> ଭର୍ମି କମ୍ପୋଷ୍ଟ ପ୍ରସ୍ତୁତିର ଆବଶ୍ୟକତା ଓ ଉପକାରିତା - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ଭର୍ମି କମ୍ପୋଷ୍ଟ ପ୍ରସ୍ତୁତିର ଆବଶ୍ୟକତା ଓ ଉପକାରିତା

ଭର୍ମି କମ୍ପୋଷ୍ଟର ଆବଶ୍ୟକତା

ଚିରାଚରିତ ପଦ୍ଧତିରେ କମ୍ପୋଷ୍ଟ ତିଆରି ପାଇଁ ସାଧାରଣତଃ 9 ମାସରୁ ଅଧିକ ସମୟ ଲାଗିଥାଏ । କିନ୍ତୁ, କେତେକ ନିର୍ଦ୍ଧିଷ୍ଟ ପଦ୍ଧତିରେ ଜିଆକୁ ବ୍ୟବହାର କରି ପ୍ରାୟ 3 ମାସ ମଧ୍ୟରେ ଅତି ଉନ୍ନତ ମାନର କମୋପୋଷ୍ଟ ପ୍ରସ୍ତୁତ କରାଯାଇପାରୁଛି । ଆକଳନରୁ ଜଣା ପଡ଼ିଛି ଯେ 1 କି.ଗ୍ରା. ଜିଆ ଦୈନିକ 4 ରୁ 5 କି.ଗ୍ରା. ଜୈବିକ ବର୍ଯ୍ୟବସ୍ତୁକୁ ଖାଇ କମ୍ପୋଷ୍ଟରେ ପରିଣତ କରିପାରୁଛି । ଆମ ଚତୁଃପାର୍ଶ୍ୱରେ ପ୍ରଚୁର ପରିମାଣରେ ଜୈବିକ ବର୍ଯ୍ୟବସ୍ତୁ ରହିଛି । ଏହା ପରିବେଶକୁ ପ୍ରଦୂଷିତ କରୁଛି । ଜିଆ ମାନଙ୍କୁ ବ୍ୟବହାର କରି ସହଜରେ ଓ ଅଳ୍ପ ସମୟରେ କମ୍ପୋଷ୍ଟ ପ୍ରସ୍ତୁତ କରି ଜମିର ଜୈବିକ ପଦାର୍ଥର ଆବଶ୍ୟକତାକୁ ବହୁ ପରିମାଣରେ ପୂରଣ କରାଯାଇ ପାରିବ । ବର୍ତ୍ତମାନ ପରିପ୍ରେକ୍ଷୀରେ ରାସାୟନିକ ସାରର ବ୍ୟବହାର କମାଇବା, ମାଟିର ସ୍ୱାସ୍ଥ୍ୟକୁ ରକ୍ଷାକରିବା ତଥା ଫଳ, ପନିପରିବାର ଗୁଣାତ୍ମକମାନ ବୃଦ୍ଦି କରିବା ଦୃଷ୍ଟିରୁ  ଭର୍ମି କମ୍ପୋଷ୍ଟର ବହୁଳ ବ୍ୟବହାର ନିତାନ୍ତ ଆବଶ୍ୟକତା ରହିଛି ।


Benefits of Vermicomposting


ଭର୍ମି କମ୍ପୋଷ୍ଟର ଉପକାରିତା

  • ପାରମ୍ପାରିକ ପଦ୍ଧତିରେ କମ୍ପୋଷ୍ଟ ତିଆରି କରିବାକୁ ପ୍ରାୟ 9 ମାସ ସମୟ ଲାଗିଥାଏ । କିନ୍ତୁ ଜିଆକୁ ବ୍ୟବହାର କରିବା ଦ୍ୱାରା କମ୍ପୋଷ୍ଟ ତିଆରି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ 2 ରୁ 3 ମାସ ମଧ୍ୟରେ ପ୍ରସ୍ତୁତ ହୋଇଥାଏ ।
  • ଭର୍ମି କମ୍ପୋଷ୍ଟ ସାଧାରଣ କମ୍ପୋଷ୍ଟ ଅପେକ୍ଷା ଉନ୍ନତ ମାନର । କାରଣ ଏଥିରେ ଅଧିକ ପରିମାଣର ଖାଦ୍ୟସାର ରହିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ହରମୋନ୍, ଭିଟାମିନ୍, ଏନଜାଇମ, ଆଣ୍ଟିବାୟୋଟିକ ଇତ୍ୟାଦି ରହିଥାଏ । ଏହା ଫଳ ଓ ପନିପରିବାର ଗୁଣାତ୍ମକ ମାନ ଯଥା- ଉଜ୍ୱଳ ଦିଶିବା, ବେଶୀ ଖାଦ୍ୟସାର ରହିବା, ଅଧିକ ସ୍ୱାଦିଷ୍ଟ ହେବା ଓ ବେଶି ଦିନ ପର୍ଯ୍ୟନ୍ତ ତାଜା ରଖିବାର କ୍ଷମତା ଇତ୍ୟାଦିକୁ ବୃଦ୍ଧି କରିଥାଏ । ସାଧାରଣ ଖତରେ ଯବକ୍ଷାରଜାନ, ଫସଫରସ୍ ଓ ପଟାସର ପରିମାଣ ଯଥାକ୍ରମେ ଶତକଡ଼ା 0.5, 0.25 ଓ 0.5 ଭାଗ ଥିବାବେଳେ ଭର୍ମିକମ୍ପୋଷ୍ଟରେ ଏଗୁଡ଼ିକ 1-1.5, 0.6-.08 ଓ 1.2-1.5 ଭାଗ ଥାଏ ।
  • ଏହି କମ୍ପୋଷ୍ଟ ତିଆରି ବେଳେ କୌଣସି ପ୍ରକାର ଦୁର୍ଗନ୍ଧ ବାହାରେ ନାହିଁ । ତେଣୁ ପରିବେଶ ଦୂଷିତ ହେବାର ଆଶଙ୍କା ନଥାଏ ।
  • ଭର୍ମି କମ୍ପୋଷ୍ଟରେ ଯବକ୍ଷାରଜାନ ବିବନ୍ଧନ କରିପାରୁଥିବା ଅଣୁଜୀବ ଆଜୋଟୋବ୍ୟାକ୍ଟର ଓ ମାଟିରେ ବାନ୍ଧି ହୋଇ ରହିଥିବା ଫସଫରସକୁ ଦ୍ରବୀଭୂତ କରିପାରୁଥିବା ଅଣୁଜୀବ ଫସଫୋବ୍ୟାକ୍ଟର ଥିବାରୁ ସେମାନେ ସ୍ୱାଧୀନ ଭାବରେ ଜମିର ଉର୍ବରତା ବଢାଇଥାନ୍ତି ।
  • ଭର୍ମିକମ୍ପୋଷ୍ଟ ଗଛର ଖାଦ୍ୟ ଗ୍ରହଣ ପ୍ରକ୍ରିୟାକୁ ଉଦ୍ଦୀପିତ କରିଥାଏ ।
  • ଜିଆର ମଳ ଆକାରରେ ବାହାରି ଆସୁଥିବା ଜୈବିକ ପଦାର୍ଥ ସୂକ୍ଷ୍ମ କଣିକା ହିସାବରେ ପରିଣତ ହୁଏ ଏବଂ ଏଥିରେ ବିଭିନ୍ନ ଉପକାରୀ ଅଣୁଜୀବ ଓ ଜୈବ ରାସାୟନିକ ପଦାର୍ଥ ମିଶି କରି ଥିବାରୁ ଉର୍ମି କମ୍ପୋଷ୍ଟ ଭଲ କାର୍ଯ୍ୟ କରିଥାଏ ।
  • ଭର୍ମି କମ୍ପୋଷ୍ଟରେ ବିଭିନ୍ନ ଖାଦ୍ୟସାର ସୁଷମ ମାତ୍ରାରେ ଥିବାରୁ ଗଛ ଗୁଡ଼ିକ ହୃଷ୍ଟପୃଷ୍ଟ ହୋଇ ବଢିଥାନ୍ତି ଓ ସେଗୁଡ଼ିକୁ ରୋଗ ପୋକ ସହଜରେ ଆକ୍ରମଣ କରିପାରେ ନାହିଁ ।
  • ଭର୍ମି କମ୍ପୋଷ୍ଟରେ ରୋଗ ସୃଷ୍ଟିକାରୀ ଅଣୁଜୀବ ଅନ୍ୟ କମ୍ପୋଷ୍ଟ ତୁଳନାରେ କମ୍ ଥାନ୍ତି ବା ଆଦୌ ନଥାନ୍ତି ।
  • ବହୁତ ପରିମାଣରେ ଘରୋଇ, କୃଷିଜାତ ଏବଂ ଶିଳ୍ପଜାତ ଜୈବିକ ବର୍ଯ୍ୟବସ୍ତୁକୁ ଭର୍ମି କମ୍ପୋଷ୍ଟରେ ପରିଣତ କରାଯାଇପାରିବ । ଫଳରେ ପ୍ରଦୂଷଣ କମ୍ କରାଯାଇପାରିବ ।
  • ଭର୍ମି କମ୍ପୋଷ୍ଟ ପ୍ରୟୋଗ ଦ୍ୱାରା ରାସାୟନିକ ସାରର ବ୍ୟବହାର କମ୍ କରାଯାଇପାରିବ ।
  • ଭର୍ମି କମ୍ପୋଷ୍ଟକୁ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସ୍ଥାନ ପାଖରେ ପ୍ରସ୍ତୁତ କରାଯାଇପାରିବ ।

 

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା