> ଧାନ ଫସଲ ରେ ବିଭିନ୍ନ ରୋଗ ଓ ପୋକର ନିରାକରଣ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଧାନ ଫସଲ ରେ ବିଭିନ୍ନ ରୋଗ ଓ ପୋକର ନିରାକରଣ

ଧାନ ଚାଷ ହେଉଛି ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କୃଷି କାର୍ଯ୍ୟ, କାରଣ ଧାନ ଅଧାରୁ ଅଧିକ ଜନସଂଖ୍ୟାର ମୁଖ୍ୟ ଖାଦ୍ୟ ଅଟେ ।  ତେବେ ଧାନ ଫସଲ ରେ ବିଭିନ୍ନ ରୋଗ ଓ ପୋକ ଲାଗିଥାଏ ଯାହା ଫସଲର ଯଥେଷ୍ଟ ଅମଳ ହାନି ଘଟାଇପାରେ ଏବଂ ଶସ୍ୟର ଗୁଣବତ୍ତାକୁ ପ୍ରଭାବିତ କରିପାରେ । ଧାନର କେତେକ ପ୍ରମୁଖ ରୋଗ ହେଉଛି ବ୍ଲାଷ୍ଟ, ଜୀବାଣୁ ପତ୍ର ବ୍ଲାଇଟ୍, ଫଲ୍ସ ସ୍ମଟ୍, ସିଥ୍ ବ୍ଲାଇଟ୍ ଏବଂ ବ୍ରାଉନ୍ ସ୍ପଟ୍ ।  ଏହି ରୋଗ ଫଙ୍ଗସ, ବ୍ୟାକ୍ଟେରିଆ ବା ଭୂତାଣୁ ଦ୍ୱାରା ହୋଇଥାଏ ଯାହା ଗଛର ବିଭିନ୍ନ ଅଂଶ ଯଥା ପତ୍ର, ଡାଳ, ବେକ ଏବଂ ଶସ୍ୟକୁ ସଂକ୍ରମିତ କରିଥାଏ । ଧାନର କେତେକ ପ୍ରମୁଖ କୀଟ ହେଉଛି ଷ୍ଟେମ୍ ବୋରର, ପତ୍ର ରୋଲର, ପ୍ଲାନଥୋପର, ହିସ୍ପା, ଆର୍ମିୱାର୍ମ, ଚାଉଳ ପୋକ ଓ ଥ୍ରିପ୍ସ । ଏହି କୀଟମାନେ ଗଛର ରସ, ଟିସୁ କିମ୍ବା ଶସ୍ୟକୁ ଖାଇବାକୁ ଦିଅନ୍ତି ଏବଂ ଗଛର ଶକ୍ତି, ଆଲୋକ ସଂଶ୍ଳେଷଣ, ଚାଷ ଏବଂ ଶସ୍ୟ ଭର୍ତ୍ତି କୁ ହ୍ରାସ କରି କ୍ଷତି ପହଞ୍ଚାଇଥାନ୍ତି । ଜଳବାୟୁ, ମୃତ୍ତିକା, ଜଳସେଚନ, ବିବିଧତା ଏବଂ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କାରଣ ଉପରେ ଏହି ରୋଗ ଏବଂ କୀଟମାନଙ୍କର ପ୍ରକୋପ ଏବଂ ତୀବ୍ରତା ନିର୍ଭର କରେ ।  ତେଣୁ ଏହି ଜୈବିକ ଚାପକୁ ରୋକିବା ଓ ନିୟନ୍ତ୍ରଣ କରିବା ଏବଂ ଭାରତରେ ସ୍ଥାୟୀ ଧାନ ଉତ୍ପାଦନ ସୁନିଶ୍ଚିତ କରିବା ପାଇଁ ସମନ୍ୱିତ କୀଟ ପରିଚାଳନା ରଣନୀତି ଗ୍ରହଣ କରିବା ଜରୁରୀ । ତେବେ ଧାନରେ ଲାଗୁଥିବା ବିଭିନ୍ନ ପ୍ରକାର ରୋଗ ମଧ୍ୟରୁ ନିମ୍ନରେ କେତେକ ପ୍ରଦାନ କରାଗଲା ।

ଧାନ ଫସଲରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ହେଲେ କଣ କରିବେ ?

ଧାନ ଫସଲରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ପରିଚାଳନା ପାଇଁ ଏକର ପ୍ରତି କପର ହାଇଡ୍ରୋକସାଇଡ଼ (Copper Hydroxide) 53.8 % ଡ଼ି.ଏଫ 600 ଗ୍ରାମ କିମ୍ବା 200 ଗ୍ରାମ ପ୍ଲାଣ୍ଟୋମାଇସିନ୍ (Plantomycin) ଓ 600 ଗ୍ରାମ କପର  ଅକ୍ସି କ୍ଲୋରାଇଡ଼୍ (Copper Oxy Chloride) 50% ଡ଼ବ୍ଲ୍ୟୁପି ନାମକ ଔଷଧକୁ ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଧାନ ଫସଲରେ ମହିଷା ରୋଗ ପରିଚାଳନା ପାଇଁ କଣ କରିବେ ?

ଧାନ ଫସଲରେ ମହିଷା ରୋଗ ପାଇଁ ଏକର ପ୍ରତି (ଟେବୁକୋନାଜଲ 50 % + ଟ୍ରାଇଫ୍ଲକ୍ସୀଷ୍ଟ୍ରୋବିନ 20 %) 0.4 ଗ୍ରାମକୁ ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ହେକ୍ସା କୋନାଜଲ 5%  ଇ.ସି. 2 ମିଲିଲିଟରକୁ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ଏବଂ 15 ଦିନ ଏବଂ 15 ଦିନ ଅନ୍ତରରେ ଦ୍ୱିତୀୟଥର ସିଞ୍ଚନ କରନ୍ତୁ ।

ଧାନ ଫସଲରେ ଗଣ୍ଠି ଛାଡ଼ିବା ବା ଗର୍ଭ ସଞ୍ଚାର ଆରମ୍ଭ ହେବା ଅବସ୍ଥାରେ ସାର ପ୍ରୟୋଗ ମାତ୍ରା

ଧାନ ଫସଲରେ ଗଣ୍ଠି ଛାଡ଼ିବା ବା ଗର୍ଭ ସଞ୍ଚାର ଆରମ୍ଭ ହେବା ଅବସ୍ଥାରେ ଅଧିକ ଅମଳକ୍ଷମ ଧାନ କିସମ ପାଇଁ ଏକର ପ୍ରତି 17 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ । ବାଲିଆ ଜମି ହୋଇଥିଲେ ଏକର ପ୍ରତି 17 କିଲୋଗ୍ରାମ ୟୁରିଆ ସାର ସହିତ 15 କିଲୋଗ୍ରାମ ମ୍ୟୁରେଟ୍ ଅଫ ପଟାସ ସାର ପ୍ରୟୋଗ କରନ୍ତୁ ।  ଶଙ୍କର ବା ହାଇବ୍ରିଡ଼ ଧାନ ପାଇଁ ଏକର ପ୍ରତି 20 କିଲୋଗ୍ରାମ ୟୁରିଆ ସହିତ 20 କିଲୋଗ୍ରାମ ମ୍ୟୁରେଟ୍ ଅଫ ପଟାସ ସାର ପ୍ରୟୋଗ କରନ୍ତୁ ।

ଧାନ ଫସଲରେ ମୂଳସଢା ରୋଗର ପରିଚାଳନା ପାଇଁ କଣ କରିବେ ?

ଧାନ ଫସଲରେ ଗଣ୍ଠିଛାଡ଼ିବା ବା ଗର୍ଭସଞ୍ଚାର ଆରମ୍ଭ ହେବା ଅବସ୍ଥାଠାରୁ ଫୁଲ୍ ଧରିବା ଅବସ୍ଥା ପର୍ଯ୍ୟନ୍ତ 5ରୁ 10 ସେଣ୍ଟିମିଟର ଠିଆ ପାଣି ରଖନ୍ତୁ ଓ ବଳକା ପାଣି ନିଷ୍କାସନ ବ୍ୟବସ୍ଥା କରନ୍ତୁ । ମୂଳସଢା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ ମେଟାଲାକ୍ସିଲ ଓ ମାଙ୍କୋଜେବର ମିଳିତ ଫିମ୍ପିନାଶକ କିମ୍ବା 400 ଗ୍ରାମ କାର୍ବେଣ୍ଡାଜିମ ଓ ମାଙ୍କୋଜେବର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଧାନ ଫସଲରେ ଗନ୍ଧିପୋକ ବା ଛଗୋଡ଼ିଆ ପୋକ ଲାଗିଲେ କଣ କରିବେ ?

ଧାନ ଫସଲରେ ଗନ୍ଧିପୋକ ବା ଛଗୋଡ଼ିଆ ପୋକର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର କ୍ଲୋରୋପାଇରିଫସ୍ ନାମକ କୀଟନାଶକ 200 ଲିଟର ପାଣଇରେ ମିଶାଇ ସିଞ୍ଚନ କରନ୍ତୁ । ଏହା ବଦଳରେ ଏକର ପ୍ରତି 10 କିଲୋଗ୍ରାମ କ୍ଲୋରୋପାଇରିଫସ୍ କିମ୍ବା ମାଲାଥିୟନ ଗୁଣ୍ଡକୁ ସମାନ ଭାବରେ ସକାଳ ସମୟରେ ପବନ ହେଉନଥିବା ସମୟରେ ଫସଲ ଉପରେ ଡ଼ଷ୍ଟର ଦ୍ୱାରା ପ୍ରୟୋଗ କରନ୍ତୁ ।

ଧାନ ଫସଲରେ ଗଳା ମହିଷା ରୋଗର ପରିଚାଳନା ପାଇଁ କଣ କରିବେ ?

ଧାନ ଫସଲରେ ଗଳା ମହିଷା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର ହେକ୍ସାକୋନାଜୋଲ ନାମକ ଫିମ୍ପିନାଶକ କିମ୍ବା 200 ମିଲିଲିଟର ଆଜୋକ୍ସିଷ୍ଟ୍ରୋବିନ ଓ ଡ଼ାଇଫେନୋକୋନାଜଲ ର ମିଳିତ ଫିମ୍ପିନାଶକ କିମ୍ବା 80 ଗ୍ରାମ ଟେବୁକୋନାଜୋଲ ଓ ଟ୍ରାଇଫ୍ଲକ୍ସିଷ୍ଟ୍ରୋବିନର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ସିଞ୍ଚନ କରନ୍ତୁ ।

ଧାନ ଫସଲରେ କାଣ୍ଡବିନ୍ଧା ପୋକର ପ୍ରତିକାର ?

ପ୍ରାରମ୍ଭିକ ଅବସ୍ଥାରେ ଧାନ ଫସଲରେ କାଣ୍ଡବିନ୍ଧା ପୋକର ପ୍ରଜାପତି ଦେଖାଦେଲେ ଏହାର ପରିଚାଳନା ନିମନ୍ତେ ହେକ୍ଟର ପ୍ରତି 18.45 କିଲୋଗ୍ରାମ କାର୍ଟ୍ରାପ ହାଇଡ୍ରୋକ୍ଲୋରାଇଡ଼୍ 4 % ଜି କିମ୍ବା 10 କିଲୋଗ୍ରାମ କ୍ଲୋରାନ୍ଟ୍ରାନିଲିପ୍ରୋଲ କିମ୍ବା 10 କିଲୋଗ୍ରାମ ଇମିଡ଼ାକ୍ଲୋପ୍ରିଡ଼଼ ନାମକୁ କୀଟନାଶକକୁ ସମାନ ଓଜନର ବାଲି ସହ ମିଶାଇ ପ୍ରୟୋଗ କରନ୍ତୁ ।

ଧାନର ସାଆରା ରୋଗ ହେଲା ତାର ପ୍ରତିକାର କରିବେ କିପରି?

ସାଆରା ରୋଗ ଧାନର ମଧ୍ୟମ ଓ ବିଳମ୍ୱ କିସମ ଖରିଫ ଧାନରେ ବିଶେଷ ଭାବରେ ଦେଖାଯାଏ ।  ଧାନ ଫଳିବା ଅବସ୍ଥାରେ ଏହି ରୋଗ ଦେଖାଯାଏ । ଏହି ରୋଗ ହେଲେ ଧାନର ଗର୍ଭାଶୟଟି ଫୁଲି ଫାଟିଯାଏ  । ପ୍ରଥମେ ପିତ୍ତ ବର୍ଣ୍ଣ ଧାରଣ କରେ ଓ ପରେ କଳା ପଡ଼ିଯାଏ ।  ଏହାକୁ ଧରିଲେ ପାଉଡ଼ର ପରି ହାତରେ ଲାଗିଯାଏ । ଗୋଟିଏ ଧାନରୁ ଏହି ରୋଗ ଆରମ୍ଭ ହୋଇଥାଏ । ଆସ୍ତେ ଆସ୍ତେ କେଣ୍ଡାମାନଙ୍କରେ ମଧ୍ୟ ଆକ୍ରାନ୍ତ ହୋଇଥାଏ । ସାଆରା ରୋଗର ପରିଚାଳନା ପାଇଁ ଏକର ପ୍ରତି କାର୍ବେଣ୍ଡାଜିମ 50% ଡ଼ବ୍ଲ୍ୟୁପି 400 ଗ୍ରାମ କିମ୍ବା କପର ହାଇଡ୍ରୋକ୍ସାଇଡ଼୍ 77% ଡ଼ବ୍ଲ୍ୟୁପି 500 ଗ୍ରାମ କିମ୍ବା କ୍ଲୋରୋଥାଲୋନିଲ 75% ଡ଼ବ୍ଲ୍ୟୁପି 400 ଗ୍ରାମକୁ  200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଚକଡ଼ା ପୋକର ନିୟୋନ୍ତ୍ରଣ କରିବେ କିପରି ?

ମେଘୁଆ ଓ ରାତିର କମ୍ ତାପମାତ୍ରା ଚକଡ଼ା ପୋକ ପାଇଁ ଅନୂକୁଳ ପରିବେଶ ସୃଷ୍ଟି କରିଥାଏ । ଏହି ଚକଡ଼ା ବା ମାଟିଆଗୁଣ୍ଡି ପୋକ ଆକ୍ରାନ୍ତ ଧାନ ଗଛର ପତ୍ରଗୁଡ଼ିକ ହଳଦିଆ ହୋଇଯାଏ । ଏହି ପୋକର ପୂର୍ଣ୍ଣାଙ୍ଗ କୀଟଗୁଡ଼ିକ ମାଟିଆ ରଙ୍ଗର ଏବଂ ଛୋଟ ଓ ଲମ୍ବା ଡ଼େଣିଆ ହୋଇଥାନ୍ତି । ଗଛ ଉପରେ ଏହି ପତ୍ର ଗୁଡ଼ିକ ମଧୁ ଶିଶିର ତ୍ୟାଗ କରନ୍ତି ଓ ଧାନ ଗଛମୂଳରୁ ରସ ଶୋଷି ଖାଇଯାଆନ୍ତି । ଫଳରେ ଧାନ ଗଛ ଶୁଖି ଚକଡ଼ା ଚକଡ଼ା ହୋଇ ମରିଯାଏ । କ୍ରମେ ଧାନ କିଆରୀର ମଧ୍ୟ ଅଂଶରୁ ଏହା ମାଡ଼ି ଆସେ ଓ ଦୂରରୁ ସମୁଦାୟ  କିଆରି ପୋଡ଼ିଗଲା ପରି ଦେଖାଯାଏ ।

  • ଏହି ରୋଗର ପରିଚାଳନା ପାଇଁ ଜମିରୁ ପାଣି ନିଷ୍କାସନ କରି 3 ରୁ 4 ଦିନ ଶୁଖାଇ ପୁଣି ପାଣି ମଡ଼ାଇ ଦିଅନ୍ତୁ ।
  • ଜମିରେ ପ୍ରତି 10 ଧାଡ଼ି ଗଛ ପରେ କତି କରନ୍ତୁ । ଯାହାଦ୍ୱାରା ଗଛମୂଳରେ ଆଲୋକ ପଡ଼ି ପାରିବ ।
  • ପୋକ ଆକ୍ରମଣ ସମୟରେ ଯବକ୍ଷାରଜାନ ସାର ପ୍ରୟୋଗ ବନ୍ଦ ରଖନ୍ତୁ  ।
  • ଆବଶ୍ୟକ ସ୍ଥଳେ ଏକର ପ୍ରତି ଫ୍ଲୋନିକାମିଡ଼ 50% ଡ଼ବ୍ଲ୍ୟୁଜି 60 ଗ୍ରାମ କିମ୍ବା ପାଇମେଟ୍ରୋଜନି 50% ଡ଼ବ୍ଲ୍ୟୁଜି 120 ଗ୍ରାମ କିମ୍ବା ଡ଼ାଇନୋଟିଫ୍ୟୁରନ 20% ଏସ୍.ଜି 80 ଗ୍ରାମ କିମ୍ବା ଇମିଡ଼ାକ୍ଲୋପ୍ରିଡ଼୍ 17.8% ଏସ୍.ଏଲ୍. 50 ମିଲିଲିଟର କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଧାନ କେଣ୍ଡା କଟା ପୋକର ପରିଚାଳନା କିପରି କରିବେ ?

ଧାନ କେଣ୍ଡା କଟା ପୋକର ପରିଚାଳନା ପାଇଁ ଏକର ପ୍ରତି 400 ମିଲି ଲିଟର କ୍ଲୋରୋପାଇରିଫସ୍ ଏବଂ ସାଇପରମେଥ୍ରନର ମିଳିତ କୀଟନାଶକ କିମ୍ବା 400 ମି.ଲି. ପ୍ରଫେନାଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ  । ପୋକଗୁଡ଼ିକ ରାତ୍ରୀଚର ହୋଇଥିବାରୁ କୀଟନାଶକକୁ ଉପରବେଳା ବା ସନ୍ଧ୍ୟା ସମୟରେ ସିଂଞ୍ଚନ କରନ୍ତୁ ।

ରିଲାୟାନ୍ସ ଫାଉଣ୍ଡେସନ, ଓଡିଶାଙ୍କ ଦ୍ୱାରା ପ୍ରକାଶିତ ଦୈନିକ ସମ୍ବାଦ ପତ୍ରରୁ ସଂଗୃହୀତ ।

 

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା