> କାର୍ପ ମାଛର ଖାଦ୍ୟ - Krishi Vigyan Kendra, Sundargarh-I
Chasbas
KVK, Sundargarh-I

କାର୍ପ ମାଛର ଖାଦ୍ୟ

ମାଛଚାଷ ଏକ ଲାଭ ଜନକ ଚାଷ । ତେଣୁ ଆପଣମାନେ ଏହି ମାଛମାନଙ୍କ ଖାଦ୍ୟ ବିଷୟରେ ସବିଶେଷ ଜାଣିଲେ ଖାଦ୍ୟ ଖର୍ଚ୍ଚ କମ୍ କରି ପରିବେ ଓ ଅଧିକ ଲାଭବାନ ହୋଇପାରିବେ । ତେବେ ଆସନ୍ତୁ ଜାଣିବା ମାଛର ଖାଦ୍ୟ ବିଷୟରେ ।

Carp fish feedଭାକୁର, ରୋହି, ମିରିକାଳି, ସିଲଭର କପ୍, ଗ୍ରାସକାର୍ପ ଓ ବିଲାତି ରୋହି ଆଦି କାର୍ପ ମାଛ ଯାଆଁଳ ଗୁଡ଼ିକ ଶୀଘ୍ର ବଢିବା ପାଇଁ ଅଧିକ ଖାଦ୍ୟ ଆବଶ୍ୟକ ହେଉଥିବାରୁ ପ୍ରାକୃତିକ ଖାଦ୍ୟ ବ୍ୟତୀତ କୃତ୍ରିମ ଖାଦ୍ୟ ଯୋଗାଇ ଦିଆଯାଏ । ତେଣୁ ଅଧିକ ଲାଭ  ପାଇଁ ମାଛଚାଷରେ କୃତ୍ରିମ ଖାଦ୍ୟ ବ୍ୟବହାର  କରାଯାଏ । ସେଥିପାଇଁ ମାଛର ଏଭଳି ଖାଦ୍ୟ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ । ଗୋବର ଓ ରାସାୟନିକ ସାରର ନିୟମିତ ପ୍ରୟୋଗ ଭଳି ମାଛ ପାଇଁ ଦୈନିକ ଖାଦ୍ୟ ଯୋଗାଣର ଆବଶ୍ୟକତା ରହିଛି ।

ଗୋବର ଓ ସାର ପ୍ରୟୋଗ ଦ୍ୱାରା ବିଭିନ୍ନ ପ୍ଲାଙ୍କଟନ ଓ ଛୋଟ ଛୋଟ ଜୀବ ଇତ୍ୟାଦି ପ୍ରାକୃତିକ ଖାଦ୍ୟ ଉତ୍ପାଦନ ହୁଏ ଓ ସେଥିରୁ କେବଳ ମାତ୍ର ପ୍ରାୟ ଶତକଡ଼ା 50 ଭାଗ ପୁଷ୍ଟିସାର ମାଛକୁ ମିଳିଥାଏ । ଏହା ମାଛର ଶରୀର ବୃଦ୍ଧିରେ ଠିକ ଭାବରେ ବିନିଯୋଗ ନ ହୋଇ ଶକ୍ତି ପାଇଁ ବ୍ୟବହାର ହୋଇଥାଏ । ତେଣୁ ଶକ୍ତିକାରକ ପୌଷ୍ଟିକ ଖାଦ୍ୟ ଯୋଗଇ ଦେବା ଦ୍ୱରା ପୁଷ୍ଟିସାର ଓ ଶ୍ୱେତସାର ଅନୁପାତରେ ସମତା ରକ୍ଷା କରାଯାଇ ପାରିଥାଏ । ଏହା ଫଳରେ ପ୍ରାକୃତିକ ଖାଦ୍ୟରୁ ପାଉଥିବା ପୁଷ୍ଟିସାର ସେମାନଙ୍କ ଶରୀର ବୃଦ୍ଧିରେ ସାହାଯ୍ୟ କରେ ।

ସଘନ ମାଛ ଚାଷ ପାଇଁ ପୋଖରୀରେ ଅଧିକ ପରିମାଣରେ ଯାଆଁଳ ଛଡ଼ା ଯାଇଥିବାରୁ ପ୍ରାକୃତିକ ପୁଷ୍ଟିସାର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ପୌଷ୍ଟିକ ପରିମାଣ କମ୍ ହୋଇଥାଏ । ଏହାଦ୍ୱାରା ମାଛର ଶରୀର ବୃଦ୍ଧିରେ ବାଧାପ୍ରାପ୍ତ ହୁଏ । ତେଣୁ ସହଜରେ ହଜମ ହୋଇପାରୁଥିବା ମିଶ୍ରିତ କୃତ୍ରିମ ଖାଦ୍ୟରେ ପୁଷ୍ଟିସାର, ଶ୍ୱେତସାର ଓ ସ୍ନେହସାର, ଜୀବସାର ଓ ଧାତୁସାର ଆଦି ଆବଶ୍ୟକ ପରିମାଣରେ ଯୋଗାଇ ଦିଆଯାଏ । ତଦ୍ୱାରା ମାଛ ନିରୋଗ ହେବା ସଙ୍ଗେ ସଙ୍ଗେ ଶୀଘ୍ର ଶରୀର ବୃଦ୍ଧି ଘଟାଇଥାଏ । ଏ ପ୍ରକାର ଖାଦ୍ୟକୁ ମାଛର ସୁଷମ ଖାଦ୍ୟ ବୋଲି କୁହାଯାଏ ।

ପୁଷ୍ଟିସାର

  • ପୁଷ୍ଟିସାର ସୁଷମ ଖାଦ୍ୟର ଗୋଟିଏ ମହତ୍ୱପୂର୍ଣ୍ଣ ଉପାଦାନ । ଛୋଟମାଛରେ ଶରୀର ବୃଦ୍ଧି ପାଇଁ ପୁଷ୍ଟିସାରର ଆବଶ୍ୟକତା ବେଶୀ ଓ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହା କମି ଆସେ ।
  • ଶତକଡ଼ା 35-45 ଭାଗ ପୁଷ୍ଟିସାର ଖାଦ୍ୟରେ ମିଳୁଥିଲେ ଯାଆଁଳ ମାଛ ଶୀଘ୍ର ବଢିପାରନ୍ତି ।

ଶ୍ୱେତସାର

  • ଶ୍ୱେତସାର ମାଛକୁ ଶକ୍ତି ଯୋଗାଏ ଓ ତାହା ଆବଶ୍ୟକ ପରିମାଣରେ ଖାଦ୍ୟରେ ମିଳୁଥିଲେ ପୁଷ୍ଟିସାର ଶରୀର ବୃଦ୍ଧି କରାଏ ।
  • ଶତକଜଡା 22-26 ଭାଗ ପର୍ଯ୍ୟନ୍ତ ଶ୍ୱେତସାର ଖାଦ୍ୟରେ ମିଳୁଥିଲେ ଯାଆଁଳ ମାଛର ଶରୀର ବୃଦ୍ଧି ଭଲ ହୋଇଥାଏ ।

ସ୍ନେହସାର

  • ମାଛ ପାଇଁ ସ୍ନେହସାର ଶକ୍ତିର ଆଉ ଗୋଟିଏ ଆଧାର । ଏହା ଖାଦ୍ୟରେ କମ୍ ପରିମାଣରେ ଥିଲେ ପୁଷ୍ଟିସାର ମାଛର ଶରୀର ବୃଦ୍ଧିରେ ବିନିଯୋଗ ନ ହୋଇ ଶକ୍ତି ପାଇଁ ବ୍ୟବହୃତ ହୁଏ । ତଦ୍ୱାରା ମାଛର ଶରୀର ବୃଦ୍ଧିରେ ବ୍ୟାଘାତ ଘଟେ ।
  • ସୁତରାଂ ଶତକଡ଼ା 4-6 ଭାଗ ପର୍ଯ୍ୟନ୍ତ ସ୍ନେହସାର ମାଛର କୃତ୍ରିମ ଖାଦ୍ୟରେ ରହିବା ଉଚିତ୍ ।

ଜୀବସାର

  • ଖାଦ୍ୟରେ ଜୀବସାର କମ୍ ପରିମାଣରେ ଦରକାର ହେଉଥିଲେ ମଧ୍ୟ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି । କେତେକ ଜୀବସାର ଅଭାବରୁ ମାଛକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ।
  • ସୁତରାଂ ଶତକଡ଼ା ଦଶମିକ ଏକ ଅନୁପାତରେ ଖାଦ୍ୟରେ ଏହାକୁ ଯୋଗାଇ ଦିଆଯାଏ ।

ଧାତୁସାର

  • ଜୀବକୋଷ ତିଆରି, ଶରୀର ବୃଦ୍ଧି ଓ ବିକାଶ ପାଇଁ କ୍ୟାଲସିୟମ, ଫସଫରସ ଭଳି କେତେକ ଧାତୁସାରର ଦରକାର ପଡ଼େ । ଶତକଡ଼ା ଏକ ଦଶମିକ ପାଞ୍ଚ ଡ଼ାଇକାଲସିୟମ ଫସଫେଟ୍ ଖାଦ୍ୟରେ ଯୋଗାଇ ଦିଆଯାଏ ।
  • ଏଗୁଡ଼ିକ ବ୍ୟତୀତ ଶସ୍ତା କୋବାଲଟ୍ ଓ ମାଗ୍ନେସିୟମ ଆଦି ଅନ୍ୟ କେତେକ ଦରକାରୀ ଧାତୁସାର ମଧ୍ୟ ଦରକାର ହୋଇଥାଏ । ତମ୍ବା, ଆୟୋଡ଼ିନ ଓ ମାଙ୍ଗାନିଜ ଇତ୍ୟାଦି କେତେକ ସୂକ୍ଷ୍ମ ମାତ୍ରିକ ପଦାର୍ଥ ମାଛର ଶରୀର ବୃଦ୍ଧିକୁ ତ୍ୱରାନ୍ୱିତ କରାଇଥାଏ ଓ ଏଗୁଡ଼ିକ ସୂକ୍ଷ୍ମମାତ୍ରାରେ ଆବଶ୍ୟକ ହୋଇଥାଏ । ସୁତରାଂ ଶତକଡ଼ା ଦଶମିକ ଏକ ଭାଗ ହିସାବରେ ଏଗୁଡ଼ିକ ଖାଦ୍ୟରେ ଯୋଗାଇ ଦିଆଯାଇଥାଏ ।

ବଜାରରେ ମିଳୁଥିବା ମାଛ ଖାଦ୍ୟ

  • ଉପରୋକ୍ତ ଜୀବସାର ଏବଂ ଧାତୁସାର ଗୁଡ଼ିକୁ ଆବଶ୍ୟକ ମାତ୍ରାରେ ମିଶାଯାଇ ବଜାରରେ ଏଗ୍ରିମିନି ଫୋର୍ଟ, କୋନସିମିନ୍ ଫୋର୍ଟ, ମାଇନାଲ ଫୋର୍ଟ, ସପ୍ଲିଭାଇଟ୍ – ଏମ୍ ପ୍ରଭୃତି ନାମରେ ବଜାରରେ ବିକ୍ରୟ କରାଯାଉଅଛି ।
  • ଏକ କି.ଗ୍ରା. ପିଡ଼ିଆ କୁଣ୍ଡା ଖାଦ୍ୟରେ ଏହି ମିଶ୍ରଣରୁ 10 ଗ୍ରାମ ମିଶାଯାଇ ମାଛକୁ ଖାଇବାକୁ ଦିଆଯାଏ ।

ଘରୋଇ ପଦ୍ଧତିରେ ମାଛ ଖାଦ୍ୟ

  • ଗାଁ ଗହଳି ପାଖ ସହରାଞ୍ଚଳରେ ଥିବା ଧାନ, ଚୂଡ଼ା, ଅଟାକଳ ଓ ତେଲ ଘଣାରୁ ମିଳୁଥିବା କେତେକ ଆନୁସାଙ୍ଗିକ ଉତ୍ପାଦିତ ବସ୍ତୁ ବା ଚାଉଳ, ଅଟା, ଚୂଡ଼ା କଳରୁ ବାହାରିଗଲାପରେ ଯେଉଁ ଅଦରକାରୀ ଖୁଦକୁଣ୍ଡା, ଚୋକଡ଼ ଓ ତେଲ ପିଡ଼ିଆ ମିଳେ ତାହାକୁ ମାଛର ଖାଦ୍ୟ ରୂପେ ବ୍ୟବହାର କରାଯାଇପାରେ ।
  • ବାଦାମ, ସୋରିଷ, ରାଶି, ଶାଳମଞ୍ଜି, କପାମଞ୍ଜି ଆଦିର ପିଡ଼ିଆକୁ କେତେକ ଉପଯୁକ୍ତ ଖାଦ୍ୟ ଉପାଦାନ ହିସାବରେ ବ୍ୟବହାର କରାଯାଇପାରେ । ସମପରିମାଣରେ ପିଡ଼ିଆ ଓ କୁଣ୍ଡା ମିଶାଇ ମାଛ କୃତ୍ରିମ ଖାଦ୍ୟ ରୂପେ ବ୍ୟବହାର ବହୁତ ଦିନ ଧରି ଚଳି ଆସୁଛି ।
  • ଏଭଳି ଖାଦ୍ୟ ସହିତ 10-15 ପର୍ଯ୍ୟନ୍ତ ପ୍ରାଣୀଜ ପୁଷ୍ଟିସାର ମିଶାଇଲେ ମାଛର ଶରୀର ବୃଦ୍ଧି ଖୁବ୍ ଶୀଘ୍ର ହୁଏ । ଅଦରକାରୀ ମାଛର ଶୁଖୁଆଗୁଣ୍ଡ, ଶୁଖିଲା ଚିଙ୍ଗୁଡ଼ି ମୁଣ୍ଡର ଗୁଣ୍ଡ, ହାଡ଼ାଗୁଣ୍ଡ, ଶୁଖିଲା ରକ୍ତ ଗୁଣ୍ଡ, ସିଲକ୍ ପୋକର ଗୁଣ୍ଡ ଇତ୍ୟାଦିକୁ ପ୍ରାଣୀସାର ଭାବରେ ଓ ଧାତୁସାର ମଧ୍ୟ ମିଶାଇ ଉପାଦେୟ ଖାଦ୍ୟ ପ୍ରସ୍ତୁତ କରାଯାଇପାରେ ।

ସହଜରେ ମିଳି ପାରୁଥିବା କେତେକ ଶସ୍ତା ଓ ଦରକାରୀ ଖାଦ୍ୟ ଉପାଦାନର ପୌଷ୍ଟିକତା ମୂଲ୍ୟ ନିମ୍ନରେ ପ୍ରଦାନ କରାଗଲା ।

ବସ୍ତୁର ନାମ ପୁଷ୍ଟିସାର ପରିମାଣ

(ଶତକଡା ଭାଗ)

ସ୍ନେହସାର ପରିମାଣ

(ଶତକଡା ଭାଗ)

ଶ୍ୱେତସାର ପରିମାଣ

(ଶତକଡା ଭାଗ)

ବାଦାମ ପିଡିଆ 35-45 12-15 26-29
ଚାଉଳ ଖୁଦ 8-15 6-7 25-45
ରାଶି ପିଡ଼ିଆ 32-40 12-14 22-45
ଗହମ ଖୁଦ 9-13 7-8 42-60
ଶୁଖିଲା ମାଛ ଗୁଣ୍ଡ 32-55 6-12 2-8
ସୋରିଷ ପିଡ଼ିଆ 26-30 8-12 2-8
ବିରିଗୁଣ୍ଡ 5-8 2-3 56-60
 ଟାପିଓକା (କନ୍ଦଫସଲ) 2-5 2-5 65-80
ସୋୟାବିନ ପିଡିଆ 40-47 12-14 28-32
କପା ମଞ୍ଜି ପିଡିଆ 24-30 7-9 32-38
ସିଲକ୍ ପୋକ 50-65 22-23 2-3
ହାଡ଼ଗୁଣ୍ଡ 18-20 2-4 45-55
ରକ୍ତଗୁଣ୍ଡ 80-90 0-5 1-1.5
ଗୋବର ଗୁଣ୍ଡ 10-15 2-4 40-45
ମେଲାସେସ୍ 1-2 8-10 80-90
ଚାଉଳ କୁଣ୍ଡା 10-11 16-18 50-55
ନଡ଼ିଆ ପିଡିଆ 20-23 10-13 40-42
ପେଶୀ ପିଡ଼ିଆ 25-30 4-5 44-47
ମକାଗୁଣ୍ଡ 10-11 4-5 75-80
ସୂର୍ଯ୍ୟମୁଖୀ ପି଼ଡ଼ିଆ 24-27 15-20 22-25
ଶାଳମଞ୍ଜି ପିଡ଼ିଆ 9-11 3-6 70-80
କାଜୁବାଦାମ ପିଡ଼ିଆ 22-23 3-5 75-80
କଦଳୀ ଚୋପା 7-8 4-5 75-80
ଚିଙ୍ଗୁଡ଼ି ମୁଣ୍ଡଗୁଣ୍ଡ 25-30 8-9 1-3
ଡ଼ାଲିଜାତୀୟ ଖୁଦ 15-18 2-3 45-48
ପଣସ ଚୋପା 5-7 7-8 55-60


ଅଧିକ ଜାଣନ୍ତୁ


ଖାଦ୍ୟ ଖୁଆଇବା ପ୍ରଣାଳୀ

  • ଯେଉଁ ଖାଦ୍ୟ ମାଛ ଶିଘ୍ର ଗ୍ରହଣ କରିପାରେ ସେଭଳି ଖାଦ୍ୟ ଯୋଗାଇବା ଶ୍ରେୟସ୍କର ।
  • ଖାଦ୍ୟ ଖୁଆଇବା ପ୍ରଣାଳୀର ମଧ୍ୟ ଗୁରୁତ୍ୱ ରହିଛି । ଖାଦ୍ୟ ଯେପରି ନଷ୍ଟ ନ ହୁଏ, ସେଥିପ୍ରତି ଧ୍ୟାନ ଦେବା ଉଚିତ୍ ।
  • ଗୁଣ୍ଡ ଯାଆଁଳ ପାଇଁ ଖାଦ୍ୟକୁ ଗୁଣ୍ଡ ଆକାରରେ ଯଥେଷ୍ଟ ପରିମାଣରେ ପୋଖରୀରେ ବିଞ୍ଚି ଖାଇବାକୁ ଦିଆଯାଏ ।
  • ଯାଆଁଳ ବଡ଼ହେଲେ ତା ଓଜନର ପ୍ରାୟ ଶତକଡ଼ା ତିନିଭାଗ ହିସାବରେ ଖାଦ୍ୟକୁ ଗୋଳା କରି ପୋଖରୀରେ ନିର୍ଦ୍ଦିଷ୍ଟ କୋଣ ମାନଙ୍କରେ ପାଣି ଭିତରେ ଝୁଡ଼ି ଟଙ୍ଗାଇ ତା ଭିତରେ ଖାଦ୍ୟ ଯୋଗାଇ ଦିଆଯାଏ ।
  • ଏହା ବ୍ୟତୀତ ପୋଖରୀ ଭିତରେ ସ୍ଥାନ ସ୍ଥାନେ ଖୁଣ୍ଟ ପୋତି ସେଥିରେ ବ୍ୟାଗ ବା ଅଖା ପାଣି ଭିତରେ ଓହଳାଇ ଦିଆଯାଇପାରେ ଏବଂ ସେଥିରେ ଛୋଟ ଛୋଟ କିଛି କଣା କଲେ ମାଛ ଝୁମ୍ପି ଖାଇବାକୁ ସୁବିଧା ହୋଇ ପାରିବ ।
  • ମାଛର ଓଜନ ବଢିବା ସହିତ ଖାଦ୍ୟର ପରିମାଣ ମଧ୍ୟ ସେହି ଅନୁସାରେ ବଢାଇ ଦିଆଯାଏ ।
  • କଳମ ଶାଗ, ଘାସ, ଚିଙ୍ଗୁଡ଼ି ଦଳ, ଲେମନା ଦଳ, କଅଁଳିଆ କୋବି ପତ୍ର ଓ କଦଳୀ ପତ୍ର ଆଦି ଗ୍ରାସକାର୍ପ ମାଛକୁ ଖାଇବାକୁ ଦିଆଯାଏ ।
  • ଛୋଟ ଯାଆଁଳକୁ ଏଗୁଡ଼ିକ କାଟି ଚୁନି ଚିନି କରି ଦେବାକୁ ହୁଏ ଓ ଯାଆଁଳ ବଢିଲେ ବାଉଁଶ ଧଡ଼ା କରି ପୋଖରୀର ନିର୍ଦ୍ଦିଷ୍ଟ ଜାଗା ମାନଙ୍କରେ ଖାଇବାକୁ ଦିଆଯାଏ ।
  • ମେସିନ୍ ଦ୍ୱାରା ଆଜିକାଲି ଖାଦ୍ୟକୁ ବିଭିନ୍ନ ଆକାରର ସିମେଇ ଭଳି ପ୍ରସ୍ତୁତି କରାଯାଇପାରୁଛି । ଏହାକୁ ଡ୍ରାଇପେଲେଟ୍ କହନ୍ତି । ଏହି ଖାଦ୍ୟରେ ଯୋଗାଇ ଦିଆଯାଉଥିବା ସବୁ ପ୍ରକାର ପୌଷ୍ଟିକତା ମିଳିବା ସଙ୍ଗେ ସଙ୍ଗେ ଖାଦ୍ୟ ହଠାତ ପାଣି ଭିତରେ ମିଳାଇଯାଇ ନଷ୍ଟ ହୁଏ ନାହିଁ । ସୁତରାଂ ଏଭଳି ଖାଦ୍ୟର ସଂପୂର୍ଣ୍ଣ ଭାବରେ ସଦୁପଯୋଗ ସମ୍ଭବ ହୋଇପାରେ ।
  • ଆଜିକାଲି 28-32 ପ୍ରତିଶତ ପୁଷ୍ଟିସାରଯୁକ୍ତ ଭାସମାନ ଖାଦ୍ୟ ବଜାରରେ ମିଳୁଅଛି । ମାଛ ଗ୍ରହଣ ନକଲା ପର୍ଯ୍ୟନ୍ତ ଏହି ଖାଦ୍ୟ ପାଣି ଉପରେ ଭାସି ରହିଥାଏ । 1 କି.ଗ୍ରା. ଭାସମାନ ଖାଦ୍ୟ ମାଛକୁ ଖାଇବାକୁ ଦେଇ 1 କି.ଗ୍ରା. ମାଛ ସହଜରେ ଉତ୍ପାଦନ କରିବେ ।

ସୂଚନା ସଂଗୃହୀତ- ଦୂର ଶିକ୍ଷା କାର୍ଯ୍ୟକ୍ରମ, ଓୟୁଏଟି, ଭୁବନେଶ୍ୱର ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା