> ପୋଷକ ତତ୍ତ୍ୱର ଅଭାବ ଏବଂ ତାର ଲକ୍ଷଣ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ପୋଷକ ତତ୍ତ୍ୱର ଅଭାବ ଏବଂ ତାର ଲକ୍ଷଣ

ଫସଲରେ ପୋଷକ ତତ୍ତ୍ୱର ଅଭାବ ଯୋଗୁଁ ବିଭିନ୍ନ ଅଭିବୃଦ୍ଧି ସମସ୍ୟା ଦେଖାଦେଇପାରେ  ନାଇଟ୍ରୋଜେନର ଅଭାବ ଯୋଗୁଁ ପୁରୁଣା ପତ୍ର ହଳଦିଆ ହୋଇଯାଏ ଏବଂ ବୃଦ୍ଧି ବାଧାପ୍ରାପ୍ତ ହୁଏ  ଫସଫରସ୍ ଅଭାବ ଯୋଗୁଁ ଗାଢ଼ ସବୁଜ କିମ୍ବା ଶୁଦ୍ଧ ପତ୍ର ମୂଳର ବିକାଶ ଖରାପ ହୋଇଥାଏ। ପୋଟାସିୟମ ଅଭାବରୁ ପତ୍ରର ଡାଳ ବାଦାମୀ ହେବା ସହ ଡାଳ ଦୁର୍ବଳ ହୋଇଯାଏ  କ୍ୟାଲସିୟମ ଅଭାବ ଯୋଗୁଁ ପତ୍ର ବିକୃତ ହୋଇଯାଏ ଏବଂ ଫଳଗୁଡିକରେ ଫୁଲ ପଚିଯାଏ ତେବେ ନିୟମିତ ମାଟି ପରୀକ୍ଷା ଏବଂ ଉପଯୁକ୍ତ ଫର୍ଟିଲାଇଜେସନ୍ ଏହି ଅଭାବକୁ ଦୂର କରିବାରେ ସାହାଯ୍ୟ କରିପାରେ । ଆସନ୍ତୁ ଜାଣିବା ପୋଷକ ତତ୍ତ୍ୱର ଅଭାବ ଯୋଗୁଁ ସମସ୍ୟା ଦେଖାଯାଏ ଏବଂ ତାର ଲକ୍ଷଣ ।

ବୋରନ

କାର୍ଯ୍ୟକାରିତା

  • ପରାଗ ରେଣୁ ସକ୍ରିୟ ଓ କାର୍ଯ୍ୟକ୍ଷମ କରାଏ ଏବଂ କୋଷ ବିଭାଜନରେ ସହାୟକ ହୁଏ ।
  • ଗଛର ଚୂନ ଗ୍ରହଣରେ ସହାୟକ ହୁଏ ଏବଂ ଗଛରେ ପଟାସ୍ ଓ ଚୂନର ଅନୁପାତକୁ ସନ୍ତୁଳିତ କରେ ।

ଆଭାବ ଜନିତ ଲକ୍ଷଣ

  • ବୋରନ ଅଭାବରେ ଗଛର ଅଗ୍ରଭାଗ ବୃଦ୍ଧି ହୁଏ ନାହିଁ ଏବଂ କଢ ଶୁଖିଯାଏ ।
  • ଫଲରେ ପରାଗ ସଂଗମ ହୁଏ ନାହିଁ, ଫଳରେ କମ୍ ଫଳ ଧରେ ଓ ଫଳ ମଧ୍ୟ ଛୋଟ ଅବସ୍ଥାରେ ଖସିପଡ଼େ ।
  • ଗଛର ପତ୍ର ମୋଟା ହୁଏ ଏବଂ ଫଳ ଫାଟି ଯାଏ ।

ବୋରନ ସାର କେଉଁଠାରୁ ମିଳେ ?

  • ବୋରନ ସାର ମୁଖ୍ୟତଃ ବୋରାକ୍ସ, ଗ୍ରାନ୍ୟୁବୋର, ସଲ୍ୟୁବୋର ଏବଂ ବୋରିକ ଏସିଡ୍ ରୁ ମିଳିଥାଏ ।

————————————————————————————————————————————————-

ତମ୍ବା

କାର୍ଯ୍ୟକାରିତା

  • ଗଛରେ ଅନେକ ଗୁଡ଼ିଏ ଏନଜାଇମ୍ ସୃଷ୍ଟି କରେ ।
  • ଗଛରେ ଭିଟାମିନ୍ ତିଆରି କରେ ।
  • ଏହାର ଉପସ୍ଥିତି ଉଦ୍ଭିଦର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ଆଭାବ ଜନିତ ଲକ୍ଷଣ

  • ଗଛ ଅଗ ପତ୍ର ହଳଦିଆ ହୋଇ ଶୁଖିଯାଏ ଏବଂ ଗଣ୍ଠି ଛୋଟ ହୁଏ ।
  • ଗଛର ବକଳ ତଳେ ଅଠା ଜମିଯାଏ ।
  • ଫଳର ରଙ୍ଗ ଧୂସର ଦେଖାଯାଏ ।

ତମ୍ବା ସାର କେଉଁଠାରୁ ମିଳେ ?

  • ତମ୍ବା ମୁଖ୍ୟତଃ କପର ସଲଫେଟ୍ ଏବଂ ଚିଲେଟେଡ଼୍ କପରରୁ ମିଳିଥାଏ ।

————————————————————————————————————————————————-

ମାଙ୍ଗାନିଜ

କାର୍ଯ୍ୟକାରିତା

  • ଗଛ ଦେହରେ ଯେତେ ପ୍ରକାର ପ୍ରତିକ୍ରିୟା ସଂଗଠିତ ହୁଏ ସେଗୁଡ଼ିକୁ ବଢାଇବା ବା କମାଇବା ମାଙ୍ଗାନିଜ୍ ଦ୍ୱାରା ପରିଚାଳିତ ହୁଏ ।
  • ଗଛର ଶ୍ୱାସକ୍ରିୟା ନିୟନ୍ତ୍ରଣ କରିଥାଏ ।

ଆଭାବ ଜନିତ ଲକ୍ଷଣ

  • ପତ୍ରର ଶିରାର ମଧ୍ୟଭାଗ ଅଂଶ ହଳଦିଆ ହୁଏ ।
  • ଅଗପତ୍ରରେ ଏହି ପ୍ରକ୍ରିୟା ଆରମ୍ଭ ହୁଏ ।

ମାଙ୍ଗାନିଜ ସାର କେଉଁଠାରୁ ମିଳେ ?

  • ଏହା ମାଙ୍ଗାନିଜ୍ ସଲଫେଟରୁ ମିଳିଥାଏ ।

————————————————————————————————————————————————-

କ୍ଲୋରିନ୍

କାର୍ଯ୍ୟକାରିତା

  • ଏହା ଗଛରେ ଆଲୋକ ସଂଶ୍ଳଷଣ ପ୍ରକ୍ରିୟାରେ ସାହାଯ୍ୟ କରେ ।
  • ଗଛର ପଟାସିୟମ୍, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଉପାଦନରେ ନେବା ଆଣିବା ସାହାଯ୍ୟ କରେ ।
  • ଶସ୍ୟ ଜାତୀୟ ଫସଲର ଉତ୍ପାଦନ କ୍ଷମତା ବୃଦ୍ଧିରେ ସାହାଯ୍ୟ କରେ । ଗଛକୁ ରୋଗ ଦାଉରୁ ରକ୍ଷା କରେ ଓ କାଣ୍ଡକୁ ମଜବୁତ କରିଥାଏ ।

ଆଭାବ ଜନିତ ଲକ୍ଷଣ

  • ଏହାର ଅଭାବରେ ପତ୍ରଧାର ପୋଡ଼ିଯାଏ ଏବଂ ପତ୍ର ହଳଦିଆ ପଡ଼ିଯାଏ ।
  • ଏହାର ଅଭାବରେ ପତ୍ରର ଅଗ ଝାଉଁଳିଯାଏ ଓ ପତ୍ରରେ ଛିଟା ଦାଗ ଯାଏ ଯାହା ପରବର୍ତ୍ତୀ ସମୟରେ ତମ୍ବାଳିଆ ରଙ୍ଗ ଧାରଣ କରି ମରିଯାଏ ।

କ୍ଲୋରିନ୍ ସାର କେଉଁଠାରୁ ମିଳେ ?

  • କ୍ଲୋରିନ୍ ସାର ମୁଖ୍ୟତଃ  ପୋଟାସିୟମ କ୍ଲୋରାଇଡରୁ ମିଳିଥାଏ ।

————————————————————————————

ମ୍ୟାଗ୍ନେସିୟମ

କାର୍ଯ୍ୟକାରିତା

  • ପତ୍ରହରିତ ତିଆରିରେ ସାହାଯ୍ୟ କରେ ଏବଂ ଆଲୋକ ସଂଶ୍ଲେଷଣ ପ୍ରକ୍ରିୟାରେ ସାହାଯ୍ୟ କରେ ।
  • ତୈଳବୀଜ ଫସଲରେ ତୈଳ ଅଂଶ ତିଆରିରେ ସାହାଯ୍ୟ କରିଥାଏ ।
  • ଶ୍ୱେତସାର ଖାଦ୍ୟ ତିଆରି ଓ ନ୍ୟୁକ୍ଲକ୍ ଏସିଡ୍ ତିଆରି ପାଇଁ ଆବଶ୍ୟକ ପଡୁଥିବା ଏନଜାଇମ୍ ତିଆରି କରିବକୁ ସକ୍ରିୟ କରାଏ ।

ଆଭାବ ଜନିତ ଲକ୍ଷଣ

  • ଫସଲର ପୁରୁଣା ପତ୍ର ଧାର ଓ ଶିରା ମଧ୍ୟବର୍ତ୍ତୀ ଅଂଶରେ ସବୁଜ ରଙ୍ଗ ହରାଇବାର ଲକ୍ଷଣ ଦେଖାଯାଏ, ଅତ୍ୟଧିକ ଅଭାବରେ ପତ୍ର ଶୁଖି ମରିଯାଏ ।
  • ପନିପରିବା ଫସଲରେ ଧଳା ବା ହଳଦିଆ ଶିରାର ମଧ୍ୟବର୍ତ୍ତୀ ଅଂଶରେ ସୃଷ୍ଟି ହୁଏ । କଢରୁ ପାଖୁଡ଼ା ଝଡ଼ିପଡ଼େ ।

ମ୍ୟାଗ୍ନେସିୟମ ସାର କେଉଁଠାରୁ ମିଳେ ?

  • ମ୍ୟାଗ୍ନେସିୟମ ସଲଫେଟ୍, ମ୍ୟାଗ୍ନେସାଇଟ୍, ଡୋଲାମାଇଟ୍ ଆଦିରୁ ଏହି ସାର ମିଳିଥାଏ ।

————————————————————————————-

ଲୌହ

କାର୍ଯ୍ୟକାରିତା

  • କୋଷ ଭିତରେ ଥିବା ବିଭିନ୍ନ ଅଂଶ ତିଆରି ପାଇଁ ଏହା ଆବଶ୍ୟକ ।
  • ପତ୍ର ହରିତ୍ ତିଆରି ଓ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ଆବଶ୍ୟକ ।
  • ଗଛରେ ବିଭିନ୍ନ ଏନଜାଇମ ପ୍ରକ୍ରିୟାକୁ ଏହା ତ୍ୱାରାନ୍ୱିତ କରିଥାଏ ।

ଆଭାବ ଜନିତ ଲକ୍ଷଣ

  • ଲୌହ ସାରର ଅଭାବ ହେଲେ ଗଛର ନୂଆପତ୍ରର ଶିରା ଅନ୍ତର୍ଗତ ଅଂଶ ଧଳା ଦେଖାଯାଏ, କିନ୍ତୁ ପତ୍ରର ଧାର ଓ ଶିରା ସବୁଜ ଥାଏ ।
  • ଅତ୍ୟଧିକ ଅଭାବରେ ସଂମ୍ପୂର୍ଣ୍ଣ ପତ୍ର ହଳଦିଆ ହୁଏ ।

ଲୌହ ସାର କେଉଁଠାରୁ ମିଳେ ?

  • ଆଇରନ୍ ସଲଫେଟ୍, ଚିଲେଟେଡ୍ ଆଇରନ୍ ରୁ ମିଳିଥାଏ ।

————————————————————————-

ଗନ୍ଧକ

କାର୍ଯ୍ୟକାରିତା

  • ଫସଲ ପାଇଁ ଆବଶ୍ୟକ ହେଉଥିବା ଜୀବସାର (ଭିଟାମିନ୍) ର ଗଠନ ପାଇଁ ଦରକାର ହୋଇଥାଏ । ଏହା ପୁଷ୍ଟିସାର

ଆକାରକୁ ସଂଗଠିତ କରି ରଖିବାରେ ସହାୟକ ହୁଏ ।

  • ଡ଼ାଲିଜାତୀୟ ଫସଲର ଚେରରେ ଗଣ୍ଠି ବୃଦ୍ଧିରେ ସାହାଯ୍ୟ କରିଥାଏ ।
  • ତୈଳବୀଜ ଫସଲରେ ତୈଳ ଅଂଶ ବୃଦ୍ଧିରେ ସାହାଯ୍ୟ କରିଥାଏ ।

ଆଭାବ ଜନିତ ଲକ୍ଷଣ

  • ଗନ୍ଧକ ଅଭାବ ହେଲେ ଫସଲର ଅଗ ପତ୍ର କ୍ରମଶଃ ହଳଦିଆ ହୁଏ ।
  • ଫସଲ ଅମଳ, ପୁଷ୍ଟିସାର ଓ ତେଲ ଅଂଶ କମିଯାଏ ।

ଗନ୍ଧକ ସାର କେଉଁଠାରୁ ମିଳେ ?

  • ଗନ୍ଧକ ସାର ଗୋବର ଖତ, କମ୍ପୋଷ୍ଟ ଖତ, ତୈଳ ଜାତୀୟ ପିଡ଼ିଆ, ଜିପସମ୍, ସିଙ୍ଗିଲ ସୁପର ଫସଫେଟ୍, ବେଣ୍ଟୋନାଇଟ୍ ସଲଫର ଆଦି ରୁ ମିଳିଥାଏ ।

—————————————————————————-

କ୍ୟାଲସିୟମ୍ (ଚୂନ)

କାର୍ଯ୍ୟକାରିତା

  • ଡ଼ାଳ, ଅଗ ଓ ଚେର ବୃଦ୍ଧିରେ ସାହାଯ୍ୟ କରେ ।
  • କୋଷ ବିଭାଜନ ପାଇଁ ଏହା ଆବଶ୍ୟକ ହୋଇଥାଏ । ଏହା ସହିତ ଉଦ୍ଭିଦ ଭିତରେ ଶ୍ୱେତସାରର ପରିବହନ କରେ ।
  • ଏହା ମାଟିରେ ଅମ୍ଳତାକୁ ଠିକ୍ ରଖିଥାଏ ଏବଂ ଅନ୍ୟ ଉପାଦା ଗ୍ରହଣରେ ଗଛକୁ ସାହାଯ୍ୟ କରିଥାଏ ।

ଆଭାବ ଜନିତ ଲକ୍ଷଣ

  • ଫଳର ଅଗ୍ରଭାଗ ପଚିଯାଏ ।
  • ଅସମୟରେ ଫୁଲ ଓ କଢ ଝଡ଼ିବା ସହିତ କାଣ୍ଡ ଦୁର୍ବଳ ହୋଇଯାଏ ।
  • ଗଛର ମୁକୁଳ ଏବଂ ଚେରର ଅଗ୍ରଭାଗ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ ।
  • ନୂଆ ଫସଲର ଉପର କଅଁଳିଆ ପତ୍ର ଅଧିକ ପ୍ରଭାବିତ ହୁଏ ।

କ୍ୟାଲସିୟମ୍ (ଚୂନ)କେଉଁଠାରୁ ମିଳିଥାଏ ?

  • ଚିନିକଳ ମଇଳା, କାଗଜକଳ ମଇଳା, ଜିପସମ୍, ରକ ଫସଫେଟ୍, ସିଙ୍ଗିଲ୍ ସୁପର ଫସଫେଟ୍ ଆଦିରୁ ମିଳିଥାଏ ।
  • ମାଟିର ଅମ୍ଳତ୍ୱ ଦୂର କରିବା ନିମନ୍ତେ ଏକର ପିଛା 2 କ୍ୱିଣ୍ଟାଲ ଚୂନ ଜାତୀୟ ପଦାର୍ଥ ପ୍ରୟୋଗ କଲେ ମାଟିର ଅମ୍ଳତ୍ୱ ହ୍ରାସ ପାଇଥାଏ ।

————————————————————————————-

ଦସ୍ତା

କାର୍ଯ୍ୟକାରିତା

  • ଗଛର ହରମୋନ୍ ତିଆରି କରେ ।
  • ଫସଲ ଦ୍ୱାରା ଯବକ୍ଷାରଜାନ ଏବଂ ଫସଫରସ୍ ବ୍ୟବହାରରେ ସାହାଯ୍ୟ କରେ ।
  • ଗଛରେ ଏନଜାଇମ୍ ତିଆରି କରେ ଓ ଜୀବସାର ସୃଷ୍ଟି କରେ ।

ଆଭାବ ଜନିତ ଲକ୍ଷଣ

  • ଫସଲ ଉପରୁ 2ୟ 3ୟ ପତ୍ରରେ ଅଭାବ ଜନିତ ଲକ୍ଷଣ ଦେଖାଯାଏ ।
  • ପତ୍ରର ଆକାର ଛୋଟ ହୁଏ ଓ ଏହା ଉପରେ ଅନେକ ଲାଲ ଦାଗ ଦେଖାଯାଏ ।
  • ଗଣ୍ଠି ମଧ୍ୟରେ ଥିବା ପବ ଛୋଟ ହୁଏ ।
  • ଧାନରେ ଖଇରା ରୋଗ ଦେଖାଯାଏ ।
  • ମକା ଗଛର ପତ୍ରରେ ଧଳା ଦାଗ ଦେଖାଯାଏ ।

ଦସ୍ତାସାରକେଉଁଠାରୁ ମିଳିଥାଏ ?

  • ଦସ୍ତା ମୁଖ୍ୟତଃ ଜିଙ୍କ୍ ସଲଫେଟ୍, ଚିଲେଟେଡ୍ ଜିଙ୍କ୍ ଏବଂ ଜିଙ୍କ ସଲଫେଟ୍ ମନୋହାଇଡ୍ରେଟ୍ ରୁ ମିଳିଥାଏ ।

————————————————————————————-

ପୋଟାସିୟମ

କାର୍ଯ୍ୟକାରିତା

  • ପୋଟାସିୟମ ସାର ଗଛରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ଏବଂ ଏହା ଗଛର କାଣ୍ଡକୁ ଶକ୍ତ ଏବଂ ଟାଣୁଆ କରିଥାଏ ।
  • ପତ୍ରହରିତ୍ ତିଆରିରେ ମୁଖ୍ୟ ଭୂମିକା ଗ୍ରହଣ କରେ ଏବଂ ଆଲୋକ ସଂଶ୍ଳଷଣ ପ୍ରକ୍ରିୟାରେ ସାହାଯ୍ୟ କରେ । ଏହା ବିଭିନ୍ନ ଏନଜାଇମ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରେ ।

ଆଭାବ ଜନିତ ଲକ୍ଷଣ

  • ଏହାର ଅଭାବର ସୂଚନା ପ୍ରଥମେ ତଳ ପତ୍ରର ଧାରରେ ଦେଖାଯାଏ । ପତ୍ର ଧାର ହଳଦିଆ ପଡ଼ିଯାଏ ଏବଂ ପୋଡ଼ିଗଲା ପରି ଦିଶେ, ପତ୍ର ଭିତରକୁ ମୋଡ଼ି ହୋଇଯାଏ ।
  • ପ୍ରଥମେ ଲକ୍ଷଣ ସବୁ ବୁଢା ପତ୍ରରେ ଦେଖାଯାଏ, ଏହାର ଅଭାବ ଜନିତ ଲକ୍ଷଣ ଆମ୍ବ, ନଡ଼ିଆ, କଦଳୀ ଏବଂ କମଳା ଜାତୀୟ ଗଛରେ ଭଲ ଭାବରେ ଦେଖାଯାଏ ।

ପୋଟାସିୟମ ସାର କେଉଁଠାରୁ ମିଳିଥାଏ ?

  • ଗୋବରଖତ, କମ୍ପୋଷ୍ଟ, ସବୁଜସାର, ଫସଲର ଅବଶେଷ, ବିଭିନ୍ନ ପ୍ରକାର ପିଡ଼ିଆ ଏବଂ ରାସାୟନିକ ସାର ଯଥା ଏମ.ଓ.ପି. ଓ ବିଭିନ୍ନ ଯୌଗିକ ସାର ଆଦିରୁ ମିଳିଥାଏ ।

————————————————————————————-

ଫସଫରସ୍

କାର୍ଯ୍ୟକାରିତା

  • ଫସଫରସ ସାର ଗଛରେ ନୂଆ ଚେରର ବୃଦ୍ଧିରେ ସାହାଯ୍ୟ କରେ ଏବଂ ଗଛକୁ ପ୍ରଥମରୁ ବଳୁଆ କରିଥାଏ ।
  • ଏହା ଫଲ, ଫଳ ଧରିବାରେ ଏବଂ ଗଛକୁ ଫଳନ ଶକ୍ତି ଆଣିବାରେ ସାହାଯ୍ୟ କରିଥାଏ । ଚେର ଗଣ୍ଠିରେ ଥିବା ଜୀବାଣୁ, ଯେଉଁମାନେ କି ମାଟି ଓ ପବନରୁ ଯବକ୍ଷାରଜାନ ସଂଗ୍ରହ କରନ୍ତି ସେମାନଙ୍କୁ ଉତ୍ସାହିତ କରିଥାଏ ।

ଆଭାବ ଜନିତ ଲକ୍ଷଣ

  • ଏହାର ଅଭାବରେ ଗଛର ଚେର ଏବଂ କାଣ୍ଡର ଅଭିବୃଦ୍ଧି ବାଧାପ୍ରାପ୍ତ ହୁଏ ଏବଂ ଗଛ ପତଳା ହୋଇ ମୋଡ଼ି ହୋଇଥାଏ ।
  • ପ୍ରଥମେ ତଳ ପତ୍ର ଧୂଷର ଓ ବାଇଗଣୀ ରଙ୍ଗ ହୋଇ କ୍ରମଶଃ ଉପର ଭାଗକୁ ଆସିଥାଏ ।

ଫସଫରସ୍ ସାର କେଉଁଠାରୁ ମିଳିଥାଏ ?

  • ଗୋବରଖତ, କମ୍ପୋଷ୍ଟ, ସବୁଜସାର, ଫସଲର ଅବଶେଷ, ବିଭିନ୍ନ ପ୍ରକାର ପିଡ଼ିଆ, ହାଡ଼ାଗୁଣ୍ଡ ଏବଂ ରାସାୟନିକ ସାର ଯଥା ଡ଼ି.ଏ.ପି., ଗ୍ରୋମର ସାର ଆଦିରୁ ମିଳିଥାଏ ।
  • ଅମ୍ଳ ଓ କ୍ଷାରୀୟ ମାଟି ସହିତ ବାନ୍ଧି ହୋଇ ରହିଥାଏ ଓ ଗଛକୁ ବହୁତ କମ୍ ପରିମାଣରେ ମିଳିଥାଏ ।

————————————————————————————-

ଯବକ୍ଷାରଜାନ

କାର୍ଯ୍ୟକାରିତା

  • ଯବକ୍ଷାରଜାନ ସାର ମୁଖ୍ୟତଃ ଗଛର ବୃଦ୍ଧିରେ ସାହାଯ୍ୟ କରେ ଏବଂ ଗଛକୁ ଗାଢ ସବୁଜ ରଙ୍ଗ ପ୍ରଦାନ କରିଥାଏ ।
  • ଅନ୍ୟାନ୍ୟ ଖାଦ୍ୟସାର ଉପଯୋଗକୁ ଏହା ଅନେକ ମାତ୍ରାରେ ନିୟନ୍ତ୍ରିତ କରିଥାଏ ।
  • ଏହା ଯୋଗୁଁ ଗଛରେ ଅଧିକ ଡ଼ାଳ, ପତ୍ର ଏବଂ ପିଲ ହୋଇଥାଏ ।
  • ଏହା ଖାଦ୍ୟରେ ପ୍ରୋଟିନର ମାତ୍ରାକୁ ବୃଦ୍ଧିକ କରିଥାଏ ।

ଆଭାବ ଜନିତ ଲକ୍ଷଣ

  • ଏହାର ଅଭାବରେ ଗଛ ରୁଗୁଡିଆ ଏବଂ ନିସ୍ତେଜ ଦେଖାଯାଏ, ପତ୍ର ଛୋଟ ହୋଇଯାଏ ଏବଂ ହଳଦିଆ ପଡ଼ିଯାଏ ।
  • ଗଛର ପତ୍ର ଏବଂ ଫଳ ପାକଳ ଅବସ୍ଥାକୁ ଆସିବା ପୂର୍ବରୁ ଝଡ଼ିଯାଏ ଏବଂ ଅମଳ ହ୍ରାସ ପାଏ ।
  • ହଳଦିଆ ପଡ଼ିବା ତଳ ପତ୍ରରୁ ଆରମ୍ଭ ହୋଇ କ୍ରମଶଃ ଉପରଭାଗକୁ ଆସିଥାଏ ।

ଯବକ୍ଷାରଜାନ ସାର କେଉଁଠାରୁ ମିଳିଥାଏ ?

  • ଗୋବରଖତ, କମ୍ପୋଷ୍ଟ, ସବୁଜସାର, ବିଭିନ୍ନ ପ୍ରକାର ପିଡ଼ିଆ, ଏବଂ ରାସାୟନିକ ସାର ମଧ୍ୟରେ ୟୁରିଆ ସାର ଏବଂ ଡ଼ି.ଏ.ପି. ସାର ଆଦିରୁ ମିଳିଥାଏ ।
ସୂଚନା- ଡ଼ଃ ପ୍ରଦୀପ୍ତ ମାଝୀ, ମୃତ୍ତିକା ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା