> ମହୁମାଛି ମାନଙ୍କର ଋତୁ ଭିତ୍ତିକ ପରିଚାଳନା - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ମହୁମାଛି ମାନଙ୍କର ଋତୁ ଭିତ୍ତିକ ପରିଚାଳନା

ମହୁମାଛି ଓ ପରିବେଶ ଓତଃପ୍ରୋତ ଭାବେ ଜଡ଼ିତ । ବିଶେଷ କରି ବିଭିନ୍ନ ଋତୁରେ ମିଳୁଥିବା ଫୁଲଗଛ ଓ ବାୟୁ ମଣ୍ଡଳର ଉତ୍ତାପ, ଆପେକ୍ଷିକ ଆଦ୍ରତା ଇତ୍ୟାଦି ମହୁମାଛି ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ ଓ ମହୁମାଛିର ବଂଶ ବୃଦ୍ଧି ବା ହ୍ରାସ ଘଟାଇଥାଏ । ତେଣୁ ଆବଶ୍ୟକୀୟ ହସ୍ତକ୍ଷେପ ସହ ସୁପରିଚାଳନା ଦ୍ୱାରା ମହୁମାଛି ପାଳନ ସଫଳତା ସହ କରିହେବ ।

Honeybee Management

ଜାନୁୟାରୀରୁ ମାର୍ଚ୍ଚ (ବସନ୍ତ ଋତୁ)

ଏହି ସମୟଟି ମହୁମାଛି ପାଳନ ପାଇଁ ଉତ୍ତମ ଅଟେ । ଏହି ସମୟରେ ପ୍ରଚୁର ପରିମାଣରେ ଫୁଲ ଓ ପରାଗରେଣୁ ମିଳିବା ସହ ଜଳବାୟୁ ମଧ୍ୟ ଅନୁକୂଳ ହୋଇଥାଏ । ଏହି ସମୟରେ ଅଳସୀ, ସୋରିଷ, ରାଶୀ, ଇଉକାଲିପଟାସ୍, ସଜନା, ନିମ୍ବ, କରଞ୍ଜ, ଶିଶୁ, ଆମ୍ବ, ସିମିଳି, ଆମ୍ବଡ଼ା, କଖାରୁ ଜାତୀୟ ପନିପରିବା ଆଦି ଗଛରେ ଫୁଲ ଫୁଟିଥାଏ । ଉତ୍ତାପ ଧିରେ ଧିରେ ବଢିବାକୁ ଆରମ୍ଭ କରେ, ଫଳରେ ମହୁମାଛି ପ୍ରଚୁର ପରିମାଣରେ ମକରନ୍ଦ ଏବଂ ପରାଗରେଣୁ ସଂଗ୍ରହ କରି ନିଜର ବଂଶ ବୃଦ୍ଧି କରି ଦଳକୁ ବଳିଷ୍ଠ କରିଥାଏ ଏବଂ ପ୍ରଚୁର ମହୁ ପ୍ରସ୍ତୁତ କରିଥାଏ । ତେଣୁ ଏହି ସମୟରେ ନିମ୍ନମତେ ଦଳର ପରିଚାଳନା ଆବଶ୍ୟକ ହୋଇଥାଏ ।

  • ଏହି ଋତୁ ପ୍ରାରମ୍ଭରେ ଦୁର୍ବଳ ଦଳକୁ ମିଶ୍ରଣ କରି ସବଳ କରାଇବା ସହ ଚିନି ଓ ପାଣିକୁ 2 :1 ଅନୁପାତରେ ମିଶାଇ ଖାଇବାକୁ ଦେବାକୁ ହୁଏ ।
  • ମହୁମାଛି ଦଳ ବଳିଷ୍ଠ ବା ସବଳ ହୋଇଥିଲେ ଭିତର ପଟାର ତଳେ ଅନେକ ମହୁମାଛି ଲାଗି ରହିବାର ଦେଖାଯାଏ । ଏପରି ସ୍ଥଳେ ଦଳରେ କିମ୍ବା ନିକଟରେ ଥିବା ମହୁ ବାକ୍ସରେ ଅଣ୍ଡିରା ମହୁମହୁମାଛି ଥିଲେ ଦଳ ବିଭାଜନ କରିବା ଉଚିତ୍ କିମ୍ବା ମହୁ ଉତ୍ପାଦନ କରିବା ପାଇଁ ଶାବକ କକ୍ଷ ଉପରେ ମଧୁକକ୍ଷ ସ୍ଥାପନ କରିବା ଦରକାର । ଏଥି ନିମନ୍ତେ ଶାବକ କକ୍ଷର ଉଭୟ ପାର୍ଶ୍ୱରେ ଥିବା ଫେଣା, ଯେଉଁଥିରେ ସଂଗୃହିତ ମହୁ ଓ ପରାଗରେଣୁ ଥାଏ, ତାକୁ କାଟି ଆଣି କଦଳୀ ପଟୁକା ସାହାଯ୍ୟରେ ମଧୁକକ୍ଷର ଫେଣାରେ ବାନ୍ଧିବା ଆବଶ୍ୟକ । ଶାବକ କକ୍ଷର ଗୋଟିଏ ଫ୍ରେମର ଫେଣାରୁ ମଧୁକକ୍ଷର 2ଟି ଫ୍ରେମରେ ଫେଣା ବନ୍ଧାଯାଇଥାଏ । ଏହାପରେ ଖାଲି ଫ୍ରେମରୁ ଗୋଟିଏ ଶାବକ କକ୍ଷ ଥିବା ଦୁଇଟି ଫ୍ରେମ ମଧ୍ୟରେ ରଖିବାକୁ ହୁଏ । ଫଳରେ ମହୁମାଛିମାନେ ନୂଆ ଫେଣା ଗଢିବାକୁ ବାଧ୍ୟ ହୁଅନ୍ତି । ନୂଆ ଫେଣା ଶାବକ କକ୍ଷରେ ରହିଲେ ରାଣୀମାଛି ନୂଆଫେଣାରେ ଅଣ୍ଡା ଦିଏ । ମଧୁ କକ୍ଷରେ ନୂଆ ଫେଣା ବାନ୍ଧିବା ବା ମହୁମାଛିଙ୍କୁ ନୂଆ ଫେଣା ଗଢିବାକୁ ଦେବା ଅନୁଚିତ୍ । ସ୍ଥଳ ବିଶେଷରେ, ଯଦି ମହୁମାଛି ଦଳ ବହୁତ ସବଳ ହୋଇଥାଏ ଓ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଚରାବୃକ୍ଷ ଥାଏ, ତେବେ ଗୋଟିଏ ଶାବକ କକ୍ଷ ଉପରେ ଏକାଧିକ ମଧୁକକ୍ଷ ମଧ୍ୟ ସ୍ଥାପନ କରାଯାଇପାରେ ।
  • ଗୋଟିଏ ସ୍ଥାନରେ ଏକାଧିକ ଦଳ ଥିଲେ ସବୁଦଳକୁ ପରିଚାଳନା ମାଧ୍ୟମରେ ସମାନ ଶକ୍ତିଶାଳୀ କରିବାକୁ ହୁଏ । ଗୋଟିଏ ଦଳ ବହୁତ ସବଳ ଓ ଅନ୍ୟଟି ଦୁର୍ବଳ ଥିଲେ ସବଳ ଦଳରୁ କିଛି ନୂଆ ମାଛି ବା ସେବିକା ମହୁମାଛିଙ୍କୁ ଦୁର୍ବଳ ଦଳରେ ଛାଡି ଉଭୟକୁ ପାଖାପାଖି ସମାନସ୍ତରକୁ ଆଣିବା ଆବଶ୍ୟକ । ମାଛି ଦଳକୁ ସମାନ କରିବା ପାଇଁ ଅନେକ ପ୍ରକାର ଜ୍ଞାନକୌଶଳ ଉପଲବ୍ଧ ଅଛି ତାହା ଜାଣିବା ଆବଶ୍ୟକ ।
  • ଏହି ଋତୁରେ ମହୁମାଛି ବଳକା ମହୁକୁ ବସାରେ ସଂଗ୍ରହକରି ରଖିବା ଦ୍ୱାରା ଅଧିକ ମହୁ ଉତ୍ପାଦନ ହେଉଥିବାରୁ ନିୟମିତ ଭାବେ ମହୁ କକ୍ଷରୁ ମହୁ ନିଷ୍କାସନ କରିବା ଆବଶ୍ୟକ । ଫଳରେ ମହୁ ସଂରକ୍ଷଣ ପାଇଁ ସ୍ଥାନାଭାବ ଦେଖାଯିବ ନାହିଁ । ମହୁ ଥାକରେ ସ୍ଥାନାଭାବ ହେଲେ ଶାବକ କକ୍ଷରେ ମହୁ ସଞ୍ଚୟ କରନ୍ତି ଫଳରେ ଅଣ୍ଡା ଦେବା ପାଇଁ ସ୍ଥାନଭାବ ଓ ବାକ୍ସ ଭିତର ଉତ୍ତାପ ବୃଦ୍ଧି ଘଟେ, ମହୁମାଛି ଦଳ ବିଭାଜନ ପାଇଁ ପ୍ରସ୍ତୁତ ହୁଏ ଓ ପ୍ରାକୃତିକ ଦଳ ବିଭାଜନ ହୁଏ । ଦଳରୁ ସ୍ୱାର୍ମ ବାହାରି ପ୍ରାକୃତିକ ଦଳ ବିଭାଜନ ହେବା ପୂର୍ବରୁ ସ୍ୱାର୍ମକୁ ରୋକିବା ବା ଦଳ ବିଭାଜନ କରିଦେବା ଦରକାର ।
  • ଅଷ୍ଟାପଦୀ ଏବଂ ଥାଇସାକ୍ ବୃଡ଼୍ ରୋଗ ଏହି ସମୟରେ ଲାଗିବାର ସମ୍ଭାବନା ଥାଏ । ଗରମ ପାଣି ଦ୍ୱାରା ତଳ ପଟା ଧୋଇ (ନିୟମିତ ପରୀକ୍ଷା ବେଳେ) ଦେଲେ ଏବଂ ଅନ୍ୟାନ୍ୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଦ୍ୱାରା ଶତୃ ଉପଦ୍ରବରୁ ରକ୍ଷା ମିଳେ ।

ଏପ୍ରିଲରୁ ଜୁନ୍ (ଗ୍ରାଷ୍ମଋତୁ)

  • ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପ ହେତୁ ବାୟୁମଣ୍ଡଳୀୟ ତାପମାତ୍ରା ବୃଦ୍ଧି ପାଇଥାଏ । କେତେକ ସ୍ଥାନରେ ବାୟୁମଣ୍ଡଳର ତାପମାତ୍ରା 40 ରୁ 45 ଡ଼ିଗ୍ରୀ ସେଲସିଅସରୁ ମଧ୍ୟ ଅଧିକ ହୋଇଥାଏ, ଯାହାକି ମହୁମାଛି ଓ ମହୁମାଛି ତିଆରି ଫେଣା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ମଧୁ ସଂଗ୍ରହ ଏବଂ ପରାଗ ରେଣୁ ସଂଗ୍ରହ ହ୍ରାସ ପାଏ । ରାଣୀ ମହୁମାଛି ମଧ୍ୟ ଖାଦ୍ୟାଭାବ ଲକ୍ଷ୍ୟ କରି କମ୍ ସଂଖ୍ୟକ ଅଣ୍ଡା ଦେଇଥାଏ । ଏହି ସମୟରେ ମହୁବାକ୍ସରେ ଖାଦ୍ୟାଭାବ ଦେଖାଯାଏ । କେତେକ ଶତ୍ରୁ ଆକ୍ରମଣ କରି ମଧ୍ୟ ଏମାନଙ୍କ ସଂଖ୍ୟା ହ୍ରାସ କରିଥାଆନ୍ତି ।
  • ଏହି ଋତୁରେ ନିମ୍ବ, କରଞ୍ଜ, ଶିରିଷ, ନଡ଼ିଆ , ତାଳ, ଜାମୁ, ପଳାସ, ତେନ୍ତୁଳି, ତୁତ, କଖାରୁ ଜାତୀୟ ପନିପରିବା, ଡ଼ାଳିମ୍ବ, ପିଜୁଳି, କମଳା ଆଦି ଗଛରେ ଫୁଲ ଫୁଟିଥାଏ । ତେଣୁ ଏଭଳି ସ୍ଥାନମାନଙ୍କୁ ମହୁବାକ୍ସ ଘୁଞ୍ଚାଇ ଅସ୍ଥାୟୀ ଭାବେ ରଖିଲେ ମହୁମାଛିମାନେ ଖାଦ୍ୟ ପ୍ରଚୁର ପରିମାଣରେ ପାଇଥାଆନ୍ତି ।
  • ଖରାରୁ ରକ୍ଷା କରିବା ପାଇଁ ବାକ୍ସଟିକୁ ଗଛ ଛାଇରେ ରଖିବା ଉଚିତ୍ ଏବଂ ଆବଶ୍ୟକ ସ୍ଥଳେ ବାକ୍ସର ଛାତ ପଟା ଉପରେ ଖରାବେଳେ ଓଦା ଅଖା ଘୋଡ଼ାଇ ରଖିବା ଦରକାର । ବାକ୍ସ ଘୁଞ୍ଚାଇବା ସୁବିଧା ନଥିଲେ ଡ଼ାଳ ପତ୍ର ସାହାଯ୍ୟରେ ବାକ୍ସ ଉପରେ ଛପର ଦେଇ ଛାଇ କରିବା ଆବଶ୍ୟକ ।
  • ବାକ୍ସ ନିକଟବର୍ତ୍ତୀ ( 1 କି.ମି. ମଧ୍ୟରେ) ପ୍ରାକୃତିକ ଜଳ ପ୍ରବାହ, ନଳକୂପ କିମ୍ବା ପୁଷ୍କରିଣୀ ଆଦି ନଥିଲେ ବାକ୍ସ ନିକଟରେ ଗୋଟିଏ ପାତ୍ରରେ ପାଣିରଖି ତାହା ଉପରେ କଟାନଡ଼ା ଖଣ୍ଡ ଭସାଇଦେଲେ ମହୁମାଛି ସେଥିରୁ ଆବଶ୍ୟକ ଜଳ ସଂଗ୍ରହ କରିଥାଆନ୍ତି ।
  • ମହୁବାକ୍ସ ମଧ୍ୟରେ ଉପଯୁକ୍ତ ବାୟୁ ଚଳାଚଳ ପାଇଁ ତଳପଟା ଓ ଶାବକ କକ୍ଷ କିମ୍ବା ମହୁ କକ୍ଷ ଏବଂ ଶାବକ କକ୍ଷ ମଧ୍ୟରେ ସରୁ ଲମ୍ବା କାଠି ଦେଇ ଫାଙ୍କା ସ୍ଥାନ ସୃଷ୍ଟି କରିବା ଉଚିତ୍ ।
  • ଏହି ଋତୁରେ ମହୁ ସଂଗ୍ରହ ପରିମାଣକୁ ନଜରେ ରଖି ମହୁନିଷ୍କାସନ କରିବା ଉଚିତ୍ । ଗ୍ରୀଷ୍ମ ଋତୁ ପରେ ଆସେ ବର୍ଷାଋତୁ, ଯାହାକି ମହୁମାଛିଙ୍କ ପାଇଁ ସଂକଟର ସମୟ । ଖାଦ୍ୟାଭାବ ସମୟ ଆସୁଥିବାରୁ ବାକ୍ସରୁ ସବୁତକ ମହୁ ନିଷ୍କାସନ ନକରି ମହୁବାକ୍ସରେ ମହୁମାଛିଙ୍କ ପାଇଁ ମଧ୍ୟ କିଛି ମହୁ ଛାଡ଼ିଦେବା ଉଚିତ୍ ।
  • ଏହା ବ୍ୟତୀତ ଅନାଚ୍ଛାଦିତ ଫେଣା ଗୁଡ଼ିକୁ ଜରିମୁଣାରେ ସାଇତି ରଖିବା, ପ୍ରବେଶ ପଥରେ ରାଣୀ ଜାଲି ଦେଇ ପତଳା ଚିନି ସିରା (1:2 ଅନୁପାତରେ ଚିନି ଓ ପାଣିର ମିଶ୍ରଣ) ବାକ୍ସ ଭିତରେ ମହୁମାଛିମାନଙ୍କୁ ଖାଇବାକୁ ଦେବା ଏବଂ ଅତ୍ୟଧିକ ପୁରୁଷ ମହୁମାଛି ଥିଲେ ସେମାନଙ୍କୁ ପୁରୁଷ ଯନ୍ତାରେ ଧରି ଓ ମାରି ସେମାନଙ୍କ ସଂଖ୍ୟା ହ୍ରାସ କରିବା ଉଚିତ୍ ।
  • ବିରୁଡି ମହମ ଶଲଭ, ଝିଟିପିଟି ଆଦି ଶତ୍ରୁ ଏହି ସମୟରେ ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ଆକ୍ରମଣ କରି ମହୁମାଛିଙ୍କୁ ମଧ୍ୟ ଅସ୍ତବ୍ୟସ୍ତ କରି ଅନେକ କ୍ଷତି ଘଟାନ୍ତି । ଏହାର ପ୍ରତିକାର ସମୟ ଉପଯୋଗୀ ନହେଲେ ମହୁମାଛିଙ୍କ ସଂଖ୍ୟା ହ୍ରାସ ପାଏ ଏବଂ ବେଳେବେଳେ ସେମାନେ ବାକ୍ସ ଛାଡ଼ି ଚାଲିଯାଆନ୍ତି ।

ଜୁନରୁ ସେପ୍ଟେମ୍ବର (ବର୍ଷାଋତୁ)

  • ବର୍ଷାଋତୁ ମହୁମାଛିଙ୍କ ପାଇଁ ପ୍ରତିକୂଳ ଅଟେ । ସାଧାରଣତଃ ବର୍ଷା ଋତୁରେ ପାଗ ଥଣ୍ଡା ରହୁଥିଲେ ମଧ୍ୟ ଅତ୍ୟଧିକ ପବନ ଓ ବର୍ଷା ହେଉଥିବା ସମୟରେ ମହୁମାଛି ଖାଦ୍ୟ ସଂଗ୍ରହ ପାଇଁ ବାହାରକୁ ଯାଆନ୍ତି ନାହିଁ ଏବଂ ବାକ୍ସ ମଧ୍ୟରେ ଥିବା ମହୁ ଖାଇ ଅଳସୁାଆ ଭାବେ ରହନ୍ତି । ଏହି ଋତୁରେ ସାଧାରଣତଃ ଶାଗୁଆନ, ଚାକୁଣ୍ଡା, ଆକାଶିଆ, ଚମ୍ପା, ବଉଳ, ସଜନା, କଦଳୀ, ଲେମ୍ବୁ, ଭେଣ୍ଡି, ମକା କପା, କଖାରୁ ଜାତୀୟ ଫସଲ ଆଦିରେ ଫୁଲ ଫୁଟିଥାଏ । ଖାଦ୍ୟାଭାବକୁ ଦୃଷ୍ଟିରେ ରଖି ରାଣୀ ମହୁମାଛି କମ୍ ଅଣ୍ଡା ଦେଇଥାଏ । ଏତଦବ୍ୟତୀତ ଝାଡା ରୋଗ ଏବଂ ଅନ୍ୟାନ୍ୟ ଶତ୍ରୁ ଆକ୍ରମଣ ଦେଖାଯାଏ । ଖାଦ୍ୟ ଲୁଟି ଏବଂ ମହୁମାଛି ବାକ୍ସ ଛାଡ଼ି ଚାଲିଯିବା ମଧ୍ୟ ଦୃଷ୍ଟିଗୋଚର ହୁଏ ।
  • ମହୁବାକ୍ସର ଚତୁଃପାର୍ଶ୍ୱରେ ଅନାବନା ଗଛ ଲଟା କାଟି ପରିଷ୍କାର କରିବା ଉଚିତ୍ । ବାୟୁ ଚଳାଚଳ ଠିକଭାବେ ହେବା ସହିତ ସାପ, ବେଙ୍ଗ, ଏଣ୍ଡୁଅ, ପିମ୍ପୁଡ଼ି, ଜନ୍ଦା ଆଦିଙ୍କ ଦାଉରୁ ବାକ୍ସକୁ ରକ୍ଷା କରିହେବ । ସେହିଭଳି ମହୁବାକ୍ସ ଥିବା ସ୍ଥାନଟି ସନ୍ତସନ୍ତିଆ ନ ହେବା ଆବଶ୍ୟକ ।
  • ବର୍ଷାଋତୁରେ ମହମ ଶଲଭ ଆକ୍ରମଣ ଅଧିକ ହେଉଥିବା ହେତୁ ତଳପଟା ନିୟମିତ ଭାବେ ପରିଷ୍କାର କରିବା ଆବଶ୍ୟକ । ସେହିଭଳି ଝାଡ଼ାରୋଗ ପାଇଁ ମହୁମାଛିଙ୍କୁ ମହୁ ସହିତ ମେଟ୍ରନ ଔଷଧ (5 ମି.ଗ୍ରା.) ମିଶାଇ ଦେବାକୁ ପଡ଼ିଥାଏ ।
  • ଏହି ଋତୁରେ ଖାଦ୍ୟାଭାବ ଜନିତ ସମସ୍ୟା ଦୂର କରିବା ପାଇଁ ବାକ୍ସ ମୁହଁରେ ରାଣୀ ଜାଲି ଦେଇ, ଭିତରେ ବହଳ ଚିନି ସିରା (ଚିନି ଓ ପାଣିର ଅନୁପାତ 1:1) ମହୁମାଛିକୁ ଖାଇବାକୁ ଦେବା ନିହାତି ଆବଶ୍ୟକ ।
  • ଖାଦ୍ୟାଭାବରୁ ମହୁମାଛି ସଂଖ୍ୟା ହ୍ରାସ ପାଇ କେତେକ ଫେଣା ମହୁମାଛିଙ୍କ ଦ୍ୱାରା ଅନାଚ୍ଛାଦି ରହିଯାଏ । ଏହି ଅନାଚ୍ଛାଦିତ ମହୁଫେଣା ଗୁଡ଼ିକୁ ବାଷ୍ପ ବିଷ ପ୍ରୟୋଗ କରି ନିବୁଜ ପାତ୍ର ବା ବାକ୍ସରେ ସାଇତି ରଖିବା ଉଚିତ୍ ଓ ପରେ ଆବଶ୍ୟକ ପଡ଼ିଲେ ସେହି ଫେଣାଗୁଡ଼ିକୁ କାଢି ମହୁ ବାକ୍ସରେ ବ୍ୟବହାର କରାଯାଇପାରେ । ଅଥବା ଅନାଚ୍ଛାଦିତ ଫେଣାଗୁଡ଼ିକ ବାକ୍ସରୁ କାଢି ମହମ ନିଷ୍କାସନ କରାଯାଇପାରେ ।
  • ଆବଶ୍ୟକ ସ୍ଥଳେ ଦୁଇଟି ଦୁର୍ବଳ ଦଳକୁ ମିଶ୍ରଣ କରି ସବଳ ଦଳରେ ପରିଣତ କରିବା ଉଚିତ୍ ।

ଅକ୍ଟୋବରରୁ ଡ଼ିସେମ୍ବର (ଶରତ ଏବଂ ଶୀତଋତୁ)

  • ଏହି ସମୟ ମହୁମାଛିଙ୍କ ପାଇଁ ସାମାନ୍ୟ ସଙ୍କଟ ସମୟ । ଖାଦ୍ୟାଭାବ ସହ ବାୟୁ ମଣ୍ଡଳର ତାପମାତ୍ରା ହ୍ରାସ ହେବା ଦ୍ୱାରା ଶାବକ ପାଳନ ସୀମିତ ରହିଥାଏ । ଅଳସୀ, ସୂର୍ଯ୍ୟମୂଖୀ, ହରଡ଼, ରାଶି, ବିରି, ବରକୋଳି, ଗୋଲାପ, କଇଁ ଆଦି ବିଭିନ୍ନ ଗଛରେ ଫୁଲ ଆସିଲେ ମହୁମାଛିମାନେ ପୁଣି ଖାଦ୍ୟ ସଂଗ୍ରହ ଲାଗିଯାଆନ୍ତି । ଏହି ସମୟରେ ମହୁବାକ୍ସ ବା ଦଳକୁ ଧିରେ ଧିରେ ଛାଇରୁ ସାମାନ୍ୟ ଖରା ପଡୁଥିବା ସ୍ଥାନକୁ ନେବାକୁ ହୁଏ । ଏକାଥରେ ବାକ୍ସକୁ 5-6 ଫୁଟ ଦୂରକୁ ସ୍ଥାନାନ୍ତରିତ କଲେ ଦଳଟି ନଷ୍ଟ ହୋଇଯିବାର ସମ୍ଭାବନା ଥାଏ ।
  • ଡ଼ମି ବୋର୍ଡ଼ ବ୍ୟବହାର କରିବା ସହିତ ମହୁମାଛି ଯାତାୟତ କରୁଥିବା ବାଟକୁ ଛୋଟ କରାଯାଏ ଓ ଫାଟ ଗୁଡ଼ିକୁ ବନ୍ଦ କରିବାକୁ ପଡ଼େ ।
  • ଖରାଟିଆ ପାଗ ଦେଖି ବାକ୍ସ ପରୀକ୍ଷା କରାଯାଏ । ଥଣ୍ଡା ପାଗ ଏବଂ କୋହଲା ପବନ ବୋହିବା ସମୟରେ ବାକ୍ସ କମ୍ ସମୟ ଖୋଲି ପରୀକ୍ଷା କରିବା ଉଚିତ୍ ।
  • ଅଧିକ ମାଛିଥିବା ସବଳ ଦଳ ବିଶିଷ୍ଟ ବାକ୍ସରେ ମହୁଫେଣା କଳା ପଡ଼ି ଯାଇଥିଲେ ସେଗୁଡ଼ିକୁ କାଟି ନଷ୍ଟ ବା ମହମ ନିଷ୍କାସନ କରିଦେବା ଉଚିତ୍ । ଏତଦ୍ ବ୍ୟତୀତ ଖାଲି ଫେଣାକୁ ମହୁମାଛି ଥିବା ଦୁଇ ଫେଣା ମଧ୍ୟରେ ରଖିଲେ ମହୁମାଛି ନୂଆଫେଣା ଗଢନ୍ତି । ବର୍ଷକୁ ବାକ୍ସ ପିଛା ଏଭଳି 4-5 ଟି ଫେଣା କରାଇବା ଉଚିତ୍ ।
  • ଏହି ସମୟରେ ମହୁମାଛିମାନଙ୍କୁ ଅଧିକ ସକ୍ରୀୟ କରିବା ଉଦ୍ଦେଶ୍ୟରେ ଉତ୍ତେଜକ ଖାଦ୍ୟ ଭାବେ ଚିନି ଓ ପାଣିକୁ 2:1 ଅନୁପାତରେ ମିଶାଇ ଖାଇବାକୁ ଦେଲେ ମହୁମାଛି ଖାଦ୍ୟଖାଇ ପରାଗରେଣୁ ସଂଗ୍ରହରେ ଲାଗିପଡ଼ନ୍ତି ଫଳରେ ଦଳ ସବଳ ହୁଏ ।
  • ଏହି ଋତୁର ଶେଷ ଆଡ଼କୁ ଦଳରେ ପୁରୁଷମାଛି ସୃଷ୍ଟି ହୁଅନ୍ତି ଓ ଦଳ ବିଭାଜନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ନିଜର ଆବଶ୍ୟକତାକୁ ଦେଖି ଦରକାର ହେଲେ ପୁରୁଷ ମାଛି ଖୋପଗୁଡ଼ିକୁ ନଷ୍ଟ କରିଦେବା ଆବଶ୍ୟକ ।
  • ଏତଦବ୍ୟତୀତ ସପ୍ତଫେଣୀ ମହୁମାଛିରେ ଦେଖାଦେଉଥିବା କେତେକ ସମସ୍ୟା ମଧ୍ୟରୁ ମୁଖ୍ୟତଃ 3ଟି ସମସ୍ୟା ଯଥା- ଦଳୀୟ ଉଡ୍ଡୟନ, ଦଳବଦ୍ଧ ପଳାୟନ ଓ ଅଣ୍ଡାଦିଆ କର୍ମୀମାଛି ଦଳ ଅତି ସାଧାରଣ ଓ ଏହାର ପରିଚାଳନା ଏକାନ୍ତ ଆବଶ୍ୟକ ।

ମହୁମାଛି ସମନ୍ଧରେ ଅଧିକ ଜାଣିବାପାଇଁ ଏହି ପେଜକୁ ଯାଆନ୍ତୁ ।

ଓଡ଼ିଶାରେ ଦେଖାଯାଉଥିବା ମହୁମାଛି

ସୂଚନା ସଂଗୃହୀତ- ଦୂର ଶିକ୍ଷା କାର୍ଯ୍ୟକ୍ରମ, ଓୟୁଏଟି, ଭୁବନେଶ୍ୱର ।

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା