀ ମହୁମାଛିମାନଙ୍କୁ ଆକ୍ରମଣ କରିଥାନ୍ତି ।
  • ଏହି ଅଷ୍ଟପଦୀ ଗୁଡ଼ିକ ପୁରୁଷ ମହୁମାଛିମାନଙ୍କ ଦ୍ୱାରା ଗୋଟିଏ ଦଳରୁ ଅନ୍ୟ ଦଳକୁ ସଂକ୍ରମିତ ହୋଇଥାଏ । ବେଳେବେଳେ ଗୋଟିଏ ଦଳର ମହୁମାଛି ଅନ୍ୟ ଦଳରୁ ଖାଦ୍ୟାଭାବ ବେଳେ ମହୁ ଚୋରୀ କରିବା ପାଇଁ ଅନ୍ୟ ଦଳକୁ ପ୍ରବେଶ କଲାବେଳେ ଏହି ଅଷ୍ଟପଦୀ ମାନଙ୍କୁ ସେଠାରେ ପହଞ୍ଚାଇ ଥାଆନ୍ତି । ଏହି ଅଷ୍ଟପଦୀ ଦ୍ୱାରା ସୃଷ୍ଟି ହେଉଥିବା ରୋଗକୁ ଆକାରିନ୍ (Acarine) ରୋଗ କହନ୍ତି । 1956 ମସିହାରେ ପଞ୍ଜାବ ରାଜ୍ୟରେ ଏହି ରୋଗ ପ୍ରଥମେ ଦେଖା ଦେଇଥିଲା ।
  • ଅଷ୍ଟପଦୀ ଗୁଡ଼ିକ ଖୁବ୍ ଛୋଟ ହୋଇଥିବାରୁ ଖାଲି ଆଖିକୁ ଦେଖାଯା୍ଆନ୍ତି ନାହିଁ । ଏହି ଅଷ୍ଟପଦୀ ଗୁଡ଼ିକ ମହୁମାଛି ମାନଙ୍କ ଶ୍ୱାସନଳୀ ବାଟେ ପ୍ରବେଶ କରନ୍ତି ଏବଂ ମହୁମାଛିଙ୍କର ପ୍ରଥମ କୋଡ଼ା ଶ୍ୱାସନଳୀରେ ରହି ନିଜର ସଂଖ୍ୟା ବୃଦ୍ଧି କରିଥାନ୍ତି । ଫଳରେ ମହୁମାଛି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥାଏ ।
  • ପ୍ରାଥମିକ ରୋଗାଗ୍ରସ୍ତ ଅବସ୍ଥାରେ ମହୁମାଛିମାନଙ୍କ ଉଭୟ ପଟ ଆଗଡ଼େଣା ଓ ପଛ ଡେଣା ଅଲଗା ହୋଇ ଇଂରାଜୀ କେ (K) ଅକ୍ଷର ଭଳି ଦେଖାଯାଏ । ଫଳରେ ମହୁମାଛି ଉଡ଼ି ନ ପାରି ବାକ୍ସ ଭିତରେ ଉପରପଟା ଉପରେ, ଫ୍ରେମ୍ ଉପରେ କିମ୍ବା ବାକ୍ସ ଦ୍ୱାରଦେଶରେ ରୁଣ୍ଡ ହୋଇ ଘୁଷୁରି ଘୁଷୁରି ଚାଲୁଥିବାର ଦେଖାଯାଏ ।
  • ଏହି ରୋଗ ମାସ ମାସ ଧରି ଲାଗିଲେ ଏବଂ ଅନେକ ସଂଖ୍ୟରେ ମହୁମାଛି ମରିଯିବା ପରେ ଦଳ ଦୁର୍ବଳ ହୋଇଯାଏ । ବେଳେ ବେଳେ ମହୁମାଛିଙ୍କ ସଂଖ୍ୟା କମିଗଲା ପରେ ଏହି ରୋଗ ଛାଡ଼ି ଯିବାର ଲକ୍ଷ୍ୟ କରାଯାଏ ।

ପରିଚାଳନା

  • ଗୋଟିଏ ମହୁଫେଣା ପ୍ରତି 1 ଗ୍ରାମ ହିସାବରେ ସଲଫର (Sulphur) ବା ଗନ୍ଧକ ନଡ଼ିଆ କତା ନିଆଁରେ ଜାଳି ସପ୍ତାହକୁ ଥରେ ପ୍ରୟୋଗ (ମୋଟ 6 ରୁ 7 ଥର) କଲେ ଏହି ପୋକ ଛାଡ଼ି ଯାଆନ୍ତି ବା ମରିଯାଆନ୍ତି । ଅନ୍ୟଥା ଫଲବେକ୍ସ ପଟି (Folbex) କୁ ନିଆଁରେ ଜାଳି ଲିଭିବା ପରେ ବାୟୁରୁଦ୍ଧ ବାକ୍ସରେ 30 ମିନିଟ୍ ପର୍ଯ୍ୟନ୍ତ 7 ଦିନ ଅନ୍ତରରେ 6 ରୁ 7 ଥର ପ୍ରୟୋଗ କଲେ ଏହି ଅଷ୍ଟପଦୀ ନିୟନ୍ତ୍ରିତ ହୋଇଥାଏ । ଫଲବେକ୍ସ ପଟି ବଦଳରେ ମେନ୍ଥଲ (Menthol) 300 ମିଲିଗ୍ରାମକୁ ମେଥିଲେଟେଡ଼୍ ସ୍ପିରିଟ୍ (Methylated spirit) ଦ୍ୱାରା ମିଶାଇ ତୁଳା କିମ୍ବା ବ୍ଲଟିଂ କାଗଜ ଭିଜାଇବା ପରେ ତାହାକୁ ଫଲବେକ୍ସ ପ୍ରୟୋଗ ଭଳି ପ୍ରୟୋଗ କଲେ ଆକାରିନ୍ ରୋଗ ମଧ୍ୟ ଭଲ ହୋଇଥାଏ ।
  • ଶତକଡ଼ା 85 ଭାଗ ଫରମିକ୍ ଅମ୍ଲ (85 % Formic acid) ରୁ 5 ମିଲି ତୁଳା କିମ୍ବା କପଡ଼ାରେ ଭିଜାଇ ଲମ୍ବା କାଠି ସାହାଯ୍ୟରେ ମହୁବାକ୍ସ ମଧ୍ୟରେ ରଖି ଦିଆଯାଏ । ଏହିପରି 21 ଦିନ ପର୍ଯ୍ୟନ୍ତ ପ୍ରୟୋଗ ଦ୍ୱାରା ଏହି ଅଷ୍ଟପଦୀ ନିରାକରଣ ହୁଅନ୍ତି ।

3) ବିରୁଡ଼ି (Wasp)

  • ପାହାଡିଆ ଅଞ୍ଚଳରେ ମହୁମାଛି ମାନଙ୍କର ପ୍ରଧାନ ଶତୃଭାବେ ବିରୁଡ଼ିକୁ ବିବେଚନା କରାଯାଏ । ଏହାକୁ କେତେକ ଟେକର ପୋକ ବୋଲି କୁହନ୍ତି କାରଣ ବିରୁଡ଼ି ସିଧାସଳଖ ଉଡ଼ୁଥିବା (ପୂର୍ଣ୍ଣାଙ୍ଗ) ମହୁମାଛିକୁ ଧରି ମାରିଦିଏ ବା ନିଜବସାକୁ ଟେକି ନେଇଯାଏ ।
  • ସାଧାରଣତଃ ମହୁବାକ୍ସ ସାମନାରେ ବିରୁଡ଼ି ଉଡ଼ିବୁଲି, ମହୁବାକ୍ସ ଭିତରେ ପଶି କିମ୍ବା ଉଡ଼ୁଥିବା ମହୁମାଛିକୁ ଧରି ନିଜର ଶିକାର କରିଥାଏ ।
  • ଏହି ପୋକ କେତେକ ସ୍ଥାନରେ ମଇରୁ ଜୁନ୍ ମାସ ପର୍ଯ୍ୟନ୍ତ ଓ ଆଉ କେତେ ସ୍ଥାନରେ ଅଗଷ୍ଟରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ମହୁମାଛିଙ୍କୁ ଶିକାର କରିବାର ଦେଖାଯାଏ । ମଧ୍ୟାହ୍ନ ସମୟ (ଅର୍ଥାତ୍ ଦିନ 12ଟା ଠାରୁ 2 ଟା ପର୍ଯ୍ୟନ୍ତ) ରେ ଏମାନେ ଅଧିକ ସକ୍ରିୟ ରହି ମହୁମାଛି ଶିକାର କରିଥାନ୍ତି ।

ପରିଚାଳନା

  • ମହୁବାକ୍ସ ରହୁଥିବା ସ୍ଥାନର ଆଖପାଖ ଅଞ୍ଚଳରୁ ବିରୁଡ଼ି ବସାଇ ଅନୁସନ୍ଧାନ କରି ସେଗୁଡ଼ିକୁ ମାରିଦେବା ଶ୍ରେୟସ୍କର ଅଟେ ।
  • ଦିନର ମଧ୍ୟ ଭାଗରେ (ବିରୁଡ଼ି ସକ୍ରିୟ ଥିବା ସମୟ) ମହୁବାକ୍ସ ସାମନାରେ ଉଡ଼ି ବୁଲୁଥିବା ବିରୁଡ଼ି ମାନଙ୍କୁ ପିଟି ପିଟି ମାରିଦେବା ଉଚିତ୍ ।
  • ଏବେ ବିରୁଡ଼ି ଧରିବା ଯନ୍ତ୍ର ବାହାରିଲାଣି ଯେଉଁଥିରେ ବିରୁଡ଼ିର ବିଷଥୋପ ରଖି ସେ ଯନ୍ତ୍ରକୁ ମହୁବାକ୍ସ ପାଖାପାଖି ସ୍ଥାନରେ ରଖିଲେ ବିରୁଡ଼ି ସେଠାକୁ ଆକର୍ଷିତ ହୋଇ ଆସି ମୃତ୍ୟୁମୁଖରେ ପଡ଼ିଥାନ୍ତି ।

ମହୁମାଛି ସମନ୍ଧରେ ଅଧିକ ସୂଚନା

ଓଡ଼ିଶାରେ ଦେଖାଯାଉଥିବା ମହୁମାଛି

ମହୁମାଛି ମାନଙ୍କର ଋତୁ ଭିତ୍ତିକ ପରିଚାଳନା

ମହୁମାଛିମାନଙ୍କର ରୋଗ


 

ସୂଚନା ସଂଗୃହୀତ- ଦୂର ଶିକ୍ଷା କାର୍ଯ୍ୟକ୍ରମ, ଓୟୁଏଟି, ଭୁବନେଶ୍ୱର ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା