> ମହୁମାଛିମାନଙ୍କର ରୋଗ (Disease of Honey bees) - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ମହୁମାଛିମାନଙ୍କର ରୋଗ (Disease of Honey bees)

ଭାରତରେ ଦେଖାଯାଉଥିବା ମହୁମାଛିମାନଙ୍କର ରୋଗ ମାନଙ୍କ ମଧ୍ୟରେ ଥାଇ ସ୍ୟାକ୍ ବ୍ରୁଡ଼୍ ରୋଗ (Thai Sac brood) ଏବଂ ଝାଡ଼ା ରୋଗ (Dysentery)  ପ୍ରଧାନ ଅଟେ ।

Bee disease

ଥାଇ ସ୍ୟାକ୍ ବ୍ରୁଡ଼୍ ରୋଗ (Thai Sac brood disease)

ଏହା ଏକ ଭୂତାଣୁ (Virus)  ଜନିତ ରୋଗ । ଏହାର ବାହକ ଅଷ୍ଟପଦୀ ହୋଇଥାଏ । ମହୁମାଛିର ଶାବକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ, ସେଗୁଡ଼ିକ ପଚି ଥଳି ବା ସ୍ୟାକ ସଦୃଶ ଦେଖାଯାଉଥିବାରୁ ଏହି ରୋଗର ଏଭଳି ନାମକରଣ ହୋଇଅଛି ।

ସଂକ୍ରମଣର ଇତିହାସ

  • ଆମ ଦେଶରେ 1978 ମସିହାରେ ପ୍ରଥମକରି ନାଗାଲ୍ୟାଣ୍ଡ ରାଜ୍ୟରେ ଏହି ରୋଗ ମହୁମାଛିକୁ ହେବାର ସୂଚନା ମିଳେ ।
  • 1978 ରୁ 1988 ମସିହା ମଧ୍ୟରେ ଉତ୍ତର ଓଡ଼ିଶାରେ ଏବଂ 1991 ରୁ 1992 ମସିହାରେ ଏହି ରୋଗ ଦକ୍ଷିଣ ଭାରତରେ ପ୍ରଥମେ ହୋଇଥିବାର ତଥ୍ୟ ମିଳିଛି । ପରବର୍ତ୍ତୀ ସମୟରେ ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶାରେ ଦେଖାଦେଇଛି ।
  • ଏହି ରୋଗ 2 ରୁ 4 ବର୍ଷ ଅନ୍ତରରେ ଅମ ରାଜ୍ୟରେ (1987, 1990, 1994, 1996, 2000 ଏବଂ 2002 ମସିହାରେ) କେତେକ ସ୍ଥାନରେ ମହୁମାଛିଙ୍କୁ ହୋଇଥିଲା ।
  • 1980 ରୁ 1986 ମସିହା ମଧ୍ୟରେ ଥାଇ ସ୍ୟାକ ବ୍ରୁଡ଼୍ ରୋଗ ଦ୍ୱାରା ଭାରତୀୟ ସପ୍ତଫେଣୀ ମହୁମାଛି ଆକ୍ରାନ୍ତ ହୋଇ ଶତକଡ଼ା 95 ଭାଗ ମହୁମାଛି ଦଳ ନଷ୍ଟ ହୋଇଥିଲା ବୋଲି ଏକ ସର୍ବେକ୍ଷଣରୁ ସୂଚନା ମିଳେ ।
  • ଏହି ରୋଗ ଇଟାଲୀୟ ମହୁମାଛିଙ୍କୁ ମଧ୍ୟ ଆକ୍ରମଣ କରିବାର ପାଶ୍ଟାତ୍ୟ ଦେଶରେ ନଜିର ଅଛି ।

ଏହି ରୋଗର ଲକ୍ଷଣ

  • ରାଣୀ ମହୁମାଛି ପ୍ରଚୁର ଅଣ୍ଡା ଦେଉଥିଲେ ମଧ୍ୟ ବର୍ଷର ଯେଉଁ ସମୟରେ ପ୍ରଚୁର ପରିମାଣରେ ପ୍ରାକୃତିକ ମହୁ ଓ ପରାଗ ରେଣୁ ମିଳୁଥାଏ, ସେହି ସମୟରେ ମହୁମାଛି ଦଳ ସବଳ ହେବା ପରିବର୍ତ୍ତେ ଦୁର୍ବଳ ହୋଇ ଦଳରେ ମହୁମାଛି ସଂଖ୍ୟା କମି ଯାଇଥାଏ ।
  • ଶୂକ ଗୁଡ଼ିକ ଖୋସା ପୋକ (Pupa) ଅବସ୍ଥା ଆସିବା ପୂର୍ବରୁ ମରିଯାଆନ୍ତି ।
  • ମୃତ ଶାବକର ମୁଣ୍ଡପଟ କଳା ପଡ଼ି ଖୋପର ମୁହଁରେ ଦିଶେ ।
  • ଆକ୍ରାନ୍ତ ଶାବକ ପ୍ରଥମେ ହଳଦିଆ କିମ୍ବା ପାଉଁଶିଆ ବା ବାଦାମୀ ରଙ୍ଗର (ଶୁଖିଲା ରସୁଣ ପାଖୁଡ଼ା ଭଳି) ହୋଇ କ୍ରମେ କଳାପଡ଼ି ଶେଷରେ କାତି ଆକାର ହୋଇ ଖୋପର ତଳଭାଗରେ (ଛୋଟ ଅବସ୍ଥା ଅର୍ଥାତ 3ୟ ରୁ 4 ର୍ଥ ଦିନରେ ମରିଥିଲେ ଲୋଚାକୋଚା ହୋଇ କିମ୍ବା 5ମ ଓ ଶେଷ ଦିନରେ ମରିଥିଲେ ଲମ୍ବ ଭାବରେ) ରହିଥିବାର ଦେଖାଯାଏ ।
  • ଆକ୍ରାନ୍ତ ଫେଣାରେ ଖୋପର ମୁଦ (seal) ଦବି ଯାଇଥାଏ କିମ୍ବା ଛିଦ୍ରଯୁକ୍ତ ହୋଇଥିବା ଦୃଷ୍ଟିଗୋଚର ହୁଏ ।

ଏହି ରୋଗ ଆକ୍ରମଣର ପ୍ରଭାବ

  • ଦଳରେ ଏହି ରୋଗ ହେଲେ ଦଳ ଦୁର୍ବଳ ହୋଇଯାଏ ଓ ମହୁ ଉତ୍ପାଦନ କମିଯାଏ ।
  • ଅଧିକ ଦିନ ଏହି ରୋଗ ଲାଗି ରହିଲେ ପଚା ଗନ୍ଧର ପ୍ରଭାବରେ ମହୁମାଛି ଗୁଡ଼ିକ ବାକ୍ସ ଛାଡ଼ି ଅନ୍ୟତ୍ର ଚାଲିଯାଆନ୍ତି ।
  • ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଖୁବ୍ କମ୍ ସମୟରେ ଗୋଟିଏ ଦଳରୁ ଅନ୍ୟଦଳକୁ ବ୍ୟାପିବା ପ୍ରକ୍ରିୟା ଆରମ୍ଭ ହୋଇ ଗ୍ରାମର କିମ୍ବା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବ୍ୟାପିଯାଏ ।
  • ଏହା ଶରତ କିମ୍ବା ବସନ୍ତ ଋତୁରେ ଅଧିକ ବ୍ୟାପି ଥାଏ ।

ରୋଗ ପରିଚାଳନା

ଭୂତାଣୁ ଜନିତ ଏହି ରୋଗର କୌଣସି ପ୍ରତିକାର ନଥିଲେ ମଧ୍ୟ ଦଳକୁ ସବଳ କରି ରଖିବା ପାଇଁ ବ୍ୟବସ୍ଥା କଲେ ଏ ରୋଗର ପ୍ରାଦୁର୍ଭାବ କମ୍ ହୋଇଥାଏ ।

  • ରାଣୀ ମହୁମାଛିକୁ 7 ରୁ 8 ଦିନ ପର୍ଯ୍ୟନ୍ତ ଯନ୍ତାରେ ଆବଦ୍ଧ କରି ରଖିଲେ ବଂଶ ବୃଦ୍ଧି କମିଥାଏ ଏବଂ ରୋଗ ପ୍ରାଦୁର୍ଭାବ କମିଯାଏ ।
  • ରୋଗ ସଂକ୍ରମିତ ଅବସ୍ଥାରେ ମହୁମାଛି ଦଳ ବଦଳ, ସ୍ୱାର୍ମ ଧରିବା କିମ୍ବା ବାକ୍ସର ଅଂଶ ଗୁଡ଼ିର ଅଦଳ ବଦଳ ନକରିବା ଉଚିତ୍ ।
  • ଦେଶୀୟ ପଦ୍ଧତି ଯଥା- ଚିନି ସିରାରେ ହେଙ୍ଗୁ ( Asafoetida), ହଳଦୀ ଗୁଣ୍ଡ (Turmeric powder), ଭୂଇଁ ନିମ୍ବ ରସ (Kalmegh juice) କିମ୍ବା ରସୁଣ ବଟା (Garlic Paste) ମିଶାଇ ମହୁମାଛିକୁ ଖାଇବାକୁ ଦିଆଯାଇ ସଫଳତା ମିଳିଥିବା ପ୍ରମାଣ ରହିଛି ।

 

ଝାଡ଼ା ରୋଗ (Dysentery)

  • ସାଧାରଣତଃ ମହୁମାଛିମାନଙ୍କୁ ବର୍ଷାଦିନରେ ଝାଡା ରୋଗ ହୋଇଥାଏ ।
  • ଏହି  ରୋଗ ହେଲେ ତଳପଟାରେ ମହୁମାଛିମାନଙ୍କ ଦ୍ୱାରା ନିର୍ଗତ ହଳଦିଆ ଦୁର୍ଗନ୍ଧ ଯୁକ୍ତ ବହଳିଆ ଝାଡ଼ା ଦେଖାଯାଏ ।

ଏହି ରୋଗର କାରଣ

  • ଅତିରିକ୍ତ ଖାଦ୍ୟ ଖାଇବା
  • ଅନୁପଯୁକ୍ତ ଖାଦ୍ୟ ଖାଇବା
  • ଦୂଷିତ ଜଳ ବ୍ୟବହାର କରିବା କିମ୍ବା
  • ଅବରୁଦ୍ଧ ଅବସ୍ଥାରେ ରହିଲେ

ପରିଚାଳନା

ମେଟ୍ରନ (Metron) ଔଷଧ 5 ମିଲିଗ୍ରାମକୁ 5 ମିଲି ଗ୍ରାମ ମହୁ ସହ କିମ୍ବା ଚିନି ଶିରାରେ ଗୋଳାଇ ମହୁବାକ୍ସ ଭିତରେ ଖାଇବାକୁ ଦେଲେ, ମହୁମାଛି ଝାଡ଼ା ରୋଗ ଭଲ ହୋଇଥାଏ ।


ମହୁମାଛି ସମନ୍ଧରେ ଅଧିକ ସୂଚନା

ଓଡ଼ିଶାରେ ଦେଖାଯାଉଥିବା ମହୁମାଛି

ମହୁମାଛି ମାନଙ୍କର ଋତୁ ଭିତ୍ତିକ ପରିଚାଳନା

 

ସୂଚନା ସଂଗୃହୀତ- ଦୂର ଶିକ୍ଷା କାର୍ଯ୍ୟକ୍ରମ, ଓୟୁଏଟି, ଭୁବନେଶ୍ୱର ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା